Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ନ୍ୟାୟପାଳିକାର କ୍ଷମତା ଉପରେ ସୁପ୍ରିମକୋର୍ଟଙ୍କୁ ମହାମହିମ ରାଷ୍ଟ୍ରପତିଙ୍କ ୧୪ ପ୍ରଶ୍ନ

Swoyang prajna Mishra
Browse all articles by Swoyang prajna Mishra
·1 year ago·3 min read
ନ୍ୟାୟପାଳିକାର କ୍ଷମତା ଉପରେ ସୁପ୍ରିମକୋର୍ଟଙ୍କୁ ମହାମହିମ ରାଷ୍ଟ୍ରପତିଙ୍କ ୧୪ ପ୍ରଶ୍ନ

Key Points

କିଏ ବଡ଼ ନ୍ୟାୟପାଳିକା ନା ସମ୍ବିଧାନ ?
ସୁପ୍ରିମକୋର୍ଟଙ୍କୁ ମହାମହିମ ରାଷ୍ଟ୍ରପତିଙ୍କ ୧୪ ପ୍ରଶ୍ନ
ସାମ୍ବିଧାନିକ ଶୀର୍ଷ ପଦର କ୍ଷମତା ଉପରେ ନ୍ୟାୟପାଳିକାର ହସ୍ତକ୍ଷେପ ଯଥାର୍ଥ କି ?
ସମ୍ବିଧାନର ଧାରା ୧୪୩ ଆଧାରରେ ସୁପ୍ରିମକୋର୍ଟକୁ ପ୍ରଶ୍ନ କଲେ ରାଷ୍ଟ୍ରପତି
ପୂର୍ବରୁ ସର୍ବୋଚ୍ଚ କୋର୍ଟଙ୍କ ଡେଡ୍‌ଲାଇନ୍ ରାୟ ଉପରେ ପ୍ରଶ୍ନ ଉଠାଇଥିଲେ ଉପରାଷ୍ଟ୍ରପତି
ବିଚାରପତି ସୁପର ପାର୍ଲାମେଣ୍ଟ ଭାବେ କାର୍ଯ୍ୟ କରୁଥିବା କହି କରିଥିଲେ ଚିନ୍ତାବ୍ୟକ୍ତ

ରାଜ୍ୟପାଳ ଓ ରାଷ୍ଟ୍ରପତିଙ୍କ ପାଇଁ ସମୟସୀମା ସ୍ଥିର କରିବା ପ୍ରସଙ୍ଗରେ ନ୍ୟାୟପାଳିକାର କ୍ଷମତା ଉପରେ ପ୍ରଶ୍ନ ଉଠାଇଛନ୍ତି ମହାମହିମ ରାଷ୍ଟ୍ରପତି । ସୁପ୍ରିମକୋର୍ଟ ଓ ସରକାରଙ୍କ କ୍ଷମତାକୁ ନେଇ ବିତର୍କ ଲାଗି ରହିଥିବାବେଳେ ରାଷ୍ଟ୍ରପତି ଉଠାଇଛନ୍ତି ୧୪ ବଡ଼ ପ୍ରଶ୍ନ। ସମ୍ବିଧାନ ଧାରା ୨୦୦ ଅନୁଯାୟୀ କୌଣସି ବିଲ୍ ଉପସ୍ଥାପନ ସମୟରେ ରାଜ୍ୟପାଳ ତାଙ୍କ ପାଖରେ ଉପଲବ୍ଧ ସମସ୍ତ ବିକଳ୍ପ ବ୍ୟବହାର କରିପାରିବେ କିମ୍ବା ମନ୍ତ୍ରୀ ପରିଷଦ ଦ୍ୱାରା ପ୍ରଦାନ କରାଯାଇଥିବା ପରାମର୍ଶରେ ଆବଦ୍ଧ ରହିବେ ବୋଲି ସୁପ୍ରିମକୋର୍ଟଙ୍କୁ ପ୍ରଶ୍ନ କରିଛନ୍ତି ମହାମହିମ । ସମ୍ବିଧାନର ଧାରା ୧୪୩ (୧) ଆଧାରରେ ରାଷ୍ଟ୍ରପତି ସୁପ୍ରିମକୋର୍ଟଙ୍କୁ ୧୪ ପ୍ରଶ୍ନ ପଚାରିଛନ୍ତି ।

