ଆମେରିକା ଆଗରେ ନଇଁଲାନି ଭାରତ, ବାହାର କଲା ନୂଆ ରାସ୍ତା

Key Points
ଆମେରିକାର ଟାରିଫ୍ ଧମକ ଆଗରେ ନଇଁଲାନି ଭାରତ
ନୂଆ ରାସ୍ତା ବାହାର କଲେ ମୋଦି ସରକାର
EAEU ସହିତ ନୂତନ ବାଣିଜ୍ୟ ଆଲୋଚନା ଆରମ୍ଭ
ଏଇ କିଛି ଦିନ ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତର ଅର୍ଥନୀତିକୁ “ମୃତ ଅର୍ଥନୀତି” ବା ଡେଡ୍ ଇକୋନୋମି ବୋଲି କହିଥିଲେ ଏବଂ ଆମେରିକାର ଟାରିଫ୍କୁ ୫୦ ପ୍ରତିଶତକୁ ବୃଦ୍ଧି କରିବାକୁ ଘୋଷଣା କରିଥିଲେ। ଆମେରିକା ରାଷ୍ଟ୍ରପତିଙ୍କ ଏହି ବିବୃତ୍ତି ପରେ, ଦୁଇ ଦେଶ ମଧ୍ୟରେ ସମ୍ପର୍କ ସାମାନ୍ୟ ତିକ୍ତ ହୋଇଛି। ଏବଂ ଭାରତ ଓ ଆମେରିକା ମଧ୍ୟରେ ବାଣିଜ୍ୟ ଆଲୋଚନା ପ୍ରାୟ ସ୍ଥଗିତ ରହିଛି। କିନ୍ତୁ ଏବେ ଭାରତ ଏହାର ଉଚିତ ଜବାବ ଦେବାକୁ ନିଷ୍ପତ୍ତି ନେଇଛି। ଆମେରିକାର ଟାରିଫ୍ ଧମକରେ ନଇଁବା ପରିବର୍ତ୍ତେ ମୋଦି ସରକାର ଏକ ପ୍ରତିଶୋଧମୂଳକ ପଦକ୍ଷେପ ନେଇଛନ୍ତି। ଋଷ ନେତୃତ୍ୱାଧୀନ ୟୁରେସିଆନ ଅର୍ଥନୈତିକ ସଂଘ ବା EAEU ସହିତ ନୂତନ ବାଣିଜ୍ୟ ଆଲୋଚନା ଆରମ୍ଭ କରିଛି ଭାରତ। ବୁଧବାର ମସ୍କୋରେ ଭାରତ ଏବଂ EAEU ମଧ୍ୟରେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା FTA ପାଇଁ ସର୍ତ୍ତାବଳୀ ସ୍ବାକ୍ଷରିତ ହୋଇଛି। ଭାରତ ପକ୍ଷରୁ ବାଣିଜ୍ୟ ବିଭାଗର ଅତିରିକ୍ତ ସଚିବ ଅଜୟ ଭାଦୁ ଏବଂ ୟୁରୋପିଆନ୍ ଇକୋନୋମିକ୍ କମ୍ୟୁନିଟି ବା EECର ବାଣିଜ୍ୟ ଏବଂ ନୀତି ବିଭାଗର ଉପ ନିର୍ଦ୍ଦେଶକ ମିଖାଏଲ ଚେରେନକୋଭ ଚୁକ୍ତିନାମାରେ ସ୍ବାକ୍ଷର କରିଛନ୍ତି। ଏହି ଆଲୋଚନା ଏପରି ଏକ ସମୟରେ ଆରମ୍ଭ ହୋଇଛି ଯେତେବେଳେ ନୂଆଦିଲ୍ଲୀ ଆମେରିକାର ପ୍ରତିବନ୍ଧକ ମଧ୍ୟରେ ଚୀନ, ରୁଷ ଏବଂ ବ୍ରାଜିଲ ଆଡକୁ ରଣନୀତିକ ଭାବରେ ଢଳୁଛି।
