ଜଲ୍ଲିକଟ୍ଟୁ ପ୍ରତିଯୋଗିତାରେ ଅଘଟଣ: ଷଣ୍ଢଙ୍କୁ କାବୁ ବେଳେ ଯୁବକ ମୃତ, ୭୫ ଆହତ

Key Points
ଜଲ୍ଲିକଟ୍ଟୁ ପ୍ରତିଯୋଗିତାରେ ଅଘଟଣ
ଯୁବକ ମୃତ, ୭୫ ଆହତ
ଅର୍ଗସ ବ୍ୟୁରୋ: ପୋଙ୍ଗଲ ଅବସରରେ ପାରମ୍ପରିକ ଭାବେ ଆୟୋଜିତ ହେଉଥିବା ଜଲ୍ଲିକଟ୍ଟୁ ପ୍ରତିଯୋଗିତାରେ ଅଘଟଣ । ତାମିଲନାଡ଼ୁର ମଦୁରାଇରେ ଆୟୋଜିତ ପ୍ରତିଯୋଗିତାରେ ଜଣଙ୍କ ଜୀବନ ଯାଇଥିବା ବେଳେ ୭୫ ଜଣ ଆହତ ହୋଇଛନ୍ତି ।
ମୃତକ ୨୨ ବର୍ଷୀୟ ବି ନବୀନ କୁମାର ବୋଲି ଜଣାପଡ଼ିଛି । ଫସଲ ଅମଳ ଅବସରରେ ପୋଙ୍ଗଲ ପର୍ବ ପାଳିତ ହୁଏ । ମଙ୍ଗଳବାର ମଦୁରାଇରେ ପୋଙ୍ଗଲ ଅବସରରେ ଜଲ୍ଲିକଟ୍ଟୁ ପ୍ରତିଯୋଗିତା ଆରମ୍ଭ ହୋଇଥିଲା । ୩ ଦିନ ଧରି ଚାଲିବାକୁ ଥିବା ଷଣ୍ଢ ଲଢ଼େଇ ପ୍ରତିଯୋଗିତାର ପ୍ରଥମ ଦିନରେ ଅଘଟଣ ଘଟିଛି । ଲଢ଼େଇ ଚାଲିଥିବା ବେଳେ ଜଣଙ୍କ ଜୀବନ ଯାଇଛି ।
ଚଳିତ ବର୍ଷ ମଦୁରାଇରେ ଆୟୋଜିତ ଜଲ୍ଲିକଟ୍ଟୁ ପ୍ରତିଯୋଗିତାରେ ପ୍ରାୟ ୧୧୦୦ ଷଣ୍ଢ ଭାଗ ନେଇଛନ୍ତି । ଷଣ୍ଢଙ୍କୁ ନିୟନ୍ତ୍ରଣ କରିବା ଲାଗି ୯୦୦ ଟେମର୍ସ ସାମିଲ୍ ହୋଇଛନ୍ତି । ମୃତ୍ୟୁ ଘଟିଥିବା ବି ନବୀନ କୁମାର ଷଣ୍ଢଙ୍କୁ କାବୁ କରିବା ଲାଗି ଉଦ୍ୟମ କରୁଥିଲେ ।
📱 Get Argus News App
✨ମଦୁରାଇ ଜିଲ୍ଲାପାଳ ସଙ୍ଗୀତାଙ୍କ ଅନୁସାରେ, ଚିକିତ୍ସାଧୀନ ଅବସ୍ଥାରେ ବି ନବୀନଙ୍କ ମୃତ୍ୟୁ ହୋଇଛି । ପ୍ରାୟ ୭୫ ଜଣ ଆହତ ହୋଇଥିବା ବେଳେ ଚିକିତ୍ସା ପରେ ଘରକୁ ଫେରିଛନ୍ତି । ଆହତଙ୍କ ମଧ୍ୟରୁ ୨୫ ଜଣଙ୍କ ଠାରେ ଷ୍ଟିଚ୍ ପଡ଼ିଛି । ସମସ୍ତଙ୍କ ସ୍ଵାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
ଜଲ୍ଲିକଟ୍ଟୁରେ ଶ୍ରେଷ୍ଠ ଷଣ୍ଢ ମାଲିକଙ୍କୁ ୧୧ ଲକ୍ଷ ଟଙ୍କା ମୂଲ୍ୟର ଟ୍ରାକ୍ଟର ପ୍ରଦାନ କରାଯାଉଥିବାବେଳେ ଶ୍ରେଷ୍ଠ ଷଣ୍ଢ-ଟେମରଙ୍କୁ ଅନ୍ୟ ପୁରସ୍କାର ସହିତ ୮ ଲକ୍ଷ ମୂଲ୍ୟର କାର ମିଳିବ ।