ଭୁଶୁଡ଼ୁଛି ମାଓ ଗଡ଼: ଦିନକରେ ଆତ୍ମସମର୍ପଣ କଲେ ୩୧ ନକ୍ସଲ

ମାଲକାନଗିରି: ବନ୍ଧୁକ ନୁହେଁ ବିକାଶ ଦରକାର । ବିନାଶ ନୁହେଁ ସୁସ୍ଥ ସମାଜ ଆବଶ୍ୟକ । ମାଓବାଦୀ ବୁଝିଲେଣି ବନ୍ଧୁକ ଧରି ରକ୍ତପାତ କଲେ ସମାଜର ବିକାଶ ହେବନି । ସେଥିପାଇଁ ସଂଗଠନ ଛାଡ଼ି ଏବେ ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ ହେଉଛନ୍ତି ମାଓବାଦୀ । ଗୋଟିଏ ଦିନରେ ଛତିଶଗଡ଼ର ୨ଟି ଜିଲ୍ଲାରେ ୩୧ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି ।
ଛତିଶଗଡ଼ ନାରାୟଣପୁର ଜିଲ୍ଲା ମାଡ ଡିଭିଜନରେ ସକ୍ରିୟ ୫ ଲକ୍ଷ ପୁରସ୍କାର ରାଶି ଥିବା ୫ ଜଣ ମହିଳା ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ସମସ୍ତ ମହିଳା ମାଓବାଦୀଙ୍କୁ ଛତିଶଗଡ଼ ସରକାରଙ୍କ ଆତ୍ମସମର୍ପଣ ନୀତି ଅନୁଯାଯୀ ୧୫ ହଜାର ଲେଖାଏଁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି ।
ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରେ ଲଷ୍ମୀ ବନଜାମି, ସନ୍ନି ଓରଫ ଜମଲି ପଡ଼ିଆମୀ ଓ ଅନିମା ଓସେଡି ଛତିଶଗଡ଼ ନେଲନାର ଏରିଆ କମିଟି ସଦସ୍ୟ ସୁକାୟ ପଡ଼ିଆମୀ, କୁତୁଳ କମିଟି ସଦସ୍ୟ ଓ କୁମ୍ମେ ପଡ଼ିଆମୀ ପରଲକୋଟ କମିଟିର ସଦସ୍ୟ ଥିବା ଜଣାପଡ଼ିଛି ।
📱 Get Argus News App
✨
ସେହିଭଳି ଦନ୍ତେୱାଡ଼ା ଜିଲ୍ଲାରେ ୨୬ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ୨୬ ମାଓବାଦୀଙ୍କ ଉପରେ ସରକାରଙ୍କ ପକ୍ଷରୁ ୪ ଲକ୍ଷ ୫୦ ହଜାର ଟଙ୍କା ପୁରସ୍କାର ରାଶି ରଖା ଯାଇଥିଲା । ଛତିଶଗଡ଼ ସରକାରଙ୍କ ଆତ୍ମସମର୍ପଣ ନୀତି ଅନୁଯାୟୀ ୫୦ ହଜାର ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ସମସ୍ତଙ୍କୁ ପ୍ରଦାନ କରାଯାଇଛି ।
ଚଳିତ ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ଛତିଶଗଡ଼ରେ ଏକାଧିକ ଗୁଳିବିନିମୟ ହୋଇଥିବା ବେଳେ ୧୨୦ରୁ ଅଧିକ ମାଓବାଦୀ ନିହତ ହୋଇଛନ୍ତି । ମାଓ ବିରୋଧୀ ଅପରେସନ୍କୁ ସଫଳତା ମିଳୁଥିବା ବେଳେ ମାଓବାଦୀ ବି ସଂଗଠନ ଛାଡ଼ୁଛନ୍ତି । ଯାହାକି ୨୦୨୬ ସୁଦ୍ଧା ଦେଶକୁ ମାଓ ମୁକ୍ତ କରିବାକୁ କେନ୍ଦ୍ର ସରକାର ଦେଇଥିବା ଆହ୍ଵାନକୁ ବଳ ଦେଉଛି ।