Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Viral Trends / ୨୦୨୫ ବଦଳାଇଦେଇଛି ଏମାନଙ୍କ ଭାଗ୍ୟ

Rashmita Mishra
Browse all articles by Rashmita Mishra
·6 months ago·3 min read
୨୦୨୫ ବଦଳାଇଦେଇଛି ଏମାନଙ୍କ ଭାଗ୍ୟ
Viral Trends

Key Points

ଏହି ବର୍ଷ ଅନେକ ଲୋକ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛନ୍ତି । ଜେନ୍ ଜି ଭାଷାରେ ଯଦି ସୋସିଆଲ ମିଡିଆକୁ ସବୁଠାରୁ ବଡ଼ ମେଳା ବୋଲି କହିବା ତେବେ ୨୦୨୫ ହେଉଛି ଭାଇରାଲ୍ ଚେହେରାର ମହାକୁମ୍ଭ ।
ବର୍ଷ ୨୦୨୫... ଅନେକଙ୍କ ପାଇଁ ଖୁସି ଆଣି ଦେଇଛି ତ ଆଉ କାହା ପାଇଁ ଦୁଖଃ । ଏହି ବର୍ଷ ଅନେକ ଲୋକ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛନ୍ତି । ଜେନ୍ ଜି ଭାଷାରେ ଯଦି ସୋସିଆଲ ମିଡିଆକୁ ସବୁଠାରୁ ବଡ଼ ମେଳା ବୋଲି କହିବା ତେବେ ୨୦୨୫ ହେଉଛି ଭାଇରାଲ୍ ଚେହେରାର ମହାକୁମ୍ଭ । ୨୦୨୫ରେ ଅନୁଷ୍ଠିତ ହୋଇଥିବା ମହାକୁମ୍ଭ ମେଳାରେ କେଉଁଠି ସାଧୁସନ୍ଥମାନେ କ୍ୟାମେରା ସାମ୍ନାକୁ ଆସି ଷ୍ଟାର୍ ପାଲଟିଗଲେ ତ ଆଉ କେଉଁଠି ରାସ୍ତାରେ ବସି ମାଳା ବିକୁଥିବା ପ୍ରତିଭା ଲକ୍ଷ ଲକ୍ଷ ହୃଦୟରେ ନିଜ ପାଇଁ ଘର ତୋଳିଦେଲେ ।

୨୦୨୫ ବର୍ଷଟି ଭାଇରାଲ୍ ହେବା ପାଇଁ ନା’ ତ ଫିଲ୍ମି ଚେହେରାର ଆବଶ୍ୟକ ଥିଲା ଆଉ ନା ହିଁ ବଡ଼ ନାଁର। କେବଳ ଏକ ସତ କାହାଣୀ, ଦକ୍ଷତା ଏବଂ ମୋବାଇଲ୍ କ୍ୟାମେରା ଯାହା ଭିଡ଼ରୁ ବାହାର କରି ଭାଇରାଲ୍ କ୍ୟାଟେଗୋରିରେ ସ୍ଥାନ ଦେଲା ।

ମହାକୁମ୍ଭର ମୋନାଲିସାଠାରୁ ଆରମ୍ଭ କରି ଆଇଆଇଟି ବାବାଙ୍କ ପର୍ଯ୍ୟନ୍ତ ୨୦୨୫ର ଏହି ଚର୍ଚ୍ଚିତ ଚେହେରା ହିଁ ଦର୍ଶାଉଛି ଯେ ଇଣ୍ଟରନେଟ୍ ସାଧାରଣ ଲୋକଙ୍କୁ କିପରି ରାତାରାତି ଷ୍ଟାର କରିଦେଇଛି ।

ମହାକୁମ୍ଭକୁ ଫୁଲମାଳା ବିକ୍ରି କରିବାକୁ ଆସିଥିବା ଜଣେ ଗରିବ ପରିବାରର ଝିଅ କ’ଣ ଭାବିଥିଲା ଯେ ସେ ବଲିଉଡରେ କାମ କରିବାର ସୁଯୋଗ ପାଇବ , ହିରୋଇନ୍ ହେବ । କିନ୍ତୁ ମହାକୁମ୍ଭର ସେହି ଗୋଟିଏ ଭିଡିଓ ଝିଅଟିର ଜୀବନ ସମ୍ପୂର୍ଣ୍ଣ ପରିବର୍ତ୍ତନ କରି ଦେଇଥିଲା । ରାତାରାତି ସୋସିଆଲ୍ ମିଡିଆ ସେନସେସନ୍ ପାଲଟିଗଲେ ମହାକୁମ୍ଭର ମୋନାଲିସା । ସୁନ୍ଦର ଆଖି , ସରଳ ବ୍ୟବହାର ଏବଂ ଖିଲିଖିଲି ହସର ପାଗଳ ହେଲା ଇଣ୍ଟରନେଟ୍ ଆଉ ଦେଖୁ ଦେଖୁ ମହେଶ୍ଵରର ଏହି ଗରିବ ଝିଅ ପାଲଟିଗଲେ ବଲିଉଡର ଜଣେ ଅଭିନେତ୍ରୀ ।

ମହାକୁମ୍ଭରେ କେବଳ ମୋନାଲିସା ନୁହଁନ୍ତି ଜଣେ ସୁନ୍ଦରୀ ସାଧ୍ଵୀ ମଧ୍ୟ ଖୁବ୍ ଭାଇରାଲ୍ ହୋଇଥିଲେ । ନାଁ ତାଙ୍କର ହର୍ଷା ରିଚାରିଆ । ସେତେବେଳେ ତାଙ୍କର ଭିଡିଓ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଲା । କେବଳ ସୌନ୍ଦର୍ଯ୍ୟ ନୁହେଁ ହର୍ଷାଙ୍କ ଆତ୍ମବିଶ୍ୱାସ, ସ୍ପଷ୍ଟ ଚିନ୍ତାଧାରା ଏବଂ ଆଧ୍ୟାତ୍ମିକ ଅନ୍ତର୍ଦୃଷ୍ଟି ତାଙ୍କୁ ସୋସିଆଲ୍ ମିଡିଆରେ ଫେମସ୍ କରାଇଥିଲା ।

୨୦୨୫ ରେ ଯଦି ସର୍ବାଧିକ ଚର୍ଚ୍ଚାରେ କିଏ ରହିଥିଲେ ତା’ହେଲେ ସେ ହେଉଛନ୍ତି ମହାକୁମ୍ଭର ଆଇଆଇଟି ବାବା । IIT ଶିକ୍ଷିତ ଅଭୟ ସିଂହ ଇଞ୍ଜିନିୟରିଂ ଛାଡ଼ି ଭକ୍ତି ମାର୍ଗକୁ ଆପଣାଇ ମହାକୁମ୍ଭକୁ ଚାଲି ଆସିଥିଲେ । ତାଙ୍କ କାହାଣୀ ଏତେ ରୋଚକ ଥିଲା ଯେ ଦେଖୁ ଦେଖୁ ଇଣ୍ଟରନେଟରେ ଭାଇରାଲ ହୋଇଗଲା । ଲୋକ ତାଙ୍କୁ IIT ବାବା ବୋଲି ଡାକିବା ସହ ତାଙ୍କ ସଫଳତା ଏବଂ ମାନସିକ ସ୍ଥିତିକୁ ନେଇ ମଧ୍ୟ ଆଲୋଚନା ଚାଲିଲା । ଯୁବପିଢ଼ିଙ୍କୁ ତାଙ୍କ ସାକ୍ଷାତକାରର ଭିଡିଓଗୁଡ଼ିକ ଖୁବ୍ ଭଲ ଲାଗୁଥିଲା କାରଣ ସେ ପ୍ରକୃତ ଶିକ୍ଷା କ’ଣ ତାହା ସମସ୍ତଙ୍କୁ ବୁଝାଉଥିଲେ ।

