ଦିଦିଙ୍କୁ କୈଫତ ମାଗିଲେ ସୁପ୍ରିମକୋର୍ଟ, ଛାନିଆ ଦିଦି

Key Points
- ନିର୍ଭୟା ପରେ ଅଭୟାକାଣ୍ଡକୁ ନେଇ ପୁରା ଦେଶରେ ଅସନ୍ତୋଷ
- ମମତା ସରକାର ଉପରେ ରାଗି ଖପ୍ପା ହେଲେ ସୁପ୍ରିମକୋର୍ଟ
- କାହିଁକି ଡେରିରେ ମାମଲା ରୁଜୁ ହେଲା ମାଗିଲେ କୈଫତ
ଅର୍ଗସ ବ୍ୟୁରୋ : ଦିଲ୍ଲୀ ନିର୍ଭୟା କାଣ୍ଡ ଯେତେ ଭୟାନକ ଥିଲା, କୋଲକତା ଡାକ୍ତର ଦୁଷ୍କର୍ମ ମାମଲା ବି ସେତିକି ଦର୍ଦନାକ । ରାତିରେ ଡ୍ୟୁଟିରେ ଥିବା ଅବସ୍ଥାରେ ଦୁଷ୍କର୍ମ ଓ ପରେ ଅତି ଅମାନୁଷିକ ଭାବରେ ତାଙ୍କୁ କରାଯାଇଥିଲା ହତ୍ୟା । ଘଟଣା ଘଟିବା ପରେ ପୋଲିସ ଯେଉଁପରି ଭାବରେ ଆକ୍ସନ ନେବାର କଥା ଥିଲା ନେଲାନି । ଯାହାକୁ ନେଇ ଖପ୍ପା ହୋଇଛନ୍ତି ସୁପ୍ରିମକୋର୍ଟ । ଏହାସହ ମମତା ସରକାରଙ୍କୁ କଡ଼ା ଭତ୍ସନା କରିଛନ୍ତି ।
କୋଲକାତାର ଅଭୟାକାଣ୍ଡକୁ ନେଇ ସୁପ୍ରିମକୋର୍ଟଙ୍କ କଡ଼ା ମନ୍ତବ୍ୟ, ଭର୍ସନା, ପ୍ରଶ୍ନ ପରେ ପ୍ରଶ୍ନ । ସ୍ୱତଃ ସଜ୍ଞାନକୁ ନେବାର ଦିନକ ପରେ ପ୍ରଧାନ ବିଚାରପତି ଜଷ୍ଟିସ୍ ଡି.ଆଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରି ମମତା ସରକାର ଓ ପଶ୍ଚିମବଙ୍ଗ ପୋଲିସ ଉପରେ ପ୍ରବଳ ବର୍ଷିଛନ୍ତି । ସବୁ ସମୟରେ କେବଳ ଦୁଷ୍କର୍ମ ଓ ହତ୍ୟା ହେଲେ ହିଁ ଅନ୍ତରାତ୍ମା ଜାଗିବା ଠିକ୍ ନୁହେଁ ବୋଲି ଶକ୍ତ ଟିପ୍ପଣୀ ରଖି ଏ ଘଟଣା କେବଳ ଭୟାବହ ନୁହେଁ, ପୂରା ଭାରତରେ ଡାକ୍ତରଙ୍କ ସୁରକ୍ଷାରେ ଥିବା ଦୁର୍ବଳତାର ନିଦର୍ଶନ ବୋଲି କହିଛନ୍ତି କୋର୍ଟ । ଏଥିସହ ଘଟଣା ସଂପର୍କରେ କାହିଁକି ବିଳମ୍ବରେ ଏଫ୍ଆଇଆର ହେଲା ? ଆର.ଜି.କର. ମେଡିକାଲ କଲେଜ ପ୍ରଶାସନ କଣ କରୁଥିଲା ? ଦୁଷ୍କର୍ମ ଓ ହତ୍ୟା ମାମଲାକୁ କିଏ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରୁଥିଲା ? କିଛି ଏମିତି କଡ଼ା ପ୍ରଶ୍ନ କରିଛନ୍ତି କୋର୍ଟ ।
