31 ନକ୍ସଲ ହେଲେଣି ନିପାତ, ଆଉ କାହାରିକୁ ବି ମିଳିବନି ନିସ୍ତାର

Key Points
ଦେଶରେ ଶେଷ ନିଃଶ୍ବାସ ନେଉଛି ମାଓବାଦ
ଛତିଶଗଡ଼ ବିଜାପୁର ଇନ୍ଦ୍ରାବତୀ ଜାତୀୟ ଉଦ୍ୟାନରୁ ସାମ୍ନାକୁ ଆସିଲା ପ୍ରମାଣ
3 ଦିନ ହେଲା ନକ୍ସଲ ବିରୋଧୀ ଅପରେସନରେ ଲାଗିଛନ୍ତି 700ରୁ ଅଧିକ ଯବାନ
31 ନକ୍ସଲ ହେଲେଣି ନିପାତ, ଆଉ କାହାରିକୁ ବି ମିଳିବନି ନିସ୍ତାର
ବିକାଶ ରାସ୍ତାରେ କଣ୍ଟା ସାଜିଥିବା ମାଓବାଦୀଙ୍କୁ ଚେତାବନୀ ଦେଇଛନ୍ତି ଅମିତ୍ ଶାହ
ସୁଧୁରି ନ ଗଲେ 2026 ମାର୍ଚ୍ଚ ସୁଦ୍ଧା ସମୂଳେ ହେବେ ବିନାଶ
ଛିନଛତ୍ର ହୋଇ ପଡ଼ିଥିବା ନକ୍ସଲଙ୍କ ପୋଷାକ, ଜୋତା, ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ। ଖିନ୍ ଭିନ୍ ହୋଇ ଭାଙ୍ଗି, ଫାଟି ପଡ଼ିଥିବା ମାଓବାଦୀ ବ୍ୟବହାର କରୁଥିବା ବାସନ ଓ ଖାଦ୍ୟ ସାମଗ୍ରୀ। ତା ସାଙ୍ଗକୁ ସାଲାଇନ୍ ବୋତଲ, ଔଷଧ ଓ ଇଞ୍ଜେକସନ୍। ମାଟି ଉପରେ ବିଛାଡ଼ି ହୋଇ ପଡ଼ିଥିବା ମାଓ ପୋଷ୍ଟର। ଗଛରେ ବାଜି ଛାଲ ଉତାରି ଦେଇଥିବା ଏ ଗୁଳି ଚିହ୍ନ । ଏ ସବୁ ଚିତ୍ର ପ୍ରମାଣ କରୁଛି ସୁରକ୍ଷା ବାହିନୀଙ୍କ ଅପରେସନରେ କେମିତି ଧ୍ବସ୍ତ ବିଧ୍ବସ୍ତ ହୋଇଛି ବଡ଼ ନକ୍ସଲ କ୍ୟାମ୍ପ୍ । ଏ ଚିତ୍ର ହେଉଛି ଛତିଶଗଡ଼ ବିଜାପୁର ଇନ୍ଦ୍ରାବତୀ ଜାତୀୟ ଉଦ୍ୟାନର। ଅତ୍ୟନ୍ତ ଦୁର୍ଗମ ଓ ଘଞ୍ଚ ଜଙ୍ଗଲ ପରିପୂର୍ଣ୍ଣ ଅଞ୍ଚଳ । ତା ଭିତରେ ଥିଲା ଏହି ମେଗା ମାଓ କ୍ୟାମ୍ପ। କ୍ୟାମ୍ପ ତ ନୁହେଁ ପୁରା ଲାଲ୍ ସାମ୍ରାଜ୍ୟ ଖେଳାଇଥିଲେ ମାଓବାଦୀ। ସ୍ମାରକୀ ନିର୍ମାଣ କରିଥିଲେ। ଘଞ୍ଚ ଜଙ୍ଗଲ ଭିତରେ ଗଛ କାଟି ଚଳାଇଥିଲେ ତାଲିମ ଶିବିର।
