ଏସି ପାଇଁ ଜୀବନ ଚାଲିଯିବ

ସାରା ବିଶ୍ବ ପାଇଁ ଏବେ ଚିନ୍ତାର ବିଷୟ ପାଲଟିଛି ତାପମାତ୍ରା ବୃଦ୍ଧି ଓ ଜଳବାୟୁ ପରିବର୍ତ୍ତନ। ଯାହା ଆମ ଦୈନନ୍ଦିନ ଜୀବନକୁ ପ୍ରଭାବିତ କରୁଛି। ଚଳିତ ବର୍ଷ ଫେବ୍ରୁଆରୀ ମାସର ଗରମ ୧୨୫ ବର୍ଷ ରେକର୍ଡ ଭାଙ୍ଗିଛି। ୟୁରୋପୀୟ କୋପରନିକସ୍ ଜଳବାୟୁ ପରିବର୍ତ୍ତନ ସେବା (C3S) ରିପୋର୍ଟ କହୁଛି ୧୨୫ ବର୍ଷ ତଳେ ଫେବ୍ରୁଆରୀ ମାସରେ ଏମିତି ଗରମ ହୋଇଥିଲା। ଯେମିତି ଗରମ ଏବର୍ଷ ହୋଇଛି।
ଏବେ ଜଳବାୟୁ ପରିବର୍ତ୍ତନରେ ଯେଉଁଭଳି ଅନୀୟମିତତା ଦେଖା ଦେଉଛି କେବଳ ଗ୍ରୀଷ୍ମ, ବର୍ଷା, ଶୀତକୁ ଛାଡି ଆଉ କୌଣସି ଋତୁ ଜାଣି ହେଉନି। ଋତୁ ଚକ୍ରରେ ସଠିକ୍ ସନ୍ତୁଳନ ହେଉନାହିଁ। ତେବେ ଏଥିପାଇଁ ଦାୟୀ କିଏ ? ମୁଁ , ଆମେ , ନା ସେମାନେ ?
୧୧ ମାର୍ଚ୍ଚ ୨୦୨୫ ଓଡ଼ିଶାର ୧୧ ସହରରେ ତାପମାତ୍ରା ୩୭ ଡିଗ୍ରୀ ଉପରେ ରହିଥିଲା। ବୌଦ୍ଧ ୩୯.୫, ଝାରସୁଗୁଡା ୩୮.୬,ବଲାଙ୍ଗିର ୩୮.୫, ସମ୍ବଲପୁର ୩୮.୩, ଟିଟିଲାଗଡ଼ ୩୭.୫, ହୀରାକୁଦ ୩୭.୨ ରହିଥିଲା। ୧୨ ମାର୍ଚ୍ଚ ୨୦୨୫ ଦିନ ସାଢ଼େ ୧୧ଟା ସୁଦ୍ଧା ଚଳିତବର୍ଷ ପ୍ରଥମଥର ପାଇଁ ପାରଦ ୩୭ ଡିଗ୍ରୀ ଅତିକ୍ରମ କରିଥିଲା। ଦିନ ୧୧ଟା ୩୦ ସୁଦ୍ଧା ଝାରସୁଗୁଡ଼ାରେ ପାରଦ ୩୭.୨ ଡିଗ୍ରୀ ରେକର୍ଡ ହୋଇଥିଲା। ଏବେର ଏଇ ତାପମାତ୍ରା ଦେଖିଲେ ଏପ୍ରିଲ୍ ଆଉ ମେ କଥା ଭାବିଲେ ମୁଣ୍ଡ ବିନ୍ଧୁଛି।
ଏଠି କେବଳ ଏତିକି କୁହାଯାଇ ପାରେ ବର୍ତ୍ତମାନର ଏ ଜଳବାୟୁ ସଂକଟ ଓ ବିଶ୍ବ ତାପମାତ୍ରା ବୃଦ୍ଧି ପାଇଁ ଆମେ ନିଜେ ହିଁ ଦାୟୀ। ଆମ ଜୀବନ ଶୈଳୀ ଏତେ ସୁକ୍ଷ୍ମ ହୋଇଗଲାଣି ଯେ, ଆମେ ବିନା ଫ୍ୟାନ୍ ଆଉ ଏସିରେ ମୁହୁର୍ତ୍ତଟିଏ ବଞ୍ଚିବା ଅସମ୍ଭବ। ଟିକିଏ ଲାଇନ୍ ଚାଲିଗଲେ କାମ କରୁନି ମୁଣ୍ଡ, ଶୂନ୍ୟ ହେଇଯାଉଛି ବୁଦ୍ଧି।
📱 Get Argus News App
✨ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଶରୀରକୁ ଶୀତଳ କରିବା ପାଇଁ ଆମେ ବ୍ୟବହାର କରୁଥିବା ଏସି ଏଥିପାଇଁ ସବୁଠୁ ଅଧିକ ଦାୟୀ। ଆଗାମୀ ଭବିଷ୍ୟତ ପାଇଁ ବିଷଠୁ ବି ଭୟଙ୍କର
