ଶିବମୋଗା କେନ୍ଦ୍ରୀୟ କାରାଗାରରୁ ଆସିଲା ଏକ ଆଶ୍ଚର୍ଯ୍ୟଜନକ ଘଟଣା

Key Points
ଶିବମୋଗା କେନ୍ଦ୍ରୀୟ କାରାଗାରରୁ ଆସିଲା ଏକ ଆଶ୍ଚର୍ଯ୍ୟଜନକ ଘଟଣା
ଜଣେ କଏଦୀ ଏକ ମୋବାଇଲ୍ ଫୋନ୍ ଗିଳି ଦେଇଥିଲେ
ଯାହାକୁ ଅସ୍ତ୍ରୋପଚାର ପରେ ତାଙ୍କ ପେଟରୁ ବାହାର କରାଯାଇଛି
ଅଜବ ଗଜବ ଘଟଣା। ଜେଲରେ ଜଣେ କଏଦୀଙ୍କ ସହ ଏପରି କିଛି ଘଟଣା ଘଟିଥିଲା, ଯାହା ଜେଲ ପ୍ରଶାସନ ଓ ଡାକ୍ତରଙ୍କୁ ପୂରା ସ୍ତବ୍ଧ କରିଦେଇଥିଲା। ଜଣେ କଏଦୀ ପେଟକୁ ଧରି ଛଟପଟ ହେଉଥିଲେ। ଆଉ ଡାକ୍ତରଙ୍କୁ ବିଳି ବିଳେଇ କିଛି କହୁଥିଲେ। ଯେଉଁଥିରୁ ଜଣା ପଡୁଥିଲା କି କଏଦୀ ଜଣକ କହୁଛନ୍ତି ସେ ଏକ ପଥର ଗିଳି ଦେଇଛନ୍ତି। କିନ୍ତୁ ପ୍ରକୃତ କାରଣ ଜଣାପଡିବା ପରେ ଡାକ୍ତର ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ କଏଦୀଙ୍କ ପେଟ ଭିତରୁ ପଥର ନୁହେଁ ବରଁ ଏକ ମୋବାଇଲ୍ ଫୋନ୍ ବାହାରିଥିଲା। ଏହି ଘଟଣାଟି ଶିବମୋଗା କେନ୍ଦ୍ରୀୟ କାରାଗାରରେ ଘଟିଛି। ଏଠାରେ ଦୌଲତ ଓରଫ ଗୁଣ୍ଡା ନାମକ ଜଣେ ୩୦ ବର୍ଷୀୟ କଏଦୀ ୧୦ ବର୍ଷର ସଜା କାଟୁଛନ୍ତି।
📱 Get Argus News App
✨୨୪ ଜୁନରେ ହଠାତ୍ ତାଙ୍କ ପେଟରେ ପ୍ରବଳ ଯନ୍ତ୍ରଣା ଆରମ୍ଭ ହେଲା ଏବଂ ତାଙ୍କୁ ଜେଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତରମାନେ ତାଙ୍କୁ ପଚରା ଉଚରା କରିବା ସମୟରେ ସେ ନିଜକୁ ନିର୍ଦ୍ଦୋଷ ବୋଲି ଦେଖାଇ କହିଲେ ମୁଁ ଭୁଲରେ ଏକ ପଥର ଗିଳି ଦେଇଛି। କିନ୍ତୁ ଏକ୍ସ-ରେ ଚିତ୍ରରେ ତାହା ଅଲଗା କିଛି ଦେଖାଗଲା। କଏଦୀଙ୍କୁ ଶିବମୋଗାର ମେଗାନ ହସ୍ପିଟାଲକୁ ନିଆଯାଇଥିଲା। ଅସ୍ତ୍ରୋପଚାର ସମୟରେ ଡାକ୍ତରମାନେ ବିଶ୍ୱାସ କରିପାରିଲେ ନାହିଁ ଯେ ମଣିଷ ପେଟରୁ ୧ ଇଞ୍ଚ ଚଉଡା ଏବଂ ୩ ଇଞ୍ଚ ଲମ୍ବା ମୋବାଇଲ୍ ଫୋନ୍ ବାହାର କରାଯାଇପାରିବ। ଯାହାକୁ ଅସ୍ତ୍ରୋପଚାର କରି ବାହାର କରାଗଲା। ଜେଲରେ କେବଳ “ଡାର୍କ ସେଲ୍” ନୁହେଁ “କଲ୍ ସେଲ୍” ମଧ୍ୟ ଉପଲବ୍ଧ! ଏହି ଅପରେସନ ବେଳର ଭିଡିଓ ମଧ୍ୟ ମିଡିଆ ହାତରେ ଲାଗିଛି। ଏବେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ଜେଲ ଭିତରକୁ ଫୋନ୍ କିପରି ଆସିଲା? ଅନ୍ୟ କୌଣସି କର୍ମଚାରୀ ସମ୍ପୃକ୍ତ ଥିଲେ କି? ଦୌଲତ ଓରଫ ଗୁଣ୍ଡା କ’ଣ ଏକ ବଡ଼ ନେଟୱାର୍କର ଅଂଶ କି? ଏସବୁକୁ ନେଇ ଏବେ ବଡ଼ ପ୍ରଶ୍ନ ଉଠିଛି।
ଏନେଇ ଜେଲ ଅଧିକାରୀ ରଙ୍ଗନାଥ ପି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ କରାଯାଇଛି। ଜେଲରେ ପ୍ରତ୍ୟେକ କୋଠରୀ ଖୋଜାଖୋଜି କରିବାସହ ପୁନଃ ଯାଞ୍ଚ କରାଯାଉଛି ଏବଂ ଏବେ ଫୋନ୍ ଗିଳିବାର ‘ଟ୍ରମ୍ପ କାର୍ଡ’ କିଏ ଶିଖାଇଲା ତାହା ଜାଣିବା ପାଇଁ ଚେଷ୍ଟା କରାଯାଉଛି। କାହା ପାଖରେ ଫୋନ୍ ଅଛି କି ନାହିଁ, କିନ୍ତୁ ଜେଲରେ ଥିବା ଜଣେ ଅପରାଧୀ ଫୋନ୍ ଗିଳି ନେଟୱାର୍କରେ ପ୍ରବେଶ କରୁଛି। ବର୍ତ୍ତମାନ, ଦୌଲତ ଓରଫ ଗୁଣ୍ଡା ମେଗାନ ହସ୍ପିଟାଲରେ ସୁସ୍ଥ ହେଉଛନ୍ତି। କିନ୍ତୁ ଏପରି ଘଟିବା ପରେ ଜେଲ ପ୍ରଶାସନର ନିଦ ହଜିଯାଇଛି। ଏବଂ ପରବର୍ତ୍ତୀ ସମୟରେ ଯେତେବେଳେ ଜଣେ କଏଦୀ ତାଙ୍କ ପେଟ ଧରି କହିବେ “ସେ ପଥର ଗିଳି ଦେଇଛନ୍ତି”, ତେବେ ଡାକ୍ତର ପ୍ରଥମେ ଏକ୍ସ-ରେ ନୁହେଁ, IMEI ନମ୍ବର ଯାଞ୍ଚ କରିବା ଉଚିତ।