Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Lifestyle

ଓଡ଼ିଆ ସଂସ୍କୃତିରେ ଦୋଳ ଏବଂ ହୋଲି କାହିଁକି ପାଳନ କରାଯାଏ?

Ritu Das
Browse all articles by Ritu Das
·1 year ago·4 min read
ଓଡ଼ିଆ ସଂସ୍କୃତିରେ ଦୋଳ ଏବଂ ହୋଲି କାହିଁକି ପାଳନ କରାଯାଏ?

ଆମର ଧାର୍ମିକ ଓ ସାଂସ୍କୃତିକ ପରମ୍ପରାରେ ପର୍ବପର୍ବାଣୀ ପାଳନର ଧାରା ବହୁ ପ୍ରାଚୀନ। ଲୀଳା ପୁରୁଷୋତ୍ତମ ଭଗବାନ ଶ୍ରୀକୃଷ୍ଣଙ୍କ ଲୀଳା ମାଧୁର୍ଯ୍ୟକୁ ନେଇ ପାଳିତ ହୋଇଆସୁଥିବା ମହୋତ୍ସବଗୁଡ଼ିକ ମଧ୍ୟରେ ‘ଦୋଳଯାତ୍ରା ଓ ହୋଲି’ ଏକ ଶ୍ରେଷ୍ଠ ଗଣପର୍ବ। ଏହା ରାଧା-କୃଷ୍ଣ ଉପାସନାର ଏକ ଶ୍ରେଷ୍ଠ ପରମ୍ପରା ରୂପେ ଭାରତୀୟ ଜନଜୀବନରେ ଅପୂର୍ବ ମାଧୁର୍ଯ୍ୟର ବାର୍ତ୍ତା ପ୍ରଦାନ ପୂର୍ବକ ପ୍ରାଣେ ପ୍ରାଣେ ନବ ଉନ୍ମାଦନା ଭରିଦେବାରେ ବିଶେଷ ଭୂମିକା ନିର୍ବାହ କରିଛି।


ଭଗବାନ ଶ୍ରୀକୃଷ୍ଣଙ୍କ ଦୋଳୋତ୍ସବ ଅଥବା ରାଧାକୃଷ୍ଣଙ୍କ ଲୀଳା ଉପାସନା ପୁରାଣ ଯୁଗରୁ ଅତ୍ୟନ୍ତ ଶ୍ରଦ୍ଧା ଓ ଭକ୍ତି ସହକାରେ ପାଳିତ ହୋଇଆସୁଅଛି। ପରମ୍ପରାକ୍ରମେ ଦୋଳୋତ୍ସବ ବସନ୍ତ କାଳର ପବିତ୍ର ମଧୁର ଲଗ୍ନରେ ପାଳିତ ହୋଇ ଧନୀ-ଦରିଦ୍ର, ଆବାଳ-ବୃଦ୍ଧ-ବନିତା ସକଳ ପ୍ରାଣରେ ଅମିୟ ଆନନ୍ଦ ଭରିଦେଇଥାଏ। ଆଜକୁ ପାଞ୍ଚ ହଜାର ବର୍ଷରୁ ଊର୍ଦ୍ଧ୍ୱ, ଅର୍ଥାତ୍‌ ଦ୍ୱାପର ଯୁଗର ଶେଷରେ ପବିତ୍ର ଦୋଳଯାତ୍ରା ଅନୁଷ୍ଠିତ ହୋଇଥିବାର ଜଣାଯାଏ। ଦ୍ୱାପର ଯୁଗର ମହାନ୍‌ ମାନବୀୟ ଲୀଳାରେ ଏକ ଶ୍ରେଷ୍ଠ ପର୍ବ ରୂପେ ଗୋପୀଗୋପାଳମାନେ ଉକ୍ତ ମହାନ୍ ଯାତ୍ରାର ଅୟମାରମ୍ଭ କରି ଅସରନ୍ତି ଆନନ୍ଦରେ ଉଦ୍‌ବୁଦ୍ଧ ହୋଇଉଠିଥିଲେ।