ମହାରାଷ୍ଟ୍ର ସୀମାକୁ ଲାଗିଥିବା ଛତିଶଗଡ଼ ବିଜାପୁର ଓ ନାରାୟଣପୁର ମଧ୍ୟବର୍ତ୍ତୀ ଜଙ୍ଗଲରେ ଠୁଳ ହୋଇଥିଲେ ବହୁ ସଂଖ୍ୟାରେ ମାଓବାଦୀ। ହିଂସା ମାଧ୍ୟମରେ ଆଗାମୀ ନିର୍ବାଚନକୁ ପ୍ରଭାବିତ କରିବା ଥିଲା ଏମାନଙ୍କର ଲକ୍ଷ୍ୟ। ଏ ନେଇ ଗୁଇନ୍ଦା ସୂଚନା ପାଇବା ପରେ ସପ୍ତାହେ ହେଲା ଜଙ୍ଗଲ ଭିତରେ ଚାଲିଥିଲା ସର୍ଚ୍ଚ ଅପରେସନ । ସାମିଲ ଥିଲେ 700 ଯବାନ । ରବିବାର ସକାଳେ ଇନ୍ଦ୍ରାବତୀ ଜାତୀୟ ଉଦ୍ୟାନରେ ପଶିଥିଲେ ଯବାନ । ନକ୍ସଲଙ୍କ ସହ ଗୁଳି ବିନିମୟ ହେଲା । 2 ଜଣ ଯବାନ ସହିଦ ହୋଇଥିବାବେଳେ ନିପାତ ହେଲେ 11 ଜଣ ମହିଳାଙ୍କ ସମେତ ମୋଟ 31 ନକ୍ସଲ। ଜବତ ହେଲା ବିପୁଳ ପରିମାଣର ମାଓସାମଗ୍ରୀ, ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ।
ଧାଡ଼ି ଧାଡ଼ି ହୋଇ ରହିଥିବା ନକ୍ସଲଙ୍କ ଏ ମୃତଦେହ, ଜବତ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଆଉ ଖିନ୍ ଭିନ୍ ଏ ନକ୍ସଲ କ୍ୟାମ୍ପ ହେଉଛି ପ୍ରମାଣ କେମିତି ଦେଶରେ ଶେଷ ନିଃଶ୍ବାସ ନେଉଛି ମାଓବାଦ। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ବିକାଶ ରାସ୍ତାରେ ମାଓବାଦ ମୂଳ କଣ୍ଟା। ବିକାଶର ପଥରୋଧ କରିବା ମାଓବାଦର ଏକମାତ୍ର ଏଜେଣ୍ଡା। ଫଳରେ ଦୁର୍ଗମ ଅଞ୍ଚଳରେ ରାସ୍ତା ନିର୍ମାଣ ବାଟରେ ବାରମ୍ବାର ପ୍ରତିବନ୍ଧକ ସୃଷ୍ଟି କରନ୍ତି ନକ୍ସଲ। କାରଣ ରାସ୍ତା ବିନା ପହଞ୍ଚିପାରିବନି ବିକାଶର ଅନ୍ୟ ଉପାଦାନ। କିନ୍ତୁ ବିକାଶକୁ ମୂଳ ଏଜେଣ୍ଡା କରିଥିବା ମୋଦି ସରକାର ମାଓବାଦୀଙ୍କୁ ଦେଇଛନ୍ତି ଚରମ ଚେତାବନୀ।
📱 Get Argus News App
✨ସୁଧୁରି ନ ଗଲେ 2026 ମାର୍ଚ୍ଚ ସୁଦ୍ଧା ନକ୍ସଲବାଦର ମୂଳୋତ୍ପାଟନ ପାଇଁ ସୁରକ୍ଷା ବାହିନୀଙ୍କୁ ଟାର୍ଗେଟ୍ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ।ଛତିଶଗଡ ବିଜାପୁରରେ ଏବେ ବି ଜାରି ରହିଛି ସର୍ଚ୍ଚ ଅପରେସନ୍ । ଏଠାରେ ନିପାତ 31 ମାଓବାଦୀଙ୍କୁ ମିଶାଇ ଛତିଶଗଡ଼ରେ ଚାଲିଥିବା ନକ୍ସଲ ବିରୋଧୀ ଅପରେସନରେ ଚଳିତ ବର୍ଷର ପ୍ରଥମ 40 ଦିନ ଭିତରେ ନିପାତ ହେଲେଣି 86 ଜଣ ମାଓବାଦୀ ।