କ୍ୟାପଟେନ୍ ବ୍ରିଜେଶ୍ ଥାପ୍ପାଙ୍କ ସହ ସହିଦ ହୋଇଛନ୍ତି ଆମର 4 ଜଣ ଯବାନ

ଅର୍ଗସ ବ୍ୟୁରୋ: ଜଣେ ସହିଦଙ୍କ ବାପାଙ୍କ ନାରା। ଦିନକ ତଳେ ଯାହାଙ୍କଠାରୁ ଦୂରେଇ ଯାଇଛି ତାଙ୍କ ଜୀବନର ସାହା, ଯାହାଙ୍କର ହୋଇଛି ସବୁଠାରୁ ବଡ଼ କ୍ଷତି। କିନ୍ତୁ ତାଙ୍କ ମନରେ ନା ଅଛି ଅବଶୋଷ ନା ଭବିଷ୍ୟତ ଚିନ୍ତା। କାରଣ ଭାରତ ମାର ସୁରକ୍ଷା ପାଇଁ ସବୁଠାରୁ ବଡ଼ ବଳିଦାନ ଦେଇଛି ତାଙ୍କର ପୁଅ। କ୍ୟାପଟେନ୍ ବ୍ରିଜେଶ ଥାପ୍ପା। ଜମ୍ମୁର ଡୋଡାରେ ଆତଙ୍କବାଦୀଙ୍କ ସହ ସଂଘର୍ଷରେ ସହିଦ ହୋଇଥିବା 4 ଜଣ ଯବାନଙ୍କ ମଧ୍ୟରୁ ଜଣେ । ମାତ୍ର 26 ବର୍ଷର ଆର୍ମି ଅଫିସର ବ୍ରିଜେଶ୍ ଥାପ୍ପା। ଦାର୍ଜିଲିଂର ବାସିନ୍ଦା। ତାଙ୍କ ପରିବାରର 3 ପିଢ଼ି ସେନାରେ ସେବାଦାନ କରିଛନ୍ତି। ଆର୍ମି ଡେରେ ଜନ୍ମ ନେଇଥିବା ବ୍ରିଜେଶ ଥାପ୍ପାଙ୍କ ବାପା କର୍ଣ୍ଣେଲ୍ ରାଙ୍କରେ ଅବସର ନେଇଥିଲେ।ପୁଅ ଦେଶ ପାଇଁ ସହିଦ ହେଲେ। ତାକୁ ନେଇ ଗର୍ବିତ ପରିବାର। ମା ବି ଛାତିରେ ପଥର ରଖିସାରିଛନ୍ତି । କିନ୍ତୁ ପୁଅର ପାର୍ଥିବ ଶରୀର ପହଞ୍ଚିବା ପରେ ଆଉ ସମ୍ଭାଳି ହେଲାନି କୋହ। ଦିନକ ତଳେ ପୁଅ ସହ କଥା ହୋଇଥିଲେ ବାପା। କିନ୍ତୁ ଜାଣିନଥିଲେ ଏଥର ଶେଷ ଥର ପାଇ ପୁଅ ସହ କଥା ହେଉଛନ୍ତି। କ୍ୟାପଟେନ୍ ଥାପ୍ପାଙ୍କ ଦାଦା ବି ତାଙ୍କ ପୁତୁରାର ସ୍ମୃତିରେ ହୋଇଉଠିଛନ୍ତି ଭାବୁକ।
ମଙ୍ଗଳବାର ଜାମ୍ମୁ କାଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା ଏନକାଉଣ୍ଟରରେ ସହିଦ ସବୁ ଯବାନଙ୍କ ଲୋତକପୂର୍ଣ୍ଣ ନୟନରେ ଶ୍ରଦ୍ଧାଞ୍ଜଳି ଦେଲେ। ସବୁ ସହିଦ ଯବାନଙ୍କୁ ଗାର୍ଡ ଅଫ୍ ଅନର ଦିଆଗଲା। ଜାମ୍ମୁ କାଶ୍ମୀରର ଡୋଡାରେ 15 ଜୁଲାଇ ରାତିରେ ଘନ ଜଙ୍ଗଲ ଭିତରେ ଆତଙ୍କବାଦୀ ଓ ସୁରକ୍ଷା ବାହିନୀଙ୍କ ମଧ୍ୟରେ ହୋଇଥିଲା ଜୋରଦାର ସଂଘର୍ଷ। ଏହି ଏନକାଉଣ୍ଟରର ସମୟରେ ଆତଙ୍କବାଦୀଙ୍କୁ ନିପାତ କରିବାକୁ ଯାଇଥିବା ଆମର 4 ଜଣ ଯବାନ ସହିଦ ହେଲେ । ଏହି ଏନକାଉଣ୍ଟରରେ କ୍ୟାପଟେନ୍ ବ୍ରିଜେଶ ଥାପ୍ପା, ନାଏକ ଡି ରାଜେଶ, ସିପାହୀ ବ୍ରିଜେନ୍ଦ୍ର ଓ ଅଜୟ ନରୁକା ବଳିଦାନ ଦେଲେ। ଜାମ୍ମୁ କାଶ୍ମୀର ପୋଲିସ ସ୍ପେଶାଲ୍ ଅପରେସନ୍ ଗ୍ରୁପ ଜଣେ ଯବାନ ବି ଏହି ସଂଘର୍ଷରେ ବୀରଗତି ପ୍ରାପ୍ତ ହେଲେ।
ସହିଦ 4 ଜଣ ଯବାନଙ୍କ ମଧ୍ୟରେ ଜଣେ ରାଜସ୍ଥାନ ଝୁନଝୁନୁ ଜିଲ୍ଲାର ବାସିନ୍ଦା ଅଜୟ ନରୁକା। 6 ବର୍ଷ ତଳେ ସେନାରେ ସାମିଲ ହୋଇଥିଲେ। ଅଜୟ ନରୁକାଙ୍କ ବାପା କମଲ ସିଂ ନରୁକା ବି ସେନାରେ ଥିଲେ। ତାଙ୍କ ବଳିଦାନର ଖବରରେ ପୁରା ଝୁନଝୁନୁରେ ଖେଳିଯାଇଛି ଶୋକର ଲହରୀ। ପରିବାର ଏକଥା ମାନିବାକୁ ପ୍ରସ୍ତୁତ ନୁହେଁ ଯେ ପୁଅ ତାଙ୍କର ଆଉ କେବେ ବି ଫେରିବ ନାହିଁ। ସେହି ଝୁନଝୁନୁର ବାସିନ୍ଦା ସହିଦ ଯବାନ ବ୍ରିଜେନ୍ଦ୍ର ସିଂଙ୍କ ଘରେ ବି ଶୋକର ଛାୟା। ସେ 2018ରେ ସେନାରେ ସାମିଲ ହୋଇଥିଲେ। ରାଷ୍ଟ୍ରୀୟ ରାଇଫଲ୍ସର 10ମ ୟୁନିଟରେ ମୁତୟନ ଥିଲେ। ତାଙ୍କ ଭାଇ ଦଶରଥ ସିଂ ବି ସେନାବାହିନୀରେ ଅଛନ୍ତି। ବ୍ରିଜେନ୍ଦ୍ରଙ୍କ ବିବାହ 2019ରେ ହୋଇଥିଲା। ତାଙ୍କର ଦୁଇ ଛୋଟ ଛୋଟ ସନ୍ତାନ ବି ଅଛନ୍ତି।
📱 Get Argus News App
✨ଅଧିକ ପଢ଼ନ୍ତୁ ଦେଶ ଖବର: