Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ରାଷ୍ଟ୍ରୀୟ ରାଜଧାନୀରେ ଓଡ଼ିଆ ସଂସ୍କୃତି ଓ ପରମ୍ପରାର ଭବ୍ୟ ଝଲକ୍

Banajyotshna Ray
Browse all articles by Banajyotshna Ray
·1 year ago·2 min read
ରାଷ୍ଟ୍ରୀୟ ରାଜଧାନୀରେ ଓଡ଼ିଆ ସଂସ୍କୃତି ଓ ପରମ୍ପରାର ଭବ୍ୟ ଝଲକ୍

Key Points

  • ରାଷ୍ଟ୍ରୀୟ ରାଜଧାନୀରେ ଓଡ଼ିଆ ସଂସ୍କୃତି ଓ ପରମ୍ପରାର ଭବ୍ୟ ଝଲକ୍
  • ଆଜିଠାରୁ 24 ନଭେମ୍ବର ଯାଏ ଦିଲ୍ଲୀରେ ଓଡ଼ିଶା ପର୍ବ ୨୦୨୪ ର ଚମକ୍  
  • ଓଡ଼ିଆ ନୃତ୍ୟ ଓ ସଂଗୀତରେ କମ୍ପୁଛି ଜବାହାରଲାଲ ନେହରୁ ଷ୍ଟାଡିୟମ୍ ପରିସର
  • ସାହିତ୍ୟିକ ଓ କଳାକାରଙ୍କ ପ୍ରତିଭା ପ୍ରଦର୍ଶନ ସହ ଜମୁଛି ଓଡ଼ିଆ ଖାଦ୍ୟର ଆସର
  • ପ୍ରଥମ ଥର ପାଇଁ ମହାମହିମ ରାଷ୍ଟ୍ରପତି କଲେ ଓଡ଼ିଶା ପର୍ବର ଉଦଘାଟନ
  • ଦେଶର ରାଜଧାନୀରେ ଓଡ଼ିଆ ଅସ୍ମିତାକୁ ମିଳିଲା ବଡ଼ ସମ୍ମାନ

ଅର୍ଗସ ବ୍ୟୁରୋ:  ମିନି ଓଡ଼ିଶା ପାଲଟି ଯାଇଛି ରାଷ୍ଟ୍ରୀୟ ରାଜଧାନୀର ଜବାହାରଲାଲ ନେହରୁ ଷ୍ଟାଡିଅମ୍। ପୁଣିଥରେ ଦିଲ୍ଲୀରେ ଦେଖିବାକୁ ମିଳିଛି ଓଡ଼ିଆ ସଭ୍ୟତା, ସଂସ୍କୃତି, ଅସ୍ମିତା, ନାଚଗୀତ ଓ ଖାଦ୍ୟର ଅପୂର୍ବ ସମ୍ଭାର। ଉଦଘାଟିତ ହୋଇଛି ଓଡ଼ିଶା ପର୍ବ ୨୦୨୪। କିନ୍ତୁ ପୂର୍ବ ବର୍ଷଗୁଡ଼ିକରେ ଆୟୋଜିତ ଓଡ଼ିଶା ପର୍ବଠାରୁ ଚଳିତ ବର୍ଷର ପର୍ବର ଆକର୍ଷଣ ଓ ଚମକ୍ ଅଧିକ। ପ୍ରଥମ ଥର ପାଇଁ ମହାମହିମ ରାଷ୍ଟ୍ରପତି କରିଛନ୍ତି ଓଡ଼ିଶା ପର୍ବର ଉଦଘାଟନ। ଦେଶର ସର୍ବୋଚ୍ଚ ପଦରେ ଆସୀନ ଓଡ଼ିଶାର ସୁକନ୍ୟା ଦ୍ରୌପଦୀ ମୁର୍ମୁ କିନ୍ତୁ ଓଡ଼ିଶା ପର୍ବରେ ଦ୍ବିତୀୟ ଥର ପାଇଁ ହୋଇଛନ୍ତି ସାମିଲ। ଝାଡ଼ଖଣ୍ଡର ରାଜ୍ୟପାଳ ଥିବାବେଳେ ୨୦୧୭ରେ ଓଡ଼ିଶା ପର୍ବର ପ୍ରଥମ ସଂସ୍କରଣରେ ବି ଯୋଗଦେଇଥିଲେ ଶ୍ରୀମତି ମୁର୍ମୁ। ତାଙ୍କର ଯୋଗଦାନ କାର୍ଯ୍ୟକ୍ରମରେ ଉପସ୍ଥିତ ଓଡ଼ିଆଙ୍କୁ କରିଥିଲା ଉତ୍ସାହିତ। ଉଦଘାଟନୀ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସାଂସଦ ଭର୍ତ୍ତୁହରି ମହତାବଙ୍କ ଉପସ୍ଥିତି ଓଡ଼ିଶା ପର୍ବକୁ କରିଥିଲା ଗରିମାମୟ।

