Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Delhi Blast / Al Falah Universityରେ ପାଠ ପଢ଼ା ହେଉଥିଲା ନା ଆତଙ୍କବାଦୀ ତିଆରି ହେଉଥିଲେ ?

Satyendu Sekhar Mishra
Browse all articles by Satyendu Sekhar Mishra
·7 months ago·2 min read
Al Falah Universityରେ ପାଠ ପଢ଼ା ହେଉଥିଲା ନା ଆତଙ୍କବାଦୀ ତିଆରି ହେଉଥିଲେ ?

Key Points

ଗାୟବ ଥିବା ଲୋକଙ୍କ ଫୋନ୍ ସ୍ୱିଚ୍ ଅଫ ରହିଛି ।
ଦୁଇ ରାଜ୍ୟର ପୋଲିସ ସେମାନଙ୍କୁ ଖୋଜୁଛି।

ଦିଲ୍ଲୀ ବିସ୍ଫୋରଣ ପରେ ଚର୍ଚ୍ଚାକୁ ଆସିଥିବା ଅଲ୍-ଫଲାହ ବିଶ୍ୱବିଦ୍ୟାଳୟ ପୁଣି ସନ୍ଦେହ ଘେରରେ । ଏଠି ପାଠ ପଢ଼ା ହୁଏ ନା ଆତଙ୍କବାଦୀ ସୃଷ୍ଟି ହୁଅନ୍ତି ବୋଲି ଉଠିଲାଣି ପ୍ରଶ୍ନ । କାରଣ ବିସ୍ଫୋରଣକୁ ନେଇ ତଦନ୍ତ ଚାଲିଥିବା ଭିତରେ, ବିଶ୍ୱବିଦ୍ୟାଳୟର ୧୦ ରୁ ଅଧିକ ଜଣ ନିଖୋଜ ଥିବା ଖବର ସାମ୍ନାକୁ ଆସୁଛି । ଏଥିରେ ୟୁନିଭର୍ସିଟିରେ ଚାକିରି କରୁଥିବା କର୍ମଚାରୀଙ୍କ ସମେତ କିଛି ଛାତ୍ରଛାତ୍ରୀ ମଧ୍ୟ ସାମିଲ ଅଛନ୍ତି । ଖାଲି ସେତିକି ନୁହେଁ ନିଖୋଜଙ୍କ ମଧ୍ୟରେ ୩ ଜଣ କାଶ୍ମୀରୀ ମଧ୍ୟ ରହିଛନ୍ତି ।

ଗାୟବ ଥିବା ଲୋକଙ୍କ ଫୋନ୍ ସ୍ୱିଚ୍ ଅଫ ରହିଛି । ଦିଲ୍ଲୀ ବିସ୍ଫୋରଣ ମାମଲାରେ ଜମ୍ମୁ-କାଶ୍ମୀର ପୋଲିସ ଏବଂ ଫରିଦାବାଦ ପୋଲିସ ଦ୍ୱାରା ତଦନ୍ତ ଆରମ୍ଭ ପରେ ସେମାନେ ଗାୟବ ହୋଇଥିବା କୁହାଯାଉଛି । ଉଭୟ ରାଜ୍ୟର ପୋଲିସ ସେମାନଙ୍କୁ ଖୋଜୁଛି।

ଆତଙ୍କୀ ମଡ୍ୟୁଲରେ ସମ୍ପୃକ୍ତି ସନ୍ଦେହ

ପୋଲିସ ରିପୋର୍ଟ କରିଛି ଯେ ବିଶ୍ୱବିଦ୍ୟାଳୟରୁ ନିଖୋଜ ହୋଇଥିବା ସମସ୍ତଙ୍କ ଫୋନ୍ ସ୍ୱିଚ୍‌ ଅଫ୍‌ ରହିଛି। ତଦନ୍ତକାରୀ ଏଜେନ୍ସିଗୁଡ଼ିକ ସେମାନଙ୍କୁ ଧରିବାକୁ ଚେଷ୍ଟା କରୁଛନ୍ତି। ଆଲ୍ ଫଲାହ ବିଶ୍ୱବିଦ୍ୟାଳୟରୁ ସମସ୍ତ ନିଖୋଜଙ୍କ ତାଲିକା ହାସଲ କରିଛି ଏଜେନ୍ସି । ସନ୍ଦେହ କରାଯାଉଛି ଯେ ଏହି ବ୍ୟକ୍ତିମାନଙ୍କ ମଧ୍ୟରୁ ଅନେକ ଆତଙ୍କୀ ମଡ୍ୟୁଲରେ ସାମିଲ ଥାଇପାରନ୍ତି।

ପ୍ରତିଷ୍ଠାତା ଜାଭେଦ ସିଦ୍ଦିକି ଇଡି ହେପାଜତରେ

ଆଲ୍ ଫଲାହ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଜାଭେଦ ଅହମ୍ମଦ ସିଦ୍ଦିକି ମଧ୍ୟ ଇଡି ହେପାଜତରେ ଅଛନ୍ତି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସିଦ୍ଦିକିଙ୍କୁ ୧୩ ଦିନ ପାଇଁ ନିଜ ରିମାଣ୍ଡକୁ ନେଇଛି। ଦିଲ୍ଲୀ ଲାଲକିଲ୍ଲା ନିକଟରେ ଆତଙ୍କବାଦୀ ଆକ୍ରମଣ ସହିତ ଜଡିତ ମନି ଲଣ୍ଡରିଂ ମାମଲାରେ ମଙ୍ଗଳବାର ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଜାଭେଦଙ୍କୁ ଗିରଫ କରାଯାଇଥିଲା।

EDର ପଚରାଉଚରାରୁ ଅନେକ ଗୁରୁତ୍ୱପୂର୍ଣ୍ଣ ଖୁଲାସା ହେବାର ସମ୍ଭାବନା ରହିଛି। ମଙ୍ଗଳବାର ବିଳମ୍ବିତ ରାତିରେ ଇଡି ଜାଭେଦ ଅହମ୍ମଦ ସିଦ୍ଦିକୀଙ୍କୁ ଦିଲ୍ଲୀର ସାକେତ କୋର୍ଟରେ ହାଜର କରିଥିଲା । ତାପରେ ଅତିରିକ୍ତ ସେସନ୍ସ ଜଜ୍ ଶୀତଲ ଚୌଧୁରୀ ପ୍ରଧାନ ରାତି ପ୍ରାୟ ଗୋଟାଏରେ ଜାଭେଦ ଅହମ୍ମଦ ସିଦ୍ଦିକୀଙ୍କୁ ଇଡି ରିମାଣ୍ଡକୁ ପଠାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

କୋଟି କୋଟି ଟଙ୍କାର କାରବାର ସନ୍ଦେହ

ରିମାଣ୍ଡ ନୋଟ୍ ଅନୁଯାୟୀ, ଏହି ସଂସ୍ଥା ଗତ କିଛି ବର୍ଷ ମଧ୍ୟରେ ଅନେକ ଛାତ୍ରଛାତ୍ରୀଙ୍କୁ ଭୁଆଁ ବୁଲାଇ କେବଳ ଆଡ୍‌ମିଶନ ଦେଇଛି ତା' ନୁହେଁ, ସେମାନଙ୍କଠାରୁ ପର୍ଯ୍ୟାପ୍ତ ପରିମାଣର ଅର୍ଥ ମଧ୍ୟ ସଂଗ୍ରହ କରିଛି । ITRର ରିପୋର୍ଟରୁ ଜଣାପଡିଛି ଯେ ବିଶ୍ୱବିଦ୍ୟାଳୟ ୨୦୧୪-୧୫ ରୁ ୨୦୨୪-୨୫ ଆର୍ଥିକ ବର୍ଷ ମଧ୍ୟରେ କୋଟି କୋଟି ଟଙ୍କାର ଆୟ କରିଛି।

ଇଡି ତଦନ୍ତରୁ ଜଣାପଡିଛି ଯେ ଏହି ସଂସ୍ଥା ୨୦୧୪-୧୫ ଏବଂ ୨୦୧୫-୧୬ ଆର୍ଥିକ ବର୍ଷରେ ଯଥାକ୍ରମେ ୩୦.୮୯ କୋଟି ଏବଂ ୨୯.୪୮ କୋଟି ଟଙ୍କା ଡୋନେସନ ବାବଦକୁ ପାଇଛି । ଏହାପରେ ୨୦୧୬-୧୭ ଠାରୁ ଏଭଳି ଆୟକୁ ସିଧାସଳଖ ଶିକ୍ଷାଗତ ରେଭେନ୍ୟୁ ବୋଲି ରିପୋର୍ଟରେ ଦର୍ଶାଯାଇଛି ।

ତଦନ୍ତରୁ ଜଣାପଡିଛି ଯେ ୨୦୧୮-୧୯ ଆର୍ଥିକ ବର୍ଷରେ ୨୪.୨୧ କୋଟି ଏବଂ ୨୦୨୪-୨୫ ଆର୍ଥିକ ବର୍ଷରେ ୮୦.୦୧ କୋଟି ଆୟ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି । ମୋଟାମାଟି ଦେଖିବାକୁ ଗଲେ ପ୍ରାୟ ୪୧୫.୧୦ କୋଟି ଟଙ୍କା ଜାଲ୍‌ କାଗଜ ପତ୍ର ପ୍ରସ୍ତୁତ କରି ଗ୍ରହଣ କରିଛି ସଂସ୍ଥା ।

ଏଜେନ୍ସି ଦାବି କରିଛି ଯେ ବିଶ୍ୱବିଦ୍ୟାଳୟ ମିଛ ପ୍ରତିଶ୍ରୁତି ଓ ଛାତ୍ରଛାତ୍ରୀଙ୍କୁ ଭୁଆଁ ବୁଲାଇ ସେମାନଙ୍କ ବିଶ୍ୱାସ ଜିତିଛି । ତାପରେ ସେମାନଙ୍କ ଭବିଷ୍ୟତକୁ ଅନ୍ଧାରକୁ ଠେଲି ଦେଇଛି । ଏହି ମାମଲାରେ ଇଡିର ତଦନ୍ତ ଦିଲ୍ଲୀ ପୋଲିସର ଏକ FIRରୁ ଆରମ୍ଭ ହୋଇଥିଲା, ଆଉ ଏବେ ମନି ଲଣ୍ଡରିଂ ଦିଗରେ ଚାଲିଛି ଖୋଳତାଡ଼ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored