Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଓଡ଼ିଶା ବିକାଶର ମଙ୍ଗଳ ଘଣ୍ଟି , ମୋଦି ଗ୍ୟାରେଣ୍ଟି: ଧର୍ମେନ୍ଦ୍ର ପ୍ରଧାନ

National

ଓଡ଼ିଶା ବିକାଶର ମଙ୍ଗଳ ଘଣ୍ଟି , ମୋଦି ଗ୍ୟାରେଣ୍ଟି: ଧର୍ମେନ୍ଦ୍ର ପ୍ରଧାନ

Banajyotshna Ray
Browse all articles by Banajyotshna Ray
·2 years ago·8 min read
ଓଡ଼ିଶା ବିକାଶର ମଙ୍ଗଳ ଘଣ୍ଟି ,  ମୋଦି ଗ୍ୟାରେଣ୍ଟି: ଧର୍ମେନ୍ଦ୍ର ପ୍ରଧାନ

ଅର୍ଗସ ବ୍ୟୁରୋ:  ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ବିକଶିତ ଭାରତ ନିର୍ମାଣର ଲକ୍ଷ୍ୟରେ ଆଉ ପାଦେ ଅଗ୍ରସର ହୋଇଛି ଆମ ଦେଶ । ସବୁ ଦିଗରୁ ଦାରିଦ୍ର୍ୟ ହ୍ରାସ କରିବା ଲକ୍ଷ୍ୟରେ ଭାରତ ସରକାର ଜନସାଧାରଣଙ୍କ ଜୀବନରେ କ୍ରମାଗତ ଉନ୍ନତି ଆଣୁଛନ୍ତି । ବିଭିନ୍ନ ଗରିବ କଲ୍ୟାଣ ଯୋଜନା ଓ ଏସବୁର ସଫଳ ରୂପାୟନ ଫଳରେ ନଅ ବର୍ଷ ମଧ୍ୟରେ ୨୪.୮୨ କୋଟି ଲୋକେ ବହୁମୁଖୀ ଦାରିଦ୍ର୍ୟରୁ ମୁକ୍ତି ପାଇଛନ୍ତି । ଭାରତରେ ବହୁମୁଖୀ ଦାରିଦ୍ର୍ୟ ୨୦୧୩-୧୪ ଆର୍ଥିକ ବର୍ଷରେ ୨୯.୧୭% ଥିବାବେଳେ ୨୦୨୨-୨୩ ଆର୍ଥିକ ବର୍ଷରେ ଏହା ୧୧.୨୮%କୁ ଖସି ଆସିଛି, ଅର୍ଥାତ୍ ୧୭.୮୯% ପଏଣ୍ଟ ହ୍ରାସ ପାଇଛି । ଫଳରେ ଭାରତ ୨୦୩୦ ସୁଦ୍ଧା ବହୁମୁଖୀ ଦାରିଦ୍ର୍ୟ ହ୍ରାସର ସ୍ଥାୟୀ ବିକାଶ ଲକ୍ଷ୍ୟ (SDG) ହାସଲ କରିବାର ସମ୍ଭାବନା ଉଜ୍ଜ୍ୱଳ ହୋଇଛି । ୨୦୦୫-୦୬ରୁ ୨୦୧୫-୧୬ (ବାର୍ଷିକ ୭.୬୯% ହ୍ରାସ ହାର) ଆର୍ଥିକ ବର୍ଷ ତୁଳନାରେ ୨୦୧୫-୧୬ରୁ ୨୦୧୯-୨୧ (ବାର୍ଷିକ ୧୦.୬୬% ହ୍ରାସ ହାର) ଆର୍ଥିକ ବର୍ଷ ମଧ୍ୟରେ ଦେଶର ଦାରିଦ୍ର୍ୟ ହାର ଦ୍ରୁତ ଗତିରେ ହ୍ରାସ ପାଇଛି ବୋଲି ଏକ ଗବେଷଣା ପତ୍ରରେ ଦର୍ଶାଯାଇଛି ।

ତେବେ ୯ ବର୍ଷର ଅବଧିରେ ବହୁମୁଖୀ ଦାରିଦ୍ର୍ୟ ସୂଚକାଙ୍କ (MPI)କୁ ଦେଖିଲେ ଜଣାଯାଏ ଯେ ସମସ୍ତ ୧୨ଟି ସୂଚକାଙ୍କରେ ଉଲ୍ଲେଖନୀୟ ଉନ୍ନତି ପରିଲକ୍ଷିତ ହୋଇଛି । ଏ ମଧ୍ୟରେ ପୁଷ୍ଟିସାଧନ, ଶିଶୁ ଓ କିଶୋର ମୃତ୍ୟୁ, ମାତୃ ସ୍ୱାସ୍ଥ୍ୟ, ବିଦ୍ୟାଳୟ ଶିକ୍ଷାର ମୋଟ ଅବଧି, ବିଦ୍ୟାଳୟରେ ଉପସ୍ଥାନ, ରୋଷେଇ ଇନ୍ଧନ, ପରିମଳ, ପାନୀୟ ଜଳ, ବିଜୁଳି, ବାସଗୃହ, ସମ୍ପତ୍ତି ଏବଂ ବ୍ୟାଙ୍କ ଆକାଉଣ୍ଟ୍ ଅନ୍ତର୍ଭୁକ୍ତ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ସବୁଠାରୁ ଦୁର୍ବଳ ଓ ବଞ୍ଚିତ ଲୋକଙ୍କ ଜୀବନକୁ ସମୁନ୍ନତ କରିବା ପାଇଁ ନରେନ୍ଦ୍ର ମୋଦି ସରକାରଙ୍କ ନିରନ୍ତର ପ୍ରଚେଷ୍ଟା ଓ ଦୃଢ଼ ପ୍ରତିବଦ୍ଧତା ଆମ ସଫଳତାର କାରକ ସାଜିଛି ।

