କାହିଁକି ସ୍ବସ୍ତିକ ଚିହ୍ନ ଅତ୍ୟନ୍ତ ଶୁଭ, ଜାଣନ୍ତୁ ଏହି ଆକୃତି ପଛର ରହସ୍ୟ...

ଅର୍ଗସ ବ୍ୟୁରୋ : ବେଦରେ ସ୍ବସ୍ତିକ ଚିହ୍ନକୁ ସମସ୍ତ ମଙ୍ଗଳ କାର୍ଯ୍ୟର ଶୁଭଚିହ୍ନ ବୋଲି କୁହାଯାଏ । ବୈଦିକ ଋଷିମାନେ ନିଜର ଆଧ୍ୟାତ୍ମିକ ଅନୁଭବ ଦ୍ବାରା କିଛି ବିଶେଷ ଚିହ୍ନର ରଚନା କରିଛନ୍ତି । ସେଥିରେ ଏକ ଚିହ୍ନ ହେଉଛି ସ୍ବସ୍ତିକ ଚିହ୍ନ । ଏହି ସ୍ବସ୍ତିକ ରେଖାର ଚାରିଟି ରେଖାକୁ ଚାରି ବେଦ, ଚାରି ପୁରୁଷାର୍ଥ , ଚାରି ଆଶ୍ରମ , ଚାରି ଲୋକ ଏବଂ ଚାରି ଦେବତା ଯେମିତିକି ବ୍ରହ୍ମା, ବିଷ୍ଣୁ, ମହେଶ୍ବର ଏବଂ ଗଣେଷଙ୍କ ସହ ତୁଳନା କରାଯାଇଛି ।
ସ୍ବସ୍ତିକକୁ ସୁଖ ସମୃଦ୍ଧିର ପ୍ରତୀକ ବୋଲି କୁହାଯାଏ । ତେବେ ଆସନ୍ତୁ ଜାଣିବା, ସ୍ବସ୍ତିକ ଚିହ୍ନ ଉପରେ ସମ୍ପୁର୍ଣ୍ଣ ତଥ୍ୟ ।
ସ୍ବସ୍ତିକର ମହତ୍ତ୍ବ : ସ୍ବସ୍ତିକର ଅର୍ଥ ହେଉଛି କଲ୍ୟାଣ ବା ମଙ୍ଗଳ । କୌଣସି ମାଙ୍ଗଳିକ କାର୍ଯ୍ୟ ପୂର୍ବରୁ ସ୍ବସ୍ତିକ ଚିହ୍ନ ତିଆରି କରାଯାଏ । ଏହା ଭଗବାନ ଗଣେଷଙ୍କ ରୂପ ବୋଲି କୁହାଯାଇଥାଏ । ଏହାର ପ୍ରୟୋଗରେ ସମ୍ପନ୍ନତା , ସମୃଦ୍ଧି ଏବଂ ଏକାଗ୍ରତା ପ୍ରାପ୍ତି ହୋଇଥାଏ । ଯେଉଁ ପୂଜାରେ ସ୍ବସ୍ତିକ ଚିହ୍ନ ଥାଏ , ସେହି ପୂଜାର ପ୍ରଭାବ ଅନେକ ସମୟ ଯାଏଁ ରହିଥାଏ । ସ୍ବସ୍ତିକକୁ ବିଷ୍ଣୁଙ୍କ ଆସନ ଏବଂ ଲକ୍ଷ୍ମୀଙ୍କ ସ୍ବରୂପ ବୋଲି କୁହାଯାଇଥାଏ । ଚନ୍ଦନ , କୁଙ୍କୁମ, ସିନ୍ଦୁରରୁ ତିଆରି ହୋଇଥିବା ସ୍ବସ୍ତିକ ଚିହ୍ନ ଏହି ଗ୍ରହଦୋଷକୁ ଦୂର କରିଥାଏ ।
ସ୍ବସ୍ତିକ ଶବ୍ଦକୁ ସୁ ଏବଂ ଅସ୍ତିର ମିଶ୍ରଣ ଯୋଗ ବୋଲି କୁହାଯାଏ । 'ସୁ' ର ଅର୍ଥ ହେଉଛି ଶୁଭ ଏବଂ 'ଅସ୍ତି'ର ଅର୍ଥ ହେଉଛି ହେବା । ଅର୍ଥା ଶୁଭ ହେବା, ବା କଲ୍ୟାଣ ହେବା । ଭାରତୀୟ ସଂସ୍କୃତିରେ ସ୍ବସ୍ତିକକୁ ମଙ୍ଗଳ ପ୍ରତୀକ ବୋଲି କୁହାଯାଏ । ସେଥିପାଇଁ ସବୁ ଶୁଭ କାର୍ଯ୍ୟରେ ସ୍ବସ୍ତିକ ଚିହ୍ନ ବ୍ୟବହାର କରାଯାଏ ।
ସ୍ବସ୍ତିକର ଚିହ୍ନ ସବୁବେଳେ ସିଧା ଏବଂ ଠିକ ରହିବା ଦରକାର । ଏହି ଚିହ୍ନ କରିବା ବେଳେ ଭୁଲ ହୋଇଗଲେ ବା ଓଲଟା ହୋଇଗଲେ ବହୁତ କ୍ଷତି ହୋଇଥାଏ । ଘରର ମୁଖ୍ୟ ଦ୍ବାରରେ ସ୍ବସ୍ତିକ ଚିହ୍ନ ଖୁବ ପ୍ରଭାବଶାଳୀ ହୋଇଥାଏ ।