ବିବାହର ଗୋଟିଏ ଦିନ ପରେ ସ୍ତ୍ରୀଙ୍କୁ ଛାଡ଼ି ଦେଶ ସେବା ପାଇଁ ବାହାରିଗଲେ ଜଣେ ସୈନିକ

ପାକିସ୍ତାନ ଯୁଦ୍ଧ ପରିସ୍ଥିତି ମଧ୍ୟରେ ଜଣେ ସୈନିକ ବିବାହର ମାତ୍ର ଦୁଇଦିନ ପରେ ଦେଶ ମାତୃକାର ସେବା କରିବା ପାଇଁ କାର୍ଯ୍ୟରେ ଯୋଗ ଦେଇଛନ୍ତି। ନୂଆ ବାହାଘର ଘରେ ନବବଧୂଙ୍କୁ ଛାଡ଼ି ଆସିବା କେତେ କଷ୍ଟ ତାହା ଜଣେ ଅନୁଭବୀ ହିଁ କହିପାରିବେ। ସବୁଠୁ ଆଶ୍ଚର୍ଯ୍ୟର କଥା ବିବାହ ପରଦିନ ଯେତେବେଳେ ତାଙ୍କୁ ସେନା ପକ୍ଷରୁ ଡାକରା ଗଲା ତାଙ୍କ ସ୍ତ୍ରୀ ମନା କରି ନ ଥିଲେ ବରଂ ଲୁହ ଛଳଛଳ ଆଖିରେ ସ୍ବାମୀଙ୍କୁ ବିଦାୟ ଦେଇ କହିଥିଲେ ତାଙ୍କ ସିନ୍ଦୂର ଦେଶ ନାମରେ ଉତ୍ସର୍ଗ। ଏହା ସହିତ ସେ ଏହା ମଧ୍ୟ କହିଥିଲେ ଯେ, ସେ ତାଙ୍କ ସ୍ବାମୀ ପାଇଁ ସେ ସବୁବେଳେ ଗର୍ବିତ। ମହାରାଷ୍ଟ୍ରର ଜଳଗାଓଁରେ ଜଣେ ସୈନିକ ନିଜ ଦେଶର ସେବା କରିବା ପାଇଁ ସୀମାକୁ ଫେରିଯାଇଥିଲେ।
ପ୍ରକୃତରେ ପାଚୋରା ତହସିଲର ଖେଦଗାଓଁ ନାନ୍ଦିଚେ ଗାଁର ବାସିନ୍ଦା ସୈନିକ ମନୋଜ ଜ୍ଞାନେଶ୍ୱର ପାଟିଲ ତାଙ୍କ ବିବାହର ମାତ୍ର ଦୁଇ ଦିନ ପରେ କର୍ତ୍ତବ୍ୟର ଡାକରାରେ ଦେଶ ସେବା କରିବା ପାଇଁ ଘରୁ ବାହାରିଥିଲେ। ସେ ମେ' ୫ ତାରିଖରେ ୟାମିନୀ ନାମକ ଜଣେ ଝିଅକୁ ବିବାହ କରିଥିଲେ, ବିବାହ ପରେ ମେ’ ୭ରେ ସେ ପାଚୋରା ରେଳ ଷ୍ଟେଶନରୁ ତାଙ୍କ ପୋଷ୍ଟିଂ ସ୍ଥାନକୁ ଚାଲିଗଲେ। ଯେତେବେଳେ ତାଙ୍କ ପରିବାର ସଦସ୍ୟ, ସ୍ତ୍ରୀ, ପିତାମାତା ଏବଂ ସମ୍ପର୍କୀୟମାନେ ତାଙ୍କୁ ବିଦାୟ ଦେବାକୁ ଆସିଲେ, ସମସ୍ତଙ୍କ ଆଖିରେ ଥିଲା ଲୁହ। କିନ୍ତୁ ସେମାନଙ୍କ ମୁହଁରେ ଦେଶପ୍ରେମର ଗର୍ବ ମଧ୍ୟ ସ୍ପଷ୍ଟ ଭାବରେ ଦେଖାଯାଉଥିଲା। ଏହି ଅବସରରେ ସ୍ତ୍ରୀ ୟାମିନୀ କହିଥିଲେ, ‘ମୋ ସିନ୍ଦୂର ଦେଶ ପାଇଁ। ମୁଁ ଗର୍ବିତ ଯେ ମୋ’ ସ୍ବାମୀ ଦେଶ ସେବା କରୁଛନ୍ତି। ୟାମିନୀଙ୍କ ଆଖି ଲୁହରେ ଭର୍ତ୍ତି ଥିଲା ଏବଂ ତାଙ୍କ ହାତରେ ମେହେନ୍ଦୀର ଚମକ ଏବେ ବି ରହିଥିଲା।