ମୁଡିଜ୍ ପକ୍ଷରୁ ଆଦାନୀ ଗ୍ରୁପର ୪ କମ୍ପାନୀକୁ ଆଶ୍ବସ୍ତି

ଅର୍ଗସ ବ୍ୟୁରୋ: ଆଦାନୀ ଗ୍ରୁପ ଚେୟାରମ୍ୟାନ ଗୌତମ ଆଦାନୀଙ୍କ ପାଇଁ ବିଦେଶରୁ ଆସିଲା ଖୁସି ଖବର। ଅନ୍ତର୍ଜାତୀୟ କ୍ରେଡିଟ୍ ରେଟିଂ ଏଜେନ୍ସି ମୁଡିଜ୍ ପକ୍ଷରୁ ଆଦାନୀ ଗ୍ରୁପର ୪ କମ୍ପାନୀକୁ ଆଶ୍ବସ୍ତି। ବର୍ଷକ ପରେ ମୁଡିଜ୍ ତାର ଆଉଟଲୁକରେ ସଂଶୋଧନ କରିଛି । ସମୟ ଅନୁସାରେ ଋଣ ପରିଶୋଧ ଏବଂ ପାଣ୍ଠି ଯୋଗଡ଼ କ୍ଷମତାକୁ ନେଇ କ୍ରେଡିଟ୍ ରେଟିଂ ଏଜେନ୍ସି ନେଗେଟିଭ୍ ପରିବର୍ତ୍ତେ ଷ୍ଟେବଲ୍ କହିଛି ।
ଯେଉଁ ୪ କମ୍ପାନୀକୁ ନେଇ ମୁଡିଜ୍ ଷ୍ଟେବଲ୍ ରେଟିଂ ଦେଇଛି ସେଗୁଡିକ ହେଲା, ଆଦାନୀ ଗ୍ରୀନ ଏନର୍ଜି, ଆଦାନୀ ଗ୍ରୀନ ଏନର୍ଜି ରେଷ୍ଟ୍ରିକେଟ୍ ଗ୍ରୁପ ଏବଂ ଆଦାନୀ ଇଲେକ୍ଟ୍ରିସିଟି କମ୍ପାନୀର ରେଟିଂରେ ପରିବର୍ତ୍ତନ ହୋଇଛି । ଏନେଇ ମୁଡିଜ୍ ଇନଭେଷ୍ଟର୍ସ ସର୍ଭିସ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆଦାନୀ ଗ୍ରୁପର ବାକି ୮କମ୍ପାନୀ ପାଇଁ ମୁଡିଜ୍ ରେଟିଂ ପୂର୍ବ ଭଳି ଷ୍ଟେବଲ୍ ରହିଛି ।
ରିପୋର୍ଟରେ କୁହାଯାଇଛି ଯେ, ଆଦାନୀ ଗ୍ରୁପ ତାର ଆର୍ଥିକ ଶକ୍ତି ଏବଂ ପାଣ୍ଠି ସଂଗ୍ରହ କରିବାର କ୍ଷମତା ପ୍ରଦର୍ଶନ କରିସାରିଛି। ଏବଂ ଗତ ଏକ ବର୍ଷ ମଧ୍ୟରେ ଅନେକ ଋଣ କାରବାର ଚୁଡାନ୍ତ କରିପାରିଛି କମ୍ପାନୀ। ରିଫାଇନାନ୍ସିଂ ଏବଂ ଏକାଧିକ ନୂଆ ଋଣ ହାତେଇବାରେ ସଫଳ ହୋଇଛି ଆଦାନୀ ଗ୍ରୁପ । ସମାନ ଭାବେ ବଡ ଧରଣର ଇକ୍ୟୁଟି ଟ୍ରାନଜାକ୍ସନ ବଡ ନିବେଶକ ସଂସ୍ଥା ପକ୍ଷରୁ କରାଯାଇଛି। ଯାହା ମଧ୍ୟରେ ଜିକ୍ୟୁଜି ଏବଂ କାତାର୍ ଇନଭେଷ୍ଟମେଣ୍ଟ ଅଥରିଟି ଅନ୍ତର୍ଭୁକ୍ତ ।
କ୍ରେଡିଟ୍ ରେଟିଂ ଏଜେନ୍ସି ପକ୍ଷରୁ ଏହି ରେଟିଂ ପରେ ଆଦାନୀ ଗ୍ରୁପ ଷ୍ଟକ ଦରରେ ବୃଦ୍ଧି ହୋଇଛି । ବର୍ଷକ ତଳେ ସର୍ଟ ସେଲର୍ ହିଣ୍ଡେନବର୍ଗ ଅଭିଯୋଗ ପରେ ମୁଡିଜ୍ ପକ୍ଷରୁ ନେଗେଟିଭ୍ ରେଟିଂ ଦିଆଯାଇଥିଲା । ଆଦାନୀ ଗ୍ରୁପକୁ ବର୍ତ୍ତମାନ ସୁପ୍ରିମକୋର୍ଟଙ୍କ ପକ୍ଷରୁ କ୍ଲିନ ଚିଟ୍ ମିଳିଛି । ସେହିପରି ସେୟାର ମ୍ୟାନୁପୁଲେସନ୍ ନେଇ କୌଣସି ପ୍ରକାର ନିୟମ ଉଲଂଘନ ହୋଇନଥିବା କହିସାରିଛି ମାର୍କେଟ୍ ରେଗୁଲେଟର୍ ସେବି। ତେବେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଆଦାନୀ ଗ୍ରୁପ କମ୍ପାନୀ ଗୁଡିକର ନିମ୍ନଗାମୀ ହେବାର ବିପଦକୁ ଟାଳିବାରେ ସକ୍ଷମ ହୋଇପାରିଛି ।