୬ ସପ୍ତାହରେ ହେଲାଣି ୫ଟି ଦୁର୍ଘଟଣା,ଗଲାଣି ୧୩ ଜୀବନ

Key Points
ପୁଣି କେଦାରନାଥରେ ବଡ଼ ଅଘଟଣ
ମଝି ଅକାଶରେ କ୍ରାସ୍ ହେଲା ହେଲିକପ୍ଟର
ପାଇଲଟଙ୍କ ସମେତ ପ୍ରାଣ ହରାଇଲେ ୭ ଜଣ
ଖରାପ ପାଗ କାରଣରୁ ଦୁର୍ଘଟଣା ଘଟିଥିବା ଆଶଙ୍କା
ଆଗାମୀ ନିର୍ଦ୍ଦେଶ ଯାଏଁ ହେଲିକପ୍ଟର ସେବା ବନ୍ଦ କଲା DGCA
୬ ସପ୍ତାହ ମଧ୍ୟରେ ହେଲାଣି ୫ଟି ଦୁର୍ଘଟଣା,ଗଲାଣି ୧୩ ଜୀବନ
ରବିବାର, ସମୟ ସକାଳ ୫ଟା ୧୭। କେଦାରନାଥ ହେଲିପ୍ୟାଡ୍ରୁ ଗୁପ୍ତକାଶୀ ହେଲିପ୍ୟାଡ୍କୁ ଉଡ଼ାଣ ଭରିଥିଲା ଆର୍ଯ୍ୟନ ଏଭିଏସନ କମ୍ପାନୀର ହେଲିକପ୍ଟର । ଆଉ ଏଥିରେ ୬ ଜଣ ଯାତ୍ରୀଙ୍କ ସମେତ ଜଣେ ପାଇଲଟକୁ ମିଶାଇ ଥିଲେ ମୋଟ ୭ ଜଣ । ୧୦ ମିନିଟ ଉଡ଼ାଣ ଭରିବା ପରେ ଖରାପ ପାଗ କାରଣରୁ ହେଲିକପ୍ଟରଟିକୁ ଜରୁରୀକାଳୀନ ହାର୍ଡ଼ ଲ୍ୟାଣ୍ଡିଂ କରିବାକୁ ପଡ଼ିଥିଲା । କେଦାରଘାଟୀରେ ଘନ କୁହୁଡ଼ି ଏବଂ ଜୋରରେ ପବନ ବୋହିବା ଯୋଗୁଁ ଗୌରୀକୁଣ୍ଡ-ସୋନପ୍ରୟାଗ ମଝି ଜଙ୍ଗଲରେ ଲ୍ୟାଣ୍ଡିଂ ବେଳେ କ୍ରାସ ହୋଇଯାଇଥିଲା । ଆଉ ଖବର ମିଳିବା ପରେ ରେସ୍କ୍ୟୁ ଟିମ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ପାଇଁ ପହଁଚିଥିଲେ ବି ହେଲିକପ୍ଟରରେ ଥିବା ୭ ଜଣଙ୍କର ମୃତ୍ୟୁ ହୋଇଯାଇଥିଲା ।
ଚଳିତ ବର୍ଷ ମେ ୨ରୁ ଆରମ୍ଭ ହୋଇଥିଲା ଚାରଧାମ ଯାତ୍ରା । ଆଉ ଗତ ୬ ସପ୍ତାହ ମଧ୍ୟରେ ଏହା ହେଉଛି ପଞ୍ଚମ ଦୁର୍ଘଟଣା । ଏଯାଏଁ ଏ ସମସ୍ତ ଘଟଣାରେ ୧୩ ଜଣଙ୍କର ଜୀବନ ଗଲାଣି । ଗତ ଜୁନ ୭ରେ ବି କିଛି ଯାନ୍ତ୍ରିକ ତ୍ରୁଟି କାରଣରୁ ରାସ୍ତା ମଝିରେ ଓହ୍ଲାଇଥିଲା ଏକ ହେଲିକପ୍ଟର । ଏକ କାର୍ ଉପରେ ହେଲିକପ୍ଟର ଟି ପଡ଼ିବା ସହ ଏହାର ପଛ ଅଂଶ ଭାଙ୍ଗିଯାଇଥିଲା । ଯେଉଁଥିରେ ୨ ଜଣ ଏମ୍ସ ଡାକ୍ତରଙ୍କ ସହ ପାଇଲଟ ଅଳ୍ପକେ ବଞ୍ଚିଯାଇଥିଲେ । ତେବେ ହେଲିକ୍ୟାପ୍ଟର ଦୁର୍ଘଟଣାକୁ ଗୁରୁତର ଭାବେ ନେବା ସହ ହେଲିକ୍ୟାପ୍ଟର ଚଳାଚଳ ପାଇଁ SOP ଆସିବ ବୋଲି କହିଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ । ହେଲିକ୍ୟାପ୍ଟର ଯାତ୍ରା ପୂର୍ବରୁ ଯାଞ୍ଚ ସହ ପାଣିପାଗର ମଧ୍ୟ ଅନୁଧ୍ୟାନ କରାଯିବ। ବିଶେଷଜ୍ଞମାନଙ୍କୁ ନେଇ ଏକ କମିଟି ଗଠନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ତେବେ ବାରମ୍ବାର ଏପରି ଦୁର୍ଘଟଣା ହେଉଥିବାରୁ DGCA ପକ୍ଷରୁ ଆଗାମୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ହେଲିକେପ୍ଟର ସେବାକୁ ବନ୍ଦ କରାଯାଇଛି ।
ସେପଟେ ଖୁବଶୀଘ୍ର ସାମ୍ନାକୁ ଆସିବ ଅହମଦାବାଦ ପ୍ଲେନ କ୍ରାସର ରହସ୍ୟ । କେମିତି ହେଲା ଦୁର୍ଘଟଣା ତାକୁ ନେଇ ଘଟଣାସ୍ଥଳରେ ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ ଇନଭେଷ୍ଟିଗେସନ୍ ବ୍ୟୁରୋ ଟିମ୍ ତଦନ୍ତ ଚଳାଇଛି । ବ୍ଲାକ ବକ୍ସ ଡିକୋଡିଂ ପରେ ଦୁର୍ଘଟଣାର କାରଣ ସମ୍ପର୍କରେ ଅଧିକ ସୂଚନା ମିଳିବ ବୋଲି କହିଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡୁ ।
ଏପଟେ ମୃତକଙ୍କ ମଧ୍ୟରୁ ୧୧ଜଣଙ୍କ DNA ମ୍ୟାଚ ହୋଇସାରିଛି । DNA ମ୍ୟାଚ ପରେ ସମ୍ପର୍କୀୟଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି । ଦୁର୍ଘଟଣାଗ୍ରସ୍ତ ବିମାନରେ ଥିବା ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀଙ୍କ ମୃତଦେହ ସହ ବି ତାଙ୍କ ଡିଏନଏ ମେଳ ହୋଇଛି । ମୃତଦେହକୁ ଖୁବଶୀଘ୍ର ପରିବାରକୁ ହସ୍ତାନ୍ତର କରାଯିବା ସହ ଆସନ୍ତାକାଲି ରାଜ୍ୟ ପ୍ରୋଟୋକଲ୍ ସହିତ ରାଜକୋଟ ନିଆଯିବ ଏବଂ ରାଷ୍ଟ୍ରୀୟ ସମ୍ମାନ ସହିତ ଶେଷକୃତ୍ୟ କରାଯିବ ।
ଅହମଦାବାଦ ବିମାନ ଦୁର୍ଘଟଣାରେ ୨୪୧ ଜଣଙ୍କ ପ୍ରାଣ ଯାଇଥିଲା ବେଳେ ଉତ୍ତରାଖଣ୍ଡରେ ୬ ସପ୍ତାହରେ ୫ ଥର ହେଲିକ୍ୟାପ୍ଟର ଦୁର୍ଘଟଣାରେ ଗଲାଣି ୧୩ ଜଣଙ୍କ ଜୀବନ । ବାରମ୍ବାର ଏହିପରି ଦୁର୍ଘଟଣା ଚିନ୍ତାରେ ପକାଇଥିଲା ବେଳେ ଆଗକୁ ଏହାକୁ ନେଇ ଆସିବ କି କିଛି ନୂଆ SOP ? ସରକାର ନେବେ ବି କିଛି ସ୍ବତନ୍ତ୍ର ପଦକ୍ଷେପ ?