ଇସ୍ରୋ ଓ ନାସାର ଏହି ମିଳିତ ମିଶନ୍ ଉପରେ ସାରା ବିଶ୍ବର ନଜର

ଅର୍ଗସ ବ୍ୟୁରୋ : ନିସାର ସାଟେଲାଇଟ୍ ଲଞ୍ଚ ପାଇଁ ପ୍ରସ୍ତୁତି । ଇସ୍ରୋ ଓ ନାସାର ଏହି ମିଳିତ ମିଶନ୍ ଉପରେ ସାରା ବିଶ୍ବର ନଜର ରହିଛି । ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟ୍ଟା ସ୍ଥିତ ସତୀଶ ଧାୱନ ସ୍ପେଶ୍ ସେଣ୍ଟରରୁ GSLV ମାର୍କ-୨ ରେ ଲଞ୍ଚ କରିବାକୁ ଲକ୍ଷ୍ୟ ରଖିଛି ଇସ୍ରୋ। ଆସନ୍ତାବର୍ଷ ମାର୍ଚ୍ଚରେ ମହାକାଶକୁ ଯିବ ନାସା-ଇସ୍ରୋ ସିନ୍ଥେଟିକ୍ ଆପରଚର୍ ରାଡାର୍ ବା ନିସାର୍ ସାଟେଲାଇଟ୍। ଏଥିପାଇଁ ୫ ହଜାର କୋଟି ଟଙ୍କା ନିବେଶ ହୋଇଛି । ଭୂପୃଷ୍ଠରେ ପରିବର୍ତ୍ତନ ଉପରେ ନଜର ରଖିବ ଏହି ଆର୍ଥ ଅବଜର୍ଭିଂ ସାଟେଲାଇଟ୍।
ନିସାର୍ ସାଟେଲାଇଟର ଓଜନ ପ୍ରାୟ ୨.୮ ଟନ୍ ଥିବା ବେଳେ, ଏହା ଭୂପୃଷ୍ଠରୁ ୭୪୭ କିଲୋମିଟର ଉପରେ ଅବସ୍ଥାପିତ ହେବ। ଏଥିପାଇଁ ଗତ ଅକ୍ଟୋବରରେ ଆମେରିକାରୁ ଭାରତକୁ ଗୁରୁତ୍ୱପୂର୍ଣ୍ଣ ଯନ୍ତ୍ରାଂଶ ଆସିଥିଲା । ଏହି ସାଟେଲାଇଟ୍ ଭୂଭାଗ ଓ ବରଫର ପରିବର୍ତ୍ତନକୁ ପ୍ରତି ୧୨ ଦିନରେ ଦୁଇଥର ଲେଖାଏଁ ସ୍କାନ୍ କରିବ ଓ ହାଇରିଜଲ୍ୟୁସନ୍ ଫଟୋ ଉଠାଇବ। ଭୂପୃଷ୍ଠ ସଂରଚନାର ପରିବର୍ତ୍ତନ ସହ ବରଫ ତରଳିବା, ଜୈବ ବିବିଧତା ଉପରେ ନଜର ରଖିବ ନିସାର ସାଟେଲାଇଟ । ୩ ବର୍ଷ ପାଇଁ ଏହି ମିଶନ୍ ଜାରି ରହିବ ।