ବର୍ଷ ୨୦୨୫ ରେ ହାତରେ ଦୁଇଟି ପଥର ଧରି ଜଣେ କଳାକାର ଭାଇରାଲ୍ ହୋଇଥିଲେ । ପଥରକୁ ପିଟି ସୋନୁ ନିଗମଙ୍କ ଗୀତ ଗାଇ ସେ ନିଜର ଦକ୍ଷତା ସୋସିଆଲ୍ ମିଡିଆରେ ଦେଖାଇଥିଲେ ଯାହାକୁ ୟୁଜର୍ସ ଖୁବ୍ ପସନ୍ଦ କରିଥିଲେ । କୌଣସି ବାଦ୍ୟଯନ୍ତ୍ର ବିନା ତାଙ୍କର ଅନନ୍ୟ ଶୈଳୀ ଲୋକମାନଙ୍କୁ ଆଶ୍ଚର୍ଯ୍ୟ କରିଥିଲା । କେବେ ରାସ୍ତାରେ ଗୀତ ଗାଉଥିବା ରାଜୁ ପ୍ରମାଣିତ କରିଦେଲେ ଯେ ପ୍ରତିଭାକୁ ବଡ଼ ପ୍ଲାଟଫର୍ମର ଆବଶ୍ୟକତା ନାହିଁ ।

ଏହି ତାଲିକାରେ ଆଉ ଜଣେ ସୋସିଆଲ୍ ମିଡିଆ ସେନସେସନଙ୍କ ନାଁ ମଧ୍ୟ ରହିଛି । “୧୦ ଟଙ୍କା ବିସ୍କୁଟ” ବିକ୍ରି କରୁଥିବା ଶାଦାବ ଜକାତିଙ୍କ ଭିଡିଓ ହଠାତ୍ ସୋସିଆଲ ମିଡିଆରେ ଟ୍ରେଣ୍ଡ କରିବା ଆରମ୍ଭ କଲା । ଶାଦାବ ତାଙ୍କର ସରଳ ଆଭିମୁଖ୍ୟ ସହିତ ପ୍ରମାଣିତ କଲେ ଯେ ସଚ୍ଚୋଟତା ଏବଂ ସତ୍ୟ ଏବେ ବି ଲୋକଙ୍କ ହୃଦୟକୁ ଛୁଇଁଥାଏ । ତାଙ୍କର ଭିଡିଓଗୁଡ଼ିକ ପ୍ରମାଣ କଲା ଯେ ପ୍ରତିଭା ଏବଂ ଚିନ୍ତାଧାରା ହିଁ ପ୍ରକୃତ ଶକ୍ତି ।
ଭାଇରାଲ୍ ବିଷୟରେ ଚର୍ଚ୍ଚା ହେବ ଆଉ କିରିଶ୍ କା ଗାନା ସୁନେଗା ବୟଙ୍କ ଚର୍ଚ୍ଚା ହେବନି ଏ ଅସମ୍ଭବ କଥା । ୨୦୨୫ ଶେଷ ଆଡ଼କୁ ଇଣ୍ଟରନେଟରେ ମଜାଳିଆ ଢ଼ଙ୍ଗରେ କିରିଶ୍ କା ଗାନା ସୁନେଗା କହି ଦିଲ ନା ଦିଆ ଲେ ବେଟା ଗାଉଥିବା ଯୁବକ ମଧ୍ୟ ଖୁବ୍ ଭାଇରାଲ୍ ହୋଇଥିଲେ । ମାନସିକ ବିକାରଗ୍ରସ୍ତ ଯୁବକ ଜରି ଗୋଟାଇ ପେଟ ପୋଷୁଥିବା ବେଳେ ଗୋଟିଏ ଭିଡିଓ ତାଙ୍କୁ କେମିତି ଘରେ ଘରେ ପହଞ୍ଚାଇଲା ତାହା ଚର୍ଚ୍ଚାର ବିଷୟ ପାଲଟିଥିଲା ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Viral Trends | 2025: The Maha Kumbh of Viral Faces That Turned Ordinary People into Internet Stars | Argus News