Chirag Paswan / ଚିରାଗ ପାସୱାନଙ୍କ ସହ ବିବାହ ଚର୍ଚ୍ଚାକୁ ନେଇ ମୁହଁ ଖୋଲିଲେ ଅଭିନେତ୍ରୀ ଆରୁଷି ନିଶଙ୍କ

Key Points
କହିଲେ, ‘ଚିରାଗ ମୋର ଭଲ ବନ୍ଧୁ’
ଉତ୍ତରାଖଣ୍ଡ: କେନ୍ଦ୍ରମନ୍ତ୍ରୀ ଚିରାଗ ପାସୱାନ ଓ ଅଭିନେତ୍ରୀ ଆରୁଷି ନିଶଙ୍କଙ୍କ ସମ୍ପର୍କକୁ ନେଇ ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ଚାଲିଛି । ଏପରିକି ଉଭୟଙ୍କ ବିବାହକୁ ନେଇ ମଧ୍ୟ ବିଭିନ୍ନ ଗୁଜବ ପ୍ରଚାର ହେଉଛି । ଏବେ ଏହି ଚର୍ଚ୍ଚା ଉପରେ ନିଜର ନିରବତା ଭାଙ୍ଗିଛନ୍ତି ଆରୁଷି । ଚିରାଗଙ୍କ ସହ ତାଙ୍କର ବିବାହ ଖବରକୁ ସେ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି କହିଛନ୍ତି ।
କେମିତି ଆରମ୍ଭ ହୋଇଥିଲା ବିବାହ ଚର୍ଚ୍ଚା ?
୨୦୨୪ ମସିହାରେ ଚିରାଗ ପାସୱାନଙ୍କ ସହ ଆରୁଷି ନିଶଙ୍କଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିଲା । ଏହି ଫଟୋଟି ଚିରାଗଙ୍କ ବାସଭବନର ଥିଲା । ଫଟୋରେ ଉଭୟ ଏକାଠି ବସିଥିବା ଦେଖାଯାଇଥିଲା । ଆରୁଷି ଚିରାଗଙ୍କୁ ଏକ ବହି ଉପହାର ଦେବାକୁ ନେଇ ଯାଇଥିଲେ । କିନ୍ତୁ ସୋସିଆଲ ମିଡିଆର କିଛି ୟୁଜର୍ସ ସେହି ବହିକୁ ବିବାହ କାର୍ଡ ବୋଲି ଭାବି ନେଇଥିଲେ । ଏହାପରେ ଉଭୟଙ୍କ ବିବାହକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା ।
'ଚିରାଗ ମୋର ବହୁତ ଭଲ ବନ୍ଧୁ'
ଏକ ନ୍ୟୁଜ୍ ଏଜେନ୍ସି ସହ ଆଲୋଚନା ବେଳେ ଆରୁଷି ଏହି ଗୁଜବ ଉପରେ ନିଜର ପ୍ରତିକ୍ରିୟା ରଖିଥିଲେ । ମଜାଳିଆ ଢଙ୍ଗରେ ସେ କହିଥିଲେ, “ମୁଁ ଟ୍ରୋଲ୍ ହେବା ପାଇଁ ଏକ ସହଜ ଟାର୍ଗେଟ୍ । ମୋତେ ଯେକୌଣସି ସମୟରେ ଟ୍ରୋଲ୍ କରାଯାଇପାରେ ।” ଚିରାଗଙ୍କ ସହ ସମ୍ପର୍କ ବିଷୟରେ ସ୍ପଷ୍ଟ କରି ସେ କହିଥିଲେ, “ଚିରାଗ ମୋର ବହୁତ ଭଲ ବନ୍ଧୁ । ସେ ନିଜ କ୍ଷେତ୍ରରେ ବହୁତ ଭଲ କାମ କରୁଛନ୍ତି ।”
ସେ ଆହୁରି କହିଥିଲେ ଯେ, ଚିରାଗଙ୍କୁ ଶୁଭେଚ୍ଛା ଜଣାଇବା ଏବଂ ଏକ ବହି ଉପହାର ଦେବା ପାଇଁ ସେ ତାଙ୍କ ପାଖକୁ ଯାଇଥିଲେ । କିନ୍ତୁ ଲୋକମାନେ ଏହାକୁ ବିବାହ କାର୍ଡ ବୋଲି ଭାବି ନେଇଥିଲେ । ସାଧାରଣ ଜୀବନରେ ରହିଲେ ଏଭଳି ଛୋଟବଡ଼ ଭୁଲ ବୁଝାମଣା ହୋଇଥାଏ । ତେବେ ଲୋକଙ୍କ ଭଲପାଇବା ଆଗରେ ସେ ଏଭଳି କଥାକୁ ଗୁରୁତ୍ୱ ଦିଅନ୍ତି ନାହିଁ ।
ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ସହ ସାକ୍ଷାତକୁ ନେଇ ମଧ୍ୟ ରଖିଲେ ମତ
କେବଳ ଚିରାଗ ପାସୱାନ ନୁହନ୍ତି, ସେପ୍ଟେମ୍ବର ମାସରେ ବାଗେଶ୍ୱର ଧାମର ପଣ୍ଡିତ ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ସହ ତାଙ୍କ ସାକ୍ଷାତକୁ ନେଇ ହୋଇଥିବା ନକାରାତ୍ମକ ମନ୍ତବ୍ୟ ଉପରେ ମଧ୍ୟ ଆରୁଷି ନିଜର ମତ ରଖିଥିଲେ । ଇନଷ୍ଟାଗ୍ରାମରେ ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ସହ ଏକ ଫଟୋ ପୋଷ୍ଟ କରିବା ପରେ ତାଙ୍କୁ ଅନେକ ନକାରାତ୍ମକ କମେଣ୍ଟ ମିଳିଥିଲା । ଏହାକୁ ନେଇ ସେ ଦୁଃଖ ପ୍ରକାଶ କରିଥିଲେ ।
ଆରୁଷି କହିଥିଲେ, “ଧୀରେନ୍ଦ୍ର ଶାସ୍ତ୍ରୀ ଜଣେ ସନ୍ଥ । ମୁଁ ବାଗେଶ୍ୱର ଧାମଜୀଙ୍କୁ ମଧ୍ୟ ଭେଟିଥିଲି । ସେ ଆମର ମହାରାଜ। ଏହାକୁ ନେଇ ମଧ୍ୟ ଲୋକମାନେ ଖରାପ କମେଣ୍ଟ କରିଥିଲେ । ଜଣେ ସନ୍ଥଙ୍କ ବିଷୟରେ ଏଭଳି କଥା କହିବା ଠିକ୍ ନୁହେଁ ।”
କିଏ ଆରୁଷି ନିଶଙ୍କ ?
ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କଙ୍କ ଝିଅ ହେଉଛନ୍ତି ଆରୁଷି ନିଶଙ୍କ । ସେ ଜଣେ ଅଭିନେତ୍ରୀ ହେବା ସହ ପ୍ରଯୋଜିକା, କଥକ ନୃତ୍ୟଶିଳ୍ପୀ ଓ TEDx ବକ୍ତା ଭାବେ ମଧ୍ୟ ପରିଚିତ ।
ଅନେକ ମ୍ୟୁଜିକ୍ ଭିଡିଓରେ କାମ କରିଛନ୍ତି । ବିଶେଷକରି ଗାୟକ ଜୁବିନ୍ ନୌଟିୟାଲଙ୍କ ସୁପରହିଟ୍ ଗୀତ 'ୱଫା ନା ରାସ୍ ଆଇ' ମାଧ୍ୟମରେ ସେ ବେଶ୍ ଲୋକପ୍ରିୟତା ହାସଲ କରିଥିଲେ। ଏହା ବ୍ୟତୀତ 'ଲାଇଫ୍ ହିଲ୍ ଗୟି' ଓ 'ମେଜର ନିରାଲା' ଭଳି ଫିଲ୍ମର ପ୍ରଯୋଜନା ମଧ୍ୟ କରିଛନ୍ତି ।
ନିଜର ଅଭିନୟ, ନୃତ୍ୟ ଓ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ ପାଇଁ ଆରୁଷି ସୋସିଆଲ ମିଡିଆରେ ମଧ୍ୟ ବେଶ୍ ଲୋକପ୍ରିୟ । ତେବେ ଚିରାଗ ପାସୱାନଙ୍କ ସହ ବିବାହକୁ ନେଇ ଚାଲିଥିବା ସମସ୍ତ ଚର୍ଚ୍ଚାକୁ ସେ ଏବେ ସ୍ପଷ୍ଟ ଭାବେ ଖଣ୍ଡନ କରିଛନ୍ତି ।
📱 Get Argus News App
✨Related Topics
Explore more stories