Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Republic Day / ସ୍ଵାଧୀନତା ପରେ ପ୍ରଥମଥର ଜାତୀୟ ପତାକା ଉଡ଼ାଇଲେ ୪୧ଟି ଗାଁର ଗ୍ରାମବାସୀ

Sushanta Sahoo
Browse all articles by Sushanta Sahoo
·5 months ago·2 min read
ସ୍ଵାଧୀନତା ପରେ ପ୍ରଥମଥର ଜାତୀୟ ପତାକା ଉଡ଼ାଇଲେ ୪୧ଟି ଗାଁର ଗ୍ରାମବାସୀ
Republic Day Brings Freedom to 41 Villages After 78 Years

Key Points

ସ୍ଵାଧୀନ ଭାରତ ଭିତରେ ଏହା ଥିଲା ଏକ ପରାଧୀନ ଭୂ-ଖଣ୍ଡ । ଯେଉଁଠିକାର ଏକାଧିକ ଗାଁର ଲୋକେ ସ୍ଵାଧୀନ ଭାରତରେ ରହୁଥିଲେ ସତ କିନ୍ତୁ ଉଡ଼ାଇ ପାରୁନଥିଲେ ତ୍ରିରଙ୍ଗା ।
ରାୟପୁର: ଦେଶ ସ୍ଵାଧୀନତାକୁ ୭୮ ବର୍ଷ ବିତିଲାଣି । କିନ୍ତୁ ସେମାନେ ଆଜି ଯାଏଁ ପରାଧୀନ ଥିଲେ । ସ୍ଵାଧୀନ ଭାରତ ଭିତରେ ଏହା ଥିଲା ଏକ ପରାଧୀନ ଭୂ-ଖଣ୍ଡ । ଯେଉଁଠିକାର ଏକାଧିକ ଗାଁର ଲୋକେ ସ୍ଵାଧୀନ ଭାରତରେ ରହୁଥିଲେ ସତ କିନ୍ତୁ ଉଡ଼ାଇ ପାରୁନଥିଲେ ତ୍ରିରଙ୍ଗା ।

ବର୍ଷ ବର୍ଷର ପ୍ରତୀକ୍ଷା ପରେ ଏବେ ୪୧ ଖଣ୍ଡ ଗାଁ ପାଇଁ ଗଣତନ୍ତ୍ର ଦିବସ ଆଣି ଦେଇଛି ଗୌରବର ମୁହୂର୍ତ୍ତ । ଯେଉଁ ମୁହୂର୍ତ୍ତକୁ ଏହି ଭୂ-ଖଣ୍ଡର ଲୋକେ ଦୀର୍ଘ ବର୍ଷରୁ ଚାତକ ପରି ଚାହିଁ ରହିଥିଲେ ।

ଏଥିସହ ପଢ଼ନ୍ତୁ: ଗଣତନ୍ତ୍ର ଦିବସ ପରେଡ୍ ବେଳେ ଧସିଥିଲା ଏକାଧିକ ବହୁତଳ କୋଠା

ଏହି ଅଞ୍ଚଳ ହେଉଛି ଓଡ଼ିଶାର ପଡ଼ୋଶୀ ଛତିଶଗଡ଼ର ବିଜାପୁର, ନାରାୟଣପୁର ଓ ସୁକମା ଜିଲ୍ଲା । ଏହି ୩ ଜିଲ୍ଲାର ପ୍ରାୟ ୪୧ ଖଣ୍ଡ ଗାଁ ପ୍ରଥମଥର ପାଇଁ ଜାନୁଆରୀ ୨୬ରେ ତ୍ରିରଙ୍ଗା ଉଡ଼ାଇ ସାଧାରଣତନ୍ତ୍ର ଦିବସ ସମାରୋହରେ ସାମିଲ୍ ହୋଇଛନ୍ତି ।

ବିଗତ ୨ ବର୍ଷ ହେଲା ଏଥିପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ସମନ୍ଵିତ ରଣନୀତି ଆପଣାଇଥିଲେ । ସୁରକ୍ଷାକର୍ମୀଙ୍କ ନିରନ୍ତର ଅଭିଯାନ ଫଳରେ ଅଞ୍ଚଳରେ ସୁରକ୍ଷା ସ୍ଥିତିରେ ବେଶ୍ ସୁଧାର ଆସିଛି ।