ଅଧୁନା ଦେଶର ଲକ୍ଷ ଲକ୍ଷ ଗାଁରେ କୋଟି କୋଟି ପରିବାର ମୋଦି ସରକାରଙ୍କ କୌଣସି ନା କୌଣସି ଗରିବ କଲ୍ୟାଣ ଯୋଜନାରେ ଉପକୃତ ହୋଇଛନ୍ତି ନିଶ୍ଚୟ । ବଞ୍ଚିତ, ନିଷ୍ପେସିତ ଓ ସମାଜର ଶେଷ ଧାଡ଼ିରେ ରହିଥିବା ମଣିଷମାନଙ୍କୁ ଯେତେବେଳେ ଏହି ସୁବିଧା ମିଳିଥାଏ ସେତେବେଳେ ସେମାନଙ୍କର ଆତ୍ମବିଶ୍ଵାସ ବଢିଥାଏ । ଏ ଆତ୍ମବିଶ୍ୱାସ ସରକାରୀ ସହାୟତା ସଙ୍ଗେ ମିଶି ଜୀବନଧାରଣ ପାଇଁ ଜନମାନସରେ ଏକ ନୂତନ ଶକ୍ତି ସଞ୍ଚାର କରିଥାଏ । ସୁଖର କଥା, ଆଜି କାହାରିକୁ ବାରମ୍ବାର ସରକାରୀ କାର୍ଯ୍ୟାଳୟକୁ ଆଉ ଯିବାକୁ ପଡ଼ୁନାହିଁ । ମୋଦି ସରକାରଙ୍କ ନିଷ୍ଠା ଓ ନିରପେକ୍ଷତା ଯୋଗୁଁ ପ୍ରାପ୍ୟ ପାଇଁ ଆଉ କଷ୍ଟ ସହିବାକୁ ପଡୁନାହିଁ, ଯଥା- ତୁହାକୁତୁହା ସରକାରୀ ଅଫିସ ଦୌଡ଼ିବା କିମ୍ବା ହାତଗୁଞ୍ଜା ଦେବା ଆଦିର ଅପ୍ରୀତିକର ପରିସ୍ଥିତି ଏବେ ଦୂର ହେଉଛି । ସରକାର ନିଜେ ଆଗଭର ହୋଇ ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରୁଛନ୍ତି ଏବଂ ସେମାନଙ୍କୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ପଦକ୍ଷେପମାନ ନେଉଛନ୍ତି । ଫଳରେ ଏବେ ମାଗିବା ଆଗରୁ ଲୋକଙ୍କ ଆଶା ପୂରଣ ହୋଇପାରୁଛି । ଏହାହିଁ ବାସ୍ତବରେ ‘ମୋଦିଙ୍କ ଗ୍ୟାରେଣ୍ଟି’ - ବିକଶିତ ଭାରତ ପାଇଁ ଅପରିହାର୍ଯ୍ୟ ହୋଇପଡ଼ିଥିବା ‘ଦାରିଦ୍ର୍ୟ ମୁକ୍ତି’ର ବିଶଲ୍ୟକରଣୀ ।

କେନ୍ଦ୍ରୀୟ ଯୋଜନା ବଳରେ, କେଉଁ ରାଜ୍ୟ କେତେ ଆଗରେ :

ସମସ୍ତ କେନ୍ଦ୍ରୀୟ ଯୋଜନାର କାର୍ଯ୍ୟକାରିତାରେ ଯଦିଓ ରାଜ୍ୟଗୁଡ଼ିକର ପ୍ରଦର୍ଶନ ଭିନ୍ନ ଭିନ୍ନ ରହିଛି ତଥାପି ପାରମ୍ପରିକ ଭାବେ ଅପେକ୍ଷାକୃତ ଅଧିକ ଅନଗ୍ରସର ରାଜ୍ୟଗୁଡ଼ିକ ଦାରିଦ୍ର୍ୟ ମୁକ୍ତିରେ ଉଲ୍ଲେଖନୀୟ ଅଗ୍ରଗତି କରିଛନ୍ତି ଯଦ୍ଦ୍ୱାରା ବହୁମୁଖୀ ଦାରିଦ୍ର୍ୟରେ ଆଞ୍ଚଳିକ ବୈଷମ୍ୟ ଆଶାତୀତ ଭାବେ ହ୍ରାସ ପାଇଛି । ସେହିପରି, ବଞ୍ଚିତଙ୍କୁ ମୌଳିକ ସେବା ଯୋଗାଇଦେବା କ୍ଷେତ୍ରରେ ରହିଥିବା ମୂଳ ସମସ୍ୟାଗୁଡ଼ିକର ମଧ୍ୟ ଦ୍ରୁତ ସମାଧାନ ହେଉଛି । ଫଳରେ ୨୦୪୭ ସୁଦ୍ଧା ଏକ ବିକଶିତ ରାଷ୍ଟ୍ରରେ ପରିଣତ ହେବା ଦିଗରେ ଭାରତ ସଠିକ୍‌ ମାର୍ଗରେ ଗତି କରୁଛି ବୋଲି ଆମର ହୃଦବୋଧ ହେଉଛି ।

ଏବେ କଥା ଉଠୁଛି, କେନ୍ଦ୍ରୀୟ ଯୋଜନାଗୁଡ଼ିକ ବଳରେ ନିର୍ଦ୍ଦିଷ୍ଟ କେତେକ ରାଜ୍ୟ କିପରି ଦାରିଦ୍ର୍ୟ ମୁକ୍ତି କ୍ଷେତ୍ରରେ ଆଖିଦୃଶିଆ ଅଗ୍ରଗତି ହାସଲ କଲେ । ବିଭିନ୍ନ ଅନୁଶୀଳନ ଏବଂ ପୂର୍ବର ଅର୍ଥନୈତକ ସର୍ଭେ ମଧ୍ୟ ସ୍ପଷ୍ଟ କରିଛି ଯେ, ଭାରତର ଯେଉଁ ରାଜ୍ୟଗୁଡ଼ିକ କେନ୍ଦ୍ରୀୟ ଯୋଜନାକୁ ଠିକ୍ ଭାବେ ଓ ପୂର୍ଣ୍ଣ ଆନ୍ତରିକତାର ସହ କାର୍ଯ୍ୟକାରୀ କରିଛନ୍ତି, ସେହି ରାଜ୍ୟଗୁଡ଼ିକରେ ହିଁ ରେକର୍ଡ ସଂଖ୍ୟକ ଲୋକ ଦାରିଦ୍ର୍ୟରୁ ମୁକ୍ତି ପାଇପାରିଛନ୍ତି । ଏହାର ବଡ଼ ଉଦାହରଣ ହେଉଛନ୍ତି ଦୁଇଟି ରାଜ୍ୟ – ଉତ୍ତର ପ୍ରଦେଶ ଓ ମଧ୍ୟ ପ୍ରଦେଶ ।

ବହୁମୁଖୀ ଦାରିଦ୍ର୍ୟରୁ ସର୍ବାଧିକ ଲୋକଙ୍କୁ ମୁକ୍ତ କରିଥିବା ରାଜ୍ୟ ତାଲିକାରେ ଉତ୍ତରପ୍ରଦେଶ ଶୀର୍ଷରେ ରହିଛି । ଏ ରାଜ୍ୟରେ ସର୍ବାଧିକ ୫.୯୩ କୋଟି ଲୋକ ବହୁମୁଖୀ ଦାରିଦ୍ର୍ୟରୁ ମୁକ୍ତି ପାଇଥିବା ବେଳେ ବିହାର, ମଧ୍ୟପ୍ରଦେଶ, ରାଜସ୍ଥାନ, ପଶ୍ଚିମବଙ୍ଗ ଏବଂ ମହାରାଷ୍ଟ୍ରରେ ଯଥାକ୍ରମେ ୩.୭୭ କୋଟି, ୨.୩୦ କୋଟି, ୧.୮୭ କୋଟି, ୧.୭୨ କୋଟି ଏବଂ ୧.୫୯ କୋଟି ଲୋକ ଦାରିଦ୍ର୍ୟରୁ ମୁକୁଳି ପାରିଛନ୍ତି । ଓଡ଼ିଶାରେ ୨୦୧୩-୧୪ରୁ ୨୦୨୨-୨୩ ମଧ୍ୟରେ ପ୍ରାୟ ୧.୦୨ କୋଟି ଲୋକ ବହୁମୁଖୀ ଦାରିଦ୍ର୍ୟରୁ ମୁକ୍ତି ପାଇଛନ୍ତି । ତେବେ ଓଡ଼ିଶା ଏହି ତାଲିକାରେ ସପ୍ତମ ସ୍ଥାନରେ ରହିଛି ।

