|
logo
Live

Argus News - Marriage Loan: ବିବାହ ପାଇଁ ମିଳିବ ଋଣ, ସମସ୍ତେ କରିପାରିବେ ଆବେଦନ

Lifestyle

Marriage Loan: ବିବାହ ପାଇଁ ମିଳିବ ଋଣ, ସମସ୍ତେ କରିପାରିବେ ଆବେଦନ

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·3 min read
Marriage Loan: ବିବାହ ପାଇଁ ମିଳିବ ଋଣ, ସମସ୍ତେ କରିପାରିବେ ଆବେଦନ

Key Points

ବିବାହ ପାଇଁ
୫୦ ଲକ୍ଷ ଲୋନ !

ଅର୍ଗସ ବ୍ୟୁରୋ: ବିବାହ ପାଇଁ ବ୍ୟାଙ୍କ ଦେଉଛି ଋଣ । ଗୋଟିଏ କି ଯୋଡ଼ିଏ ନୁହେଁ ଏକାଥରକେ ୫୦ ଲକ୍ଷ ଟଙ୍କା ଋଣ ଦେଉଛି ବ୍ୟାଙ୍କ । ଆପଣଙ୍କୁ ଏହା ଆଶ୍ଚର୍ଯ୍ୟ ଲାଗିଲେ ବି ସତ । କାରଣ ଆପଣ ସାଧାରଣତଃ ଘର ଲୋନ, ଷ୍ଟଡି ଲୋନ, ପର୍ସନାଲ ଲୋନ ଶୁଣିଥିବେ । ହେଲେ ଏବେ ବ୍ୟାଙ୍କ ମାନେ ବିବାହ ପାଇଁ ମଧ୍ୟ ଦେଉଛନ୍ତି ଋଣ । କାରଣ ସାଧାରଣ ମଧ୍ୟବିତ୍ତ ପରିବାର ଲୋକଙ୍କ ପାଇଁ ବିବାହ ଏକ ବଡ଼ ଉତ୍ସବ । ଆଉ ଏହି ବିବାହ ଉତ୍ସବ ଏବେ ଦିନକୁ ଦିନ ଅଧିକ ଏକ୍ସପେନ୍‌ସିଭ୍‌ ହେବାରେ ଲାଗିଛି ।

ଭାରତୀୟ ସଂସ୍କୃତିର ଏକ ମହାନ୍ ପରମ୍ପରା ହେଉଛି ବିବାହ ଉତ୍ସବ । ରଙ୍ଗୀନ ପୋଷାକ, ଚମତ୍କାର ସାଜସଜ୍ଜା ଏବଂ ପରମ୍ପରା ସହ ଜଡ଼ିତ ଭାରତୀୟ ବିବାହର ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର ଆକର୍ଷଣ ରହିଛି । ଅନେକ ବିଦେଶୀ ବି ଇଣ୍ଡିଆନ ଷ୍ଟାଇଲ୍‌ରେ ଓ୍ବେଡିଂ କରିବାକୁ ଆଗ୍ରହ ପ୍ରକାଶ କରନ୍ତି । ଭାରତୀୟ ବେଶଭୁସା ବି ବେଶ ଅକର୍ଷଣୀୟ । ହେଲେ ପୂର୍ବ ତୁଳନାରେ ଏବେ ଭାରତୀୟ ବିବାହ ଗୁଡ଼ିକ ଖୁବ୍ ଏକ୍ସପେନ୍‌ସିଭ୍ ହେବାକୁ ଲାଗିଲାଣି । ତେଣୁ ବିବାହ ପାଇଁ ସମସ୍ତେ ଋଣ କରିବାକୁ ବାଧ୍ୟ ହେଉଛନ୍ତି । କିଏ କେତେ ଯାକ ଜମକରେ ବିବାହ ଆୟୋଜନ କରୁଛି, ସେନେଇ ଲୋକଙ୍କ ମନ ଭିତରେ ଏକ ଅଜଣା ପ୍ରତିଦ୍ବନ୍ଦ୍ବିତା ବି ରହୁଛି ।

ତେବେ ରିପୋର୍ଟ ଅନୁସାରେ ଭାରତରେ ୨୦୨୪ରେ ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ପ୍ରାୟ ୪୮ ଲକ୍ଷ ବିବାହ ଅନୁଷ୍ଠିତ ହୋଇଥିବା ବେଳେ ୬ ଲକ୍ଷ କୋଟି ଟଙ୍କାର ବ୍ୟବସାୟ ହୋଇଥିବା ଜଣାପଡ଼ିଛି । ବଡ଼ ଆକାରରେ ବିବାହ ଆୟୋଜନ କରିବା ସମସ୍ତଙ୍କ ପାଇଁ ସହଜ କଥା ନୁହେଁ । ସାଧାରଣ ଭାରତୀୟ ବିବାହର ବଜେଟ୍ ୫ ଲକ୍ଷରୁ ୨୦ ଲକ୍ଷ ଟଙ୍କା ମଧ୍ୟରେ ଥିବାବେଳେ ଡେଷ୍ଟିନେସନ୍ ୱେଡିଂ ଭଳି ବହୁ ଇଭେଣ୍ଟ ପାଇଁ ୧ କୋଟି ଟଙ୍କା କିମ୍ବା ତା’ଠାରୁ ଅଧିକ ଖର୍ଚ୍ଚ ହୁଏ । ରିପୋର୍ଟ ଅନୁସାରେ ୨୦୨୪ରେ ହାରାହାରି ବିବାହ ବଜେଟ୍ ୩୬.୫ ଲକ୍ଷରେ ପହଞ୍ଚି ଯାଇଛି, ଯାହା ଗତ ବର୍ଷ ତୁଳନାରେ ୭ ପ୍ରତିଶତ ଅଧିକ। ବିଶେଷକରି ଡେଷ୍ଟିନେସନ୍ ୱେଡିଂର ହାରାହାରି ଖର୍ଚ୍ଚ ୫୧.୧ ଲକ୍ଷରେ ପହଞ୍ଚିଛି । ଏହି ଖର୍ଚ୍ଚର ମୁଖ୍ୟ କାରଣ ହେଉଛି ସ୍ଥାନ ଏବଂ କ୍ୟାଟରିଂର ମୂଲ୍ୟ ବୃଦ୍ଧି ।

