Videos
|
National

ଚାରିଘଣ୍ଟାରେ ତିନିଟି ସ୍ଥାନରେ ଛାତିଥରା ଭୂସ୍ଖଳନ

Manini Pattanayak
Browse all articles by Manini Pattanayak
·2 years ago·3 min read
ଚାରିଘଣ୍ଟାରେ ତିନିଟି ସ୍ଥାନରେ ଛାତିଥରା ଭୂସ୍ଖଳନ

ନୂଆଦିଲ୍ଲୀ: ଭଗବାନଙ୍କ ଭୂମିରେ ଭୟଙ୍କର ଭୂସ୍ଖଳନ । ମୃତ୍ୟୁର ତାଣ୍ଡବ, ଚାରିଆଡ଼େ ହାହାକାର, ମାଟିତଳେ ପୋତି ହୋଇଯାଇଛି ଜୀବନ । ପ୍ରକୃତିର ବିପତ୍ତିର ଦୃଶ୍ୟ ଦେଖିଲେ ଛାତି ବତୁରିଯାଉଛି । ଏଯାଏଁ ମୃତ୍ୟୁସଂଖ୍ୟା ୧୫୮ ଟପି ସାରିଥିବା ବେଳେ ଆଗକୁ ୱାୟନାଡ୍ ଭୂସ୍ଖଳନରେ ମୃତ୍ୟୁସଂଖ୍ୟା  ଆହୁରି ବଢ଼ିବାର ଆଶଙ୍କା କରାଯାଉଛି । ଏସଡିଆରଏଫ, ଏନଡିଆରଏଫ, ସେନା ପକ୍ଷରୁ ରେସ୍କ୍ୟୁ ଅପରେସନ ଜୋରଦାର କରାଯାଇଥିଲେ ବି ପ୍ରବଳ ବର୍ଷା କାରଣରୁ ଏଥିରେ ବାଧା ଉତ୍ପନ୍ନ ହୋଇଛି । ସେପଟେ କେରଳରେ ଫଶିଥିବା ଦୁଇ ଓଡ଼ିଆ ଡାକ୍ତରଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟ ଜଣେ ଡାକ୍ତର ନିଖୋଜ ଅଛନ୍ତି । କେରଳ ଯାଇଛନ୍ତି ଓଡ଼ିଶା ଅଧିକାରୀଙ୍କ ଟିମ୍ । 

ୱାୟନାଡରେ ମୂଷଳଧାର ବର୍ଷା ପରେ ଲ୍ୟାଣ୍ଡସାଇଡ୍ ଯୋଗୁଁ ଆସିଥିବା ବିପତ୍ତି ଏବେ ଛାତି ବତୁରେଇ ଦେଇଛି । ଘର, ଦ୍ବାର, ରାସ୍ତାଘାଟ ସବୁ ସଫା । ଡ୍ରୋନ ଦ୍ବାରା ନିଆଯାଇଥିବା ଏହି ଦୃଶ୍ୟ କେରଳରେ ପ୍ରକୃତିର କରାଳ ରୂପ ବଖାଣିବା ପାଇଁ ଯଥେଷ୍ଟ । ଏସଡିଆରଏଫ, ଏନଡିଆରଏଫ ସହ ତିନି ସେନା ଏବେ ରେସ୍କ୍ୟୁ ଅପରେସନରେ ଲାଗିଛନ୍ତି । କିନ୍ତୁ ପାଗ ଏତେ ଖରାପ ଯେ ଯବାନଙ୍କୁ ବି ଜୀବନକୁ ବାଜିରେ ଲଗାଇ ଉଦ୍ଧାର କାର୍ଯ୍ୟ କରିବାକୁ ହେଉଛି । ମୁଣ୍ଡାକ୍କାଇ, ଚୂରାମାଲା, ଅଟ୍ଟାମାଲା, ନୂଲପୁଝ ଗାଁ ସମ୍ପୂର୍ଣ୍ଣ ରୂପେ ଧୋଇ ହୋଇଯାଇଛି । ପାଣିସୁଅରେ କାର୍ ଭାସିଯାଇଛି, ମାଟି ଭିତରେ ଗାଡ଼ି ମଟର ଦବି ହୋଇଯାଇଛି ।