ଭାରତ ସରକାରଙ୍କ ପୋଷଣ ଅଭିଯାନ ଏବଂ ଆନେମିଆମୁକ୍ତ-ଭାରତ ଭଳି ଉଲ୍ଲେଖନୀୟ ପଦକ୍ଷେପ ଦେଶରେ ସ୍ୱାସ୍ଥ୍ୟସେବାର ପରିସୀମାକୁ ବ୍ୟାପକ କରିଛି, ଯାହା ଫଳରେ ଦାରିଦ୍ର୍ୟ ବହୁଳ ଭାବେ ହ୍ରାସ ପାଇଛି । ବିଶ୍ଵର ଅନ୍ୟତମ ବୃହତ୍ତମ ଖାଦ୍ୟ ନିରାପତ୍ତା କାର୍ଯ୍ୟକ୍ରମ ପରିଚାଳନା କରୁଥିବା ପ୍ରଧାନ ମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧୀନରେ ଲକ୍ଷ୍ୟ ଆଧାରିତ ସାର୍ବଜନୀନ ବଣ୍ଟନ ବ୍ୟବସ୍ଥାରେ ୮୧.୩୫ କୋଟି ହିତାଧିକାରୀଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି ଏବଂ ଗ୍ରାମୀଣ ତଥା ସହରାଞ୍ଚଳ ଜନସାଧାରଣଙ୍କୁ ଖାଦ୍ୟଶସ୍ୟ ଯୋଗାଇ ଦିଆଯାଉଛି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧୀନରେ ମାଗଣା ରାସନ ଯୋଗାଣକୁ ଆଉ ପାଞ୍ଚ ବର୍ଷ ପାଇଁ ବୃଦ୍ଧି କରିବା ଭଳି ନିଷ୍ପତ୍ତି ସରକାରଙ୍କ ଅଙ୍ଗୀକାରବଦ୍ଧତାର ନିଦର୍ଶନ । ମାତୃ-ସ୍ୱାସ୍ଥ୍ୟ ସମସ୍ୟାକୁ ଦୂର କରିବା, ଉଜ୍ଜ୍ୱଳା ଯୋଜନାରେ ସ୍ଵଚ୍ଛ ରୋଷେଇ ଇନ୍ଧନ ଯୋଗାଣ, ସୌଭାଗ୍ୟ ଯୋଜନାରେ ଶତ ପ୍ରତିଶତ ବିଦ୍ୟୁତ୍ ସଂଯୋଗ ଯୋଗାଣ ଆଦି କାର୍ଯ୍ୟକ୍ରମମାନ ଅବ୍ୟାହତ ରହିଛି । ଏଥି ସହିତ, ସ୍ୱଚ୍ଛ ଭାରତ ମିଶନ ଏବଂ ଜଳ-ଜୀବନ ମିଶନ ପରି ଜନମଙ୍ଗଳକାରୀ ଅଭିଯାନ ସାମୂହିକ ଭାବରେ ଲୋକଙ୍କ ଜୀବନଧାରଣର ମାନକୁ ଉନ୍ନତ କରିପାରିଛି । ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଭଳି ମହତ୍ତ୍ୱାକାଂକ୍ଷୀ କାର୍ଯ୍ୟକ୍ରମ ଦେଶରେ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଏବଂ ଗରିବ ଲୋକଙ୍କୁ ସୁରକ୍ଷିତ ଆବାସ ଯୋଗାଇବାରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ।

୨୦୦୫-୦୬ରେ ଭାରତୀୟଙ୍କ ଜୀବନଧାରଣର ମାନର ଅବନତି କ୍ଷେତ୍ରରେ ରନ୍ଧନ ଗ୍ୟାସ୍ (୭୪.୪୦%), ପରିମଳ (୭୦.୯୨%) ଏବଂ ବ୍ୟାଙ୍କ ଆକାଉଣ୍ଟ (୫୮.୧୧%) ଭଳି ସୂଚକାଙ୍କରେ ପ୍ରଦର୍ଶନ ଶୋଚନୀୟ ଅବସ୍ଥାରେ ଥିଲା। ଅପରପକ୍ଷରେ ୨୦୦୫-୦୬ରେ ଶିଶୁ ଓ କିଶୋର ମୃତ୍ୟୁହାର (୪.୮୪%), ବିଦ୍ୟାଳୟ ଉପସ୍ଥାନ (୨୧.୨୭%) ଏବଂ ପାନୀୟ ଜଳ (୨୧.୩୪%) କ୍ଷେତ୍ରରେ ପ୍ରଦର୍ଶନ ମଧ୍ୟ ଚିନ୍ତାଜନକ ଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଚଉଦରୁ ଚବିଶ – ଓଡ଼ିଶାରେ ଗରିବ କଲ୍ୟାଣର ଦଶ ବର୍ଷ :

