ଲଭ୍ ମ୍ୟାରେଜ୍ ଭଲ ନା ଆରେଞ୍ଜ ମ୍ୟାରେଜ୍

Key Points
ଏଠି ପ୍ରେମ ବୁଝୁନଥିବା ମଣିଷ ବି ପ୍ରେମ କରନ୍ତି
କୁମ୍ଭରେ ମୋନାଲିସା ମାନଙ୍କ ନୀଳ ଆଖିରେ ବି ପାଗଳ ହୁଅନ୍ତି
ବିବାହ ସ୍ୱର୍ଗରେ ସ୍ଥିର ହୁଏ, କିନ୍ତୁ ମର୍ତ୍ତ୍ୟରେ ଭାଙ୍ଗେ
ବିବାହ- ସ୍ବପ୍ନ, ସମ୍ଭାବନା ଆଶା ଆକାଂକ୍ଷାର ଏକ ପବିତ୍ର ବନ୍ଧନ। ଯେଉଁ ବନ୍ଧନର ବନ୍ଧ ଥରେ ବାନ୍ଧି ହେଇଗଲେ ବଦଳିଯାଏ ପରିଚୟ, ବଢିଯାଏ ଦାୟିତ୍ୱ। ଜୀବନ ମାର୍ଫତରେ ଯୋଡ଼ି ହୋଇଯାଏ ଆଉ ଜଣଙ୍କ ଠିକଣା। ତେଣୁ କୁହାଯାଏ ସାଥିଟେ ବାଛିବା ଜୀବନ ଜ୍ୟାମିତିର ସୂକ୍ଷ୍ମ ସୁତ୍ରଟି ପରି । ସାମାନ୍ୟତମ ଭୁଲ ପରିଣତ ବୟସ ଯାଏଁ ପଶ୍ଚାତାପରେ ମାରୁଥିବ । ଆୟୁଷ ସରିଯିବ ସିନା ହେଲେ ଅଶ୍ରୁ ସରିବନି । ଏଠି ଅଙ୍କ କଷିବା ଭାରି ସହଜ କିନ୍ତୁ ଭାଗଫଳଟି ଭାଗ୍ୟ ଉପରେ ନିର୍ଭର କରେ । ସେଇଁଥିପାଇଁ ଝିଅ କିମ୍ବା ପୁଅର ବାହାଘର ଖୋଜିଲେ ମୁରବୀମାନେ ହଜାରେ କଥା ପଚାରନ୍ତି । ନାଁଠୁ ଠିକଣା, କଣ କରୁଛ, ଆଗକୁ କଣ କରିବ , ଚଳିବ କେମିତି, ଯୌଥ ପରିବାରରେ କିଏ କିଏ ଅଛନ୍ତି, ମନ ନେଇ ଚଳି ପାରିବ ତ ? କହିବାକୁ ଗଲେ ଛେନାରୁ ଚୋପା ଛଡାଇଲା ଭଳି... ଆଜି ତ ଦୁନିଆ ସଂପୂର୍ଣ୍ଣ ଓଲଟା ହୋଇଯାଇଛି । ମୁରବୀ ଜାଣିଲା ପୂର୍ବରୁ କୋର୍ଟ ମ୍ୟାରେଜ ସରିଯାଉଛି । ପ୍ରଥା ପରମ୍ପରା ଭିତରେ ପ୍ରେମ ବିବାହକୁ ସହଜରେ ସ୍ୱୀକୃତି ମିଳିଯାଉଛି। ଆରେଞ୍ଜ ମ୍ୟାରେଜ ଅପେକ୍ଷା ଲଭ ମ୍ୟାରେଜ, ଲଭ କମ ଆରେଞ୍ଜ ମ୍ୟାରେଜର ସଂଖ୍ୟା ବଢ଼ିଛି। ନିଜ ପାଇଁ ସାଥି ବାଛିବାରେ ସଂପୂର୍ଣ୍ଣ ସ୍ୱାଧୀନତା ଆସିଛି। ଆଗ ଭଳି ସମ୍ପର୍କ ମଝିରେ ଆଉ ପରିବାରର ନିତି ନିୟମ ପାଚେରୀ ହେଇ ଠିଆ ହେଉନି। ଅନୁରୋଧ କରିବାକୁ ପଡୁନି ବଂର ଅନୁମୋଦନ ଆପେ ମିଳିଯାଉଛି....
