Thyroid Health / ଥାଇରଏଡ୍ ରୋଗୀ ଶୀତଦିନେ ଖାଆନ୍ତୁ ଏହିସବୁ ଖାଦ୍ୟ; କେଉଁ ପରିବାଠାରୁ ଦୂରେଇ ରହିବେ ?

Key Points
କେଉଁ ପରିବାଠାରୁ ଦୂରେଇ ରହିବେ ?
ଜାଣନ୍ତୁ ଡାଏଟ୍ ଓ ଔଷଧ ସେବନର ସଠିକ୍ ନିୟମ
ଥାଇରଏଡ୍ ସମସ୍ୟା ଥିବା ଲୋକଙ୍କ ମଧ୍ୟରେ ଖାଦ୍ୟପେୟକୁ ନେଇ ଅନେକ ଦ୍ୱନ୍ଦ୍ୱ ରହିଥାଏ । କେହି କେହି ଭାବନ୍ତି ଯେ ଥାଇରଏଡ୍ ଥିଲେ ଅନେକ ପ୍ରକାର ଖାଦ୍ୟ ଓ ପନିପରିବା ସମ୍ପୂର୍ଣ୍ଣ ବନ୍ଦ କରିବାକୁ ପଡ଼େ । କିନ୍ତୁ ଏହା ସତ ନୁହେଁ କିଛି ପୋଷକତତ୍ତ୍ୱରେ ଭରପୂର ଖାଦ୍ୟକୁ ଦୈନନ୍ଦିନ ଡାଏଟ୍ରେ ସାମିଲ କରାଯାଇପାରିବ । ତେବେ କିଛି ଖାଦ୍ୟକୁ ସୀମିତ ପରିମାଣରେ ଖାଇବା ଆବଶ୍ୟକ ।
ଥାଇରଏଡ୍ ହରମୋନ୍ରେ ପରିବର୍ତ୍ତନ ହେଲେ ଓଜନ ବଢ଼ିବା କିମ୍ବା କମିବା, ଥକ୍କାପଣ ଏବଂ କେଶ ଝଡ଼ିବା ଭଳି ସମସ୍ୟା ଦେଖାଦେଇପାରେ । ତେଣୁ ଔଷଧ ସେବନ ସହିତ ଖାଦ୍ୟପେୟ ପ୍ରତି ମଧ୍ୟ ଧ୍ୟାନ ଦେବା ଜରୁରୀ ।
ଶୀତଦିନେ ଥାଇରଏଡ୍ ରୋଗୀ ଖାଆନ୍ତୁ ଏହିସବୁ ଖାଦ୍ୟ
୧. ଆୟୋଡିନ୍ଯୁକ୍ତ ଖାଦ୍ୟ: ଥାଇରଏଡ୍ ହରମୋନ୍ ଉତ୍ପାଦନ ପାଇଁ ଆୟୋଡିନ୍ ଏକ ଗୁରୁତ୍ୱପୂର୍ଣ୍ଣ ପୋଷକତତ୍ତ୍ୱ । ତେଣୁ ଆୟୋଡିନ୍ଯୁକ୍ତ ଲୁଣ, କ୍ଷୀର, ଦହି, ଅଣ୍ଡା ଓ ମାଛ ଭଳି ଖାଦ୍ୟ ଉପଯୁକ୍ତ ପରିମାଣରେ ଖାଇବା ଉଚିତ । ତେବେ ଅତ୍ୟଧିକ ଆୟୋଡିନ୍ ସେବନ ମଧ୍ୟ ଥାଇରଏଡ୍ ସମସ୍ୟା ସୃଷ୍ଟି କରିପାରେ । ତେଣୁ ଡାକ୍ତରଙ୍କ ପରାମର୍ଶ ବିନା ଆୟୋଡିନ୍ ସପ୍ଲିମେଣ୍ଟ ନିଅନ୍ତୁ ନାହିଁ ।
୨. ଅଣ୍ଡା: ଅଣ୍ଡାରେ ପ୍ରୋଟିନ୍ ଓ ସେଲେନିୟମ୍ ଭଳି ଜରୁରୀ ପୋଷକତତ୍ତ୍ୱ ରହିଛି । ଏହା ଶରୀରର ସାଧାରଣ ସ୍ୱାସ୍ଥ୍ୟ ପାଇଁ ଉପକାରୀ । ଥାଇରଏଡ୍ ରୋଗୀ ନିଜର ସ୍ୱାସ୍ଥ୍ୟ ଓ ଖାଦ୍ୟାଭ୍ୟାସ ଅନୁଯାୟୀ ଅଣ୍ଡା ଖାଇପାରିବେ ।
୩. ମାଛ: ମାଛରେ ପ୍ରୋଟିନ୍, ଓମେଗା-୩ ଫ୍ୟାଟି ଏସିଡ୍ ଓ ସେଲେନିୟମ୍ ଭଳି ପୋଷକତତ୍ତ୍ୱ ରହିଥାଏ । କିଛି ପ୍ରକାର ମାଛରେ ଆୟୋଡିନ୍ ମଧ୍ୟ ମିଳିଥାଏ । ତେଣୁ ସନ୍ତୁଳିତ ଖାଦ୍ୟର ଅଂଶ ଭାବେ ମାଛ ଖାଇବା ଉପକାରୀ ହୋଇପାରେ ।
୪. ଡ୍ରାଏ ଫ୍ରୁଟ୍ସ: ବାଦାମ ଓ ଅଖରୋଟ୍ ଭଳି ଶୁଖିଲା ଫଳରେ ଉପକାରୀ ଫ୍ୟାଟ୍ ଓ ଅନ୍ୟାନ୍ୟ ପୋଷକତତ୍ତ୍ୱ ରହିଛି । ଏଗୁଡ଼ିକୁ ସୀମିତ ପରିମାଣରେ ଖାଇପାରିବେ । ତେବେ ବ୍ରାଜିଲ୍ ନଟ୍ସରେ ସେଲେନିୟମ୍ ଅଧିକ ଥିବାରୁ ଏହାକୁ ଅଧିକ ଖାଇବା ଅନୁଚିତ ।
ଥାଇରଏଡ୍ ରୋଗୀ କେଉଁ ଖାଦ୍ୟ ଖାଇବାରେ ସତର୍କ ରହିବେ ?
୧. ବନ୍ଧାକୋବି, ଫୁଲକୋବି ଓ ବ୍ରୋକୋଲି: ଏହି ପନିପରିବାରେ ଗୋଇଟ୍ରୋଜେନ୍ (Goitrogens) ନାମକ ପଦାର୍ଥ ରହିଥାଏ । ଅଧିକ ପରିମାଣରେ, ବିଶେଷକରି କଞ୍ଚା ଅବସ୍ଥାରେ ଖାଇଲେ ଏହା ଆୟୋଡିନ୍ ଶୋଷଣକୁ ପ୍ରଭାବିତ କରିପାରେ । ତେବେ ଏହି ପନିପରିବାକୁ ସମ୍ପୂର୍ଣ୍ଣ ବନ୍ଦ କରିବା ଆବଶ୍ୟକ ନାହିଁ । ଭଲ ଭାବେ ରାନ୍ଧି ସାଧାରଣ ପରିମାଣରେ ଖାଇପାରିବେ ।
୨. ସୋୟା ଜାତୀୟ ଖାଦ୍ୟ: ସୋୟାବିନ୍, ଟୋଫୁ ଓ ସୋୟା କ୍ଷୀରରେ ପ୍ରୋଟିନ୍ ରହିଛି । କିନ୍ତୁ ହାଇପୋଥାଇରଏଡିଜମ୍ ରୋଗୀ ଯେଉଁମାନେ ଲେଭୋଥାଇରକ୍ସିନ୍ (Levothyroxine) ଔଷଧ ସେବନ କରୁଛନ୍ତି, ସେମାନେ ଔଷଧ ସହିତ ସୋୟା ଜାତୀୟ ଖାଦ୍ୟ ଖାଇବା ଉଚିତ ନୁହେଁ । କାରଣ ଏହା ଔଷଧର ଶୋଷଣ ଉପରେ ପ୍ରଭାବ ପକାଇପାରେ ।
୩. ମିଲେଟ୍ ବା ମୋଟା ଶସ୍ୟ: ରାଗି, ବାଜରା ଓ ଜୁଆର ଭଳି ଶସ୍ୟକୁ ସମ୍ପୂର୍ଣ୍ଣ ଭାବେ ଖାଦ୍ୟରୁ ବାଦ୍ ଦେବା ଆବଶ୍ୟକ ନାହିଁ । ଏଗୁଡ଼ିକୁ ସନ୍ତୁଳିତ ଖାଦ୍ୟର ଅଂଶ ଭାବେ ଉପଯୁକ୍ତ ପରିମାଣରେ ଖାଇପାରିବେ । ବିଶେଷକରି ଆୟୋଡିନ୍ ଅଭାବ ଥିବା ଲୋକମାନେ ନିଜ ଖାଦ୍ୟରେ ବିଭିନ୍ନତା ରଖିବା ଉଚିତ ।
ଏହା ବ୍ୟତୀତ ଚିପ୍ସ, ପ୍ୟାକେଟ୍ ସ୍ନାକ୍ସ, ଅଧିକ ଚିନିଯୁକ୍ତ ପାନୀୟ ଓ ଜଙ୍କ୍ ଫୁଡ୍ର ସେବନ କମ୍ କରିବା ଭଲ । ଏଗୁଡ଼ିକ ସିଧାସଳଖ ଥାଇରଏଡ୍କୁ ପ୍ରଭାବିତ ନକଲେ ମଧ୍ୟ ଅଧିକ ସେବନ ସାମଗ୍ରିକ ସ୍ୱାସ୍ଥ୍ୟ ପାଇଁ ଭଲ ନୁହେଁ ।
ଥାଇରଏଡ୍ ଔଷଧ ଖାଉଥିଲେ ଏହି ନିୟମ ମାନନ୍ତୁ
ହାଇପୋଥାଇରଏଡିଜମ୍ ରୋଗୀ ଲେଭୋଥାଇରକ୍ସିନ୍ ଔଷଧ ସାଧାରଣତଃ ସକାଳେ ଖାଲି ପେଟରେ ସେବନ କରିବା ଉଚିତ। ଜଳଖିଆ, ଚା' କିମ୍ବା କଫି ପିଇବାର ୩୦ରୁ ୬୦ ମିନିଟ୍ ପୂର୍ବରୁ ଏହା ଖାଇବାକୁ ପରାମର୍ଶ ଦିଆଯାଏ ।
ସେହିପରି କ୍ୟାଲସିୟମ୍ ଓ ଆଇରନ୍ ସପ୍ଲିମେଣ୍ଟକୁ ଥାଇରଏଡ୍ ଔଷଧ ସହିତ ଏକାଠି ଖାଇବା ଉଚିତ ନୁହେଁ । ଏହି ଦୁଇ ପ୍ରକାର ସପ୍ଲିମେଣ୍ଟ ଓ ଥାଇରଏଡ୍ ଔଷଧ ମଧ୍ୟରେ ଅତିକମ୍ରେ ୪ ଘଣ୍ଟାର ବ୍ୟବଧାନ ରଖିବା ଆବଶ୍ୟକ ।
ଥାଇରଏଡ୍ ସମସ୍ୟା ହେଲେ ନିଜ ଇଚ୍ଛାରେ ଔଷଧ ବନ୍ଦ କରିବା କିମ୍ବା କେବଳ ଖାଦ୍ୟପେୟ ଦ୍ୱାରା ରୋଗ ଭଲ କରିବାକୁ ଚେଷ୍ଟା କରିବା ଠିକ୍ ନୁହେଁ । ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଔଷଧ ସେବନ, ନିୟମିତ ରକ୍ତ ପରୀକ୍ଷା ଓ ଚିକିତ୍ସା ଜାରି ରଖିବା ଜରୁରୀ ।
ସମସ୍ତ ଥାଇରଏଡ୍ ରୋଗୀଙ୍କ ପାଇଁ ଖାଦ୍ୟପେୟ ସମ୍ପର୍କିତ ନିୟମ ସମାନ ନୁହେଁ । ହାଇପୋଥାଇରଏଡିଜମ୍ ଓ ହାଇପରଥାଇରଏଡିଜମ୍ ଭଳି ରୋଗର ସ୍ଥିତି ଅନୁଯାୟୀ ଖାଦ୍ୟର ଆବଶ୍ୟକତା ଭିନ୍ନ ହୋଇପାରେ । ତେଣୁ ନିଜର ସ୍ୱାସ୍ଥ୍ୟ ସ୍ଥିତି ଅନୁଯାୟୀ ଡାକ୍ତର କିମ୍ବା ଡାଏଟିସିଆନ୍ଙ୍କ ପରାମର୍ଶ ନେବା ଉଚିତ ।
📱 Get Argus News App
✨Related Topics
Explore more stories