ଚତୁର୍ଥ ଦଳ ଭାବେ ପ୍ଲେ-ଅଫ୍ରେ ନିଜ ସ୍ଥାନ ପକ୍କା କଲା ମୁମ୍ବାଇ

Key Points
ପ୍ଲେ ଅଫ୍ ରୁ ବାଦ ପଡ଼ିଲା ଦିଲ୍ଲୀ
ଦିଲ୍ଲୀ କ୍ୟାପିଟାଲ୍ସକୁ ୫୯ ରନରେ ହରାଇଲା ମୁମ୍ବାଇ ଇଣ୍ଡିଆନ୍ସ
ପ୍ଲେ ଅଫ୍ ରୁ ବାଦ ପଡ଼ିଲା ଦିଲ୍ଲୀ । ଚତୁର୍ଥ ଦଳ ଭାବେ ପ୍ଲେ-ଅଫ୍ରେ ନିଜ ସ୍ଥାନ ପକ୍କା କରୁଛି ମୁମ୍ବାଇ । ଦିଲ୍ଲୀ କ୍ୟାପିଟାଲ୍ସକୁ ୫୯ ରନରେ ହରାଇଲା ମୁମ୍ବାଇ ଇଣ୍ଡିଆନ୍ସ। ଅଷ୍ଟମ ମ୍ୟାଚ୍ ଜିତି ମୁମ୍ବାଇ ଇଣ୍ଡିଆନ୍ସ ଚତୁର୍ଥ ଦଳ ଭାବେ ଆଇପିଏଲ୍ ୨୦୨୫ର ପ୍ଲେ ଅଫ୍ରେ ପ୍ରବେଶ କରିଛି। ମୁମ୍ବାଇଠୁ ହାରି ଦିଲ୍ଲୀ କ୍ୟାପିଟାଲ୍ସ ପ୍ଲେ ଅଫ୍ ଦୌଡ଼ରୁ ବାଦ୍ ପଡ଼ିଛି। ଏହା ପୂର୍ବରୁ ଗୁଜରାଟ, ବେଙ୍ଗାଲୁରୁ ଓ ପଞ୍ଜାବ ପ୍ଲେ ଅଫ୍ରେ ପ୍ରବେଶ କରି ସାରିଛନ୍ତି। ଆଜିର ମ୍ୟାଚ୍ରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ଇଣ୍ଡିଆନ୍ସ ସୂର୍ଯ୍ୟକୁମାର ଯାଦବଙ୍କ ୭୩ ରନ ବଳରେ ୫ ଓ୍ଵିକେଟ୍ ହରାଇ ୧୮୦ ରନ କରିଥିଲା।
ଜବାବରେ ଦିଲ୍ଲୀ ମୁମ୍ବାଇ ବୋଲରଙ୍କ ଘାତକ ବୋଲିଂର ମୁକାବିଲା କରି ନ ପାରି ୧୮.୨ ଓଭରରେ ୧୨୧ ରନରେ ଅଲଆଉଟ୍ ହୋଇଥିଲା। ବୋଲିଂରେ ମିଚେଲ୍ ସାଣ୍ଟନର ଓ ଯଶପ୍ରୀତ ବୁମରା ୩ଟି ଲେଖାଏଁ ଓ୍ଵିକେଟ୍ ନେଇ ଦଳକୁ ସହଜ ବିଜୟ ଦେଇଛନ୍ତି। ଦିଲ୍ଲୀ କ୍ୟାପିଟାଲ୍ସ ୧୮୧ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ବେଳେ ଦଳ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା । ଦଳ ୨୭ ରନ ସ୍କୋରରେ ତିନି ଟପ୍ ଅର୍ଡର ବ୍ୟାଟରଙ୍କୁ ହରାଇଥିଲା । କେଏଲ ରାହୁଲ ଓପନିଂ କରି କେବଳ ୧୧ ରନ କରି ଆଉଟ୍ ହୋଇଥିବା ବେଳେ ଅଧିନାୟକ ଦାୟିତ୍ୱ ସମ୍ଭାଳିଥିବା ଫାଫ ଡୁ ପ୍ଲେସିସ୍ ୬ ଓ ଅଭିଷେକ ପୋରେଲ ୬ ରନ କରି କ୍ରିଜରେ ଅଧିକ ସମୟ ତିଷ୍ଠି ପାରି ନ ଥିଲେ ।