ତୀର୍ଥଯାତ୍ରୀଙ୍କୁ ସତର୍କ କରାଇ ଚାରିଧାମ ଯାତ୍ରା ଉପରେ ଲାଗିଲା କଟକଣା

ଅର୍ଗସ ବ୍ୟୁରୋ: ଉତ୍ତରାଖଣ୍ଡର ଗଢ଼ବାଲ ଅଞ୍ଚଳରେ ପ୍ରବଳ ବର୍ଷାର ଚେତାବନୀ ପରେ ରବିବାର ଚାରିଧାମ ଯାତ୍ରାକୁ ଅସ୍ଥାୟୀ ଭାବେ ବନ୍ଦ କରି ଦିଆଯାଇଛି।
ପାଣିପାଗ ବିଭାଗର ସୂଚନା ଅନୁସାରେ, ଜୁଲାଇ ୭-୮ରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ତେଣୁ ତୀର୍ଥଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ୪ଧାମ ଯାତ୍ରାକୁ ବନ୍ଦ କରିବା ପାଇଁ ନିର୍ଣ୍ଣୟ ନିଆଯାଇଛି।
ଏଥିସହିତ ତୀର୍ଥଯାତ୍ରୀମାନଙ୍କୁ ଅନୁରୋଧ କରାଯାଇଛି କି ଜୁଲାଇ ୮ତାରିଖରେ ଋଷିକେଶ ଠାରୁ ଆଗକୁ ୪ଧାମ ଯାତ୍ରା କରିବାକୁ ଯୋଜନା ରଖିଥିଲେ ତାହାକୁ ବାତିଲ କରି ଦିଅନ୍ତୁ। ସେହିପରି ଯେଉଁମାନେ ତୀର୍ଥଯାତ୍ରା ପାଇଁ ଆଗକୁ ବଢ଼ିଯାଇଛନ୍ତି ସେମାନେ ନିଜ ଯାତ୍ରାକୁ ପୁଣିଥରେ ଆରମ୍ଭ କରିବା ହେଲେ ପାଣିପାଗ ଶୁଖିଲା ହେବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ। ଉତ୍ତରାଖଣ୍ଡରେ ଭିନ୍ନଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେତୁ ପାହାଡିଆ ଅଞ୍ଚଳରେ ଭୂସ୍ଖଳନ ହୋଇ ବଦ୍ରିନାଥ ଯିବାକୁ ଥିବା ଜାତୀୟ ରାଜପଥରେ ପାହାଡରୁ ପଥର ଖସିବା ହେତୁ ରାସ୍ତା ବନ୍ଦ ହୋଇଯାଇଛି।
ସେହିପରି ଆସାମ ଏବଂ ଅରୁଣାଚଳ ପ୍ରଦେଶରେ କିଛିଦିନ ତଳେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାରୁ ପ୍ରାୟ ଚାରି ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ଏଥିସହ ଏକାଧିକ ସ୍ଥାନରେ ଭୂସ୍ଖଳନ କାରଣରୁ ଯୋଗାଯୋଗ ବିଛିନ୍ନ ହୋଇଯାଇଛି।
ଅଧିକ ପଢ଼ନ୍ତୁ ଭାରତ ଖବର