ଓଡ଼ିଶାକୁ ବିଚାରକୁ ନେଲେ ଜଣାଯାଏ ଯେ, ଅମଲାତନ୍ତ୍ରରେ ବ୍ୟାପକ ଦୁର୍ନୀତି ଏବଂ ଅଭାବନୀୟ ‘ପର୍ସେଣ୍ଟେଜ୍ କଲଚର୍’ ଯୋଗୁଁ ଓଡ଼ିଶାର ଜନସାଧାରଣଙ୍କ ହାତ ପାହାନ୍ତାରେ ଉପରୋକ୍ତ ସେବାଗୁଡିକୁ ପହଞ୍ଚାଇବାରେ ଅନ୍ତରାୟ ସୃଷ୍ଟି ହେଉଥିଲା । ତେବେ ମୋଦି ସରକାରଙ୍କ 'ଗରିବ କଲ୍ୟାଣ' ନୀତି ଓ ପଦକ୍ଷେପ ଓଡ଼ିଶାରେ ବହୁମୁଖୀ ଦାରିଦ୍ର୍ୟ ହ୍ରାସ କ୍ଷେତ୍ରରେ ‘ଗେମଚେଞ୍ଜର୍’ ସାବ୍ୟସ୍ତ ହେଲା । ଶ୍ରୀ ନରେନ୍ଦ୍ର ମୋଦିଙ୍କ ଗରିବ କଲ୍ୟାଣ ଆଧାରିତ ପରିକଳ୍ପନା ଅନୁଯାୟୀ ସବୁ ବାଧାବିଘ୍ନକୁ ଏଡ଼ାଇ ଓଡ଼ିଶାର ଗରିବ ହିତାଧିକାରୀଙ୍କୁ ସିଧାସଳଖ ଲାଭ ହସ୍ତାନ୍ତର କରାଯାଇପାରିଛି ଏବଂ ଏଥିଯୋଗୁଁ ଆଜିର ଓଡ଼ିଶାରେ ୧.୦୩ କୋଟି ଲୋକ ବହୁମୁଖୀ ଦାରିଦ୍ର୍ୟରୁ ମୁକୁଳିବାରେ ସକ୍ଷମ ହୋଇପାରିଛନ୍ତି । ଏହି ହିତାଧିକାରୀମାନେ କୌଣସି ପ୍ରକାରର ରାଜନୈତିକ ଦ୍ଵେଷ, ପକ୍ଷପାତିତା ଅବା ମଧ୍ୟସ୍ଥିଙ୍କ ନିର୍ଯାତନାର ଶିକାର ନ ହୋଇ ଯାବତୀୟ ସରକାରୀ ସହାୟତା ରାଶି ନିଜ ସିଧାସଳଖ ବ୍ୟାଙ୍କ ଖାତାରେ କିମ୍ବା ଘରେ ବସି ପାଇ ପାରୁଛନ୍ତି । ଏହି ୧.୦୩ କୋଟି ଲୋକଙ୍କ ମଧ୍ୟରୁ ପ୍ରାୟ ପ୍ରତ୍ୟେକ ବ୍ୟକ୍ତି ଆଜି ମୋଦି ସରକାରଙ୍କ ଗରିବ କଲ୍ୟାଣ ଯୋଜନାସବୁର ହିତାଧିକାରୀ ହୋଇ ନିଜ ଜୀବନଧାରଣର ମାନ ଉନ୍ନତ କରିପାରିଛନ୍ତି ।

ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ୩.୦୨୬ କୋଟି ଲୋକଙ୍କୁ ମାଗଣା ରାସନ ମିଳୁଛି । ଗ୍ରାମୀଣ ଓଡ଼ିଶାର ୮୨.୧୭% ଏବଂ ସହରାଞ୍ଚଳ ଓଡ଼ିଶାର ୫୫.୭୭% ଲୋକ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଦ୍ୱାରା ସେମାନଙ୍କ ଖାଦ୍ୟ ନିରାପତ୍ତା ସୁନିଶ୍ଚିତ କରିପାରୁଛନ୍ତି । ଓଡ଼ିଶାର ଖାଦ୍ୟ ନିରାପତ୍ତା ପାଇଁ ମୋଦି ସରକାର ବାର୍ଷିକ ପାଖାପାଖି ୪,୭୦୦ କୋଟି ଟଙ୍କା ଯୋଗାଇ ଦେଉଛନ୍ତି । ସେହିପରି, ରାଜ୍ୟରେ ୭୪,୧୫୪ ଅଙ୍ଗନୱାଡି କେନ୍ଦ୍ର ଦ୍ୱାରା ସକ୍ଷମ ଅଙ୍ଗନୱାଡି ଓ ପୋଷଣ ଅଭିଯାନ ମାଧ୍ୟମରେ ୩୩.୨୨ ଲକ୍ଷ ଶିଶୁ (୦-୬ ବର୍ଷ) ଏବଂ ୪.୭୮ ଲକ୍ଷ ଗର୍ଭବତୀ ତଥା ସ୍ତନ୍ୟପାନ କରାଉଥିବା ମା'ମାନଙ୍କୁ ସପ୍ଲିମେଣ୍ଟାରୀ ପୁଷ୍ଟି ଯୋଗାଇ ଦିଆଯାଉଛି । ଶିଶୁ ଓ କିଶୋରଙ୍କ ପୁଷ୍ଟିସାଧନ ନିମନ୍ତେ ରାଜ୍ୟରେ ପ୍ରଧାନମନ୍ତ୍ରୀ ପୋଷଣ ଶକ୍ତି ନିର୍ମାଣ (ପିଏମ-ପୋଷଣ) ମାଧ୍ୟମରେ ବିଦ୍ୟାଳୟରେ ୫୫.୫ ହଜାରରୁ ଅଧିକ ରୋଷେଇ ଘର କାର୍ଯ୍ୟକ୍ଷମ କରାଯାଇ ପ୍ରାୟ ୪୫.୫୦ ଲକ୍ଷ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଯୋଗାଇ ଦିଆଯାଉଛି । ପିଲାଙ୍କ ପୁଷ୍ଟି ଆବଶ୍ୟକତାକୁ ମେଣ୍ଟାଇବା ରଖିବା ପାଇଁ କେନ୍ଦ୍ର ସରକାର ୨୦୧୪ରୁ ଅଦ୍ୟାବଧି ୪,୩୭୯.୫୨ କୋଟିରୁ ଅଧିକ ଟଙ୍କା ପ୍ରଦାନ କରିଛନ୍ତି ।