କୋଲକତା ମେଡିକାଲରେ ଦୁଷ୍କର୍ମ ଓ ହତ୍ୟା ହେବା ଘଟଣା ସାମ୍ନାକୁ ଆସିବା ପରେ ପୁରା ଦେଶରେ ଚର୍ଚ୍ଚା ଜୋର ଧରିଥିଲା । ଏମିତିକି ଘଟଣା ଘଟିବା ପରେ ୭ ହଜାର ଲୋକ ପଶି ଭଙ୍ଗାରୁଜା, ଲଙ୍କାକାଣ୍ଡ କରିବା ଘଟଣାରେ ମଧ୍ୟ ପୋଲିସ ପ୍ରଶାସନ ଉପରେ କଡ଼ା ପ୍ରହାର କରିବା ସହ କ୍ରାଇମ୍ ସିନ୍ ସୁରକ୍ଷିତ ରଖା ଯାଇ ନପାରିବାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ । ଏହାସହ ପରିବାରକୁ ଶବ ଦେଖାଇବାକୁ କାହିଁକି ଏତେ ବିଳମ୍ବ କରାଗଲା ? ପୀଡ଼ିତାଙ୍କ ନା ଓ ଫଟୋ ଗଣମାଧ୍ୟମକୁ କେମିତି ଗଲା ? ସେନେଇ ଉଠାଇଛନ୍ତି ପ୍ରଶ୍ନ ।
📱 Get Argus News App
✨କୋଲକତା ମାମଲାରେ ଆସନ୍ତାକାଲି ପୁଣି ଥରେ ଶୁଣାଣି କରିବେ ସୁପ୍ରିମକୋର୍ଟ । ଏହାସହ ମାମଲାରେ କଣ ସବୁ ପଦକ୍ଷେପ ନିଆଯାଇଛି ? ତଦନ୍ତ କେତେ ବାଟ ଯାଇଛି ? ସେନେଇ ପୁଙ୍ଖାନୁପୁଙ୍ଖ ରିପୋର୍ଟ ମାଗିଛନ୍ତି କୋର୍ଟ । ସୂଚନା ଅନୁସାରେ, ଅଗଷ୍ଟ ୮ ତାରିଖ ରାତିରେ କୋଲକାତାର ପ୍ରତିଷ୍ଠିତ ଆର.ଜି. କର୍ ମେଡିକାଲ୍ କଲେଜରେ ଘଟିଥିଲା ଏହି ଜଘନ୍ୟ କାଣ୍ଡ । କୁହାଯାଉଛି ପ୍ୟାରିସ୍ ଅଲିମ୍ପିକ୍ସ ମ୍ୟାଚ୍ ଦେଖିବାକୁ ଘଟଣା ଦିନ ରାତିରେ କିଛି ଡାକ୍ତରଙ୍କ ସହ ସେମିନାର ହଲରେ ରାତ୍ରିଭୋଜନ କରିବା ପରେ ଅନ୍ୟ ସମସ୍ତେ ଚାଲିଯିବା ପରେ ସେଇଠି ବିଶ୍ରାମ ନେଇଥିଲେ ଅଭୟା । ରାତି ୧୧ଟାରେ ମାଙ୍କ ସହ ଫୋନରେ କଥା ବି ହୋଇଥିଲେ। ହେଲେ ବିଳମ୍ବିତ ରାତିରେ ହସ୍ପିଟାଲରୁ ମାଙ୍କ ପାଖକୁ ଫୋନ୍ ଗଲା, ଝିଅ ସୁଇସାଇଡ୍ କରିଛି । ଫୋନ ପାଇବା ପରେ ମେଡ଼ିକାଲରେ ପହଞ୍ଚିଥିଲେ ପରିବାର ଲୋକ । ହେଲେ ଝିଅକୁ ଦେଖିବାକୁ ଦେଇନଥିଲେ ମେଡିକାଲ କର୍ତ୍ତୃପକ୍ଷ । ତେବେ ସିସିଟିଭି ଫୁଟେଜରୁ ବିଲଡିଂକୁ ଅଭିଯୁକ୍ତ ସଞ୍ଜୟ ରୟ ପ୍ରବେଶ କରିଥିବା ଜଣା ପଡ଼ିବା ପରେ ପର ଦିନ ତାକୁ ଗିରଫ କରିଥିଲା ପୋଲିସ । ସେ ବି ଏ ଜଘନ୍ୟକାଣ୍ଡ ପାଇଁ ପୋଲିସ ଆଗରେ ଦୋଷ ସ୍ୱୀକାର କରିଛି । ହେଲେ ମାମଲାରେ କିଏ କିଏ ଦାୟୀ ସେନେଇ ବର୍ତ୍ତମାନ ସୁଦ୍ଧା ତଦନ୍ତ ଚାଲିଛି, ଆଗାମୀ ଦିନରେ ଆଉ କେଉଁମାନେ ଦୋଷୀ ? କି କାର୍ଯ୍ୟାନୁଷ୍ଠାନ ନିଆଯାଉଛି ତାହା ଦେଖିବାକୁ ବାକି ରହିଲା ।
