ବିଦେଶରେ ବି ପାଳନ ହୁଏ ମକର ସଂକ୍ରାନ୍ତି

ଅର୍ଗସ ବ୍ୟୁରୋ: ଆମ ଓଡ଼ିଆ ସଂସ୍କୃତି ଓ ଆମ ପରମ୍ପରା ସବୁଠୁ ନିଆରା । ଆମର ପ୍ରତିଟି ପର୍ବ ପର୍ବାଣୀ ସହ ଯୋଡି ହୋଇ ରହିଛି ଆମ ସାମାଜିକ ଚଳଣୀ ଓ ଧାର୍ମିକ ଭାବନା । ବାର ମାସରେ ପାଳନ ହେଉଥିବା ୧୨ ଟି ସଂକ୍ରାନ୍ତିର ରହିଛି ଭିନ୍ନ ଭିନ୍ନ ନୀତି ନିୟମ । ଏହାରି ଭିତରେ ଆମ ସଂସ୍କୃତିକ ଜୀବନ ଧାରାରେ ମକର ସଂକ୍ରାନ୍ତି ବହୁ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ । ଏହି ଦିନରେ ସୂର୍ଯ୍ୟ ଦକ୍ଷିଣ ଗୋଲାର୍ଦ୍ଧରୁ ଉତ୍ତର ଗୋଲାର୍ଦ୍ଧକୁ ଗତି କରିଥାନ୍ତି। ତେଣୁ ଏହି ଦିନରେ ସୂର୍ଯ୍ୟ ଦେବତାଙ୍କୁ ପୂଜାର୍ଚ୍ଚନା କଲେ ଶୁଭଫଳ ମିଳେ ବୋଲି ବିଶ୍ବାସ ରହିଛି। ମକର ସଂକ୍ରାନ୍ତିକୁ ଶୀତର ବିଦାୟ ପର୍ବ ବୋଲି ମଧ୍ୟ କୁହାଯାଏ। ଏହି ଦିନଠାରୁ ଦିନ ବଢେ ଓ ରାତି ଛୋଟ ହୁଏ । ମକର ସଂକ୍ରାନ୍ତିରେ ମୃତ୍ୟୁ ହେଉଥିବା ବ୍ୟକ୍ତି ବିଷ୍ଣୁଲୋକରେ ସ୍ଥାନ ପାଇଥାନ୍ତି। ମକର ସଂକ୍ରାନ୍ତି କେବଳ ଭାରତ ନୁହେଁ, ଭାରତ ବାହାରେ ମଧ୍ୟ ଭିନ୍ନଭିନ୍ନ ନାମରେ ପାଳିତ ହୋଇଥାଏ ।
ବିଦେଶରେ ମକର ସଂକ୍ରାନ୍ତି
ନେପାଳରେ ମକର ସଂକ୍ରାନ୍ତିଙ୍କୁ ମାଧେ ସଂକ୍ରାନ୍ତି ଭାବେ ପାଳନ କରାଯାଏ। ନେପାଳରେ ବିଭିନ୍ନ ପ୍ରାନ୍ତରେ ଏହାକୁ ଅଲଗା ନାମରେ ପାଳନ କରାଯାଏ। ସୂର୍ଯ୍ୟନାରାୟଣ ଓ ଥାରୁ ସମ୍ପ୍ରଦାୟ ଲୋକେ ମକରକୁ ମାଧି କୁହନ୍ତି। ଥାରୁ ସମ୍ପ୍ରଦାୟର ଏହା ଏକ ପ୍ରମୁଖ ପର୍ବ। ଏହିଦିନ ଏହି ସମ୍ପ୍ରଦାୟର ଲୋକେ ଦାନ ଧର୍ମ କରିବା ସହ ପ୍ରାତଃ ସମୟରେ ନଦୀ ରେ ସ୍ନାନ କରି ପୂଜାର୍ଚ୍ଚନା କରିଥାନ୍ତି। ସେହିଭଳି ଥାଇଲାଣ୍ଡରେ ମକର ସଂକ୍ରାନ୍ତିକୁ ମାଁକର୍ଣ୍ଣ ନାମରେ ପାଳନ କରାଯାଏ। ଏଠାରେ ଶାନ୍ତି ପ୍ରତିଷ୍ଠା ଓ ସମୃଦ୍ଧି ପାଇଁ ରାଜାମାନେ ଗୁଡି ଉଡାଇବାର