Perfume History / ଜାଣନ୍ତୁ ପରଫ୍ୟୁମର ଇତିହାସ

Key Points
ଜାଣନ୍ତୁ ପରଫ୍ୟୁମର ଇତିହାସ ।
କୌଣସି ବିଶେଷ ଅବସର ପାଇଁ ପ୍ରସ୍ତୁତ ହେଉଥିଲେ ଭଲ ପୋଷାକ ପିନ୍ଧିବା ପରେ ପରଫ୍ୟୁମ୍ ବା ସୁଗନ୍ଧିତ ଦ୍ରବ୍ୟର ନିଶ୍ଚୟ ଖୋଜାପଡ଼େ । ପରଫ୍ୟୁମ୍ ବା ଅତର କଥା ପଡ଼ିଲେ ସୁନ୍ଦର ବୋତଲରେ ଥିବା ସୁଗନ୍ଧିତ ତରଳ ଦ୍ରବ୍ୟ ଆଖି ଆଗରେ ଦେଖାଯାଏ । ଏହା କେବଳ ଶରୀରକୁ ସୁବାସିତ କରେନାହିଁ, ମାନସିକ ଅବସାଦରୁ ମଧ୍ୟ ମୁକ୍ତି ଦେଇପାରେ ତା'ସହ ମଧ୍ୟ ଆତ୍ମବିଶ୍ଵାସ ବଢ଼ାଏ । ଆରୋମା ଥେରାପିକୁ ମଧ୍ୟ ବେଶ୍ ଗୁରୁତ୍ଵ ଦିଆଯାଇଛି ।
ଅତରର ଇତିହାସ ହଜାର ହଜାର ବର୍ଷ ପୁରୁଣା । ପ୍ରାୟ ୩୦୦୦ ବର୍ଷ ପୂର୍ବେ ମେସୋପଟାମିଆ ଏବଂ ମିଶରରେ ଧାର୍ମିକ କାର୍ଯ୍ୟକ୍ରମ ପାଇଁ ଧୂପ ଜଳାଇବାରୁ ଅତର ବ୍ୟବସ୍ଥାର ଆରମ୍ଭ ହୋଇଥିବା କୁହାଯାଏ । ପ୍ରାଚୀନ ଗ୍ରୀସ୍ ଓ ରୋମ୍ରେ ଏହା ଦୈନନ୍ଦିନ ଜୀବନରେ ଉପଯୋଗ ହେବା ସହ ବିକଶିତ ହୋଇ ମଧ୍ୟକାଳୀନ ୟୁରୋପରେ ଆଲ୍କୋହଲ ଆଧାରିତ ‘ହଙ୍ଗେରୀ ୱାଟର' ପ୍ରସ୍ତୁତ କରାଯାଇଥିଲା । ପୂର୍ବକାଳରେ ଫ୍ରାନ୍ସରେ ଏହା ବିଳାସ ଜୀବନର ପ୍ରତୀକ ଭାବେ ଲୋକପ୍ରିୟତା ହାସଲ କରିଥିଲା । ଊନବିଂଶ ଶତାବ୍ଦୀରେ ରସାୟନ ବିଜ୍ଞାନ ଆଧୁନିକ ସିନ୍ଥେଟିକ୍ ଅତର ପ୍ରସ୍ତୁତ କଲା ଯାହା ବିଂଶ ଶତାବ୍ଦୀର ଡିଜାଇନର ପରଫ୍ୟୁମ୍ ଭାବେ ପରିଚୟ ପାଇଲା ।
ଲାଟିନ୍ ଶବ୍ଦ ପରଫ୍ୟୁମରୁ ପରଫ୍ୟୁମ୍ ଶବ୍ଦର ଉତ୍ପରି ହୋଇଥିବା କୁହାଯାଏ, ଯାହାର ଅର୍ଥ- ଧୂଆଁ ମାଧ୍ୟମରେ । ଏବେକାର ପରଫ୍ୟୁମ୍ ବା ଅତର ନିଜର ପୁରୁଣା ରୂପ ଏବଂ ପୂର୍ବଜମାନଙ୍କ ବ୍ୟବହାର ପ୍ରକ୍ରିୟାଠାରୁ ଯଥେଷ୍ଟ ଭିନ୍ନ । ଅତରର ଇତିହାସ କେବଳ ସୁଗନ୍ଧ ସହ ଜଡ଼ିତ ହୋଇନାହିଁ, ଏହା ବୈଜ୍ଞାନିକ ଅନୁଧ୍ୟାନ, ଏକ ଦେଶରୁ ଅନ୍ୟ ଦେଶକୁ ଜ୍ଞାନ ସଞ୍ଚରଣ ଏବଂ ବ୍ୟବସାୟ ବିସ୍ତାରର ଅଧ୍ୟୟନ ବୋଲି କୁହାଯାଇପାରେ । ଏହା ସହିତ ଉପନିବେଶବାଦ, ପ୍ରାକୃତିକ ସମ୍ବଳ ଉପଯୋଗ ଏବଂ ଏବେକାର ୟୁରୋପୀୟ ବ୍ୟବସାୟ କାହାଣୀ ବି ବର୍ଣ୍ଣନା କରୁଛି ।
