Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଦ୍ବୀପ ଉପରେ ଅଧିକାର ସାବ୍ୟସ୍ତ କରି ଭାରତକୁ ନାଲିଆଖି ଦେଖାଇଲା ଶ୍ରୀଲଙ୍କା

Sarada Prasanna Jena
Browse all articles by Sarada Prasanna Jena
·10 months ago·3 min read
ଦ୍ବୀପ ଉପରେ ଅଧିକାର ସାବ୍ୟସ୍ତ କରି ଭାରତକୁ ନାଲିଆଖି ଦେଖାଇଲା ଶ୍ରୀଲଙ୍କା

Key Points

ବିବାଦୀୟ ଦ୍ବୀପ ଉପରେ ଅଧିକାର ସାବ୍ୟସ୍ତ କଲା ଶ୍ରୀଲଙ୍କା

ଦ୍ବୀପରେ ପହଞ୍ଚି ଭାରତକୁ ଚ୍ୟାଲେଞ୍ଜ କଲେ ଶ୍ରୀଲଙ୍କା ରାଷ୍ଟ୍ରପତି

ଦିସାନାୟକେଙ୍କ ଘୋଷଣା ପରେ ତାମିଲନାଡ଼ୁ ରାଜନୀତିରେ ଝଡ଼

କଚ୍ଚାତୀଭୂ ଦ୍ୱୀପକୁ ନେଇ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦୀର୍ଘ ବର୍ଷ ଧରି ବିବାଦ ରହିଆସିଛି। ସବୁଠାରୁ ଅଧିକ ଅସୁବିଧା ଭାରତୀୟ ମତ୍ସ୍ୟଜୀବୀମାନଙ୍କୁ ହେଉଛି । କାରଣ ମାଛ ଧରିବା ସମୟରେ ଶ୍ରୀଲଙ୍କା ନୌସେନା ସେମାନଙ୍କୁ ଗିରଫ କରି ନିର୍ଯାତନା ଦେଉଛି। ଏପରିକି ଶ୍ରୀଲଙ୍କା ନୌସେନାର ହାଜତରେ ଅନେକ ଭାରତୀୟ ମତ୍ସ୍ୟଜୀବୀଙ୍କ ମୃତ୍ୟୁ ମଧ୍ୟ ହୋଇଛି। ଏହି କାରଣରୁ ତାମିଲନାଡୁ ପାଇଁ କଚ୍ଚାତୀଭୂ ଦ୍ୱୀପ ସର୍ବଦା ଅତି ସମ୍ବେଦନଶୀଳ ରହିଆସିଛି। କିନ୍ତୁ ଏପରି ପରିସ୍ଥିତିରେ ଶ୍ରୀଲଙ୍କା ରାଷ୍ଟ୍ରପତି ଅନୁରା କୁମାର ଦିସାନାୟକେ ହଠାତ୍ କଚ୍ଚାତୀଭୂ ଦ୍ୱୀପରେ ପହଞ୍ଚିଥିଲେ। ତାଙ୍କ ସହ ଶ୍ରୀଲଙ୍କା ନୌସେନାର ଅନେକ ଅଧିକାରୀ ମଧ୍ୟ ଥିଲେ। ଆଉ ସେଠାରେ ପହଞ୍ଚିବା ପରେ ସେ ଯେଉଁ ଘୋଷଣା କରିଛନ୍ତି ସେଥିରୁ ଜଣାପଡ଼ିଛି ଯେ ଶ୍ରୀଲଙ୍କା ଏବେ ଭାରତକୁ ନାଲିଆଖି ଦେଖାଇବାକୁ ଚେଷ୍ଟା କରୁଛି। କାରଣ ଏହି ସମୟରେ ସେ ବାହ୍ୟ ଶକ୍ତିଠାରୁ ଦ୍ୱୀପର ସୁରକ୍ଷା ପାଇଁ ଶପଥ ନେଇଛନ୍ତି।