ଏଠି ପ୍ରେମ ବୁଝୁନଥିବା ମଣିଷ ବି ପ୍ରେମ କରନ୍ତି । ଚେହେରାର ରଙ୍ଗ, କୁମ୍ଭରେ ମୋନାଲିସା ମାନଙ୍କ ନୀଳ ଆଖିରେ ବି ପାଗଳ ହୁଅନ୍ତି । ଗୋଲାପ ଦୋକାନରେ ଭିଡ଼ ଜମାନ୍ତି । ଚକଲେଟ, ଟେଡି ଅର୍ଡର କରନ୍ତି । ପେବୃୟାରୀର ଭାଲେଣ୍ଟାଇନ୍ ସପ୍ତାହ ବା 14 ତାରିଖକୁ ଚାତକ ପରି ଚାହିଁ ରହନ୍ତି । ହେଲେ ପ୍ରେମ ଟିକେ ପୁରୁଣା ହେଲେ ସତେ ଯେମିତି କଳଙ୍କୀ ଲାଗିଯାଏ, ସଂପର୍କର ସୂତା ଟିକେ ଲମ୍ବା ହେଲେ ଲାଷ୍ଟିଂ କମିଯାଏ, ଛିଡିଯାଏ । ଆପତ୍ତି ଅଭିଯୋଗର ଆପୋଷ ବୁଝାମଣା ଭିତରେ ସମ୍ପର୍କ ଭାଗ ଭାଗ ହେଇଯାଏ । ଶେଷରେ ପ୍ରତାରଣା-ଆତ୍ମହତ୍ୟା -ନିର୍ଯାତନା ନହେଲେ ବିଛେଦ ।
ଆଇପିଏସଓଏସ ର ସର୍ଭେ କହୁଛି 2013 ରେ୧୮ ରୁ ୩୫ ବର୍ଷର ଯୁବକ ଯୁବତୀଙ୍କ ମଧ୍ୟରୁ 74 ପ୍ରତିଶତ ଆରେଞ୍ଜ ମ୍ୟାରେଜକୁ ବାଛୁଥିଲେ । ୨୦୧୮ ମସିହାରେ ଏହା 60 ପ୍ରତିଶତକୁ ଖସି ଆସିଥିଲା । ଅର୍ଥାତ 40 ପ୍ରତିଶତ ବିବାହ ଯୋଗ୍ୟ ପୁଅ-ଝିଅ ନିଜ ପସନ୍ଦର ଜୀବନ ସାଥୀ ବାଛୁଥିଲେ । କେବଳ ଏତିକି ନୁହେଁ 'ଦ ନଟ୍ ଓ୍ଵାର୍ଲ୍ଡୱାଇଡ୍'ର ଭାରତୀୟ ସହାୟକ ସଂସ୍ଥା ୱେଡିଂ ଓ୍ବେୟାର ଇଣ୍ଡିଆ ବିବାହକୁ ନେଇ ଏକ ସର୍ଭେ କରିଥିଲା। ଯେଉଁଥିରୁ ଜଣା ପଡିଛି ୨୦୨୦ ତୁଳନାରେ ୨୦୨୩ରେ ଅଧିକ ଲଭ୍ ମ୍ୟାରେଜ ହୋଇଛି। ଗତ ତିନି ବର୍ଷ ମଧ୍ୟରେ ଆରେଞ୍ଜ ମ୍ୟାରେଜ ୨୪ ପ୍ରତିଶତ ହ୍ରାସ ହୋଇଛି । ସମସ୍ୟା ପ୍ରେମ କିମ୍ବା ଦେଖାଚାହାଁ ବିବାହରେ ନାହିଁ । ଅଛି ବିଛେଦରେ । ନିଜ ପ୍ରେମକୁ ଜୀବନ ସାଥୀ କରିବା ପାଇଁ ଯେଉଁମାନେ ଘର-ପରିବାର-ଦୁନିଆ ସହ ଲଢିଥାନ୍ତି, କିଛିଦିନ ଏକାଠି ରହିବା ପରେ ସେମାନଙ୍କର ମୋହଭଙ୍ଗ ଓ ସ୍ୱପ୍ନଭଙ୍ଗ ହୁଏ । ପ୍ରେମିକ ବା ପ୍ରେମିକା ଭିତରେ ଦେଖିଥିବା ମହତ ଗୁଣଗୁଡ଼ିକ ଯେ କେବଳ ଖୋଳପା ବୋଲି ଜାଣିବା ପରେ ନା ଆଗକୁ ବଢିହୁଏ, ନା ପଛକୁ ଫେରିହୁଏ... ଆର୍ଥିକ ସ୍ୱାଧିନତା ଥିବା ବ୍ୟକ୍ତି ବିଛେଦ ଦିଗରେ ଯାଏ, ଆଉ ନଥିବା ମଣିଷ ଆତ୍ମହତ୍ୟା ଦିଗରେ...
📱 Get Argus News App
✨
ରିପୋର୍ଟ କହୁଛି ଦୁଇ ଦଶନ୍ଧୀ ଅର୍ଥାତ୍ ପ୍ରାୟ 20 ବର୍ଷ ତଳେ ହଜାରେ ବାହାଘରରୁ ମାତ୍ର ୭ଟି ବିବାହ ବିଚ୍ଛେଦ ଘଟଣା ଘଟୁଥିଲା । ହେଲେ ଏବେ ଏ ସଂଖ୍ୟା 10କୁ ବଢିଗଲାଣି । ଏକଥା ସତ ଯେ ଅନ୍ୟଦେଶ ତୁଳନାରେ ଆମ ଦେଶରେ ବିବାହ ବିଛେଦ କମ୍ କିନ୍ତୁ ସଭ୍ୟ ଏବଂ ସଂସ୍କୃତିକୁ ଜାବୁଡ଼ି ଧରିଥିବା ଆମ ଦେଶରେଏ ସଂଖ୍ୟା ବି ଚିନ୍ତାଜନକ । ଆମେରିକାରେ ପ୍ରେମ ବିବାହର ଛାଡ଼ପତ୍ର ହାର ୫୦%, ସ୍ୱିଡେନ୍ ରେ ୫୪%, ରୁଷିଆ - ୪୩, ବ୍ରିଟେନରେ ୪୨, ଜର୍ମାନୀରେ - ୩୯, ସିଙ୍ଗାପୁର – ୧୭% ଓ ଇସ୍ରାଏଲରେ ଏହା 14 ପ୍ରତିଶତ ।
ଅଧିକାଂଶ ଡିଭୋର୍ସର କାରଣ- ଖାପ ଖୁଆଇ ଚଳିବାରେ ଅସୁବିଧା, ସ୍ବାମୀସ୍ତ୍ରୀଙ୍କ ଭିତରେ ଶ୍ବଶୁର ଏବଂ ଶାଶୁ ଘର ଲୋକଙ୍କ ଅଯଥା ହସ୍ତକ୍ଷେପ, ଆର୍ଥିକ ସମସ୍ୟା, ନିଶା ଅଭ୍ୟାସ, ଶାରୀରିକ ମାନସିକ ହିଂସା ଓ ପରିକୀୟା ପ୍ରୀତି । ଛୋଟଛୋଟ କଥାରେ ସଂସାର ଭାଙ୍ଗି ଯାଉଛି, ବୁଝାମଣା ପରିବର୍ତ୍ତେ କୋର୍ଟ କଚେରୀରେ ଅର୍ଥଶ୍ରାଦ୍ଧ ହେଉଛି, ଦିନେ ସବୁଠୁ ଭଲ ଲାଗୁଥିବା ଲୋକଟି ଏବେ ସବୁଠୁ ଖରାପ ଲାଗୁଛି । ପରିସଂଖ୍ୟନ କହୁଛି ଦେଶର ବିଭିନ୍ନ ଅଦାଲତରେ ବର୍ତ୍ତମାନ ସୁଦ୍ଧା ୫ କୋଟି 11 ଲକ୍ଷ ବିବାହ ବିଚ୍ଛେଦ ମାମଲା ବିଚାର ପାଇଁ ପଡ଼ି ରହିଛି । ୨୦୨୩ରେ ସୁପ୍ରିମକୋର୍ଟର ଜଷ୍ଟିସ ବିଆର୍ ଗବାଇ ଓ ଜଷ୍ଟିସ ସଞ୍ଜୟ କରୋଲଙ୍କ ଖଣ୍ଡପୀଠ ଏକ ବିବାହ ବିଛେଦ ମାମଲାର ଶୁଣାଣୀ ବେଳେ କହିଥିଲେ କେବଳ ଲଭ୍ ମ୍ୟାରେଜରେ ଘଟୁଛି ଡିଭୋର୍ସ କେସ୍
ବୟସ୍କମାନେ କୁହନ୍ତି ଯେଉଁଠି ଦୁଇଟି ପରିବାରର ସମ୍ମତି ନଥାଏ, ସାମାଜିକ ସ୍ୱୀକୃତି ନଥାଏ, ସେଠି ବିନା ଆଶୀର୍ବାଦରେ ଅଧିକାଂଶ ଦାମ୍ପତ୍ୟ ଜୀବନ କ୍ଷଣସ୍ଥାୟୀ ହୋଇଯାଏ । ସଂପର୍କ ଜୁଆରର ରୂପ ନେବା ପୂର୍ବରୁ ଭଟ୍ଟା ପଡ଼ିଯାଏ । ଏପଟେ ଯୁବଗୋଷ୍ଠୀଙ୍କ ମତ ସେମାନେ ଲିଭ୍ ଇନ୍ ରିଲେସନସିପରେ ରହି ସାଥୀସହ ଚଳିବା ସମ୍ଭବ କି ନୁହେଁ ପରଖୁଥିବା ବେଳେ ପୁରୁଣା କାଳିଆ ଢାଞ୍ଚାରେ ବାପା-ମାଆ ବାଛୁଥିବା ଅଜଣା ଅଶୁଣା ପୁଅଝିଅକୁ ଜୀବନ ସାଥୀ କରିବା ସମ୍ଭବପର ନୁହେଁ । ତା ଛଡ଼ା ମତାନ୍ତର ମନାନ୍ତର ପାଇଁ ଡିଭୋର୍ସ ହେଲେ ରି-ମ୍ୟାରେଜ ଅଛି ନା, ପୁଣି ଆଉ ଜଣଙ୍କ ସହ ଘର ବସାଇବାରେ ଅସୁବିଧା କେଉଁଠି ?
ହେଲେ ଶେଷରେ ଏତିକି କହିବା ବିବାହ ସ୍ୱର୍ଗରେ ସ୍ଥିର ହୁଏ, କିନ୍ତୁ ମର୍ତ୍ତ୍ୟରେ ଭାଙ୍ଗେ...।