ଛତିଶଗଡ଼ର ଏହି ଅଞ୍ଚଳ ଦଶନ୍ଧି ଦଶନ୍ଧି ଧରି ବାମପନ୍ଥୀ ତଥା ନକ୍ସଲଙ୍କ କବ୍‌ଜାରେ ରହିଥିଲା । ଉକ୍ତ ମାଓ ପ୍ରଭାବିତ ଅଞ୍ଚଳରେ ପ୍ରାୟ ୫୯ଟି ନୂଆ ସୁରକ୍ଷା ଶିବିର ପ୍ରତିଷ୍ଠା କରାଯାଇଛି । ଫଳରେ ପ୍ରଶାସନ ଓ ସୁରକ୍ଷା ସୁନିଶ୍ଚିତ ହୋଇ ପାରିଛି । ସ୍ଥାନୀୟ ଲୋକଙ୍କ ସହଯୋଗ ଫଳରେ ମିଳିଛି ଐତିହାସିକ ଉପଲବ୍ଧି ।

ଗତବର୍ଷ ଏହି ଅଞ୍ଚଳର ୫୩ଟି ଗାଁ ଗଣତନ୍ତ୍ରର ମହାନ ପର୍ବରେ ସାମିଲ୍ ହୋଇଥିଲେ । ଚଳିତବର୍ଷ ଆଉ ୪୧ଟି ଗାଁ ଏଥରକ ଯୋଡ଼ି ହୋଇଛନ୍ତି । ଲାଲଗଡ଼ରେ ଫର୍ ଫର୍ ହୋଇ ତ୍ରିରଙ୍ଗା ଉଡ଼ିଛି । ଜାତୀୟ ପତାକା ତଳେ ଛିଡ଼ା ହୋଇ ବସ୍ତରର ୪୧ଟି ଗାଁରେ ଲୋକେ ଗଣତନ୍ତ୍ର ଦିବସ ମନାଇଛନ୍ତି ।

ଏଥିସହ ପଢ଼ନ୍ତୁ: ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ; ତ୍ରିରଙ୍ଗା ଉଡ଼ାଇଲେ ରାଜ୍ୟପାଳ

ଆଉ ନାହିଁ ନକ୍ସଲ ଡର


ବସ୍ତରର ଏହି ଦୁର୍ଗମ ଅଞ୍ଚଳରେ ପୂର୍ବରୁ ରାଷ୍ଟ୍ରୀୟ ପର୍ବ ପାଳନ ସମ୍ଭବ ହେଉ ନଥିଲା । ଏବେ ଅଞ୍ଚଳ ନକ୍ସଲବାଦରୁ ମୁକୁଳୁଥିବା ବେଳେ ଚିତ୍ର ବଦଳୁଛି । ସୁରକ୍ଷାକର୍ମୀଙ୍କ ସ୍ଥାୟୀ ଉପସ୍ଥିତି ଯୋଗୁ ମାଓ ଶିବିର ଦୁର୍ବଳ ହେଉଛି ।

ବିଜାପୁର ଜିଲ୍ଲାର ଉଲ୍ଲୁର, ଚିଲମସକା, ପେଦ୍ଦାକୋମରା, କୋମାଗୁଡ଼ା, ବେଲନାର, ତାଡ଼ପାଳ, କୋଡାପାଲି, ଦନ୍ତେୱାଡ଼ାର ପିଲ୍ଲୁର, ଡୋଡିସୁମାର, କମାଲୁର, ନାରାୟଣପୁର-ଓରଛାର ପଲୱାୟା, ଏଡୁମ, ଈଦୱାୟା, କୁକଡ଼ମେଲ ଆଦି ଗାଁ ପ୍ରଥମଥର ପାଇଁ ଗଣତନ୍ତ୍ର ଦିବସରେ ତ୍ରିରଙ୍ଗା ଉଡ଼ାଇ ରାଷ୍ଟ୍ରୀୟ ପର୍ବରେ ସାମିଲ୍ ହୋଇଛନ୍ତି । ଯାହାକୁ ସୁରକ୍ଷା ବ୍ୟବସ୍ଥା ଓ ଗଣତନ୍ତ୍ର ବଡ଼ ସଫଳତା ବିବେଚନା କରାଯାଉଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
41 Villages Hoist National Flag for First Time Since Independence | Argus News | Argus News