ତେବେ ହଠାତ୍ ଶ୍ରୀଲଙ୍କା ରାଷ୍ଟ୍ରପତି ଦିସାନାୟକେ ଏହି ଦ୍ବୀପରେ ପହଞ୍ଚିବା ପରେ ତାମିଲ ରାଜନୀତିରେ ଝଡ଼ ସୃଷ୍ଟି ହୋଇଛି। କାରଣ ଅଭିନେତାରୁ ରାଜନେତା ବନିଥିବା ତାମିଲ ସିନେ ଜଗତର ସୁପରଷ୍ଟାର ବିଜୟ ଏଇ ନିକଟରେ ବିଶାଳ ଜନସଭାରେ ଭାଷଣ ଦେଇ ଭାରତ ସରକାରଙ୍କୁ ଏହି ଦ୍ୱୀପ ଶ୍ରୀଲଙ୍କାଠାରୁ ପୁନରୁଦ୍ଧାର କରିବାକୁ ଦାବି କରିଥିଲେ। ଅଗଷ୍ଟ ୨୧ରେ ବିଜୟ କଚ୍ଚାତୀଭୂ ଦ୍ୱୀପ ନେଇ ତାମିଲନାଡୁରେ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ଆୟୋଜିତ ଏକ ଆନ୍ଦୋଳନରେ ଭାଗ ନେଇଥିଲେ। ଯେଉଁଠି ସେ ଅଭିଯୋଗ କରିଥିଲେ ଯେ କେନ୍ଦ୍ର ସରକାର ମତ୍ସ୍ୟଜୀବୀଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଛନ୍ତି। ସେ କହିଥିଲେ ଯେ 'ପ୍ରାୟ ୮୦୦ରୁ ଅଧିକ ତାମିଲ ମତ୍ସ୍ୟଜୀବୀଙ୍କୁ ଶ୍ରୀଲଙ୍କା ସରକାର ବହୁତ ହଇରାଣ କରିଛନ୍ତି'। ତେବେ ବିଜୟ ଏଭଳି ବୟାନ ଦେବାର ମାତ୍ର ସପ୍ତାହେ ପରେ ଶ୍ରୀଲଙ୍କା ରାଷ୍ଟ୍ରପତି ଦିସାନାୟକେ କଚ୍ଚାତୀଭୂ ଦ୍ବୀପକୁ ଯାଇ ପହଞ୍ଚିଛନ୍ତି। ତେଣୁ ଏହାକୁ ନେଇ ଏବେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ବିବାଦ ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଛି। କାରଣ ଶ୍ରୀଲଙ୍କା ରାଷ୍ଟ୍ରପତି କଚ୍ଚାତୀଭୂ ଦ୍ବୀପରେ ପହଞ୍ଚିବା ସହିତ ଭାରତକୁ ଚ୍ୟାଲେଞ୍ଜ କରିବା ଭଳି କଥା ମଧ୍ୟ କହିଛନ୍ତି।

ଶ୍ରୀଲଙ୍କା ଗଣମାଧ୍ୟମର ରିପୋର୍ଟ ଅନୁସାରେ, ତାଙ୍କ ରାଷ୍ଟ୍ରପତି ଅନୁରା କୁମାର ଦିସାନାୟକେ କିଛି ପ୍ରୋଜେକ୍ଟର ଉଦଘାଟନ ପାଇଁ ଜାଫନା ଅଞ୍ଚଳକୁ ଯାଇଥିଲେ। ତା’ପରେ ସେ ହଠାତ୍ କଚ୍ଚାତୀଭୂ ଦ୍ୱୀପ ଯିବାର ନିଷ୍ପତ୍ତି ନେଇଥିଲେ। ତାଙ୍କ ସାଙ୍ଗରେ ଶ୍ରୀଲଙ୍କା ନୌସେନାର ଅନେକ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ। ଏବଂ ସେମାନେ ଦ୍ରୁତ ଗତିରେ ନୌକାରେ ୨୮୫ ଏକରର ଏହି ଦ୍ୱୀପକୁ ନୀରିକ୍ଷଣ କରିଥିଲେ। ସେ ଏହି ଦ୍ୱୀପରେ ବହୁତ ସମୟ ରହିଥିଲେ ଓ କିଛି ବାଟ ପାଦରେ ଚାଲିଥିଲେ। ଏହା ସହ ଦିସାନାୟକେ ଏହି ଦ୍ୱୀପରେ ନିୟୋଜିତ ଅଧିକାରୀଙ୍କ ସହ ମଧ୍ୟ କଥାବାର୍ତ୍ତା ହୋଇଥିଲେ। ଏହି ସମୟରେ ସେ ଜୋର ଦେଇ କହିଥିଲେ ଯେ, 'କଚ୍ଚାତୀଭୂ ଦ୍ୱୀପ ଶ୍ରୀଲଙ୍କାର ଅବିଚ୍ଛେଦ୍ୟ ଅଙ୍ଗ ଅଟେ'। 'ଏବଂ ଦେଶ କୌଣସି ବାହ୍ୟ ଚାପ ଆଗରେ ନଇଁବ ନାହିଁ ଓ ନିଜର ସାର୍ବଭୌମତ୍ୱ ହରାଇବ ନାହିଁ'। 'ଏହା ତାଙ୍କ ସରକାରଙ୍କ ଦାୟିତ୍ୱ ଯେ ସେ ଏହି ଦ୍ୱୀପର ସୁରକ୍ଷା କରିବେ'। ତେବେ ଶ୍ରୀଲଙ୍କା ରାଷ୍ଟ୍ରପତି କଚ୍ଚାତୀଭୂ ଦ୍ବୀପରେ ପହଞ୍ଚି ଏଭଳି କଥା କହିଛନ୍ତି, ଯାହା ଦ୍ବାରା ଦୁଇ ଦେଶ ମଧ୍ୟରେ ସମ୍ପର୍କ ତିକ୍ତ ହେବାର ଆଶଙ୍କା ଦେଖାଦେଇଛି। କାରଣ ଦିସାନାୟକେ ନିଜ ବୟାନରେ ଭାରତକୁ ଏକ ସନ୍ଦେଶ ଦେବାକୁ ଚେଷ୍ଟା କରିଛନ୍ତି, ଯେ ଭାରତ ସରକାରଙ୍କ ଯେକୌଣସି ପଦକ୍ଷେପ ବିରୁଦ୍ଧରେ ସେ ଲଢ଼ିବାକୁ ପ୍ରସ୍ତୁତ ଅଛନ୍ତି।

