ଇରାନରୁ ଆଜି ଫେରିଛନ୍ତି ଆଉ ୩୧୦ ଭାରତୀୟ ନାଗରିକ

Key Points
ଯୁଦ୍ଧଗ୍ରସ୍ତ ଇରାନରୁ ସ୍ବଦେଶ ମୁହାଁ ଭାରତୀୟ
ଫେରିଛନ୍ତି ମୋଟ ୮୨୭ ଭାରତୀୟ ନାଗରିକ
ଆଜି ଫେରିଛନ୍ତି ଆଉ ୩୧୦ ଭାରତୀୟ ନାଗରିକ
ଯୁଦ୍ଧଗ୍ରସ୍ତ ଇରାନରୁ ସ୍ବଦେଶ ମୁହାଁ ଭାରତୀୟ । ବର୍ତ୍ତମାନ ସୁଦ୍ଧା ତିନିଟି ପର୍ଯ୍ୟାୟରେ ଫେରିଛନ୍ତି ମୋଟ ୮୨୭ ଭାରତୀୟ ନାଗରିକ । ଅପରେସନ ସିନ୍ଧୁ ଜରିଆରେ ଇରାନରୁ ଆଜି ଫେରିଛନ୍ତି ଆଉ ୩୧୦ ଭାରତୀୟ ନାଗରିକ । ଗତକାଲି ନୂଆଦିଲ୍ଲୀରେ ପହଞ୍ଚିଥିଲେ ୨୯୦ ଭାରତୀୟ। ଭାରତ ପାଇଁ ଇରାନ ସରକାର ଆକାଶ ମାର୍ଗ ଖୋଲିବା ପରେ ବିମାନରେ ସିଧାସଳଖ ଇରାନରୁ ସ୍ବଦେଶ ଫେରୁଛନ୍ତି ଭାରତୀୟ। ଏହାପୂର୍ବରୁ ୨ ଦିନ ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ନୂଆଦିଲ୍ଲୀରେ ପହଞ୍ଚିଥିଲେ ୧୧୦ ଜଣ ଭାରତୀୟ ଛାତ୍ରଛାତ୍ରୀ । ପ୍ରଥମ ପର୍ଯ୍ୟାୟରେ ଇରାନରୁ ଭାରତୀୟ ସିଧାସଳଖ ଆସିପାରିନଥିଲେ ।
ଇରାନରେ ଭାରତୀୟ ଦୂତାବାସର ସହଯୋଗରେ ଆର୍ମେନିଆ ଓ ଦୋହା ଦେଇ ଫେରିଥିଲେ ଭାରତୀୟ । ଇରାନରେ ଫସିଥିବା ଭାରତୀୟଙ୍କ ସମେତ ନେପାଳ ଓ ଶ୍ରୀଲଙ୍କା ନାଗରିକଙ୍କୁ ମଧ୍ୟ ସୁରକ୍ଷିତ ଉଦ୍ଧାର କରିବାକୁ ଘୋଷଣା କରିଛି ଭାରତ ବୈଦେଶିକ ମନ୍ତ୍ରଣାଳୟ । ଦୁଇ ପଡୋଶୀ ଦେଶର ଔପଚାରିକ ଅନୁରୋଧ ପରେ ଇରାନରେ ନିଜର ସ୍ଥାନାନ୍ତର ପ୍ରୟାସକୁ ବିସ୍ତାର କରି ନେପାଳ ଓ ଶ୍ରୀଲଙ୍କାର ନାଗରିକଙ୍କୁ ମଧ୍ୟ ଏଥିରେ ସାମିଲ କରିବାକୁ ଭାରତର ସରକାର ନିଷ୍ପତ୍ତି ନେଇଛନ୍ତି । ନେପାଳ ଓ ଶ୍ରୀଲଙ୍କାର ନାଗରିକଙ୍କୁ ଟେଲିଗ୍ରାମ୍ କିମ୍ବା ଏମର୍ଜେନ୍ସି ନମ୍ବର 989010144557,989128109115 କିମ୍ବା 989128109109ରେ ସଂପର୍କ କରିବାକୁ ପରାମର୍ଶ ଦେଇଛି ବୈଦେଶିକ ମନ୍ତ୍ରଣାଳୟ ।