Videos
|
National

Salary Hike / ୮ମ ବେତନ କମିଶନକୁ ନର୍ସମାନଙ୍କ ୮ ବଡ଼ ଦାବି, ବଢ଼ିବ କି ଦରମା ଓ ଭତ୍ତା ?

Rashmita Mishra
Browse all articles by Rashmita Mishra
·59 mins ago·3 min read
୮ମ ବେତନ କମିଶନକୁ ନର୍ସମାନଙ୍କ ୮ ବଡ଼ ଦାବି, ବଢ଼ିବ କି ଦରମା ଓ ଭତ୍ତା ?
Salary Hike

Key Points

୮ମ ବେତନ କମିଶନରେ ନର୍ସଙ୍କ ୮ ବଡ଼ ଦାବି ।
ନର୍ସଙ୍କ ଦରମା ବଢ଼ିବ ? କମିଶନ ଆଗରେ ୮ ଦାବି ।
୮ମ ପେ କମିଶନରେ ନର୍ସଙ୍କ ବଡ଼ ଦାବି
କେତେ ବଢ଼ିବ ନର୍ସଙ୍କ ଦରମା ? ୮ମ କମିଶନରେ ରଖିଲେ ଦାବି 

୮ମ ବେତନ କମିଶନ ଗଠନ ପରେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଆଶା ବଢ଼ିଥିବା ବେଳେ ଦେଶର କେନ୍ଦ୍ରୀୟ ସରକାରୀ ହସ୍ପିଟାଲଗୁଡ଼ିକରେ କାର୍ଯ୍ୟରତ ନର୍ସମାନେ ମଧ୍ୟ ନିଜ ଦାବି କମିଶନଙ୍କ ସମ୍ମୁଖରେ ରଖିଛନ୍ତି । ଦେଶର ବିଭିନ୍ନ କେନ୍ଦ୍ରୀୟ ସରକାରୀ ହସ୍ପିଟାଲର ନର୍ସମାନଙ୍କୁ ପ୍ରତିନିଧିତ୍ୱ କରୁଥିବା Nurses Welfare Association (NWA) ପକ୍ଷରୁ ଶୁକ୍ରବାର, ୧୮ ସେପ୍ଟେମ୍ବର ଚଣ୍ଡୀଗଡ଼ରେ ୮ମ ବେତନ କମିଶନର ଅଧିକାରୀଙ୍କ ସହ ଆଲୋଚନା କରାଯାଇଥିବା ଦାବି କରାଯାଇଛି । ନର୍ସିଂ କର୍ମଚାରୀଙ୍କ ଦରମା, ଭତ୍ତା, କାର୍ଯ୍ୟସ୍ଥଳର ସୁରକ୍ଷା ଓ ଭବିଷ୍ୟତ ପେନ୍‌ସନ୍‌କୁ ନେଇ ସଂଗଠନ ପକ୍ଷରୁ ମୋଟ ୮ଟି ପ୍ରମୁଖ ଦାବି ରଖାଯାଇଛି ।

୧. ଏଣ୍ଟ୍ରି ଲେଭେଲରେ ଅଧିକ ଦରମା
ନର୍ସିଂ ଅଫିସରଙ୍କ ପାଇଁ ମିଲିଟାରୀ ନର୍ସିଂ ସର୍ଭିସ୍ (MNS) ଢାଞ୍ଚା ଅନୁସାରେ ଲେଭେଲ୍-୧୦ ଏଣ୍ଟ୍ରି ପେ ଲାଗୁ କରିବାକୁ ଦାବି କରାଯାଇଛି । ସଂଗଠନର ଯୁକ୍ତି ହେଉଛି, ନର୍ସିଂ କ୍ଷେତ୍ରରେ ଶିକ୍ଷାଗତ ଯୋଗ୍ୟତା ଓ କାର୍ଯ୍ୟଦାୟିତ୍ୱ ବଢ଼ିଛି । ତେଣୁ ନୂଆ ବେତନ ଢାଞ୍ଚାରେ ଏଣ୍ଟ୍ରି ଲେଭେଲ୍‌ରେ ଅଧିକ ବେତନ ମିଳିବା ଆବଶ୍ୟକ ବୋଲି NWA ମତ ରଖିଛି ।