ତେବେ ଏସବୁ ଭିତରେ ଜାଣିବାର କଥା ହେଉଛି ଯେ କଚ୍ଚାତୀଭୂ ଦ୍ୱୀପ ଐତିହାସିକ ଭାବେ ରାମନାଥପୁରମର ରାଜାମାନଙ୍କର ଅଂଶ ଥିଲା। ଏବଂ ବ୍ରିଟିଶ ଶାସନ ସମୟରେ ଏହା ମାଡ୍ରାସ ପ୍ରେସିଡେନ୍ସି ଅନ୍ତର୍ଭୁକ୍ତ ଥିଲା। କିନ୍ତୁ ୧୯୭୪ ମସିହାରେ ଭାରତ-ଶ୍ରୀଲଙ୍କା ଚୁକ୍ତି ଅନୁସାରେ କଚ୍ଚାତୀଭୂ ଦ୍ୱୀପକୁ ଶ୍ରୀଲଙ୍କାକୁ ହସ୍ତାନ୍ତର କରାଗଲା। ଏହି ଦ୍ୱୀପର ସାର୍ବଭୌମତ୍ୱ ଶ୍ରୀଲଙ୍କାକୁ ଦିଆଗଲା। କିନ୍ତୁ ସେହି ଚୁକ୍ତି ଅନୁସାରେ ଭାରତୀୟ ମତ୍ସ୍ୟଜୀବୀ ଏବଂ ତୀର୍ଥଯାତ୍ରୀମାନଙ୍କୁ ବିନା ଭିସାରେ ଏହି ଦ୍ୱୀପକୁ ଯିବା-ଆସିବାର ଅନୁମତି ଦିଆଯାଇଥିଲା। ଚୁକ୍ତି ଅନୁଯାୟୀ ଭାରତୀୟ ମତ୍ସ୍ୟଜୀବୀମାନେ ଏହି ଦ୍ୱୀପ ଆଖପାଖରେ ମାଛ ଧରିପାରିବେ। କିନ୍ତୁ ୧୯୭୬ରେ ଉଭୟ ଦେଶ ମଧ୍ୟରେ ପତ୍ର ମାଧ୍ୟମରେ ସମୁଦ୍ର ସୀମାକୁ ପୁନଃନିର୍ଦ୍ଧାରଣ କରାଗଲା। ଏହାପରେ ଭାରତୀୟ ମତ୍ସ୍ୟଜୀବୀମାନଙ୍କୁ ଶ୍ରୀଲଙ୍କାର ଜଳସୀମାରେ ମାଛ ଧରିବା କିମ୍ବା ଜାଲ ଶୁଖାଇବାରୁ ବାରଣ କରାଗଲା। ଏହାପରେ କଚ୍ଚାତୀଭୂ ଦ୍ୱୀପକୁ ନେଇ ବିବାଦ ଆରମ୍ଭ ହେଲା। ସେବେଠାରୁ ଉଭୟ ଦେଶର ମତ୍ସ୍ୟଜୀବୀଙ୍କ ମଧ୍ୟରେ ପ୍ରାୟତଃ ସଙ୍ଘର୍ଷ ହେଉଛି। ଶ୍ରୀଲଙ୍କା ନୌସେନା ଭାରତୀୟ ମତ୍ସ୍ୟଜୀବୀଙ୍କ ଉପରେ ଗୁଳି ଚଳାଇବାର ଅଭିଯୋଗ ବି ଆସିଛି। ଏପରିକି ଅନେକ ଭାରତୀୟ ମତ୍ସ୍ୟଜୀବୀଙ୍କର ମୃତ୍ୟୁ ମଧ୍ୟ ହୋଇଛି।

ତେଣୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କି ଏହି ଦ୍ବୀପକୁ ନେଇ ଦୁଇ ଦେଶ ମଧ୍ୟରେ ଏକ ପ୍ରକାର ବିବାଦୀୟ ସ୍ଥିତି ଭିତରେ ଶ୍ରୀଲଙ୍କା ରାଷ୍ଟ୍ରପତି ହଠାତ୍ ସେଠାରେ ପହଞ୍ଚିଛନ୍ତି। ଖାଲି ସେତିକି ନୁହେଁ, ସେ ନିଆଁରେ ଘିଅ ଢାଳିବା ଭଳି କାମ ବି କରିଛନ୍ତି। କାରଣ ଦିସାନାୟକେ ଭାରତକୁ ନାଲିଆଖି ଦେଖାଇବା ଭଳି ବୟାନ ଦେଇଥିବା ବେଳେ ଭାରତ ସରକାର କିଭଳି ପ୍ରତିକ୍ରିୟା ଦେଖାଉଛନ୍ତି ତା' ଉପରେ ଏବେ ନଜର ରହିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Sri Lanka shows India the ropes by asserting its sovereignty over the island | Argus News