(୧) ସମ୍ବିଧାନ ଧାରା ୨୦୦ ଅନୁଯାୟୀ ରାଜ୍ୟପାଳଙ୍କ ନିକଟରେ ଏକ ବିଲ୍ ଉପସ୍ଥାପିତ ହେଲେ ତାଙ୍କ ସମ୍ମୁଖରେ କ’ଣ ସାମ୍ବିଧାନିକ ବିକଳ୍ପ ରହିଛି ?
(୨) ରାଜ୍ୟପାଳଙ୍କ ସମ୍ମୁଖରେ ଏକ ବିଲ୍ ଉପସ୍ଥାପିତ ହେବା ସମୟରେ ମନ୍ତ୍ରୀ ପରିଷଦର ଉପଦେଶ ମାନିବାକୁ ରାଜ୍ୟପାଳ କଣ ବାଧ୍ୟ କି?
(୩) ରାଜ୍ୟପାଳଙ୍କ ଦ୍ୱାରା ସାମ୍ବିଧାନିକ ବିବେଚନାର ପ୍ରୟୋଗ ନ୍ୟାୟସଙ୍ଗତ କି?
(୪) ରାଜ୍ୟପାଳଙ୍କ ଇଚ୍ଛାଧୀନ ବ୍ୟାପାରରେ କୋର୍ଟ ହସ୍ତକ୍ଷେପ କରିପାରିବେ କି?
(୫) ରାଜ୍ୟପାଳଙ୍କ କାର୍ଯ୍ୟକଳାପର ନ୍ୟାୟିକ ଯାଞ୍ଚ ଉପରେ ନିଷେଦ୍ଧାଦେଶ ଲଗାଇପାରିବ କି ଧାରା ୩୬୧?
(୬) ରାଜ୍ୟପାଳଙ୍କୁ ନିଜ କ୍ଷମତାର ବ୍ୟବାହାର ଲାଗି ସମୟ ସୀମା ଓ ପ୍ରକ୍ରିୟା ଧାର୍ଯ୍ୟ କରିପାରିବ କି କୋର୍ଟ ?
(୭) ରାଷ୍ଟ୍ରପତିଙ୍କ ଇଚ୍ଛାଧୀନ ବ୍ୟାପାର ଉପରେ ହସ୍ତକ୍ଷେପ କରିପାରିବେ କି ଅଦାଲତ ?
(୮) ରାଷ୍ଟ୍ରପତିଙ୍କୁ ନିଜ ଇଚ୍ଛାଧୀନ କ୍ଷମତାର ବ୍ୟବାହର ଲାଗି ସମୟ ସୀମା ଏବଂ ପ୍ରକ୍ରିୟା ଧାର୍ଯ୍ୟ କରିପାରିବେ କି କୋର୍ଟ ?
(୯) ରାଜ୍ୟପାଳଙ୍କଠାରୁ ଆସିଥିବା ବିଲ୍ ନେଇ ନିଷ୍ପତ୍ତି ନେବା ବେଳେ ସୁପ୍ରିମକୋର୍ଟର ମତ ନେବାକୁ ବାଧ୍ୟ କି ରାଷ୍ଟ୍ରପତି ?
(୧୦) ରାଜ୍ୟପାଳ ଏବଂ ରାଷ୍ଟ୍ରପତି ନେଉଥିବା ନିଷ୍ପତ୍ତି ଆଇନତଃ ଯୁକ୍ତିସଙ୍ଗତ ବୋଲି ପୂର୍ବରୁ ଦର୍ଶାଇବାକୁ ପଡ଼ିବ କି ?
(୧୧) ରାଜ୍ୟପାଳ ଏବଂ ରାଷ୍ଟ୍ରପତିଙ୍କୁ ଦିଆଯାଇଥିବା କ୍ଷମତାକୁ ନ୍ୟାୟିକ ବ୍ୟବସ୍ଥା ବଦଳାଇ ପାରିବ କି ?
(୧୨) ରାଜ୍ୟପାଳଙ୍କ ବିନା ଅନୁମୋଦରେ ରାଜ୍ୟରେ ଆଇନ କାର୍ଯ୍ୟକାରୀ ହୋଇପାରିବ କି ?
(୧୩) ସାମ୍ବିଧାନିକ ବ୍ୟବସ୍ଥାକୁ ବିରୋଧ କରୁଥିବା ଭଳି ନିର୍ଦ୍ଦେଶ ସୁପ୍ରିମକୋର୍ଟ ଦେଇପାରିବେ କି ?
(୧୪) କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଥିବା ବିବାଦକୁ ଧାରା ୧୩୧ ଅନୁଯାୟୀ ସମାଧାନ କରିବାକୁ କୋର୍ଟକୁ ସମ୍ବିଧାନ ଅଧିକାର ଦେଇଛି କି ?

