କେଉଁ ବିବାହରେ ଅଧିକ ଖୁସିରେ ରୁହନ୍ତି ଦମ୍ପତ୍ତି ?

ଭାରତ ହେଉଛି ସଂସ୍କାର ଏବଂ ସଭ୍ୟତାପୂର୍ଣ୍ଣ ଦେଶ । ଏଠାରେ ପରମ୍ପରା ଆଉ ରୀତିନୀତିର ନିଜର ଏକ ଭିନ୍ନ ପରିଚୟ ରହିଛି । ବିବାହ ମଧ୍ୟ ଏଠାରେ ବିଭିନ୍ନ ପ୍ରକାରର ଅନୁଷ୍ଠିତ ହୋଇଥାଏ, ତାହା ଲଭ୍ ମ୍ୟାରେଜ ହେଉ କିମ୍ବା ଆରେଞ୍ଜ ମ୍ୟାରେଜ । ବିବାହରେ ଖୁସି ରହିବାର ସବୁଠାରୁ ବଡ଼ କାରଣ ହେଲା ଉଭୟଙ୍କର ଉଭୟଙ୍କ ପ୍ରତି ଭଲପାଇବା, ବୁଝାମଣା ଓ ପରସ୍ପର ପ୍ରତି ସମ୍ମାନ । ଆଜିକାଲିର ପିଲାମାନେ ଲଭ ମ୍ୟାରେଜ୍ କରିବାକୁ ଅଧିକ ପସନ୍ଦ କରୁଛନ୍ତି । ଅନ୍ୟପକ୍ଷରେ କିଛି ଏପରି ବି ଅଛନ୍ତି, ଯେଉଁମାନେ ବାପା-ମା’ ଓ ପରିବାର ଲୋକଙ୍କ ପସନ୍ଦକୁ ଗୁରୁତ୍ୱ ଦେଇ ଆରେଞ୍ଜ ମ୍ୟାରେଜ କରୁଛନ୍ତିି । ମ୍ୟାରେଜ ଯାହା ବି ହେଉନା କାହିଁକି ଏଥିରେ ବିଶ୍ୱାସ ଓ ଭରଷା ରହିବା ଜରୁରୀ ।
ପ୍ରେମ ବିବାହରେ ଦୁହେଁ ଦୁଇ ଜଣଙ୍କୁ ପୂର୍ବରୁ ଜାଣିଥାଆନ୍ତି, ଯେଉଁଥିପାଇଁ ଉଭୟଙ୍କ ମଧ୍ୟରେ ଏକ ମଜଭୁତ ସମ୍ପର୍କ ଗଢ଼ି ଉଠିଥାଏ । ଯେହେତୁ ଦୁଇ ଜଣ ନିଜ ଇଚ୍ଛାରେ ବିବାହ କରିଥାଆନ୍ତି, କୌଣସି ଅସୁବିଧା ହେଲେ ଏକାଠି ହୋଇ ସମସ୍ୟାର ସମାଧାନ କରିବା ପାଇଁ ଚେଷ୍ଟା କରନ୍ତି । ପ୍ରେମ ବିବାହରେ, ଦମ୍ପତ୍ତି ପରସ୍ପର ସହିତ ଅଧିକ ଖୋଲାଖୋଲି ଭାବରେ କଥାବାର୍ତ୍ତା କରିପାରନ୍ତି, ଯାହା ସମ୍ପର୍କକୁ ମଜବୁତ କରିବାରେ ସାହାଯ୍ୟ କରିଥାଏ । ତଥାପି ପ୍ରେମ ବିବାହର ମଧ୍ୟ ନିଜସ୍ୱ ଚ୍ୟାଲେଞ୍ଜ ଅଛି । ପ୍ରେମ ବିବାହରେ ପରିବାର ଏବଂ ସମାଜର ଚାପ ପଡ଼େ, ଯାହା ବେଳେବେଳେ ସମ୍ପର୍କକୁ ଚାପଗ୍ରସ୍ତ କରିପାରେ । ବିବାହ ପରେ ଅନେକ ଜିନିଷ ବଦଳିଯାଏ, ତେଣୁ ଯଦି ଉଭୟଙ୍କ ଚିନ୍ତାଧାରାରେ ପାର୍ଥକ୍ୟ ଥାଏ, ଆପୋଷ ବୁଝାମଣା କରିବା କଷ୍ଟକର ହୋଇପାରେ ।
ପରିବାର ଲୋକ ଓ ସମାଜର ସହମତିରେ ହୁଏ ଆରେଞ୍ଜ ମ୍ୟାରେଜ
ଏହି ବିବାହରେ ସମୟ ସହିତ ବିଶ୍ୱାସ ଏବଂ ପ୍ରେମ ବଢ଼ିଥାଏ । ଏହି ପ୍ରକାର ବିବାହ ସମାଜରେ ଅଧିକ ବୈଧ ବିବେଚନା କରାଯାଏ । ଏହି ବିବାହର ମଧ୍ୟ ନିଜସ୍ୱ ଚ୍ୟାଲେଞ୍ଜ ଅଛି । ଏହି ପ୍ରକାର ବିବାହରେ ଦମ୍ପତି ପରସ୍ପରକୁ ସଂପୂର୍ଣ୍ଣ ଭାବେ ଜାଣିନଥାନ୍ତି, ତେଣୁ ଆରମ୍ଭରେ କିଛି ବିବାଦ ହୋଇପାରେ । ଆହୁରି ମଧ୍ୟ ଉଭୟଙ୍କ ମଧ୍ୟରେ ପ୍ରେମ ଏବଂ ଭାବପ୍ରବଣତା ସମୟ ନେଇପାରେ । ଉଭୟଙ୍କ ମଧ୍ୟରେ ବୁଝାମଣାର ଅଭାବ ରହିଲେ ବିବାହରେ ସମସ୍ୟା ହୋଇପାରେ ।
ଉଭୟ ବିବାହର ନିଜସ୍ୱ ସୁବିଧା ଏବଂ ଅସୁବିଧା ଅଛି । ପ୍ରେମ ବିବାହରେ ଖୁସି ହେବାର ସମ୍ଭାବନା ଅଧିକ । ଉଭୟ ପରିବାର ଓ ସମାଜର ସହମତିରେ ବିବାହ ହୋଇଥିଲେ କୌଣସି ଅସୁବିଧା ହୁଏନି । ଅନ୍ୟପକ୍ଷରେ ଆରେଞ୍ଜ ମ୍ୟାରେଜରେ ଅଧିକ ଖୁସି ରହିବାର ସୁଯୋଗ ସେତେବେଳେ ଆସେ, ଯେତେବେଳେ ଉଭୟଙ୍କ ମାନସିକତା ଏବଂ ଚିନ୍ତାଧାରା ମିଶିଯାଏ । ତେବେ ଆରେଞ୍ଜ କି ଲଭ ମ୍ୟାରେଜ କେଉଁଥିରେ ଅଧିକ ଖୁସି ମିଳିଥାଏ ତାହା କେବଳ ପରିସ୍ଥିତି ଓ ସମୟ ହିଁ କହିଥାଏ । ମନକୁ ମନ ମିଶାଇ ଚଳିଲେ କୌଣସି ବି ବିବାହ ସଫଳ ହୋଇପାରିବ ।