ପରମ୍ପରା ରହିଛି। ସେହିଭଳି ମିଆଁମାରରେ ମକରକୁ ଥିନଗିଆନ ନାମରେ ପାଳନ କରାଯାଏ। ଏଠାରେ ବୌଦ୍ଧ ସମ୍ପ୍ରଦାୟ ସହିତ ଏହି ପର୍ବ ଜଡିତ। ଭାରତର ପଡୋଶୀ ଦେଶ ଶ୍ରୀଲଙ୍କାରେ ଉଜାହର ଥିରୁନଲ ଭାବେ ପାଳନ କରାଯାଏ। ଅଧିକାଂଶ ତାମିଲନାଡୁର ଅଧିକାଂଶ ଲୋକ ବସବାସ କରୁଥିବାରୁ ଏହାକୁ ପୋଙ୍ଗଲ କୁହାଯାଏ । ଭାରତରେ ଓଡ଼ିଶା ସମେତ କର୍ଣ୍ଣାଟକ, ମହାରାଷ୍ଟ୍ର, ମଧ୍ୟପ୍ରେଦଶ, ଆସାମ, ପଶ୍ଚିମବଙ୍ଗରେ ମକର ପର୍ବ ପାଳନ କରାଯାଏ।
ଓଡ଼ିଶାରେ ମକର ସଂକ୍ରାନ୍ତି
📱 Get Argus News App
✨ଆମ ଉପକୂଳ ଓଡ଼ିଶାରେ ମକର ପର୍ବ କୁହାଯାଉଥିବା ବେଳେ କୁଡୁମୀ ସମ୍ପ୍ରଦାୟର ଲୋକମାନେ ଏହାକୁ ଟୁସୁ ପର୍ବ ଭାବେ ପାଳନ କରିଥାନ୍ତି। ନାଚଗୀତ ସହ ଭୋଜିଭାତ କରି ଆଦିବାସୀମାନେ ଏହି ପର୍ବ ପାଳନ କରିଥାନ୍ତି। ଓଡ଼ିଶାରେ ମକର ପର୍ବ ଫସଲ ଅମଳ ସମୟରେ ପଡୁଥିବାରୁ ସେହିଦିନ ନୂଆଧାନରୁ ତିଆରି ଅରୁଆ ଚାଉଳ , ନୂଆଗୁଡ, ଛେନା, ନଡିଆ, ପାଚିଲା କଦଳୀ, କ୍ଷୀର ସହ ଗୋଳାଇ ମକର ଭୋଗ ପ୍ରସ୍ତୁତ କରାଯାଏ। ଏହାକୁ ମକର ଚାଉଳ ବୋଲି କୁହଯାଏ।
ଶ୍ରୀମନ୍ଦିରରେ ମକର ସଂକ୍ରାନ୍ତି
ଆମର ପ୍ରତିଟି ପର୍ବପର୍ବାଣୀ ସହ ଯେଉଁଭଳି ଭାବେ ଶ୍ରୀମନ୍ଦିରର ନୀତିକାନ୍ତି ଯୋଡି ହୋଇ ରହିଛି , ସେହିଭଳି ମକର ସକ୍ରାନ୍ତିରେ ମଧ୍ୟ ଶ୍ରୀଜିଉଙ୍କ ନିକଟରେ ସ୍ବତନ୍ତ୍ର ନିତି ହୋଇଥାଏ। ଏହିଦିନ ଶ୍ରୀମନ୍ଦିରରେ ଉତ୍ତରାୟଣ ଯାତ୍ରା ମହାସମାରୋହରେ ପାଳିତ ହୋଇଥାଏ। ମକରଯାତ୍ରାରେ ତିନି ଠାକୁରଙ୍କୁ ମକର ଚୂଳଲାଗି କରାଯାଇଥାଏ। ଶ୍ରୀମନ୍ଦିରର ସୁଦୁ ସୁଆର ସେବକ ମକର ଚାଉଳ ପ୍ରସ୍ତୁତ କରିଥାନ୍ତି। ଯାହା ଠାକୁରଙ୍କ ପାଖରେ ଲାଗି କରାଯାଇଥାଏ । ମକରରେ ମହାପ୍ରଭୁଙ୍କ ଦର୍ଶନ କରିବା ପାଇଁ ଶ୍ରୀକ୍ଷେତ୍ରରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ।