Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ପାକିସ୍ତାନୀ ସେନାର ନାପାକ୍ ଷଡ଼ଯନ୍ତ୍ରକୁ ମୁହଁତୋଡ ଜବାବ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ପାକିସ୍ତାନୀ ସେନାର ନାପାକ୍ ଷଡ଼ଯନ୍ତ୍ରକୁ ମୁହଁତୋଡ ଜବାବ

Key Points

ଅପରେସନ ସିନ୍ଦୁରର ନୂଆ ଭିଡିଓ ଜାରି
ଭାରତୀୟ ସେନାର ପଶ୍ଚିମ କମାଣ୍ଡ ପକ୍ଷରୁ ଭିଡିଓ ସେୟାର
ପାକିସ୍ତାନୀ ସେନାର ନାପାକ୍ ଷଡ଼ଯନ୍ତ୍ରକୁ ମୁହଁତୋଡ ଜବାବ
ଭାରତୀୟ ସେନା ପରାକ୍ରମ ବଢ଼ାଇଛି ଦେଶବାସୀଙ୍କ ବିଶ୍ବାସ
ଶତ୍ରୁ ସୀମା ଲଙ୍ଘିଲେ, ମାଟିରେ ମିଶାଇବେ ଭାରତୀୟ ଯବାନ
ମିଲିଟାରୀ ଅପରେସନ ପରେ, ଏବେ ପାକ୍ ବିରୋଧରେ ଡିପ୍ଲୋମାଟିକ ଷ୍ଟାଇକ୍

ଅପରେସନ ସିନ୍ଦୁର କେବଳ ଜବାବୀ କାର୍ଯ୍ୟାନୁଷ୍ଠାନ ନୁହେଁ ବରଂ ପାକିସ୍ତାନ ପାଇଁ ମହାଶିକ୍ଷା। ପହଲଗାମ ହମଲାର ପରିଣାମକୁ ପିଢି ପରେ ପିଢି ମନେ ରଖିବ ପାକିସ୍ତାନ । ଭାରତୀୟ ସେନାର ପଶ୍ଚିମ କମାଣ ପକ୍ଷରୁ ସୋସିଆଲ ମିଡିଆରେ ସେୟାର କରାଯାଇଥିବା ଭିଡିଓ, ବଢ଼ାଇଛି ଦେଶବାସୀଙ୍କ ବିଶ୍ବାସ । ଶତ୍ରୁ ସୀମା ଲଙ୍ଘିଲେ, ମାଟିରେ ମିଶାଇବାକୁ ସମର୍ଥ ଭାରତୀୟ ଯବାନ । ଏହି ଦୃଶ୍ୟ ଭାରତୀୟ ସେନାର ଶୌର୍ଯ୍ୟ ଓ ପରାକ୍ରମର ପ୍ରମାଣ । ନୂଆ ଭିଡିଓ ଏହାର ସଦ୍ୟତମ ଉଦାହରଣ । ମେ ୬-୭ ରାତିରେ ଭାରତୀୟ ସେନାର ତାଣ୍ଡବ, ଥରାଇଥିଲା ଆତଙ୍କୀ ଶିବିର । ରାତି ଅଧିଆ ତୁହାକୁତୁହା ଡ୍ରୋନ, ମିସାଇଲ ଓ ରକେଟ ମାଡ଼ରେ ଧୂଳିସାତ ହୋଇଥିଲା ପାକିସ୍ତାନ ଓ ପାକ୍ ଅଧିକୃତ କାଶ୍ମୀରରେ ୯ ଆତଙ୍କୀ ଆଡ୍ଡା । ମାତ୍ର ୨୩ ମିନିଟରେ ଧୂଳିସାତ୍ ହୋଇଥିଲା ଲସ୍କର-ଏ-ତୋଇବା ଓ ଜୈସ-ଏ-ମହମ୍ମଦ ହେଡ୍ କ୍ବାର୍ଟର । ନିପାତ ହୋଇଥିଲେ ଜୈସ୍ ମୁଖ୍ୟ ମସୁଦ ଆଜହରର ପରିବାର ସମେତ ଶତାଧିକ ଆତଙ୍କବାଦୀ ।

