ଫୋନ କରି କଥା ହେଇଥିଲେ, କେମିତି କ'ଣ ହେବ ସବୁ କହିଥିଲେ

କଥାରେ ଅଛି ଅଣ୍ଟି ଛୁରି ତଣ୍ଟି କାଟେ। ଅର୍ଥାତ୍ ନିଜ ଲୋକ ଶତ୍ରୁ ପାଲଟିଲେ ତାଠାରୁ ଆଉ ବଡ଼ ବିପତ୍ତି କିଛି ନାହିଁ। ପୁରାଣ କାହାଣୀଠୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ଏମିତି ମାଳମାଳ ଉଦାହରଣ ରହିଛି। ଠିକ୍ ସମାନ ତରିକାରେ ସ୍ଥାନୀୟ ବାସିନ୍ଦାଙ୍କୁ ହାତ କରି ଭାରତରେ ପଶିଥିଲେ ଆତଙ୍କୀ। ଆଉ୨୬ ଜଣ ପର୍ଯ୍ୟଟକଙ୍କୁ ମାରି ରକ୍ତ ରଞ୍ଜିତ କରିଥିଲେ ସଫେଦ କାଶ୍ମୀରକୁ।
ଘଟଣାର ତଦନ୍ତ କରୁଥିବା ତଦନ୍ତଅଧିକାରୀଙ୍କ ହାତରେ ଲାଗିଛି ଏବେ ଏମିତି କିଛି ପ୍ରମାଣ। ଇଲେକ୍ଟ୍ରୋନିକ୍ ସର୍ଭିଲାନ୍ସରେ ଯାହା ଜଣା ପଡ଼ିଛି ତାହା ଆଶ୍ଚର୍ଯ୍ୟ କରି ଦେଇଛି ସୁରକ୍ଷା ଏଜେନ୍ସିକୁ। ଜଣେ କି ଦୁଇଜଣ ନୁହେଁ ଏହି ହିନ୍ଦୁ ସଂହାର ଷଡଯନ୍ତ୍ରରେ ସାମିଲ ଅଛନ୍ତି ୧୫ ଜଣ ସ୍ଥାନୀୟ ବାସିନ୍ଦା। ଆତଙ୍କବାଦୀ କେଉଁବାଟେ ଆସିବେ, ଆଉ ହତ୍ୟା କରି କେଉଁବାଟେ ଫେରିବେ ତାର ପଥ ପ୍ରସ୍ତୁତ କରିଥିଲେ ଏମାନେ। ଏମିତିକି ସେମାନଙ୍କ ଖାଇବା ପିଇବା କଥା ବୁଝିବା ସହ ହାତରେ ଅସ୍ତ୍ରଶସ୍ତ୍ର ଦେଇ ଦେଖାଇଥିଲେ ପହଲଗାମକୁ ପଶିବାର ସୁରକ୍ଷିତ ଗଳାବାଟ।
📱 Get Argus News App
✨
ଏବେ ଏହି କଥା ଜଣା ପଡିବା ପରେ ସ୍ଥାନୀୟ ଅଞ୍ଚଳରେ ତନତନ କରି ଯାଞ୍ଚ କରୁଛି ସୁରକ୍ଷା ଏଜେନ୍ସି। ଆକ୍ରମଣ ଦିନ ୫ ଜଣଙ୍କ ମୋବାଇଲ୍ ନମ୍ବର ଅଧିକ ସକ୍ରିୟ ରହିଥିଲା। ସେମାନଙ୍କ ମଧ୍ୟରୁ ୩ ଜଣ ଆତଙ୍କୀଙ୍କୁ ସହଯୋଗ କରିବା ନେଇ କଥା ହେଉଥିବା ଅନୁମାନ କରାଯାଉଛି। ପୁରା ନେଟଓ୍ବର୍କ ପାଖରେ ପହଞ୍ଚିବାକୁ ପ୍ରସ୍ତୁତି ହୋଇଛି ବ୍ଲୁ ପ୍ରିଣ୍ଟ୍। ମୁଖ୍ୟ ପାଞ୍ଚଜଣଙ୍କ ଠିକଣା ମିଳିଥିବା ବେଳେ ଗିରଫ ହୋଇ ସାରିଲେଣି ୩ ଜଣ। ଏନଆଇଏ, ଜମ୍ମୁକାଶ୍ମୀର ପୋଲିସ, ଇଣ୍ଟେଲିଜେନ୍ସ ବ୍ୟୁରୋ ଏବଂ 'ର' ର ଏକ ଟିମ୍ ଓଭର ଗ୍ରାଉଣ୍ଡ ଓ୍ବାର୍କରଙ୍କୁ ପଚରାଉଚରା କରୁଛି।
ସେପଟେ ଭାରତ ସହ ପଙ୍ଗା ନେଇ ହନ୍ତସନ୍ତ ହେଲାଣି ପାକିସ୍ତାନ। ପିଓକେରେ ଝେଲମ୍ ନଦୀର ଜଳସ୍ତର ହଠାତ୍ ବୃଦ୍ଧି ପାଇବାରୁ ସୃଷ୍ଟି ହୋଇଛି ବନ୍ୟା ବିଭିଷିକା। ହାତିଆନ ବାଲାରେ ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି ହୋଇଛି। ନଦୀ କୂଳରେ ଥିବା ଜନବସତି ଗୁଡିକ ଜଳମଗ୍ନ ହୋଇଯାଇଛି। ପାକିସ୍ତାନୀ ଅଧିକାରୀ କହୁଛନ୍ତି, ଅନ୍ତର୍ଜାତୀୟ ମାନଦଣ୍ଡ ଏବଂ ସିନ୍ଧୁ ଜଳ ଚୁକ୍ତିନାମାର ଉଲ୍ଲଂଘନ କରୁଛି ଭାରତ। ସେ ଯାହାବି ହେଉ ଏପଟେ ଭାରତୀୟ ଲୋକ କହୁଛନ୍ତି ପାନେ ପାଇଲା ପାକିସ୍ତାନ। ଆହୁରି ଆଗକୁ ଅଛି।