ତଥ୍ୟ ଅନୁସାରେ, ପ୍ରାଚୀନ ଚୀନ୍, ମିଶର, ଇସ୍ରାଏଲ, ଆରବ, ଗ୍ରୀସ୍, ରୋମ୍ ବାସିନ୍ଦା ପରଫ୍ୟୁମ୍ ପ୍ରସ୍ତୁତିର କଳା ସହ ପରିଚିତ ଥିଲେ। ମେସୋପଟାମିଆ ସଭ୍ୟତାର ବାସିନ୍ଦା ବିଶ୍ବାସ କରୁଥିଲେ ଯେ ଉପରକୁ ଉଠୁଥିବା ଧୂଆଁ ପୃଥିବୀ ସହ ଭଗବାନଙ୍କୁ ସଂଯୁକ୍ତ କରିଥାଏ । ତେଣୁ ପ୍ରାର୍ଥନା ସମୟରେ ସେମାନେ ବିଭିନ୍ନ ସୁଗନ୍ଧିତ ଦ୍ରବ୍ୟକୁ ଧୂପ ଭାବେ ଜଳାଉଥିଲେ ।
ସର୍ବପ୍ରଥମେ ‘ନୋଜ’ ବା ଅତର ପ୍ରସ୍ତୁତ କରିବାର କଳାରେ ତସ୍ମୃତି ନାମକ ଜଣେ ମହିଳା ବେଶ୍ ଦକ୍ଷ ଥିବା କୁହାଯାଏ । ସେ ମେସୋପଟାମିଆର ଜଣେ ରସାୟନ ବିଜ୍ଞାନୀ ଥିଲେ। ଆଜିଠାରୁ ପ୍ରାୟ ଖ୍ରୀ.ପୂ. ୧୨ଶହ ବେଳକୁ ଅର୍ଥାତ୍ ୩ହଜାର ବର୍ଷରୁ ପ୍ରାଚୀନ ସମୟର ଏକ ଶିଳାଲେଖରେ ତାଙ୍କର ଅତର ପ୍ରସ୍ତୁତି ପ୍ରକ୍ରିୟା ବର୍ଣ୍ଣିତ ଥିବା ଦେଖାଯାଏ ।
ପରଫ୍ୟୁମ୍ ବିଶେଷଜ୍ଞ ତଥା ଐତିହାସିକ ଆଲେକ୍ଜା ଷ୍ଟ୍ରୋ ହେଲବାନିଙ୍କ କହିବା ଅନୁସାରେ, ତପ୍ପୁତି ଜଣେ ମୁରାସ୍କିଟୁ ଥିଲେ । ଆସିରୀୟ ଏବଂ ବେବିଲୋନ୍ର ରାଜଦରବାରରେ ଅତର ପ୍ରସ୍ତୁତ କରିପାରୁଥିବା ବଡ଼ବଡ଼ ମହିଳା । ବିଶେଷଜ୍ଞଙ୍କୁ ‘ମୁରାସ୍କିଟୁ' ଉପାଧି ଦିଆଯାଉଥିଲା । ହଜାର ହଜାର ବର୍ଷ ତଳେ ରାଜପ୍ରାସାଦରେ ଅତର ପ୍ରସ୍ତୁତ କାମ ମହିଳାଙ୍କ ଦାୟିତ୍ଵରେ ଥିବା ଏବଂ ସେମାନଙ୍କୁ ଏପରି ସମ୍ମାନ ଦିଆଯାଉଥିବା ନିଶ୍ଚିତ ଭାବେ ଖୁବ୍ ବଡ଼ କଥା ।
ଆର୍କିଓକେମିଷ୍ଟଙ୍କ ମତରେ, ସମୟ ସହିତ ପରଫ୍ୟୁମ ବା ଅତରରେ ବିଭିନ୍ନ ପ୍ରକାର ସୁଗନ୍ଧିତ ଦ୍ରବ୍ୟ ଏବଂ ପ୍ରସ୍ତୁତି ପ୍ରକ୍ରିୟା ସାମିଲ ହୋଇଚାଲିଲା । ଏଥିରେ ଧୂପ ତଥା ଅଗରବତି ଜଳାଇବା, ସୁଗନ୍ଧିତ କାଠ, ତେଲ ବି ସାମିଲ ରହିଛି । ଏଗୁଡ଼ିକ ମଧ୍ୟରୁ କେତେକ ସାମଗ୍ରୀ କେବଳ ନିଜକୁ ସଜାଇବା ବଦଳରେ ଧାର୍ମିକ କାର୍ଯ୍ୟରେ ଲାଗିଥାଏ । ଏହି ପରି ଭାବରେ ପରଫ୍ୟୁମ ବା ଅତରରେ ଲୋକପ୍ରୟତା ବଢ଼ିଚାଲିଲା ।
📱 Get Argus News App
✨Related Topics
Explore more stories