ଦୁର୍ଘଟଣାଗ୍ରସ୍ତଙ୍କୁ ମେଡିକାଲ୍ ପହଞ୍ଚାଇଲେ ସରକାର ଦେବେ ଟଙ୍କା, ଜାଣନ୍ତୁ ଗଡ଼କରୀଙ୍କ ଯୋଜନା କ'ଣ ?

Key Points
ଦୁର୍ଘଟଣାର ଘଣ୍ଟାଏରେ ମେଡିକାଲ୍ ପହଞ୍ଚିବା ଗୋଲ୍ଡେନ ହାୱାର
ଆହତଙ୍କୁ ମେଡିକାଲ୍ ପହଞ୍ଚାଇଲେ ମିଳିବ ୨୫ ହଜାର ଟଙ୍କା
କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କ ଘୋଷଣା
ଅର୍ଗସ ବ୍ୟୁରୋ: କୌଣସି ଦୁର୍ଘଟଣାରେ ଆହତ ହୋଇଥିବା ଲୋକଙ୍କୁ ଆପଣ ମେଡିକାଲ୍ ନେଇ ଯାଉଛନ୍ତି କି ? ଯଦି ହଁ ତେବେ ଆପଣଙ୍କୁ ଟଙ୍କା ଦେବେ ସରକାର । ଆପଣଙ୍କ ଜରୁରୀ କାମ ଛାଡ଼ି ଆପଣ ଦୁର୍ଘଟଣାଗ୍ରସ୍ତଙ୍କୁ ସହାୟତା କରି ମେଡିକାଲ୍ ନେଇଗଲେ ହଜାର ହଜାର ଟଙ୍କା ପାଇବେ ।
ବର୍ତ୍ତମାନ ସରକାର ୨୫ ହଜାର ଟଙ୍କା ଦେବେ । ପୂର୍ବରୁ ସରକାର ଦୁର୍ଘଟଣାଗ୍ରସ୍ତଙ୍କୁ ମେଡିକାଲ୍ ପହଞ୍ଚାଉଥିବା ବ୍ୟକ୍ତିଙ୍କୁ ୫ ହଜାର ଟଙ୍କା ଦେଉଥିଲେ । ଏବେ ଏହି ପ୍ରୋତ୍ସାହନ ରାଶିକୁ ୨୫ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ପୁଣେର ଏକ କାର୍ଯ୍ୟକ୍ରମରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ।
ବଲିଉଡ୍ ଅଭିନେତା ଅନୁପମ ଖେରଙ୍କ ସହ ଏକ ସାକ୍ଷାତକାର ବେଳେ ନୀତିନ ଗଡ଼କରୀ କହିଛନ୍ତି, ପ୍ରୋତ୍ସାହନ ରାଶି ବୃଦ୍ଧି ଲାଗି ସଡ଼କ ପରିବହନ ମନ୍ତ୍ରଣାଳଯକୁ ନିର୍ଦ୍ଦେଶ ଦିଆ ଯାଇଛି । ଏବେ ମିଳୁଥିବା ପ୍ରୋତ୍ସାହନ ରାଶି ବହୁତ କମ୍ ବୋଲି କହିଛନ୍ତି ମନ୍ତ୍ରୀ ।
📱 Get Argus News App
✨ସୂଚନାଯୋଗ୍ୟ, କୌଣସି ଦୁର୍ଘଟଣାଗ୍ରସ୍ତଙ୍କୁ ଘଣ୍ଟାଏ ଭିତରେ ମେଡିକାଲ୍ ପହଞ୍ଚାଇବାକୁ ଗୋଲ୍ଡେନ ହାୱାର କୁହାଯାଏ । ଦୁର୍ଘଟଣାର ଘଣ୍ଟାଏ ମଧ୍ୟରେ ଆହତଙ୍କୁ ମେଡିକାଲ୍ ପହଞ୍ଚାଇଲେ ସେ ଜୀବିତ ରହିବାର ସମ୍ଭାବନା ମଧ୍ୟ ଅଧିକ ଥାଏ । ୨୦୨୧ ଅକ୍ଟୋବରରେ କେନ୍ଦ୍ର ସରକାର ଏହି ପ୍ରୋତ୍ସାହନ ରାଶି ପ୍ରଦାନ ଆରମ୍ଭ କରିଥିଲେ । ଯେଉଁଥିରେ ଦୁର୍ଘଟଣାରେ ଆହତଙ୍କୁ ମେଡିକାଲ୍ ପହଞ୍ଚାଇ ଥିବା ଲୋକଙ୍କୁ ପ୍ରୋତ୍ସାହନ ଦିଆଯାଉଛି ।
ଏବେର ଯୋଜନା ଅନୁସାରେ, ଆହତଙ୍କୁ ମେଡିକାଲ୍ ନେଉଥିବା ବ୍ୟକ୍ତିଙ୍କୁ ପ୍ରୋତ୍ସାହନ ରାଶି ସହ ପ୍ରମାଣପତ୍ର ବି ଦିଆଯିବ । ତେବେ ପ୍ରୋତ୍ସାହନ ରାଶି ପ୍ରଦାନ ଲାଗି ଏକ ଯାଞ୍ଚ ପ୍ରକ୍ରିୟା ରହିଛି ।