୨. ନାଇଟ୍ ଡ୍ୟୁଟି ଆଲାଉନ୍ସ
ହସ୍ପିଟାଲରେ ରାତି ସମୟରେ ରୋଗୀଙ୍କ ଯତ୍ନ ନେବା ନର୍ସମାନଙ୍କ ଦୈନନ୍ଦିନ ଦାୟିତ୍ୱର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ତେଣୁ ସମସ୍ତ ନର୍ସିଂ କର୍ମଚାରୀଙ୍କ ପାଇଁ ଏକ ସ୍ୱତନ୍ତ୍ର ନାଇଟ୍ ଡ୍ୟୁଟି ଆଲାଉନ୍ସ ନିର୍ଦ୍ଧାରଣ କରିବାକୁ ଦାବି ରହିଛି ।

୩. ରିସ୍କ ଓ ହାର୍ଡଶିପ୍ ଆଲାଉନ୍ସ

ହସ୍ପିଟାଲରେ ନର୍ସମାନେ ବିଭିନ୍ନ ସଂକ୍ରାମକ ରୋଗ, ଜରୁରୀ ପରିସ୍ଥିତି ଓ ଚାପପୂର୍ଣ୍ଣ ପରିବେଶରେ କାମ କରନ୍ତି । ଏହି କାରଣରୁ R1H1 ମ୍ୟାଟ୍ରିକ୍ସ ଅନୁସାରେ ସର୍ବୋଚ୍ଚ ସ୍ତରର Risk and Hardship Allowance ଦେବାକୁ ସଂଗଠନ ଦାବି କରିଛି ।

୪. ପରିବାର ପାଇଁ ବୀମା ସୁରକ୍ଷା
ରୋଗୀଙ୍କ ସହ ପ୍ରତ୍ୟକ୍ଷ ସମ୍ପର୍କରେ ରହି କାମ କରୁଥିବାରୁ ନର୍ସମାନେ ସ୍ୱାସ୍ଥ୍ୟଜନିତ ବିପଦର ସମ୍ମୁଖୀନ ହୁଅନ୍ତି । କୋଭିଡ୍-୧୯ ମହାମାରୀ ସମୟରେ ମିଳିଥିବା ସ୍ୱାସ୍ଥ୍ୟ ଓ ଟର୍ମ ଇନ୍‌ସ୍ୟୁରାନ୍ସ କଭର୍‌ ଭଳି ସ୍ଥାୟୀ ବୀମା ସୁରକ୍ଷା ଦେବାକୁ ନର୍ସମାନେ ଦାବି ରଖିଛନ୍ତି । ଏଥିରେ କେବଳ କର୍ମଚାରୀ ନୁହେଁ, ପରିବାରକୁ ମଧ୍ୟ ସୁରକ୍ଷା ମିଳିବାର ପ୍ରସ୍ତାବ ରହିଛି ।

୫. ଚଣ୍ଡୀଗଡ଼କୁ A1 ସିଟି ମାନ୍ୟତା
ଚଣ୍ଡୀଗଡ଼, ମୋହାଲି ଓ ପଞ୍ଚକୁଲାକୁ ମିଶାଇ ଏକ ଟ୍ରାଇସିଟି ଜୋନ୍ ଘୋଷଣା କରିବା ସହ ଚଣ୍ଡୀଗଡ଼କୁ A1 କିମ୍ବା Tier-1 ସହରର ମାନ୍ୟତା ଦେବାକୁ ପ୍ରସ୍ତାବ ରଖାଯାଇଛି । ଏହା ଲାଗୁ ହେଲେ ସ୍ଥାନୀୟ ନର୍ସମାନଙ୍କ House Rent Allowance (HRA) ଓ Transport Allowance (TA)ରେ ବୃଦ୍ଧି ହୋଇପାରେ ।

୬. ନର୍ସିଂ ଓ ଡ୍ରେସ୍ ଆଲାଉନ୍ସ ୩ ଗୁଣ
ନର୍ସିଂ ଆଲାଉନ୍ସ, ଡ୍ରେସ୍ ଆଲାଉନ୍ସ ଓ ସ୍ପେଶାଲ୍ ଆଲାଉନ୍ସକୁ ଜାରି ରଖିବା ସହ ସେଗୁଡ଼ିକର ବର୍ତ୍ତମାନ ରାଶିକୁ ତିନି ଗୁଣ କରିବାକୁ ସଂଗଠନ ଦାବି କରିଛି । ନର୍ସମାନଙ୍କ ଦାୟିତ୍ୱ ଓ କାର୍ଯ୍ୟ ପରିବେଶକୁ ଧ୍ୟାନରେ ରଖି ଭତ୍ତାଗୁଡ଼ିକର ପୁନଃନିର୍ଦ୍ଧାରଣ ଆବଶ୍ୟକ ବୋଲି ଦାବି କରାଯାଇଛି ।

୭. ଉଚ୍ଚଶିକ୍ଷା ପାଇଁ ଅତିରିକ୍ତ ଲାଭ

ନର୍ସିଂ କର୍ମଚାରୀମାନେ ଉଚ୍ଚଶିକ୍ଷା ଓ ନୂଆ କୌଶଳ ହାସଲ କରିବା ପାଇଁ ଉତ୍ସାହିତ ହୁଅନ୍ତୁ ବୋଲି Advance Qualification Allowance ଦେବାକୁ ଦାବି କରାଯାଇଛି । ଏହି ଭତ୍ତା ଦୁଇଟି non-absorbable increment ସହ ସମାନ ହେବା ଉଚିତ ବୋଲି ସଂଗଠନ ପ୍ରସ୍ତାବ ରଖିଛି ।

୮. ପୁରୁଣା ପେନ୍‌ସନ୍ ଯୋଜନା (OPS) ପୁଣି ଲାଗୁ କରିବା

ନର୍ସିଂ ସଂଗଠନର ଅନ୍ୟତମ ପ୍ରମୁଖ ଦାବି ହେଉଛି Old Pension Scheme (OPS) ପୁନଃ ଲାଗୁ କରିବା ।
NWA ପକ୍ଷରୁ NPS/UPS ବଦଳରେ OPS ପୁନର୍ବାର ଲାଗୁ କରିବାକୁ ଦାବି କରାଯାଇଛି । ବିଶେଷକରି ୨୦୦୪ ପରେ ନିଯୁକ୍ତ କର୍ମଚାରୀମାନେ ଅବସର ନେବା ପୂର୍ବରୁ OPS ସମ୍ପର୍କରେ ନିଷ୍ପତ୍ତି ନିଆଯିବା ଆବଶ୍ୟକ ବୋଲି ସଂଗଠନ ଯୁକ୍ତି ଦେଇଛି ।

ନର୍ସମାନଙ୍କ ଦାବି ଉପରେ ଏବେ ନଜର
୮ମ ବେତନ କମିଶନ ସମ୍ମୁଖରେ ନର୍ସିଂ ସଂଗଠନ ପକ୍ଷରୁ ରଖାଯାଇଥିବା ଏହି ୮ଟି ଦାବି ମଧ୍ୟରେ ଦରମା ବୃଦ୍ଧି ସହ ନାଇଟ୍ ଡ୍ୟୁଟି, ଜୋଖିମପୂର୍ଣ୍ଣ କାର୍ଯ୍ୟ ପରିବେଶ, ବୀମା ସୁରକ୍ଷା, ଭତ୍ତା, ଉଚ୍ଚଶିକ୍ଷା ଓ ପେନ୍‌ସନ୍ ଭଳି ଅନେକ ପ୍ରସଙ୍ଗ ରହିଛି । ତେବେ ଏହି ଦାବିଗୁଡ଼ିକ ଉପରେ ୮ମ ବେତନ କମିଶନର ଅନ୍ତିମ ସୁପାରିଶ କିମ୍ବା ନିଷ୍ପତ୍ତି ଆସିନାହିଁ । ତେଣୁ ଏବେ ନର୍ସମାନଙ୍କ ନଜର କମିଶନର ପରବର୍ତ୍ତୀ ପଦକ୍ଷେପ ଓ ଅନ୍ତିମ ସୁପାରିଶ ଉପରେ ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: