ସ୍ବାସ୍ଥ୍ୟ ପାଇଁ କେଉଁଟା ଉପଯୁକ୍ତ, ଭାତ ନା ରୁଟି, ଜାଣନ୍ତୁ...

ଅର୍ଗସ ବ୍ୟୁରୋ : ରୁଟି ନା ଭାତ । କେଉଁଟା ଆମ ସ୍ବାସ୍ଥ୍ୟ ପାଇଁ ଅଧିକ ହିତକର । ଏମିତି ପ୍ରଶ୍ନ ଆମ ଭାରତୀୟଙ୍କ ମନରେ ସବୁବେଳେ ଆସିଥାଏ । କାରଣ ଆମେ ଭାତ , ରୁଟି ଉଭୟ ଉପରେ ନିର୍ଭରଶୀଳ । ଭାତକୁ ତିଆରି କରିବାରେ ବିଶେଷ ପରିଶ୍ରମ ଲାଗି ନଥାଏ । ଏବଂ ଏହାକୁ ସବୁ ପ୍ରକାର ତରକାରୀ ସହ ସହଜରେ ଖାଇହୁଏ । ତେଣୁ ଅଧିକାଂଶ ଲୋକେ ଭାତ ଖାଇବାକୁ ପସନ୍ଦ କରିଥାନ୍ତି । କିନ୍ତୁ କିଛି ଡାକ୍ତରଙ୍କ ମତରେ ଭାତ ଅଧିକ ଖାଇବା ଦ୍ବାରା ମୋଟାପଣ ବଢିଥାଏ । ତେଣୁ ଭାତ କେତେ ପରିମାଣରେ ଖାଇବା ଆବଶ୍ୟକ, ରୁଟି ଖାଇବା ଶରୀର ପାଇଁ କେତେ ଦରକାର, ତାହା ଆସନ୍ତୁ ଜାଣିବା ।
ଦୁଇଟିଯାକ ପୃଷ୍ଟିସାର ଖାଦ୍ୟ ହୋଇଥିବାରୁ ପ୍ରକୃତରେ ନିଜର ଫିଟ୍ନେସ ମେଣ୍ଟେନ କରିବାକୁ କେଉଁଟା ଅଧିକ ଶରୀର ପାଇଁ ଦରକାର ତାହାକୁ ନେଇ ଅନେକ ତର୍କ କରାଯାଏ । ତେବେ ଏକ କପ ୧୦୦ ଗ୍ରାମ ରନ୍ଧା ଭାତରେ ୧୩୦ କ୍ୟାଲୋରୀ ଥାଏ । ସେହପରି ୨୦୦ ଗ୍ରାମ ରନ୍ଧା ଭାତରେ ୨୬୦ କ୍ୟାଲୋରୀ ଥାଏ । ତେବେ ଏହା ରନ୍ଧା ହୋଇଥିବା ଯୋଗୁ ଏଥିରେ ଥିବା ଜର୍ମ ନଷ୍ଟ ହୋଇଥାଏ । ତେଣୁ ଏଥିରେ ଫାଇବରର ପରିମାଣ କମ ରହିଥାଏ ।
ସେହପରି ବ୍ରାଉନ ରାଇସ ମଧ୍ୟ ଅନେକ ଲୋକ ଖାଇବାକୁ ପସନ୍ଦ କରିଥାନ୍ତି । ୧୦୦ ଗ୍ରାମ ରନ୍ଧା ବ୍ରାଉନ ରାଇସରେ ୧୧୦ରୁ ୧୨୦ କ୍ୟାଲୋରୀ ରହିଥାଏ । ଏହି ଦୁଇ ପ୍ରକାରର ଭେରାଇଟି ଭାତକୁ ଲୋକେ ଖାଇବା ପସନ୍ଦ କରିଥାନ୍ତି ।
ଯଦି ରୁଟି କଥା ବିଚାରକୁ ନିଆଯାଏ , ତେବେ ୪୦ ଗ୍ରାମ ଗହମରୁ ତିଆରି ରୁଟିରେ ୧୨୦ କ୍ୟାଲୋରି ରହିଥାଏ । ରୁଟିରେ ଅଧିକ ଫାଇବର ଏବଂ ପ୍ରୋଟିନ ରହିଥାଏ । ଯଦି ଏହା ଘିଅ କିମ୍ବା ତେଲରେ ପ୍ରସ୍ତୁତ କରାଯାଏ, ତେବେ କ୍ୟାଲୋରୀର ପରିମାଣ ବଢିଥାଏ ।
ରୁଟି ଏବଂ ଭାତକୁ ଯଦି ତୁଳନା କରାଯାଏ, ତେବେ ଭାତରେ ଅଧିକ କାର୍ବୋହାଇଡ୍ରେଟ୍ କିନ୍ତୁ କମ ପ୍ରୋଟିନ ଥାଏ । ଆଉ ଜିରୋ ଫ୍ୟାଟ ଥାଏ । ହ୍ବାଇଟ ରାଇସରେ ଭିଟାମିନ୍ସ , ଫୋଲିକ ଏସିଡ, ଏବଂ ଆଇରନ ଥାଏ । ସେହିପରି ବ୍ରାଉନ ରାଇସରେ ମାଗ୍ନେସିଅମ, ଫସଫରସ୍ , ସେଲେନିଅମ୍ ରହିଥାଏ । ରୁଟିରେ କାର୍ବୋହାଇଡ୍ରେଟ , ପ୍ରୋଟିନର ପରିମାଣ ସନ୍ତୁଳନ ରହିଥାଏ । ଗୋଟିଏ ରୁଟିରେ ପ୍ରୋଟିନର ପରିମାଣ ୨.୫ ଗ୍ରାମ ଥାଏ । ତେବେ ଭାତ ଅପେକ୍ଷା ରୁଟିରେ ଅଧିକ ପ୍ରୋଟିନ ରହିଥାଏ ।