ସୁପ୍ରିମକୋର୍ଟ ବିଚାରପତି ସୁପର ପାର୍ଲାମେଣ୍ଟ ଭାବେ କାର୍ଯ୍ୟ କରୁଥିବା କହି ଚିନ୍ତାବ୍ୟକ୍ତ କରିଥିଲେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ । ଧାରା ୧୪୨କୁ ଗଣତାନ୍ତ୍ରିକ ଶକ୍ତି ବିରୋଧରେ ପରମାଣୁ ଅସ୍ତ୍ର ଭଳି ବ୍ୟବହାର କରାଯାଉଥିବା କହିଥିଲେ ଉପରାଷ୍ଟ୍ରପତି । ସମ୍ବିଧାନର ଧାରା ୨୦୦- କ ଅନୁଯାୟୀ କୌଣସି ବିଲ୍ ରାଜ୍ୟପାଳଙ୍କ ଦ୍ବାରା ରାଷ୍ଟ୍ରପତିଙ୍କ ପାଖକୁ ଅନୁମୋଦନ ପାଇଁ ପଠାଯାଏ, ସେତେବେଳେ ରାଷ୍ଟ୍ରପତି ଏହି ବିଲ ଉପରେ ସହମତି ଦେଇପାରନ୍ତି କିମ୍ବା ଅସହମତି ପ୍ରକାଶ କରିପାରନ୍ତି । ଏଥିପାଇଁ କୌଣସି ସମୟସୀମା ଧାର୍ଯ୍ୟ କରାଯାଇନାହିଁ ।

ଗତ ମାସରେ ତାମିଲନାଡୁ ସରକାର ବିନା ରାଜ୍ୟପାଳଙ୍କ ସମ୍ମତିରେ ୧୦ଟି ବିଲ୍ ଗୃହୀତ କରିବା ପରେ ଆରମ୍ଭ ହୋଇଥିଲା ବିତର୍କର ଝଡ। ଗତ ଏପ୍ରିଲ ୧୨ରେ ବିଲ୍ ଉପରେ ଶୁଣାଣି କରି ସୁପ୍ରିମକୋର୍ଟ କହିଥିଲେ- ରାଜ୍ୟପାଳ ପଠାଇଥିବା ବିଲ୍ ଉପରେ ରାଷ୍ଟ୍ରପତି ୩ ମାସ ମଧ୍ୟରେ ନିଜର ନିଷ୍ପତ୍ତି ନେବେ। ଧାରା ୨୦୧ ଅନୁସାରେ ରାଷ୍ଟ୍ରପତିଙ୍କ କ୍ଷମତା ବିଚାର ବିଭାଗୀୟ ସମୀକ୍ଷା ପରିସରଭୁକ୍ତ ବୋଲି ରାୟରେ କିଥିଲେ ସୁପ୍ରିମକୋର୍ଟ ଖଣ୍ଡପୀଠ।

ବିଧାନସଭାରେ ପାସ୍ ହୋଇଥିବା ବିଲକୁ ଅନୁମୋଦନ କରିବାକୁ ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କ ପାଇଁ ସମୟସୀମା ଧାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ ସର୍ବୋଚ୍ଚ ଅଦାଲତ । ତାମିଲନାଡୁ ସରକାରଙ୍କ ଆବେଦନ ଉପରେ ସର୍ବୋଚ୍ଚ କୋର୍ଟଙ୍କ ଏହି ରାୟ, ନ୍ୟାୟପାଳିକା ଓ ସାମ୍ବିଧାନିକ ଶୀର୍ଷ ପଦର କ୍ଷମତା ଉପରେ ଉଠାଇଥିଲା ବଡ଼ ପ୍ରଶ୍ନ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
14th question from the President to the Supreme Court on the power of the judiciary | Argus News