ନାଗପୁର ହିଂସାକାଣ୍ଡର ମାଷ୍ଟରମାଇଣ୍ଡ ଗିରଫ , ଆଉ ୬ ନାଁରେ ମାମଲା ରୁଜୁ

ନାଗପୁର ହିଂସାକାଣ୍ଡର ମାଷ୍ଟରମାଇଣ୍ଡ ଗିରଫ । ପୋଲିସ ଉପରେ ଆକ୍ରମଣ କରିଥିବା ଉପଦ୍ରବୀଙ୍କୁ ଛଡ଼ାଯିବ ନାହିଁ ବୋଲି ପୁଣିଥରେ ମହାରାଷ୍ଟ୍ର ବିଧାନସଭାରେ ଚେତାବନୀ ଶୁଣାଇଛନ୍ତି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭୀସ । ମିଛ ଗୁଜବ ପ୍ରଚାର କରି ହିଂସା କରାଯାଇଥିବାର ବହୁ ପ୍ରମାଣ ମିଳିସାରିଛି । ଅଉରଙ୍ଗଜେବ କବର ସ୍ଥଳ ଉଚ୍ଛେଦ ସମୟରେ ଧାର୍ମିକ ପୁସ୍ତକ ପୋଡାଯାଉଥିବା ପ୍ରଚାର କରି ଉପଦ୍ରବୀଙ୍କୁ ଏକାଠି କରାଯାଇଥିବା କହିଛି ନାଗପୁର ପୋଲିସ । ହିଂସାକାଣ୍ଡର ମାଷ୍ଟରମାଇଣ୍ଡ ଫହୀମ ଶମୀମ ଖାନକୁ ୨୧ ମାର୍ଚ୍ଚ ଯାଏ ନ୍ୟାୟିକ ହେପାଜତକୁ ନେଇଛି ପୋଲିସ ।
ସିସିଟିଭି ଫୁଟେଜ ଆଧାରରେ ଯାଞ୍ଚ ଜାରି ରହିଥିବା ପୋଲିସ କମିଶନର ରବୀନ୍ଦ୍ର ସିଂଘଲ କହିଛନ୍ତି । ଆଉ ୬ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି । ୭୦ରୁ ଅଧିକ ଅଭିଯୁକ୍ତଙ୍କୁ ଅଟକ ରଖିଛି ପୋଲିସ ।ଗୋଷ୍ଠୀ ସଂଘର୍ଷ ପରେ ନାଗପୁରର ୧୦ଟି ଥାନା ଅଞ୍ଚଳରେ ଲାଗୁ ହୋଇଛି କର୍ଫ୍ୟୁ । ସୋମବାର ନାଗପୁରରେ ଥିବା ମୋଗଲ ସମ୍ରାଟ ଔରଙ୍ଗଜେବଙ୍କ ସମାଧି ହଟାଇବାକୁ ନେଇ ଆରମ୍ଭ ହୋଇଥିଲା ଗୋଷ୍ଠୀ ସଂଘର୍ଷ । ସଂଧ୍ୟା ହେବା ବେଳକୁ ଏହା ତୀବ୍ର ରୂପ ଧାରଣ କରିଥିଲା ।