Job Los / ୫ ମିନିଟ୍ର Google Meet କଲ୍ରେ ୮୦ ଜଣଙ୍କ ଚାକିରି ଗଲା ! Reddit ପୋଷ୍ଟକୁ ନେଇ ଚର୍ଚ୍ଚା

Key Points
ଏକାସାଙ୍ଗେ ୮୦ ଜଣଙ୍କୁ ହଟାଇଲା କମ୍ପାନୀ? Reddit ପୋଷ୍ଟ ଭାଇରାଲ୍
୫ ମିନିଟ୍ର ମିଟିଂ, ୮୦ ଜଣଙ୍କ ଚାକିରି ଶେଷ! କର୍ପୋରେଟ୍ ଦୁନିଆରେ ଚର୍ଚ୍ଚା
କର୍ପୋରେଟ୍ ଦୁନିଆରୁ ଏକ ଚର୍ଚ୍ଚିତ ଘଟଣା ସାମ୍ନାକୁ ଆସିଛି । ସୋସିଆଲ୍ ମିଡିଆ ପ୍ଲାଟଫର୍ମ Redditରେ ଏକ ପୋଷ୍ଟ ଭାଇରାଲ୍ ହେଉଛି, ଯେଉଁଥିରେ ଭାରତର ୱର୍କପ୍ଲେସ୍ କଲ୍ଚର ଓ ଚାକିରି ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଯାଇଛି ।
ଦାବି କରାଯାଉଛି ଯେ, ଜଣେ ଆମେରିକୀୟ ବ୍ୟାଙ୍କ ଭାରତରେ କାମ କରୁଥିବା ନିଜର କଷ୍ଟମର ସର୍ଭିସ୍ ଟିମ୍ର ପ୍ରାୟ ୮୦ ଜଣ କର୍ମଚାରୀଙ୍କୁ ମାତ୍ର ୫ ମିନିଟ୍ର ଏକ Google Meet କଲ୍ରେ ଚାକିରିରୁ ବାହାର କରିଦେଇଛି ।
ଅପରେସନାଲ୍ କାରଣ ଦର୍ଶାଇ ଡକାଗଲା ମିଟିଂ
Redditରେ ଜଣେ ପ୍ରଭାବିତ କର୍ମଚାରୀ ନିଜ ଅନୁଭୂତି ସେୟାର କରିଥିବା ଦାବି କରାଯାଉଛି । ପୋଷ୍ଟ ଅନୁସାରେ, କର୍ମଚାରୀଙ୍କ ସିଫ୍ଟ ସନ୍ଧ୍ୟା ୬ଟା ୩୦ରୁ ଆରମ୍ଭ ହେବାର ଥିଲା । କିନ୍ତୁ ସେମାନଙ୍କୁ ଅପରେସନାଲ୍ କାରଣ ଦର୍ଶାଇ ସେହି ଦିନ ୱର୍କ ଫ୍ରମ୍ ହୋମ୍ କରିବାକୁ କୁହାଯାଇଥିଲା ।
ପରେ ରାତି ପ୍ରାୟ ୯ଟା ୩୦ରେ ସିନିୟର ମ୍ୟାନେଜମେଣ୍ଟ ସହ ଏକ ଜରୁରୀ Google Meet କଲ୍ ରଖାଯାଇଥିଲା । କର୍ମଚାରୀମାନେ ଏହାକୁ କୌଣସି ପ୍ରୋଜେକ୍ଟ ଅପଡେଟ୍ ବୋଲି ଭାବିଥିଲେ । କିନ୍ତୁ ମିଟିଂ ଆରମ୍ଭ ହେବା ପରେ ସେମାନଙ୍କ ସେବା ତୁରନ୍ତ ପ୍ରଭାବରେ ସମାପ୍ତ କରାଯାଉଥିବା କୁହାଯାଇଥିଲା ବୋଲି Reddit ପୋଷ୍ଟରେ ଦାବି କରାଯାଇଛି ।
ପରଫର୍ମାନ୍ସ ନା ଆଉଟ୍ସୋର୍ସିଂ ?
କମ୍ପାନୀ ପକ୍ଷରୁ ଏହି ଛଟେଇର କାରଣ ଭାବେ ଖରାପ ପରଫର୍ମାନ୍ସ ଓ କମ୍ ଆଉଟପୁଟ୍କୁ ଦର୍ଶାଯାଇଥିବା କଥା ପୋଷ୍ଟରେ ଉଲ୍ଲେଖ ରହିଛି । କିନ୍ତୁ ପ୍ରଭାବିତ କର୍ମଚାରୀମାନେ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ସେମାନଙ୍କ ଯୁକ୍ତି ହେଉଛି, ଯଦି ସମସ୍ୟା ପରଫର୍ମାନ୍ସ ସହ ଜଡିତ ଥିଲା, ତେବେ କିଛି ନିର୍ଦ୍ଦିଷ୍ଟ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବା କଥା। ସମ୍ପୂର୍ଣ୍ଣ ଟିମ୍କୁ ଏକାସାଙ୍ଗରେ ହଟାଇବା ନେଇ ସେମାନେ ଆପତ୍ତି ଜଣାଇଛନ୍ତି ।
ଭିଡିଓ କଲ୍ରେ ଛଟେଇକୁ ନେଇ ଚର୍ଚ୍ଚା
ରିମୋଟ୍ ଓ ହାଇବ୍ରିଡ୍ ୱର୍କ ସଂସ୍କୃତି ବଢ଼ିବା ପରେ ଭିଡିଓ କଲ୍ ମାଧ୍ୟମରେ କର୍ମଚାରୀଙ୍କ ସହ ଯୋଗାଯୋଗ ସହଜ ହୋଇଛି । କିନ୍ତୁ ଏକାସାଙ୍ଗରେ ଅନେକ କର୍ମଚାରୀଙ୍କୁ ଏଭଳି ଭାବେ ଚାକିରିରୁ ହଟାଇବା ନେଇ ସୋସିଆଲ୍ ମିଡିଆରେ ଚର୍ଚ୍ଚା ଚାଲିଛି । ହଠାତ୍ ଚାକିରି ହରାଇବା ପରେ ଘର ଖର୍ଚ୍ଚ, ଲୋନ୍ EMI ଓ ପରିବାରର ଦାୟିତ୍ୱ ନେଇ କର୍ମଚାରୀମାନେ ଚିନ୍ତାରେ ପଡ଼ିଥିବା କଥା ଉଠିଛି ।
ତେବେ Redditରେ ଥିବା ଏହି ପୋଷ୍ଟରେ ବ୍ୟାଙ୍କର ନାମ ପ୍ରକାଶ କରାଯାଇନାହିଁ ଏବଂ ଘଟଣାର ସ୍ୱତନ୍ତ୍ର ଯାଞ୍ଚ ମଧ୍ୟ ହୋଇନାହିଁ । କିନ୍ତୁ ଏହା IT ଓ BPO ସେକ୍ଟରରେ କାମ କରୁଥିବା ଯୁବପିଢ଼ିଙ୍କ ମଧ୍ୟରେ ଚାକିରି ସୁରକ୍ଷାକୁ ନେଇ ଚର୍ଚ୍ଚା ବଢ଼ାଇଛି ।
📱 Get Argus News App
✨Related Topics
Explore more stories