ଏଯାଏଁ ୧୫୮ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଆଗକୁ ମୃତ୍ୟୁସଂଖ୍ୟା ଆହୁରି ବଢ଼ିପାରେ ଅସ୍ଥାୟୀ ପୋଲ ତିଆରି କରି ବର୍ତ୍ତମାନ ସୁଦ୍ଧା ୧୦୦୦ ଲୋକଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନାକୁ ସ୍ଥାନାନ୍ତର କରାଗଲାଣି। ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ସ୍ଥିତି ସମୀକ୍ଷା ସହ କେରଳରେ ଦୁଇ ଦିନ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି । ସଚିବାଳୟରେ ଅର୍ଦ୍ଧନମିତ ଏହି ପତାକା ହେଉଛି ତାର ପ୍ରମାଣ ।  କେରଳରେ ଫଶିଥିବା ଦୁଇ ଓଡ଼ିଆ ଡାକ୍ତରଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଛି ।  ଡାକ୍ତର ବିଷ୍ଣୁ ପ୍ରସାଦ ଚିନାରାଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଅନ୍ୟ ଜଣେ ଡାକ୍ତର ସ୍ବାଧୀନପଣ୍ଡା ନିଖୋଜ ଅଛନ୍ତି । ତାଙ୍କୁ ଠାବ କରିବାକୁ ଚେଷ୍ଟା ଜାରି ରହିଛି । କଟକ ଚୌଦ୍ବାର ହାଉସିଂ ବୋର୍ଡ ବାସିନ୍ଦା ଡାକ୍ତର ବିଷ୍ଣୁ ପ୍ରସାଦ ଚିନାରାଙ୍କ ମୃତଦେହ ମିଳିଥିବା ନେଇ ସୂଚନା ଦେଇଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।  ବିଷ୍ଣୁ ପ୍ରସାଦଙ୍କ ଘରେ କାନ୍ଦବୋବାଳି ପଡ଼ିଛି । ପୁଅ ବିଷ୍ଣୁପ୍ରସାଦ ଓ ବୋହୂ ପ୍ରିୟଦର୍ଶିନୀ ପାଲ କେରଳ ଯାଇଥିଲେ । ସେମାନଙ୍କ ସହ ସ୍ବାଧୀନ ପଣ୍ଡା ଓ ତାଙ୍କର ଜଣେ ବନ୍ଧୁ ସ୍ବୀକୃତି ମହାପାତ୍ର ବି କେରଳ ଯାଇଥିଲେ ବୋଲି ସୂଚନା ଦେଇଛନ୍ତି ବିଷ୍ଣୁପ୍ରସାଦଙ୍କ ବାପା ଅମର ପ୍ରସାଦ ଚିନାରା । ବିଷ୍ଣୁ ପ୍ରସାଦଙ୍କ ପତ୍ନୀ ପ୍ରିୟଦର୍ଶିନୀ ଓ ସ୍ବୀକୃତି ଉଦ୍ଧାର ପରେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଓଡ଼ିଶା ପରିବାର ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାୟଙ୍କ ନେତୃତ୍ବରେ ଓଡ଼ିଶା ସରକାରଙ୍କ ଏକ ଟିମ୍ କେରଳ ଯାଇଛି ।  

ସଂସଦରେ ବି ଏହି ପ୍ରସଙ୍ଗରେ ସରଗରମ ଆଲୋଚନା ହୋଇଛି । ୱାୟନାଡ ଭୂସ୍ଖଳନ ନେଇ ଖୋଦ୍ ପିଏମ୍ କେରଳ ସିଏମଙ୍କ ସହ ଲଗାତାର କଥା ହେବ ସହ ସମସ୍ତ ପ୍ରକାର ସହାୟତା ଯୋଗାଇଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ତେବେ ୨୩ ତାରିଖରୁ କେରଳ ସରକାରଙ୍କୁ ଭୂସ୍ଖଳନ ନେଇ ଆଲର୍ଟ କରାଯାଇଥିବା ବେଳେ କେରଳ ସରକାର କାହିଁକି ଲୋକଙ୍କୁ ବିସ୍ଥାପିତ କରି ନ ଥିଲେ ବୋଲି ଆଜି ବିରୋଧୀଙ୍କୁ ପ୍ରଶ୍ନ କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ଭୂସ୍ଖଳନ ପୂର୍ବରୁ ହିଁ ଏନଡିଆରଏଫର ୯ଟି ଟିମ୍ କେରଳ ପହଞ୍ଚି ସାରିଥିବା ନେଇ ବି ସୂଚନା ଦେଇଛନ୍ତି ଶାହ । 
ଏହା ପୂର୍ବରୁ ମଧ୍ୟ ୨୦୧୮, ୨୦୧୯ରେ ବନ୍ୟା ଓ ୨୦୨୦ରେ ପେଟ୍ଟୁମୁଣ୍ଡି ଭୂସ୍ଖଳନ ମଧ୍ୟ କେରଳରେ ବଡ଼ ଧରଣର ବିପତ୍ତି ଆଣିଥିଲା ।  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଭାରତ ଖବର