ଏମିତି ବନାନ୍ତୁ ନରମ ଏବଂ ସ୍ୱାଦିଷ୍ଟ ଛତୁ ପରଟା

ପରଟା, ରୁଟି ଅପେକ୍ଷା ପରଟା ପ୍ରାୟ ସମସ୍ତଙ୍କର ପସନ୍ଦ । ସାଧା ପରଟା ହେଉ କି ପୁର ଦିଆ ପରଟା ସମସ୍ତଙ୍କୁ ପସନ୍ଦ ଥାଏ। ତେବେ ସାଧାରଣତଃ ଆପଣ ଆଳୁ ପରଟା, କୋବି ପରଟା, ପାଳଙ୍ଗ ପରଟା, ନଡିଆ ପରଟା ଆଦି ଖାଇଥିବେ ତ ନିଶ୍ଚୟ । କ'ଣ କେବେ ଛତୁ ପରଟା ଖାଇଛନ୍ତି କି? ତେବେ ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ଏହି ସ୍ଵାଦିଷ୍ଟ ଛତୁ ପରଟା, ଆଉ ଗରମା ଗରମ୍ ପରଶି ଦିଅନ୍ତୁ ଆପଣଙ୍କ ପ୍ରିୟଜନଙ୍କୁ । ଆସନ୍ତୁ ଜାଣିବା କିପରି ପ୍ରସ୍ତୁତ କରିବେ ଏହି ଛତୁ ପରଟା
ଆବଶ୍ୟକ ସାମଗ୍ରୀ: ଅଟା, ଛତୁ, ଲୁଣ, ମଇଦା, ଜୁଆଣି, ଘିଅ, ଗୋଲମରିଚ ଗୁଣ୍ଡ,କଟା ପିଆଜ, କଟା କଞ୍ଚା ଲଙ୍କା, କଟା ଅଦା,ଲଙ୍କା ଗୁଣ୍ଡ, ଚାଟ୍ ମସଲା, ଆମଚୁର ପାଉଡର, କଟା ଧନିଆ ପତ୍ର, ତେଲ
📱 Get Argus News App
✨ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଏକ ପାତ୍ରରେ ଅଟା, ଲୁଣ, ମଇଦା, ଜୁଆଣି ଓ ଘିଅ ନେଇ ଭଲ ଭାବେ ଗୋଳାନ୍ତୁ। ଏହା ପରେ ଅଳ୍ପ ଅଳ୍ପ ପାଣି ଢାଳି ଅଟାକୁ ଦଳନ୍ତୁ। ଅଟା ଦଳି ସାରିବା ପରେ ନରମ ହେବା ପାଇଁ ଏହାକୁ ଏକ କପଡ଼ାରେ ଗୁଡ଼ାଇ କିଛି ସମୟ ରଖି ଦିଅନ୍ତୁ।
ଏବେ ତାୱା ଗରମ କରି ତେଲ ପକାନ୍ତୁ। ତେଲ ଗରମ ହେବା ପରେ କଟା ଛତୁକୁ ପକାଇ ଅଳ୍ପ ଲୁଣ ଓ ଗୋଲମରିଚ ଗୁଣ୍ଡ ଦେଇ କିଛି ସମୟ ଭାଜନ୍ତୁ। ପରେ ଏଥିରେ କଟା ପିଆଜ, କଟା କଞ୍ଚା ଲଙ୍କା, କଟା ଅଦା, ଲଙ୍କା ଗୁଣ୍ଡ, ଚାଟ୍ ମସଲା, ଆମଚୁର ପାଉଡର ଓ କଟା ଧନିଆ ପତ୍ର ପକାଇ ଭଲ ଭାବେ ଗୋଳାନ୍ତୁ। ମସଲା ପ୍ରସ୍ତୁତ ହୋଇଯିବା ପରେ ଏହାକୁ କାଢ଼ି ଥଣ୍ଡା କରନ୍ତୁ।
ଏବେ ଚକଟା ଯାଇଥିବା ଅଟାକୁ ଗୁଳା କରନ୍ତୁ ଓ ଏହାକୁ ଗୋଲ କରି ଏହା ମଝିରେ ଛତୁ ପୁର ଦେଇ ପୁଣି ବନ୍ଦ କରିଦିଅନ୍ତୁ। ଏହା ପରେ ଏଗୁଡ଼ିକୁ ରୁଟି ପରି ବେଲନ୍ତୁ ଏବଂ ଗରମ ତାୱାରେ ପକାଇ ଭଲ ଭାବେ ସେକନ୍ତୁ। ଦୁଇ ପଟ ଭଲ ଭାବେ ସେକି ହୋଇଗଲେ ତେଲ ପକାଇ ଏପଟ ସେପଟ କରନ୍ତୁ। ପ୍ରସ୍ତୁତ ହୋଇଗଲା ସୁଆଦିଆ ‘ଛତୁ ପରଟା’। ଏହାକୁ ଚଟଣି, ସସ୍ କିମ୍ବା ଦହି ସହିତ ଗରମ ଗରମ ପରଷନ୍ତୁ।