ବଢ଼ୁଥିବା ଖର୍ଚ୍ଚକୁ ଦୃଷ୍ଟିରେ ରଖି ଲୋକମାନେ ବର୍ତ୍ତମାନ ନିଜ ସଞ୍ଚୟ ହ୍ରାସ ନକରି ବିବାହ ଖର୍ଚ୍ଚ ପୂରଣ କରିବାକୁ ବ୍ୟକ୍ତିଗତ ଋଣ ନେବାକୁ ପସନ୍ଦ କରୁଛନ୍ତି । ଅନେକ ହୁଏତ ଜାଣିନଥିବେ ବିବାହ ପାଇଁ ମଧ୍ୟ ଋଣ ମିଳିଥାଏ ।

ତେବେ ଆସନ୍ତୁ ଜାଣିବା ବିବାହ ପାଇଁ କିପରି ଋଣ ମିଳେ ଓ ଆପଣ କିପରି ଋଣ ଆବେଦନ କରିପାରିବେ ?

ବିବାହ ପାଇଁ ଦିଆଯାଉଥିବା ଋଣ ଏକ ପ୍ରକାର ବ୍ୟକ୍ତିଗତ ବା ପର୍ସନାଲ ଲୋନ । ବିବାହ ସମ୍ବନ୍ଧୀୟ ଖର୍ଚ୍ଚ ପୂରଣ ପାଇଁ ଏହି ଋଣ ଦିଆଯାଇଥାଏ । ଭେନ୍ୟୁ ବୁକ କରିବା ଠାରୁ ଆରମ୍ଭ କରି କ୍ୟାଟରିଂର ବ୍ୟବସ୍ଥା, ବିବାହ ପୋଷାକ କିଣାକିଣ ଆଦି ଖର୍ଚ୍ଚ ପରିଚାଳନାରେ ଏହି ଟଙ୍କା ଲଗାଇପାରିବେ । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଭାରତରେ ବିବାହ ଋଣ ପାଇଁ କୌଣସି ବନ୍ଧକ ରଖିବାକୁ ପଡ଼େ ନାହିଁ । ବିନା ସିକ୍ୟୁରିଟି ଡିପୋଜିଟରେ ଜଣେ ଚାହିଁଲେ ୫୦,୦୦୦ ରୁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତି ବିବାହ ଋଣ ନେଇପାରିବେ । ହେଲେ ୧୨ ରୁ ୬୦ ମାସ ମଧ୍ୟରେ ଏହି ଋଣ ପରିଶୋଧ କରିବାକୁ ପଡ଼ିବ । ବିନା ଆର୍ଥିକ ଚାପରେ ବିବାହ ଉତ୍ସବକୁ ସୁଚାରୁରୂପେ ଆୟୋଜନ କରିବାକୁ ଚାହୁଁଥିବା ଲୋକଙ୍କ ପାଇଁ ଏହା ଏକ ଉତ୍ତମ ବିକଳ୍ପ ।

ତେବେ ବିବାହ ଋଣ ଆବେଦନ ପାଇଁ କିଛି ଯୋଗ୍ୟତା ମଧ୍ୟ ରହିଛି । ଋଣ ପାଇଁ ଆବେଦନ କରିଥିବା ବ୍ୟକ୍ତିଙ୍କ ବୟସ ୨୧ରୁ ୬୦ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ସେ ଭାରତୀୟ ନାଗରିକ ହେବା ସହ ତାଙ୍କର ଏକ ସ୍ଥିର ରୋଜଗାରର ସ୍ରୋତ ରହିଥିବା ଜରୁରୀ । ସେହିପରି ଋଣ ସ୍ୱିକୃତି ପାଇଁ ୭୫୦ରୁ ଅଧିକ ସିବିଲ ସ୍କୋର ରହିବା ବି ନିହାତି ଜରୁରୀ ।

ବିବାହ ଋଣ ଉପରେ ସୁଧ ହାର ବାର୍ଷିକ ୧୦ ପ୍ରତିଶତରୁ ୨୪ ପ୍ରତିଶତ ମଧ୍ୟରେ ରହିଥାଏ । ଏହି ହାର ଆପଣଙ୍କ କ୍ରେଡିଟ୍ ପ୍ରୋଫାଇଲ୍ ଏବଂ ବଜାର ଅବସ୍ଥା ଉପରେ ନିର୍ଭର କରେ । ସଠିକ୍ ଡିଲ୍ ପାଇବା ପାଇଁ ବିଭିନ୍ନ ବ୍ୟାଙ୍କ ଏବଂ ସେମାନଙ୍କ ସର୍ତ୍ତ ଗୁଡ଼ିକୁ ତୁଳନା କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Marriage Loan: ବିବାହ ପାଇଁ ମିଳିବ ଋଣ, ସମସ୍ତେ କରିପାରିବେ ଆବେଦନ | Argus News