୨୦୨୪ରେ ବି ଷ୍ଟକ ବଜାର ଊର୍ଦ୍ଧ୍ବମୁଖୀ

ଅର୍ଥନୀତିରେ ସ୍ଥିତାବସ୍ଥା ଜାରି ରହିଥିବାବେଳେ ୨୦୨୪ରେ ଦେଶର ପୁଞ୍ଜି ବଜାର ଉନ୍ନତ ସ୍ଥିତିରେ ବନ୍ଦ ହେବାକୁ ଯାଉଛି। ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ନିଫ୍ଟି ବଢ଼ିଛି ୧୩%। ଲଗାତାର ୯ବର୍ଷ ଧରି ନିଫ୍ଟି କାରବାର ଉର୍ଦ୍ଧ୍ବଗାମୀ ରହିଥିବା ମୋତିଲାଲ ଓସଓ୍ବାଲ ଓ୍ବେଲଥ ମ୍ୟାନେଜମେଣ୍ଟ ରିପୋର୍ଟରେ କୁହାଯାଇଛି। ଚଳିତବର୍ଷ ପ୍ରଥମ ୬ମାସରେ କର୍ପୋରେଟ ଲାଭରେ ବେଶ ଉନ୍ନତି ଆସିଥିଲା।
ସେହିଭଳି ଘରୋଇ ବଜାରକୁ ପୁଞ୍ଜି ପ୍ରବାହରେ ଉନ୍ନତି ଏବଂ ବଜାରର ଦୃଢ ସ୍ଥିତି ଯୋଗୁ ନିଫ୍ଟି ସେପ୍ଟେମ୍ବରରେ ୨୬,୨୭୭ସ୍ତର ଛୁଇଁବାକୁ ସକ୍ଷମ ହୋଇଥିଲା। ବିଶ୍ବ ବଜାରରେ ଭୂ-ରାଜନୈତିକ ସଙ୍କଟ, ସାଧାରଣ ନିର୍ବାଚନ, ବଜେଟ ସମୟ ଦେଇ ବଜାର ଗତି କରିଥିଲା। ବଜାର ଖସିଥିଲେ ମଧ୍ୟ ଶେୟାର କ୍ରୟ ଦୃଢ ହେବା ଯୋଗୁ ଏହା ସ୍ଥିତିରେ ସୁଧାର ଆଣିବାରେ ସହାୟକ ହୋଇଥିଲା। ୨୦୨୫ରେ ପ୍ରଥମାର୍ଦ୍ଧରେ ବଜାର ସଙ୍ଗଠିତ ହେବାକୁ ଥିବାବେଳେ ଦ୍ବୀତିୟାର୍ଦ୍ଧରେ ବଜାରରେ ସୁଧାର ଆସିବ। ଉଭୟ ବିଶ୍ବ ଏବଂ ଘରୋଇ ବଜାରର ଆର୍ଥିକ ଗତିବିଧି ଗୁଡ଼ିକ ବଜାର ଉପରେ ପ୍ରଭାବ ପକାଇବ। ଆମେରିକାର ଫେଡେରାଲ ରିଜର୍ଭ ସୁଧହାର ହ୍ରାସ ଜାରି ରଖିଛି। ଏଭଳି ସ୍ଥିତିରେ ଫେବୃୟାରୀରେ ଆରବିଆଇ ସୁଧହାର ହ୍ରାସ କରିପାରେ ବୋଲି ଆକଳନ କରାଯାଉଛି।