ପୂଣ୍ୟ ଅର୍ଜନ କରିବାକୁ ଯାଉଥିଲେ ସଙ୍ଗମ ସ୍ଥଳ, ହେଲେ ଚାଲିଗଲେ ଆରପାରିକୁ

ପୁଣି ଦୁର୍ଘଟଣା । ରାଜରାସ୍ତାରେ ମୃତ୍ୟୁର ତାଣ୍ଡବ । ଏକାଥରକେ ଚାଲିଗଲା ୧୦ ଜଣକ ଜୀବନ । ଆଉ ୧୯ ଆହତ । ଗତକାଲି ବିଳମ୍ବିତ ରାତିରେ ପ୍ରୟାଗରାଜ-ମିର୍ଜାପୁର ହାଇୱେରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ହାଇଓ୍ୱେରେ ଏକ ବୋଲେରୋ ଓ ବସ୍ ମଧ୍ୟରେ ଜୋରଦାର ଧକ୍କା ହୋଇଛି। ଦୁର୍ଘଟଣା ଏତେ ଭୟାନକ ଥିଲା ଯେ ଘଟଣାସ୍ଥଳରେ ବୋଲେରୋରେ ଥିବା ସମସ୍ତ ୧୦ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଥିଲା । ଏହାସହ ବସ୍ରେ ଥିବା ୧୯ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ତରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଛି ।
ପ୍ରାଣ ହରାଇଥିବା ଶ୍ରଦ୍ଧାଳୁମାନେ ଛତିଶଗଡ଼ର କୋରବା ଜିଲ୍ଲାର ବୋଲି ଜଣାପଡ଼ିଛି। ସଙ୍ଗମରେ ସ୍ନାନ କରିବା ପାଇଁ ସେମାନେ କୁମ୍ଭ ଅଭିମୁଖେ ଯାଉଥିଲେ। ଦୁର୍ଘଟଣା ସମୟରେ ବସ୍ରେ ମଧ୍ୟପ୍ରଦେଶ ରାଜଗଡ଼ର ତୀର୍ଥଯାତ୍ରୀ ମଧ୍ୟ ରହିଥିଲେ। ସମସ୍ତେ କୁମ୍ଭରେ ବୁଡ ପକାଇ ବାରଣାସୀ ଯାଉଥିବାବେଳେ ଦୁର୍ଘଟଣାର ଶିକାର ହୋଇଛନ୍ତି ।
ଶବ ବ୍ୟବଚ୍ଛେଦ ପାଇଁ ମୃତକମାନଙ୍କୁ ସ୍ୱରୂପରାଣୀ ମେଡିକାଲ ହସ୍ପିଟାଲକୁ ନିଆଯାଇଛି। ଅଧିକ ତଦନ୍ତ ଜାରି ରହିଛି ବୋଲି ପ୍ରୟାଗରାଜ ଅତିରିକ୍ତ ଏସ୍ପି ବିବେକ ଚନ୍ଦ୍ର ଯାଦବ କହିଛନ୍ତି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏ ବାବଦ ସମସ୍ତ ସହାୟତା କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆହତଙ୍କ ଉପଯୁକ୍ତ ଚିକିତ୍ସା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ କହିଛନ୍ତି।
କିଛି ଦିନ ପୂବର୍ବରୁ ଓଡ଼ିଶାରୁ ମହାକୁମ୍ଭକୁ ଯାଉଥିବା ଏକ ବସ ମଧ୍ୟ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣାରେ ୮୦ ଜଣ ଆହତ ହୋଇଥିଲେ। ବିହାର-ଉତ୍ତରପ୍ରଦେଶ ସୀମାନ୍ତ ମଥାନୀ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ଓଡ଼ିଶାର ବାଲେଶ୍ୱର ଚନ୍ଦନେଶ୍ୱରରୁ ବସ୍ଟି ପ୍ରୟାଗରାଜ ଯାଉଥିଲା। ବିହାର-ଉତ୍ତରପ୍ରଦେଶ ସୀମାନ୍ତ ମଥାନୀ ନିକଟରେ ବସ୍ଟି ଭାରସାମ୍ୟ ହରାଇ ବାଲି ବୋଝେଇ ଡମ୍ପରକୁ ପଛ ପଟୁ ଧକ୍କା ଦେଇଥିଲା।
ବିଶ୍ୱର ସର୍ବବୃହତ୍ ଆଧ୍ୟାତ୍ମିକ ସମାବେଶ ମହାକୁମ୍ଭ ଜାନୁଆରି ୧୩ ତାରିଖରୁ ଆରମ୍ଭ ହୋଇଥିଲା। ଏହା ଫେବ୍ରୁଆରି ୨୬ ତାରିଖ ମହାଶିବରାତ୍ରି ପର୍ଯ୍ୟନ୍ତ ଚାଲିବ ।
📱 Get Argus News App
✨VIDEO | At least 10 people have been killed and several injured in a head-on collision between a car and a bus in Prayagraj. More details awaited.
— Press Trust of India (@PTI_News) February 15, 2025
(Full video available on PTI Videos - https://t.co/n147TvqRQz) pic.twitter.com/06t5TkNd4m