୨୦୧୪ ମସିହାରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ମାଧ୍ୟମରେ ଓଡ଼ିଶାରେ ୩୨.୦୭ ଲକ୍ଷ ପକ୍କା ଘର ନିର୍ମାଣ ଲକ୍ଷ୍ୟ ନେଇ ଅଦ୍ୟାବଧି ୨୪.୮୯ ଲକ୍ଷ ଘର ନିର୍ମାଣ ସରିଛି । ଓଡ଼ିଶାର ଗରିବଙ୍କ ମୁଣ୍ଡ ଉପରେ ଆବାସ ସୁନିଶ୍ଚିତ କରିବା ପାଇଁ ଏହି ଦଶ ବର୍ଷ ମଧ୍ୟରେ ମୋଦି ସରକାର ପାଖାପାଖି ୩୪,୦୬୩ କୋଟି ଟଙ୍କା ଯୋଗାଇ ଦେଇଛନ୍ତି । ସେହିପରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରାଞ୍ଚଳ) ମାଧ୍ୟମରେ ପ୍ରାୟ ୯,୮୨୫ କୋଟି ଟଙ୍କା ବ୍ୟୟବରାଦରେ ୨.୧୪ ଲକ୍ଷ ଘର ନିର୍ମାଣ କରାଯାଇଛି । ଗ୍ରାମୀଣ ଓଡ଼ିଶାର ମୋଟ ୮୮.୬୪ ଲକ୍ଷ ପରିବାର ମଧ୍ୟରୁ ପ୍ରାୟ ୭୦.୦୪% ପରିବାର ଅର୍ଥାତ୍ ୬୧.୫୬ ଲକ୍ଷ ପରିବାରଙ୍କ ଘରକୁ ଜଳ-ଜୀବନ ମିଶନ ମାଧ୍ୟମରେ ଟ୍ୟାପ୍ ଯୋଗେ ସୁରକ୍ଷିତ ପାନୀୟ ଜଳ ଯୋଗାଇ ଦିଆଯାଇଛି । ସ୍ୱଚ୍ଛ ଭାରତ ମିଶନ (ଗ୍ରାମୀଣ) ମାଧ୍ୟମରେ ଓଡ଼ିଶାର ୭୦.୭୯ ଲକ୍ଷ ପରିବାରକୁ ୯,୨୬୨ କୋଟି ଟଙ୍କାରୁ ଅଧିକ ଅର୍ଥ ବିନିଯୋଗରେ ନିଜ ଘରେ ଶୌଚାଳୟର ସୁବିଧା ଯୋଗାଇ ଦିଆଯାଇଛି । ପ୍ରଧାନମନ୍ତ୍ରୀ ସୌଭାଗ୍ୟ ଯୋଜନାରେ ଓଡ଼ିଶାର ମୋଟ ୯୬.୭୧ ଲକ୍ଷ ପରିବାର ମଧ୍ୟରୁ ବିଜୁଳି ସଂଯୋଗ ନଥିବା ୨୪.୫୨ ଲକ୍ଷ ପରିବାରକୁ ବିଜୁଳି ସଂଯୋଗ ଦିଆଯାଇଛି ଯାହା ଫଳରେ ରାଜ୍ୟରେ ଶତ ପ୍ରତିଶତ ବିଦ୍ୟୁତୀକରଣର ଲକ୍ଷ୍ୟ ସାଧିତ ହୋଇପାରିଛି । ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଅଧୀନରେ ଓଡ଼ିଶାର ୫୪.୭୮ ଲକ୍ଷ ପରିବାର ଅଦ୍ୟାବଧି ୮୭୬ କୋଟିରୁ ଅଧିକ ଅର୍ଥ ବିନିଯୋଗରେ ମାଗଣା ଏଲପିଜି ବା ରନ୍ଧନ ଗ୍ୟାସ୍ ସଂଯୋଗ ପାଇପାରିଛନ୍ତି । ଓଡ଼ିଶାରେ ୨୦୧୪ ଅଗଷ୍ଟ ମାସରେ ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଆରମ୍ଭ ହେବା ପରଠାରୁ ପ୍ରାୟ ୨.୦୨ଟି ବ୍ୟାଙ୍କ ଆକାଉଣ୍ଟ୍ ଖୋଲାଯାଇଛି । ଏହି ଯୋଜନା ଓଡ଼ିଶାର ୧ କୋଟିରୁ ଅଧିକ ମହିଳାଙ୍କୁ ବ୍ୟାଙ୍କିଙ୍ଗ ପରିସରକୁ ଆଣିପାରିଛି ।