ମିଛ ପ୍ରଚାର କରି ପାକିସ୍ତାନୀ ଜନତାଙ୍କୁ ଭୁଆଁ ବୁଲାଉଥିବା ପାକ୍ ସେନା ଓ ସରକାର ପାଇଁ ଏହା କେବଳ ଏକ ଚେତାବନୀ । ଭବିଷ୍ୟତରେ କେବେବି ସୀମା ଲଙ୍ଘିଲେ, କେଉଁ ଦଶା ଭୋଗିବାକୁ ପଡ଼ିବ ଏକଥା ପାକିସ୍ତାନକୁ ଆଉ ବୁଝାଇବାକୁ ପଡ଼ିବନି ।ମିଲିଟାରୀ ଅପରେସନରେ ଆତଙ୍କବାଦୀଙ୍କୁ ସାବାଡ କରିବା ପରେ ଏବେ ବିଶ୍ବବାସୀଙ୍କ ଆଗରେ ପାକିସ୍ତାନର ମୁଖା ଖୋଲିବାକୁ ଆରମ୍ଭ ହୋଇଛି ଡିପ୍ଲୋମାଟିକ ଷ୍ଟ୍ରାଇକ । ଆତଙ୍କବାଦ ପ୍ରସଙ୍ଗରେ ସାରା ବିଶ୍ବ ସାମ୍ନାରେ ଖୋଲିବ ଆତଙ୍କିସ୍ତାନର ପୋଲ୍। ମେ ୨୩ରୁ ବିଭିନ୍ନ ଦେଶ ଗସ୍ତ କରିବେ ଭାରତୀୟ ସାଂସଦଙ୍କ ନେତୃତ୍ବାଧୀନ ୭ଟି ସର୍ବଦଳୀୟ ଟିମ୍। ନେତୃତ୍ବ ନେବେ ବିଜେପି, କଂଗ୍ରେସ ସମେତ ବିଭିନ୍ନ ଦଳର ୭ ଜଣ ବରିଷ୍ଠ ସାଂସଦ। ଏହି ଟିମ୍ ବିଶ୍ବ ସମୁଦାୟ ଆଗରେ ଆତଙ୍କବାଦ ବିରୋଧରେ ଭାରତର ଶୂନ୍ୟ ସହନଶୀଳତା ବାର୍ତ୍ତା ଉପସ୍ଥାପନ କରିବେ। ବିଜେପିରୁ ରବିଶଙ୍କର ପ୍ରସାଦ, ବୈଜୟନ୍ତ ପଣ୍ଡା, କଂଗ୍ରେସରୁ ଶଶି ଥରୁର, ଜେଡିୟୁର ସଞ୍ଜୟ କୁମାର ଝା, ଡିଏମକେର କାନିମୋଝି କରୁଣାନିଧି, ଏନସିପି ଶରଦ ପାୱାରର ସୁପ୍ରିୟା ସୁଲେ ଓ ଶିବସେନାର ଶ୍ରୀକାନ୍ତ ସିନ୍ଦେ ନେବେ ନେତୃତ୍ବ।

ଆତଙ୍କବାଦ ବିରୋଧରେ ଭାରତର ମିଲିଟାରୀ ଓ ଡିପ୍ଲୋମାଟିକ ଷ୍ଟ୍ରାଇକ, ପାକିସ୍ତାନର କଲିଜା ଶୁଖାଇବ ନିଶ୍ଚୟ । ବର୍ଷବର୍ଷ ଧରି ଆତଙ୍କବାଦୀଙ୍କୁ ତାଲିମ ଓ ପ୍ରୋତ୍ସାହନ ଦେଇ ବିଶ୍ବ ପାଇଁ ବିପଦ ବଢ଼ାଉଥିବା ଆତଙ୍କୀସ୍ତାନ ବିରୋଧରେ ଜାରି ଭାରତର ନିର୍ଣ୍ଣାୟକ ଲଢେଇ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
a-befitting-reply-to-the-nefarious-plot-of-the-pakistani-army | Argus News