ସଂହତି ଓ ସଦ୍‌ ଭାବରେ ମହାନ୍‌ ଗଣପର୍ବ ଦୋଳଯାତ୍ରା ଫାଲ୍‌ଗୁନ ମାସରେ ଅନୁଷ୍ଠିତ ହୋଇଥାଏ। ଫାଲ୍‌ଗୁନ ପୂର୍ଣ୍ଣିମା ବା ଫଗୁ ପୂର୍ଣ୍ଣିମାରେ ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତିକୁ ଦୋଳ ବିମାନରେ ବସାଇ ଗ୍ରାମ୍ୟ ପରିକ୍ରମା ପୂର୍ବକ ଏହି ମହୋତ୍ସବ ପାଳିତ ହୋଇଥାଏ। ଦକ୍ଷିଣାଭିମୁଖୀ ହୋଇ ଦୋଳିରେ ଝୁଲୁଥିବା ଦୋଳାୟମାନ ଗୋବିନ୍ଦଙ୍କୁ ଦର୍ଶନ କଲେ ମନୁଷ୍ୟ ମୁକ୍ତିଲାଭ କରିଥାଏ ବୋଲି ଧାର୍ମିକ ବିଶ୍ୱାସ ରହିଛି। ସେଥିପାଇଁ କୁହାଯାଇଛି-


ଦୋଳେଚ ଦୋଳଗୋବିନ୍ଦ ଚାପେଶ୍ଚ ମଧୁସୂଦନ,
ରଥେତୁ ବାମନଂ ଦୃଷ୍ଟ୍ୱା ପୁନର୍ଜନ୍ମ ନ ବିଦ୍ୟତେ।

ମନୁଷ୍ୟର ସକଳ ପାପରାଶି ଦୂରୀଭୂତ ହୋଇ ମହାପୁଣ୍ୟ ଅର୍ଜନ ହୋଇଥାଏ ବୋଲି ବ୍ରହ୍ମପୁରାଣ ଅବଲମ୍ବନରେ ଜାଣିହୁଏ-
ନରୋ ଦୋଳଗତଂ ଦୃଷ୍ଟା ଗୋବିନ୍ଦ ତ୍ରିଦଶାର୍ଚ୍ଚିତମ୍‌।
ଫାଲ୍‌ଗୁନ୍ୟଂ ସଂଯତୋ ଭୂତ୍ୱା ଗୋବିନ୍ଦସ୍ୟ ପୁରଂ ବ୍ରଜେତ୍‌।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଭାରତୀୟ ପରମ୍ପରାରେ ଦୋଳପୂର୍ଣ୍ଣିମାକୁ ଦୁଇ ଭାଗରେ ବିଭକ୍ତ କରାଯାଇଥାଏ, ଯଥା-ରାଜଦୋଳ ଓ ପଞ୍ଚୁଦୋଳ। ଫାଲ୍‌ଗୁନ ଶୁକ୍ଳ ଦଶମୀଠାରୁ ଅନୁଷ୍ଠିତ ହୋଇ ପୂର୍ଣ୍ଣିମା ଦିନ ସମାପ୍ତ ପର୍ବକୁ ବା ଦୋଳକୁ ରାଜଦୋଳ କୁହାଯାଉଥିବା ବେଳେ, ପୂର୍ଣ୍ଣିମାଠାରୁ ଆରମ୍ଭ ହୋଇ କୃଷ୍ଣପଞ୍ଚମୀ ପର୍ଯ୍ୟନ୍ତ ପାଳିତ ଦୋଳକୁ ପଞ୍ଚୁଦୋଳ କୁହାଯାଇଥାଏ। ପଞ୍ଚୁଦୋଳକୁ ପାଞ୍ଚଦିନିଆ ମହୋତ୍ସବ ବୋଲି କେହି କେହି କହିଥାନ୍ତି। ଉତ୍କଳୀୟ ପର୍ବପର୍ବାଣିରେ ପଞ୍ଚୁଦୋଳ, ଛଅଦୋଳ, ନଅଦୋଳ ଭଳି ଏକୋଇଶ ଦିନ ବ୍ୟାପି ଦୋଳୋତ୍ସବ ଅତି ଆନନ୍ଦ- ଉଲ୍ଲାସରେ ପାଳିତ ହୋଇଥିବା ଦୃଷ୍ଟିକୁ ଆସେ।
ଭାରତୀୟ ସଂସ୍କୃତିରେ ଦୋଳଯାତ୍ରାର ପୌରାଣିକ ପୃଷ୍ଠଭୂମିର ସ୍ୱତନ୍ତ୍ର ମହିମା ଓ ମହତ୍ୱ ଦୃଶ୍ୟମାନ ହୋଇଥାଏ।
ଦ୍ୱାପର ଯୁଗର କଥା, ଯେତେବେଳେ ଦାନବମାନଙ୍କ ଅତ୍ୟାଚାରରେ ଧର୍ମଭାବ ନଷ୍ଟ ହୋଇ ଅଧର୍ମର ବୃଦ୍ଧି ଘଟିଲା, ତତ୍କାଳେ ଧର୍ମ ସଂସ୍ଥାପନାର୍ଥେ ସ୍ୱୟଂ ଭଗବାନ ଶ୍ରୀବିଷ୍ଣୁ ଅବତାର ଗ୍ରହଣ କରି ଲୀଳାପୁରୁଷୋତ୍ତମ କୃଷ୍ଣ ଭାବେ ଅବତୀର୍ଣ୍ଣ ହେଲେ। ତତ୍କାଳୀନ ଉତ୍ପୀଡ଼କ, କ୍ରୂର ଓ ଅତ୍ୟାଚାରୀ ରାଜା ଥିଲେ ମଥୁରା ନରେଶ କଂସ। ଅତ୍ୟନ୍ତ ଦର୍ପୀ ଓ ଅହଂକାରୀ କଂସର ଦେୀରାତ୍ମ୍ୟ ଅସହ୍ୟ ହୋଇଉଠିଲା।


ବିନାଶକାଳେ ତା’ର ବିପରୀତ ବୁଦ୍ଧି ଉଦୟ ହେଲା, ଫଳସ୍ୱରୂପ ସେ ଭଗବାନ କୃଷ୍ଣଙ୍କ ବଧ ନିମିତ୍ତ ଯୋଜନା କଲା। ତା’ର ସମସ୍ତ ଛଳ, କଳ ଓ ବଳ ବ୍ୟର୍ଥ ହେବାରୁ ଶେଷରେ ଛଳନାପୂର୍ଣ୍ଣ ଧନୁଯାତ୍ରା ଉତ୍ସବର ଆୟୋଜନ କଲା। ଆୟୋଜିତ ଧନୁଯାତ୍ରାକୁ ନିଜ ଭଣଜା କୃଷ୍ଣ-ବଳରାମଙ୍କୁ ମଥୁରାକୁ ଆଣିବାର ବ୍ୟବସ୍ଥା ମଧ୍ୟ କଂସରାଜ କରିବସିଲେ। ମାମୁ କଂସାସୁରର ଆମନ୍ତ୍ରଣରେ କୃଷ୍ଣ ବଳରାମ ମଥୁରା ଗମନ କଲେ ଓ କଂସକୁ ବଧ କଲେ। କଂସ ବଧ ପରେ ଦୁଇଭାଇ ମଥୁରାପୁରରୁ ଲେଉଟି ଆସିଲେ ସ୍ୱଲୀଳାକ୍ଷେତ୍ର ଗୋପପୁରକୁ। ପ୍ରବଳ ପ୍ରତାପୀ କଂସର ନିଧନ ସମ୍ବାଦ ଚତୁଃପାର୍ଶ୍ୱେ ଆନନ୍ଦର ବାତାବରଣ ସୃଷ୍ଟି କରିଥିଲା। ଏହିପରି ଏକ ମଙ୍ଗଳ ମୁହୂର୍ତ୍ତରେ ଗୋପପୁର ନରନାରୀ କୃଷ୍ଣପ୍ରେମରେ ବିହ୍ୱଳିତ ହୋଇ ମହାନନ୍ଦରେ ନୃତ୍ୟଗୀତ କରି କୃଷ୍ଣ-ବଳରାମଙ୍କ ଜୟଗାନ କରି ଆକାଶକୁ ପ୍ରକମ୍ପିତ କଲେ। ଅତ୍ୟାଚାରୀ କଂସର ମୃତ୍ୟୁରେ ଆନନ୍ଦିତ ଗୋପପୁରବାସୀ ସେହିଦିନଠାରୁ ଅବିସ୍ମରଣୀୟ ମଧୁର ମୁହୂର୍ତ୍ତର ସ୍ମାରକୀ ସଦୃଶ ପରମ୍ପରାକ୍ରମେ ବସନ୍ତ କାଳରେ ଦୋଳୋତ୍ସବ ମହାନନ୍ଦରେ ପାଳିତ ହୋଇଆସୁଛି।


ସେହିପରି ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ଦ୍ୱାଦଶଯାତ୍ରା ମଧ୍ୟରେ ଦୋଳଯାତ୍ରା ଅନ୍ୟତମ। ଶ୍ରୀମନ୍ଦିରରେ ପାଳିତ ଚତୁଃରାସ ଯଥା – ଗ୍ରୀଷ୍ମର ଚନ୍ଦନ ବା (ଚାପ), ବର୍ଷାରେ ଝୁଲଣ, କାର୍ତ୍ତିକରେ ଶରଦରାସ ଏବଂ ବସନ୍ତରେ ବାସନ୍ତିକ ରାସ ମଧ୍ୟରେ ଦୋଳପର୍ବ ଅନ୍ତର୍ଭୁକ୍ତ। ଦୋଳପର୍ବର ଆରାଧ୍ୟ ଭଗବାନ ଶ୍ରୀକୃଷ୍ଣ ହେଉଛନ୍ତି ଜଗନ୍ନାଥଙ୍କ ଅନ୍ୟ ଏକ ରୂପ। ଏ ଦୃଷ୍ଟିରେ ବୈଷ୍ଣବମାନେ ଦୋଳ ଉତ୍ସବକୁ ଶ୍ରୀମନ୍ଦିରରେ ଅତ୍ୟନ୍ତ ଶ୍ରଦ୍ଧା ଓ ନିଷ୍ଠାର ସହ ପାଳନ କରିଥାନ୍ତି। ଶ୍ରୀମନ୍ଦିରରେ ବାସନ୍ତିକ ରାସ ବା ଦୋଳୋତ୍ସବ ସମ୍ବନ୍ଧରେ ନୃସିଂହ ମନ୍ଦିର ଶିଳାଲେଖରୁ ଚୋଡ଼ଗଙ୍ଗ ରାଜତ୍ୱରେ ・ଗୋବିନ୍ଦ ଦୋଳ・ହେଉଥିବାର ପ୍ରମାଣ ମିଳେ। ଦୋଳୋତ୍ସବର ମହତ୍ୱ ସମ୍ପର୍କରେ ଶ୍ରେଷ୍ଠଗ୍ରନ୍ଥ ଯଥା – ନୀଳାଦ୍ରି ମହୋଦୟ, ବାମଦେବ ସଂହିତା, ବ୍ରହ୍ମାଣ୍ଡ ପୁରାଣ, ଯାତ୍ରା ଭାଗବତ ଆଦିରୁ ସହଜରେ ଜାଣିହୁଏ। ଶ୍ରୀମନ୍ଦିର ନୀତି ଓ ସାମ୍ପ୍ରତିକ ପର୍ବପର୍ବାଣିର ଅତୀତକୁ ଦୃଷ୍ଟି ଦେଲେ ପ୍ରାୟ ପଞ୍ଚଦଶ ଶତାବ୍ଦୀ ପୂର୍ବରୁ ଶ୍ରୀମନ୍ଦିରର ଦକ୍ଷିଣପୂର୍ବ ପାର୍ଶ୍ୱରେ ଦୋଳମଣ୍ଡପ ନିର୍ମାଣ କରାଯାଇ ରାଧା-କୃଷ୍ଣ ଉପାସନାକୁ ସାର୍ବଜନୀନ କରାଯାଇ ଏକ ଭବ୍ୟ ପରମ୍ପରାର ଧାରାକୁ ଉଜ୍ଜୀବିତ କରାଯାଇଥିଲା।


ଦୋଳପୂର୍ଣ୍ଣିମାର ପର ଦିନ ‘ହୋଲି’ ପର୍ବ ଅନୁଷ୍ଠିତ ହୋଇଥାଏ। ଉକ୍ତ ଦିନ ପରସ୍ପର ଫଗୁ ବା ଅବିର ଦେଇ ଆତ୍ମୀୟତା ଜାଗରଣ କରାଇଥାନ୍ତି। ଏ ଦୃଷ୍ଟିରେ ହୋଲି ବା ରଙ୍ଗର ପର୍ବ ହେଉଛି ଏକ ସମନ୍ୱୟାତ୍ମକ ଜାତୀୟ ଗଣପର୍ବ। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସକଳ ଗୋଷ୍ଠୀର ନର-ନାରୀ ହୋଲି ପର୍ବରେ ସ୍ୱ ସ୍ୱ ଆତ୍ମୀୟଙ୍କ ଗହଣରେ ରଙ୍ଗ ଖେଳି ମଜା ଉଠାଇଥାନ୍ତି। ଏ ଦୃଷ୍ଟିରେ ହୋଲି ଏକ ଭାଇଚାରା ସୃଷ୍ଟିକାରୀ ମହାନ୍‌ ଗଣପର୍ବ। ଏହା ଏକ ସାମାଜିକ ପରମ୍ପରାଭିତ୍ତିକ ପର୍ବ ହୋଇଥିଲେ ହେଁ, ବୈଜ୍ଞାନିକ ବିଚାରରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ବିଜ୍ଞାନସମ୍ମତ ପର୍ବ। କାରଣ ନାନାରଙ୍ଗ ସହ ଫଗୁ ବା ଅବିରରେ ବହୁ ଔଷଧୀୟ ଗୁଣ ଭରି ରହିଛି, ଯାହାକି ଶରୀରର ଚର୍ମରୋଗକୁ ସହଜରେ ଦୂର କରିଥାଏ। ରଙ୍ଗ ହେଉଛି ପ୍ରେମ ଓ ପବିତ୍ରତାର ଶ୍ରେଷ୍ଠ ପ୍ରତୀକ ବୋଲି ଜନମାନସରେ ବିଶ୍ୱାସ ରହିଛି।
ଦୋଳପୂର୍ଣ୍ଣିମା ଏବଂ ହୋଲି ଉଭୟ ହେଉଛି ପ୍ରେମ, ଭକ୍ତି, ସ୍ନେହ-ଶ୍ରଦ୍ଧା, ସମନ୍ୱୟ, ସଦ୍‌ଭାବନା ଓ ଆତ୍ମୀୟତାର ପର୍ବ। ଏହି ମଧୁର ପର୍ବ ପାଳନ ପରିପ୍ରେକ୍ଷୀରେ ଦ୍ୱେଷ, ବାଦ, ମାନ, ଅଭିମାନ ଦୂରୀଭୂତ ହୋଇ ଭ୍ରାତୃଭାବ ଉଦ୍ରେକପୂର୍ବକ ଜାତୀୟତାବୋଧର ଉନ୍ମେଷ ହୋଇଥାଏ। ତେଣୁ ସାମାଜିକ ପରମ୍ପରାରେ ଏହି ପର୍ବ ଏକ ଆତ୍ମୀକ ଆଲୋଡ଼ନ ସୃଷ୍ଟି କରି ବସନ୍ତ ଋତୁର ଶୋଭା ସମ୍ପଦକୁ ଉପଭୋଗ୍ୟ କରାଇ ଆଧ୍ୟାତ୍ମିକ ଚେତନାରେ ଜୀବ ଓ ଜୀବଜଗତକୁ ଉଦ୍‌ବୁଦ୍ଧ କରାଇଥାଏ।

Sponsored
why-are-dola-and-holi-celebrated-in-odia-culture | Argus News