ଆମେରିକା ସହିତ ଆଲୋଚନା ବିଫଳ ହେବା ପରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ରାଜିଲ ରାଷ୍ଟ୍ରପତି ଲୁଲା ଡା ସିଲଭା ଏବଂ ରୁଷ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ଭ୍ଲାଦିମିର ପୁଟିନଙ୍କ ସହିତ ଫୋନ ଯୋଗେ ଆଲୋଚନା କରିଛନ୍ତି। ଆଶା କରାଯାଉଛି ଯେ ସେ ଏହି ମାସ ଶେଷରେ ପ୍ରଧାନମନ୍ତ୍ରୀ ମୋଦି ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ମଧ୍ୟ ଭେଟିପାରନ୍ତି। ଏସବୁ ଘଟଣାରୁ ଗୋଟିଏ ବାର୍ତ୍ତା ସ୍ପଷ୍ଟ ଯେ ଭାରତ ଆଉ ସମ୍ପୂର୍ଣ୍ଣ ଭାବରେ ଆମେରିକା ଉପରେ ନିର୍ଭରଶୀଳ ହେବାକୁ ଚାହୁଁନାହିଁ।
୨୦୨୪ରେ ଭାରତ ଏବଂ EAEU ମଧ୍ୟରେ ବାଣିଜ୍ୟ ୬୯ ବିଲିୟନ ଡଲାର ଥିଲା, ଯାହା ୨୦୨୩ ତୁଳନାରେ ୭% ଅଧିକ। ଏହି ୬.୫ ଟ୍ରିଲିୟନ ଡଲାର ଅର୍ଥନୀତି ସହିତ ଏକ FTA ବା ମୁକ୍ତ ବାଣିଜ୍ୟ ଚୁକ୍ତିନାମା ସ୍ବାକ୍ଷର ହେବା ଦ୍ବାରା ଏହା ଭାରତୀୟ ରପ୍ତାନିକାରୀଙ୍କୁ ନୂତନ ବଜାର ଯୋଗାଇ ପାରିବ। ଏହା ବିଶେଷ କରି ବୟନ ଶିଳ୍ପ ଏବଂ ଔଷଧ କ୍ଷେତ୍ର ପାଇଁ ଲାଭଦାୟକ ହେବ।
ତଥାପି, ମଧ୍ୟ ଭାରତ ସାମ୍ନାରେ ଆହୁରି ଅନେକ ଚ୍ୟାଲେଞ୍ଜ ରହିଛି। ଯଦିଓ ରୁଷରୁ ଭାରତର ଆମଦାନୀ ଦ୍ରୁତ ଗତିରେ ବୃଦ୍ଧି ପାଇଛି, କିନ୍ତୁ ରପ୍ତାନି ତୁଳନାତ୍ମକ ଭାବରେ କମ ରହିଛି। ୨୦୧୯ ମସିହାରେ ରୁଷକୁ ଭାରତର ରପ୍ତାନି ୨.୩୯ ବିଲିୟନ ଡଲାର ଥିଲା ବେଳେ, ୨୦୨୫ ରେ ଏହା ମାତ୍ର ୪.୮୮ ବିଲିୟନ ଡଲାରକୁ ବୃଦ୍ଧି ପାଇଛି। ଯେତେବେଳେ କି ତେଲ ଉପରେ ର୍ନିଭରଶୀଳତା ଯୋଗୁଁ ରୁଷରୁ ଭାରତର ଆମଦାନୀ ଯଥେଷ୍ଟ ବୃଦ୍ଧି ପାଇଛି ଏବଂ ବର୍ତ୍ତମାନ ଏହା ୩୫%ରୁ ୪୦%ରେ ପହଞ୍ଚିଛି। ଫଳସ୍ବରୂପ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ନିଅଣ୍ଟ ୬୦ ବିଲିୟନ ଡଲାରରୁ ଅଧିକ ରହିଛି।
ତେବେ ସେ ଯାହା ବି ହେଉ, ଯଦି ସମୟ ଥାଉ ଥାଉ ଆମେରିକା ଭାରତ ପ୍ରତି ନିଜର ଆଭିମୁଖ୍ୟରେ ପରିବର୍ତ୍ତନ ନଆଣେ, ତେବେ ଭାରତ ମଧ୍ୟ ଯେସାକୁ ତେସା ନୀତି ଆପଣେଇବ। ବିକଳ୍ପ ରାସ୍ତା ବାଛିବାରେ ଭାରତ ବି ପଛରେ ପଡିବ ନାହିଁ।