ବିଗତ ନଅ ବର୍ଷରେ ୧.୦୨ କୋଟି ଓଡ଼ିଆ ଲୋକ ଦାରିଦ୍ର୍ୟରୁ ମୁକ୍ତି ପାଇବା ଅତ୍ୟନ୍ତ ଖୁସିର ବିଷୟ ଏବଂ ଏହାଦ୍ୱାରା ୨୦୩୬ରେ ଏକ ବିକଶିତ ଓଡ଼ିଶା ନିର୍ମାଣ ଲକ୍ଷ୍ୟରେ ଆମର ଆତ୍ମବିଶ୍ୱାସ ଆଜି ବହୁଗୁଣିତ ହୋଇଛି । ତେବେ ଓଡ଼ିଶା ସରକାର ଯଦି ପକ୍ଷପାତିତାରୁ ଉର୍ଦ୍ଧ୍ୱରେ ରହି ପୂର୍ଣ୍ଣ ଆନ୍ତରିକତାର ସହ କେନ୍ଦ୍ରୀୟ ଯୋଜନାଗୁଡିକୁ ସ୍ୱଚ୍ଛ ଏବଂ ନିରପେକ୍ଷ ଭାବରେ କାର୍ଯ୍ୟକାରୀ କରିଥାନ୍ତେ, ତେବେ ପ୍ରଧାନମନ୍ତ୍ରୀଙ୍କ ଦାରିଦ୍ର୍ୟ ମୁକ୍ତ ଅଭିଯାନରେ ଆହୁରି ଅନେକ ଓଡ଼ିଆ ଭାଇଭଉଣୀ ସାମିଲ ହୋଇ ପାରିଥାନ୍ତେ ।

ଓଡ଼ିଶା ସରକାର ରାଜନୈତିକ ଅଭିସନ୍ଧି ରଖି ବିଭିନ୍ନ କଲ୍ୟାଣକାରୀ କେନ୍ଦ୍ରୀୟ ଯୋଜନାରୁ ଓଡ଼ିଶାର ଲକ୍ଷ ଲକ୍ଷ ଖଟିଖିଆ ଗରିବ ଜନସାଧାରଣ, ଶ୍ରମିକ, ଯୁବବର୍ଗ, ଛାତ୍ରଛାତ୍ରୀ ଓ ମହିଳାମାନଙ୍କୁ ବଞ୍ଚିତ ରଖୁଛନ୍ତି । ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତକୁ ଓଡ଼ିଶାରେ ଲାଗୁ ନ କରାଇ ୬୦ ଲକ୍ଷରୁ ଉର୍ଦ୍ଧ୍ୱ ଓଡ଼ିଆ ପରିବାରଙ୍କୁ ଏକ ବିଶାଳ ପ୍ରଭାବଶାଳୀ ସ୍ୱାସ୍ଥ୍ୟସେବା ନେଟୱାର୍କ୍ ରୁ ବଞ୍ଚିତ କରି ରଖିଛନ୍ତି । ଅତ୍ୟନ୍ତ ପରିତାପର ବିଷୟ ଯେ ଏହା ଦ୍ୱାରା ୧ କୋଟିରୁ ଊର୍ଦ୍ଧ୍ୱ ପ୍ରବାସୀ ଓଡ଼ିଆଙ୍କୁ ଭାରତର ଯେକୌଣସି ସ୍ଥାନରେ ଥାଇ ଚିକିତ୍ସା ସେବା ପାଇବାରୁ ବଞ୍ଚିତ ରଖୁଛନ୍ତି ଓଡ଼ିଶା ସରକାର । ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହୋଇଥିବା ବ୍ୟାପକ ଚଞ୍ଚକତା ଓ ଦୁର୍ନୀତି ବହୁ ଗରିବ ଓଡ଼ିଆଙ୍କୁ ତାଙ୍କ ହକ୍ ର ଘର ଖଣ୍ଡିଏ ପାଇବାରୁ ବଞ୍ଚିତ କରିଛି । ଏହା ରାଜ୍ୟର ଦାରିଦ୍ର୍ୟ ମୁକ୍ତି ଅଭିଯାନରେ ସବୁଠୁ ବଡ଼ ବାଧକ ସାଜିଛି । ନିକଟରେ ପ୍ରକାଶିତ ହୋଇଥିବା ସି.ଏ.ଜି ରିପୋର୍ଟରୁ ସ୍ପଷ୍ଟ ଅନୁମେୟ ହୁଏ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟର ଗ୍ରାମାଞ୍ଚଳରେ ୮.୫୯ ଲକ୍ଷ ହିତାଧିକାରୀ ପକ୍କାଘର ପାଇବାରୁ ବଞ୍ଚିତ ହୋଇଛନ୍ତି ।