ପ୍ରମୁଖ ଏସି ର୍ନିମାତା କମ୍ପାନୀ ଭୋଲ୍ଟାସର କାର୍ଯ୍ୟନିର୍ବାହୀ ଏମଡି ଏବଂ ଆରଏସି ମୁଖ୍ୟ ମୁକୁନ୍ଦନଙ୍କ ସୂଚନା ଅନୁସାରେ ଗତ ୪ ବର୍ଷ ମଧ୍ୟରେ ଦ୍ବିଗୁଣିତ ହୋଇଛି ଏସି ବ୍ୟବହାର। "ଭାରତରେ ହିଟିଂ, ଭେଣ୍ଟିଲେସନ୍, ଏୟାର କଣ୍ଡିସନିଂ ଏବଂ ରେଫ୍ରିଜିରେସନ୍ ଶିଳ୍ପ ଅଭୂତପୂର୍ବ ଅଭିବୃଦ୍ଧି ହୋଇଛି । ବର୍ତ୍ତମାନ ଦେଶରେ ବାର୍ଷିକ ପ୍ରାୟ ଦେଢ କୋଟି ନୂଆ ଏସି ଲାଗୁଛି। ଚାରି ବର୍ଷ ପୂର୍ବକୁ ଯଦି ଯିବା ୪ ବର୍ଷ ପୂର୍ବେ ବର୍ଷକୁ ମାତ୍ର ୭୦ ଲକ୍ଷ ଏସି ଲାଗୁଥିଲା।
ଏହା ଥିଲା ବ୍ୟବସାୟର କଥା। ବାସ୍ତବ କଥାକୁ ଆସିଲେ ବିଶେଷଜ୍ଞ ମାନେ ଦାବି କରନ୍ତି ଆମର ଏସି ବ୍ୟବହାର ଯଦି ଏହିଭଳି ଭାବେ ଜାରି ରହେ ୨୧୦୦ ବେଳକୁ ଅଧାରୁ ଅଧିକ ଲୋକଙ୍କୁ ମାରାତ୍ମକ ରୋଗ ମାଡ଼ି ବସିବ। ୨୦୫୦ ସୁଦ୍ଧା ଦେଶର ପ୍ରାୟ ହଜାର ୧୦୦୦ ସହରରେ ହାରାହାରି ଗ୍ରୀଷ୍ମ ତାପମାତ୍ରା ୩୫ ଡିଗ୍ରୀ ସେଲସିୟସ ରହିବ।
ଏବେ ଯେଉଁଭଳି ଭାବେ ବିଶ୍ବ ତାପମାତ୍ରା ବୃଦ୍ଧି ପାଉଛି, ଏଥିପାଇଁ କେବଳ ଶରୀରକୁ ଗରମ ଅନଭୁବ ହେଉଛି ତା ନୁହେଁ ମାନସିକ ସ୍ତରରେ ବି ମଣିଷ ପ୍ରଭାବିତ ହେଉଛି। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତ ଅନୁସାରେ ଉଚ୍ଚ ତାପମାତ୍ରା ମଣିଷକୁ ଅଧିକ ଚିଡିଚିଡା, ଅଧର୍ଯ୍ୟ କରିପାରେ, ହିଂସାତ୍ମକ ହେବାକୁ ବାଧ୍ୟ କରିପାରେ। ଅତ୍ୟଧିକ ଗରମ ପାଇଁ ଭଲ ନିଦ ନହେବାରୁ ମାନସିକ ଅବସାଦ ବଢେ, ଶାରିରୀକ ଥକ୍କା ପାଇଁ କର୍ମ କ୍ଷେତ୍ରରେ କର୍ମଜୀବୀ ଅଧିକ ପ୍ରଭାବିତ ହୁଅନ୍ତି।
ଆମେ ବ୍ୟବହାର କରୁଥିବା ଏସି ଓ ରେଫ୍ରିଜିରେଟରରୁ ବାହାରୁ ଥିବା ହାଇଡ୍ରୋଫ୍ଲୋରୋକାର୍ବନ ପରିମାଣ ୨୦୩୦ ସୁଦ୍ଧା ଦ୍ୱିଗୁଣ ଓ ୨୦୫୦ ସୁଦ୍ଧା ୩ ଗୁଣା ହେବ ବୋଲି ଆକଳନ କରାଯାଉଛି। ସିଧା କଥାରେ କହିବାକୁ ଗଲେ ଆମେ ଏବେ ଯେତିକି ଥଣ୍ଡା ହେଉଛେ ସେପଟେ ଆମ ପୃଥିବିକୁ ସେତେ ତତଉଛେ। ଏଇ ପରିଣାମକୁ ଏଡାଇବାକୁ ହେଲେ ଆମକୁ ଏବେ ଠୁ ସଜାଗ ହେବାକୁ ପଡ଼ିବ। ଏହାର ମୁକାବିଲା କେବଳ ସାମୁହିକ ନୁହେଁ ବ୍ୟକ୍ତିଗତ ସ୍ତରରେ ବି ହେବା ଦରକାର।