କ୍ୟାନସର ଯୁଦ୍ଧରେ ହାରିଗଲେ ଇଣ୍ଟରନେଟ୍ ସେନ୍ସେଶନ୍ ବିବେକ ପାଙ୍ଗେନି

ଅର୍ଗସ ବ୍ୟୁରୋ: ଆଜିର ଦୁନିଆରେ ଜଣେ ଭଲ ପତ୍ନୀ ମିଳିବା ବହୁ କଷ୍ଟ। ନିକଟରେ ଆମେ ଦେଖିଥିଲେ ଆକସେଞ୍ଚର ଇଞ୍ଜିନିୟର ଅତୁଲ ସୁଭାଷଙ୍କ କଥା। ସ୍ତ୍ରୀର ନିର୍ଯାତନା ସହି ନ ପାରି ଆତ୍ମହତ୍ୟା କରି ପ୍ରାଣ ହରାଇଛନ୍ତି। ଆଉ ଏଭଳି ଜଣେ ପତ୍ନୀ। ଯିଏ ନିଜ ସ୍ବାମୀଙ୍କର ସବୁ ସେବା କରୁଥିଲେ। ସେ ହେଲେ ଶ୍ରୀଜାନା ସୁବେଦୀ। ସ୍ବାମୀ ବ୍ରେନ ଟ୍ୟୁମରରେ ପୀଡ଼ିତ ଥିଲେ ବି ଏମିତି ଏକ ଦିନ ନ ଥିଲା। ଯେଉଁଥିରେ ତାଙ୍କ ଭଲ ପାଇବା ଊଣା ହୋଇଯିବ। ନିଜର ଲମ୍ବା କେଶ ବି ସ୍ବାମୀଙ୍କ ପାଇଁ କାଟି ଦେଇଥିଲେ। ଏତେ ବଡ଼ ରୋଗ ହେଲେ ବି ସେ କେବେ ତାଙ୍କ ସ୍ବାମୀଙ୍କ ସାଥ ଛାଡ଼ି ନ ଥିଲେ।
କିନ୍ତୁ ଶେଷରେ ନିଷ୍ଠୁର ହୋଇଗଲେ ଭଗବାନ। ଦୀର୍ଘଦିନ ଧରି କ୍ୟାନ୍ସର ସହ ଲଢ଼ୁଥିବା ଇଣ୍ଟରନେଟ୍ ସେନ୍ସେଶନ ବିବେକ ପାଙ୍ଗେନି ଶେଷରେ ନିରବି ଗଲେ। ଦୁଇ ବର୍ଷ ଧରି ଚାଲିଥିବା ଲଢ଼େଇରେ ପଡ଼ିଲା ପୂର୍ଣ୍ଣଚ୍ଛେଦ। ଏକାକି ରହିଗଲେ ପତ୍ନୀ ଶ୍ରୀଜାନା ସୁବେଦୀ। ଶତଚେଷ୍ଟା ସତ୍ତ୍ୱେ ସ୍ବାମୀଙ୍କୁ ବଞ୍ଚାଇ ନ ପାରିବାରୁ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ସେ। ଆଖିରେ ତାଙ୍କର ଲୁହର ବନ୍ୟା। ଗୁରୁବାର ଏହି ଖବର ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ ଶୋକର ଲହରୀ ଖେଳିଯାଇଛି। ସମସ୍ତେ ତାଙ୍କ ଅମର ଆତ୍ମାର ସଦଗତି କାମନା କରୁଛନ୍ତି। ଜର୍ଜିଆ ବିଶ୍ୱବିଦ୍ୟାଳୟ ପଦାର୍ଥ ବିଜ୍ଞାନ ଏବଂ ଜ୍ୟୋତିର୍ବିଜ୍ଞାନର ନେପାଳୀ ପିଏଚ୍ଡି ଛାତ୍ର ବିବେକ ପାଙ୍ଗେନି ୨୦୨୨ରେ ବ୍ରେନ ଟ୍ୟୁମରରେ ପୀଡ଼ିତ ହୋଇଥିବା ଜଣାପଡ଼ିଥିଲା। ବ୍ରେନ ଟ୍ୟୁମରର third stageରେ ସେ ଚିକିତ୍ସିତ ହେଉଥିଲେ। ସୁଦୂର ଆମେରିକାରେ ତାଙ୍କ ଚିକିତ୍ସା ସମୟରେ ପାଖରେ ଦମ୍ଭ ସାଜି ଛିଡ଼ା ହୋଇଥିଲେ ଶ୍ରୀଜାନା। ସ୍ବାମୀଙ୍କ ପ୍ରତି ତାଙ୍କ ଭଲପାଇବା ଥିଲା ଅଦ୍ୱିତୀୟ। ଅନେକେ ତାଙ୍କୁ କଳିଯୁଗର ସୀତା ବୋଲି ଆଖ୍ୟା ଦେଇଥିଲେ। ନିଜର ଆଶା, ଆକାଂକ୍ଷାକୁ ବଳିଦାନ ଦେଇ ସେ ବିବେକଙ୍କ ଯଥା ସମ୍ଭବ ଯତ୍ନ ନେଇ ଆସୁଥିଲେ। କେବେ ବି ତାଙ୍କ ସାମ୍ନାରେ ଭାଙ୍ଗିପଡ଼ୁ ନ ଥିଲେ। ଛୋଟ ଛୁଆଙ୍କ ଭଳି ତାଙ୍କୁ ବହୁତ ଭଲ ପାଉଥିଲେ। ବହୁତ ଥର ଡାକ୍ତରଖାନାକୁ ଯିବା, ଚିକିତ୍ସା ଏବଂ ଅନିଶ୍ଚିତତାର ମୂହୁର୍ତ୍ତରେ ସେ ପ୍ରେମପୂର୍ଣ୍ଣ ନୟନରେ ସ୍ବାମୀଙ୍କ ସେବା କରୁଥିଲେ।
📱 Get Argus News App
✨କିନ୍ତୁ କେବେ ଭାବି ନ ଥିଲେ ଯାହାକୁ ଏତେ ଭଲ ପାଉଥିବେ ସେ ତାଙ୍କୁ ସବୁଦିନ ପାଇଁ ଏକା କରି ଛାଡ଼ିଯିବେ। ସୋସିଆଲ ମିଡିଆରେ ସେ ନିଜର ପ୍ରେମ କାହାଣୀ କହିବା ସହ ସହାୟତା ଲାଗି ନିବେଦନ କରୁଥିଲେ। ବିବେକଙ୍କ ସହ ତାଙ୍କର ଭିଡିଓ ଗୁଡ଼ିକ ବେଶ ଭାଇରାଲ ହେଉଥିଲା। ସମସ୍ତେ ଭାଗ୍ୟରେ ଥିଲେ ଏଭଳି ପତ୍ନୀ ମିଳେ ବୋଲି ରାୟ ରଖୁଥିଲେ। ଏପରିକି ବିବେକଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଥିଲେ। ହେଲେ ତାହା ହୋଇପାରିନାହିଁ। ଗୁରୁବାର ସମସ୍ତଙ୍କୁ ଛାଡ଼ି ଆରପାରିକୁ ଚାଲିଯାଇଛନ୍ତି ସେ। ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ବନ୍ଧୁ, ପରିବାର ଏବଂ ପତ୍ନୀ। ତାଙ୍କର ପରଲୋକ ଖବର କେବଳ ଶ୍ରୀଜାନା ନୁହନ୍ତି ବରଂ ନେପାଳୀ ସମ୍ପ୍ରଦାୟ ଏବଂ କାହାଣୀ ଦ୍ୱାରା ପ୍ରଭାବିତ ହୋଇଥିବା ସମସ୍ତଙ୍କ ପାଇଁ ଅବିସ୍ମରଣୀୟ ଶୂନ୍ୟସ୍ଥାନ ଛାଡ଼ିଛି।