ପୂର୍ବ ବର୍ଷଠାରୁ ଏବର୍ଷର ଓଡ଼ିଶା ପର୍ବ ଭବ୍ୟତା ଢେର ଅଧିକ। ଓଡ଼ିଆ ନୃତ୍ୟ, ଗୀତ, ବାଦ୍ୟରେ କମ୍ପୁଛି ଜବାହାରଲାଲ ନେହରୁ ଷ୍ଟାଡିଅମ୍। ରାଜ୍ୟର ବିଭିନ୍ନ ପାରମ୍ପରିକ ଲୋକକଳାର ଝଲକ ଦେଇଖିବାକୁ ମିଳିଛି ଓଡ଼ିଶା ପର୍ବରେ। ଏଥିସହ ଓଡ଼ିଶା ବିଭିନ୍ନ ସ୍ଥାନରୁ ଆସିଥିବା କଳାକାର ମାନେ ରାଷ୍ଟ୍ରୀୟ ରାଜଧାନୀରେ କଳା ପ୍ରଦର୍ଶନ କରୁଥିବାରୁ ଖୁବ ଉତ୍ସାହିତ। ଏବର୍ଷ ୪୫ଟି ଷ୍ଟଲରେ ଓଡ଼ିଶାର ପାରମ୍ପରିକ ବସ୍ତ୍ର, ଖାଦ୍ୟ, କଳାସାମଗ୍ରୀର ବିକ୍ରି ହେଉଛି। କଳାହାଣ୍ଡି, କୋରାପୁଟର, ନବରଙ୍ଗପୁର, ପୁରୀ, ବିଭିନ୍ନ ସ୍ଥାନରୁ ଆସିଥିବା ହସ୍ତତନ୍ତ ସାମଗ୍ରୀ କିଣିବାକୁ ପ୍ରବାସୀ ଓଡ଼ିଆଙ୍କ ମଧ୍ୟରେ ଢେର ଆଗ୍ରହ। ଏଥିସହ ଦିଲ୍ଲୀରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କୁ ହାତପାଆନ୍ତାରେ ମିଳୁଛି ସୋମାନଙ୍କର ଲୋକପ୍ରିୟ ଓଡ଼ିଆ ଖାଦ୍ୟ। ଏଣ୍ଡୁରିପିଠାରୁ, ମଣ୍ଡା, ଦହିବରା, ବରା, ବ୍ରହ୍ମପୁର ଆଚାର ପାମ୍ପଡ୍ ଏହା ସହ ଓଡ଼ିଆ ମିଠା ପାନ ଆଦିର ଖୁବ୍ ମଜା ଉଠାଉଛନ୍ତି ସମସ୍ତେ।

ଓଡ଼ିଆ ସଂସ୍କୃତିର ପ୍ରଚାର ଓ ସୁରକ୍ଷା ପାଇଁ ‘ଓଡ଼ିଆ ସମାଜ’ ପକ୍ଷରୁ ପ୍ରତିବର୍ଷ ଦିଲ୍ଲୀରେ 'ଓଡ଼ିଶା ପର୍ବ'ର ଆୟୋଜନ କରାଯାଉଛି ।  କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପରିକଳ୍ପନାରେ ‘ଓଡ଼ିଆ ସମାଜ’ ପକ୍ଷରୁ ଆରମ୍ଭ ହୋଇଥିବା ଏହି ପର୍ବର ପ୍ରଥମ ସଂସ୍କରଣ ୨୦୧୭ରେ ନୂଆଦିଲ୍ଲୀର ଇଣ୍ଡିଆ ଗେଟ୍ ଲନରେ ଅନୁଷ୍ଠିତ ହୋଇଥିଲା ଏବଂ ୨୦୧୯ ପର୍ଯ୍ୟନ୍ତ ଏହି ପର୍ବ ନିରନ୍ତର ପାଳନ ହୋଇଥିଲା। ତେବେ କୋଭିଡ ମହାମାରୀ ଯୋଗୁଁ ୨୦୨୦ରେ ଏହାର ଆୟୋଜନ ବାତିଲ ହୋଇଥିବା ବେଳେ । ୨୦୨୧-୨୨ରେ ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା ଓଡ଼ିଶା ପର୍ବ। ଗତବର୍ଷଠାରୁ ପୁଣି ପ୍ରତ୍ୟକ୍ଷ ଭାବେ ଏହି ପର୍ବ ଆୟୋଜନ ଆରମ୍ଭ ହୋଇଛି। ଆଗକୁ ଚାଲିବାକୁ ଥିବା ଓଡ଼ିଶା ପର୍ବରୁ ଦୁଇ ଦିନ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଦେଶ ଖବର: 

Sponsored
A glorious glimpse of Odia culture and tradition in the national capital | Argus News