ସେହିପରି, ପି.ଏମ୍–ଶ୍ରୀ ସ୍କୁଲକୁ ଓଡ଼ିଶାରେ କାର୍ଯ୍ୟକାରୀ ନ କରି ରାଜ୍ୟର ୭୬ ଲକ୍ଷ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଏକ ନୂତନ ଶିକ୍ଷା ବିପ୍ଳବରୁ ବଞ୍ଚିତ କରାଯାଉଛି । ଏହି ଯୋଜନାରେ ଓଡ଼ିଶାର ୮୦୦ ସରକାରୀ ସ୍କୁଲରେ ୧,୬୦୦ କୋଟି ଟଙ୍କା ଖର୍ଚ୍ଚ ହେବାର ଯୋଜନା ଅଛି ଯାହା ଲକ୍ଷାଧିକ ଛାତ୍ରଛାତ୍ରୀଙ୍କ ପାଇଁ ଅତ୍ୟନ୍ତ ଉପାଦେୟ ହୋଇପାରନ୍ତା । ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ (ପି.ଏମ୍–ଉଷା) ଓ ପି.ଏମ୍-ମେରିଟ ଯୋଜନାକୁ ମଧ୍ୟ ରାଜ୍ୟ ସରକାର ଅଟକାଇ ରଖିଛନ୍ତି, ଯାହା ଫଳରେ ଓଡ଼ିଶାର ଉଚ୍ଚ ଶିକ୍ଷାନୁଷ୍ଠାନ ଓ ବୈଷୟିକ ଶିକ୍ଷା କେନ୍ଦ୍ରଗୁଡ଼ିକ ପାଇଁ କେନ୍ଦ୍ରୀୟ ଅନୁଦାନର ବାଟ ବନ୍ଦ ହୋଇଯାଇଛି । ଏହା ଓଡ଼ିଶାର ଯୁବବର୍ଗ ଓ ଛାତ୍ରଛାତ୍ରୀମାନଙ୍କ ପ୍ରତି ଘୋର ଅନ୍ୟାୟ ଓ ଅବିଚାର ନୁହେଁ କି ?

ବିକଶିତ ଓଡ଼ିଶାର ସ୍ଵପ୍ନ ଏକ ରାଜନୈତିକ କଳ୍ପନା ନୁହେଁ, ବରଂ କୋଟି ଓଡ଼ିଆଙ୍କ ସାମୁହିକ ଆକାଂକ୍ଷା । ପୂର୍ଣ୍ଣ ବିକାଶ ପଥରେ ଓଡ଼ିଶାର ଯାତ୍ରା ପ୍ରଧାନମନ୍ତ୍ରୀ ମୋଦିଙ୍କ ‘ପୂର୍ବୋଦୟ’ ପରିକଳ୍ପନାରୁ ଆରମ୍ଭ ହୋଇସାରିଛି । ନଅ ବର୍ଷରେ ବିଭିନ୍ନ କେନ୍ଦ୍ରୀୟ ଯୋଜନା ଓ ପ୍ରକଳ୍ପ ବାବଦରେ ଓଡ଼ିଶାକୁ ୧୮.୫ ଲକ୍ଷ କୋଟି ଟଙ୍କାରୁ ଅଧିକ ଆର୍ଥିକ ସହାୟତା ଓ ସମ୍ବଳ ମିଳିଛି । ବିକାଶର ଏ ଘଡ଼ିସନ୍ଧି ମୁହୂର୍ତ୍ତରେ ଓଡ଼ିଶା ସରକାରଙ୍କୁ ରାଜନୈତିକ ଦ୍ଵେଷ ଓ ପ୍ରତିସ୍ପର୍ଦ୍ଧା ଠାରୁ ଉର୍ଦ୍ଧ୍ୱରେ ରହି ପ୍ରଧାନମନ୍ତ୍ରୀଙ୍କ ଗରିବ କଲ୍ୟାଣ ମହାଯଜ୍ଞରେ ସାମିଲ ହେବାକୁ ପଡ଼ିବ । ଅତୀତରେ କ୍ଷମତାସୀନ ବହୁ ସରକାର ‘ଗରିବୀ ହଟାଓ’ର ସ୍ଵପ୍ନକୁ କେବଳ ବିକି ଭାଙ୍ଗି ଭୋଟ ଗୋଟାଇ ଆସୁଥିଲେ । ଏବେ କିନ୍ତୁ ଏହା ସ୍ପଷ୍ଟ ଯେ କେବଳ ମୋଦି ସରକାର ହିଁ ଦାରିଦ୍ର୍ୟ ମୂଳୋତ୍ପାଟନର ସ୍ୱପ୍ନକୁ ଆନ୍ତରିକତାର ସହ ସାକାର କରୁଛନ୍ତି ଏବଂ ଜନଗଣଙ୍କ ମନରେ ନୂଆ ଆକାଂକ୍ଷା ଭରି ବିକଶିତ ଭାରତ ନିର୍ମାଣ ଲକ୍ଷ୍ୟରେ ଅଗ୍ରସର ହେଉଛନ୍ତି । ବିଗତ ବର୍ଷମାନଙ୍କରେ ପ୍ରାୟ ୨୫ କୋଟି ଭାରତୀୟ ଦାରିଦ୍ର୍ୟ ମୁକ୍ତିର ଏହି ଜୟଯାତ୍ରାକୁ ଅଙ୍ଗେ ନିଭାଇଛନ୍ତି । ସମୟ ଆସିଛି, ଓଡ଼ିଶାର ବଞ୍ଚିତ ଶ୍ରେଣୀର ବାକି ୧ କୋଟି ମଣିଷଙ୍କୁ ଏହି ଦାରିଦ୍ର୍ୟ ମୁକ୍ତି ଯାତ୍ରାରେ ସାମିଲ କରିବା ।

ଅଧିକ ପଢ଼ନ୍ତୁ ଦେଶ ଖବର:

 

Argus Whatsapp Channel Mobile Top
Sponsored
24.82 crore Indians escape Multidimensional Poverty in last 9 years | Argus News