Murder Case / ମା’ ଓ ପ୍ରେମିକଙ୍କୁ ଆପତ୍ତିଜନକ ଅବସ୍ଥାରେ ଦେଖିବାରୁ ୧୪ ବର୍ଷୀୟ ପୁଅକୁ ହତ୍ୟା !

Key Points
୧୪ ବର୍ଷୀୟ ପୁଅକୁ ଗଳା ଚିପି ହତ୍ୟା ଅଭିଯୋଗ, ମା’ଙ୍କ ପ୍ରେମ ସମ୍ପର୍କକୁ ନେଇ ଚାଞ୍ଚଲ୍ୟ
ମା’ର ପ୍ରେମ ସମ୍ପର୍କକୁ ବିରୋଧ କରିବାରୁ ପୁଅକୁ ହତ୍ୟା ଅଭିଯୋଗ, ପ୍ରେମିକ ଫେରାର
ଉତ୍ତରପ୍ରଦେଶର କାନପୁର ଜିଲ୍ଲା ମହାରାଜପୁର ଥାନା ଅଞ୍ଚଳରୁ ଏକ ଅତ୍ୟନ୍ତ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ନିଜ ମା’ ଓ ପଡ଼ୋଶୀ ଯୁବକଙ୍କୁ ଆପତ୍ତିଜନକ ଅବସ୍ଥାରେ ଦେଖିବା ପରେ ବିରୋଧ କରିବାରୁ ୧୪ ବର୍ଷୀୟ ଜଣେ ନାବାଳକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ, ନାବାଳକଙ୍କ ମା’ ତାଙ୍କ ପ୍ରେମିକଙ୍କ ସହ ମିଶି ପୁଅର ଗଳା ଚିପି ହତ୍ୟା କରିଥିଲେ ।
ଘଟଣା ପରେ ଅଭିଯୁକ୍ତ ମହିଳା ସାରା ରାତି ପୁଅର ମୃତଦେହ ନିକଟରେ ବସି ରହିଥିବା ଅଭିଯୋଗ ହୋଇଛି । ଶୁକ୍ରବାର ସକାଳେ ସେ ପୁଅର ହଠାତ୍ ଅସୁସ୍ଥତା ଯୋଗୁଁ ମୃତ୍ୟୁ ହୋଇଥିବା ନେଇ ପଡ଼ୋଶୀ ଓ ଗ୍ରାମବାସୀଙ୍କୁ କହିଥିଲେ । ତେବେ ଗାଁରେ ମହିଳାଙ୍କ ପ୍ରେମ ସମ୍ପର୍କ ଓ ହତ୍ୟାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ଘଟଣାକୁ ନେଇ ସନ୍ଦେହ ବଢ଼ିବାରୁ ଗ୍ରାମବାସୀ ପୋଲିସ କଣ୍ଟ୍ରୋଲ୍ ରୁମକୁ ଖବର ଦେଇଥିଲେ ।
ମୃତଦେହରେ ମିଳିଲା ସନ୍ଦେହଜନକ ଚିହ୍ନ
ସୂଚନା ପାଇ ମହାରାଜପୁର ଥାନା ପୋଲିସ ଓ ଫୋରେନସିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ । ଯାଞ୍ଚ ସମୟରେ ନାବାଳକଙ୍କ ବେକ ଓ ଶରୀରରେ କିଛି ସନ୍ଦେହଜନକ ଆଘାତ ଚିହ୍ନ ଦେଖିବାକୁ ମିଳିଥିଲା । ଏହାପରେ ଏହା ସ୍ୱାଭାବିକ ମୃତ୍ୟୁ ନୁହେଁ ବୋଲି ପୋଲିସର ସନ୍ଦେହ ହୋଇଥିଲା । ପୋଲିସ ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଥିଲା ।
ପୋଷ୍ଟମର୍ଟମରେ ଗଳା ଚିପି ହତ୍ୟା ନେଇ ସ୍ପଷ୍ଟତା
ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ନାବାଳକଙ୍କ ମୃତ୍ୟୁ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଥିଲା । ରିପୋର୍ଟ ଅନୁସାରେ, କୌଣସି ରୋଗ ଯୋଗୁଁ ନୁହେଁ, ବରଂ ଗଳା ଚିପିବା କାରଣରୁ ତାଙ୍କ ମୃତ୍ୟୁ ହୋଇଥିଲା । ମୃତ ନାବାଳକଙ୍କ ବାପା ମୁମ୍ବାଇରେ ଶଟରିଂ କାମ କରନ୍ତି ଏବଂ ସେଠାରୁ ପରିବାରର ଖର୍ଚ୍ଚ ଚଳାନ୍ତି । ଘରେ ତାଙ୍କ ପତ୍ନୀ ଓ ତିନି ପୁଅ ରହୁଥିଲେ । ଗ୍ରାମବାସୀଙ୍କ କହିବା ଅନୁସାରେ, ମହିଳାଙ୍କର ପଡ଼ୋଶର ଜଣେ ଯୁବକଙ୍କ ସହ ଦୀର୍ଘଦିନ ଧରି ପ୍ରେମ ସମ୍ପର୍କ ଥିଲା । ଗୁରୁବାର ରାତିରେ ନାବାଳକ ଦୁହିଁଙ୍କୁ ଏକାଠି ଦେଖିଥିବା ପରେ ଘଟଣା ଘଟିଥିବା ଅଭିଯୋଗ ହୋଇଛି ।
ଗିରଫ ଭୟରେ ପ୍ରେମିକଙ୍କ ଆତ୍ମହତ୍ୟା ଉଦ୍ୟମ
ଏପଟେ ଗାଁରେ ହତ୍ୟା ଘଟଣାକୁ ନେଇ ଚର୍ଚ୍ଚା ବଢ଼ିବା ସହ ପୋଲିସର ତଦନ୍ତ ଜୋରଦାର ହୋଇଥିଲା । ଏହାପରେ ଅଭିଯୁକ୍ତ ପ୍ରେମିକ ଗିରଫ ହେବା ଭୟରେ ନିଜ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ତେବେ ଠିକ୍ ସମୟରେ ପରିବାର ଲୋକ ଓ ପଡ଼ୋଶୀଙ୍କ ନଜର ପଡ଼ିଯିବାରୁ ସେମାନେ ଚିତ୍କାର କରି ଯୁବକଙ୍କୁ ଫାଶୀରୁ ତଳକୁ ଓହ୍ଲାଇଥିଲେ । ଏହାପରେ ସୁଯୋଗ ପାଇ ଅଭିଯୁକ୍ତ ଯୁବକ ଗାଁରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି ।
ପୋଲିସ ସୂଚନା ଅନୁସାରେ, ହତ୍ୟା ମାମଲାରେ ଆଇନ ଅନୁଯାୟୀ ମାମଲା ରୁଜୁ ହୋଇଛି । ଅଭିଯୁକ୍ତ ମା’ଙ୍କୁ ପଚରାଉଚରା କରାଯାଉଛି । ଏଥିସହ ଫେରାର ପ୍ରେମିକଙ୍କୁ ଧରିବା ପାଇଁ ପୋଲିସର ବିଭିନ୍ନ ଟିମ୍ ଚଢ଼ାଉ ଜାରି ରଖିଛନ୍ତି । ଘଟଣାର ସମସ୍ତ ପାର୍ଶ୍ୱକୁ ନେଇ ପୋଲିସ ତଦନ୍ତ ଜାରି ରହିଛି ।
📱 Get Argus News App
✨Related Topics
Explore more stories