Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ମାଘ ପୂର୍ଣିମାରେ ଅମୃତ ସ୍ନାନ ପାଇଁ ପ୍ରୟାଗରାଜ ମୁହାଁ କୋଟି କୋଟି ଭକ୍ତ

Rashmita Mishra
Browse all articles by Rashmita Mishra
·1 year ago·2 min read
ମାଘ ପୂର୍ଣିମାରେ ଅମୃତ ସ୍ନାନ ପାଇଁ ପ୍ରୟାଗରାଜ ମୁହାଁ କୋଟି କୋଟି ଭକ୍ତ

Key Points

ଧର୍ମ ଓ ସଂସ୍କୃତି ପ୍ରତି କୋଟି କୋଟି ସନାତନୀଙ୍କ ଅଖଣ୍ଡ ବିଶ୍ବାସର ପ୍ରତୀକ
ସାରା ଦୁନିଆ ଦେଖୁଛି ମହାକୁମ୍ଭରେ ମହାନ ସାଂସ୍କୃତିକ ବିଭବର ଝଲକ
ସଂଗମରେ ଏକ ତୃତୀୟାଂଶ ଭାରତୀୟ ପକାଇସାରିଲେଣି ଆସ୍ଥାର ବୁଡ଼
ମାଘ ପୂର୍ଣିମାରେ ଅମୃତ ସ୍ନାନ ପାଇଁ ପ୍ରୟାଗରାଜ ମୁହାଁ କୋଟି କୋଟି ଭକ୍ତ
ସଂଗମ ଆସୁଥିବା ଭକ୍ତଙ୍କ ଶୃଙ୍ଖଳିତ ସ୍ନାନ ପାଇଁ ତତ୍ପର ଯୋଗୀ ସରକାର
କୁମ୍ଭକୁ ନେଇ ରାଜନୀତି କରୁଥିବା ନେତାଙ୍କୁ ସିଏମ୍ ଯୋଗୀଙ୍କ ପ୍ରହାର

ଦିବ୍ୟ, ଭବ୍ୟ, ଅଲୌକିକ, ଅକଳ୍ପନୀୟ ଓ ଅବିଶ୍ବସନୀୟ। ୧୪୪ ବର୍ଷ ପରେ ଆସିଛି ଏହି ବିରଳ ସଂଯୋଗ। ସେଥିପାଇଁ ତ୍ରୀବେଣୀ ସଂଗମରେ ଦେଖିବାକୁ ମିଳୁଛି ଶ୍ରଦ୍ଧା ଓ ଆସ୍ଥାର ଏ ଅଦ୍ଭୁତ ଦୃଶ୍ୟ। କେବଳ ଭାରତ ନୁହେଁ ବିଶ୍ବର କୋଣ ଅନୁକୋଣରୁ ଏହି ଆସ୍ଥାର କେନ୍ଦ୍ରକୁ ଛୁଟିଆସୁଛନ୍ତି କୋଟି କୋଟି ଶ୍ରଦ୍ଧାଳୁ। ଜୁନୁଆରୀ ୧୩ରୁ ଆରମ୍ଭ ହୋଇଥିବା ଏହି ମହାକୁମ୍ଭରେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୪୫ କୋଟିରୁ ଅଧିକ ଶ୍ରଦ୍ଧାଳୁ ବିଶ୍ବାସର ବୁଡ଼ ପକାଇସାରିଲେଣି। ଅର୍ଥାତ ପ୍ରାୟ ଏକ ତୃତୀୟାଂଶ ଭାରତୀୟ କରିସାରିଛନ୍ତି ସଂଗମରେ ପବିତ୍ର ସ୍ନାନ। ତଥାପି ନା ଲୋକଙ୍କ ଆସିବା କମିଛି ନା ଆସ୍ଥାରେ ଭଟ୍ଟା ପଡିଛି। ଘଣ୍ଟା ଘଣ୍ଟା ରାସ୍ତାରେ ଅପେକ୍ଷା କରିବାକୁ ପଡୁଛି, ଟ୍ରେନ୍ ଭିତରେ ପଦ ରଖିବାକୁ ଜାଗା ନାହିଁ । ପ୍ରୟାଗରାଜ ଷ୍ଟେସନକୁ ବନ୍ଦ କରିଦିଆଗଲାଣି। ତଥାପି ସନାତନୀଙ୍କ ଉତ୍ସାହରେ କୌଣସି ଫରକ ପଡିନି। ପୂଣ୍ୟ ଅର୍ଜନର ଏହି ଦୁର୍ଲଭ ମୌକାକୁ ହାତଛଡ଼ା କରିବାକୁ ଚାହୁଁ ନାହାନ୍ତି କୌଣସି ସନାତନୀ।

ପ୍ରତିଦିନ କୋଟି କୋଟି ସଂଖ୍ୟାରେ ସଂଗମକୁ ଆସୁଥିବା ସନାତନୀଙ୍କ କଷ୍ଟ ଲାଘବ ପାଇଁ ସବୁ ପ୍ରକାର ପ୍ରଯତ୍ନ କରୁଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର। ମୌନୀ ଅମାବାସ୍ୟାରେ ଘଟିଥିବା ଅଘଟଣର ଯେପରି ପୂନରାବୃତ୍ତି ନହୁଏ ସେଥିପାଇଁ ନିଜେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସବୁ ପ୍ରସ୍ତୁତିର ନେଉଛନ୍ତି କ୍ଷଣ କ୍ଷଣର ଖବର। ଉତ୍ତରପ୍ରଦେଶର ସରକାରର ଦକ୍ଷ ପୋଲିସ ଓ ପ୍ରଶାସନିକ ଅଧିକାରୀମାନେ ଲାଗିଛନ୍ତି ବ୍ୟବସ୍ଥାରେ।

ଏହା ଭିତରେ ମହାକୁମ୍ଭକୁ ନେଇ ସାମାଜିକ ଗଣମାଧ୍ୟମରେ ହେଉଛି ଅପପ୍ରଚାର। ଏଥିସହ ବିରୋଧୀ ବି ମହାକୁମ୍ଭରେ ଅସମ୍ଭାଳ ଭିଡ଼କୁ ନେଇ ବାରମ୍ବାର ଯୋଗୀ ସରକାରଙ୍କୁ କରୁଛନ୍ତି ଆଟାକ୍। ସଂସଦରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ସିଂ ଯାଦବ ଏହି ପ୍ରସଙ୍କ ଉଠାଇଥିବା ବେଳେ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦେଇଛନ୍ତି ଏହାର କଡ଼ ଜବାବ। କହିଛନ୍ତି ଏହା ସନାତନକୁ ବଦନାମ ପାଇଁ ହୀନ ଚକ୍ରାନ୍ତ।

ଏହି ଆରୋପ ପ୍ରତ୍ୟାରୋପ ଭିତରେ କିନ୍ତୁ ସନାତନୀଙ୍କ ଆସ୍ଥାରେ କୌଣସି ଫରକ ପଡ଼ିନାହିଁ। ଇଏ କେବଳ ସଂସଗ ମୁହାଁ ଜନ ସମୁଦ୍ରର ଦୃଶ୍ୟ ନୁହେଁ ଇଏ ସନାତନ ସଂସ୍କୃତି ପ୍ରତି କୋଟି କୋଟି ଭାରତୀୟଙ୍କ ମଧ୍ୟରେ ଥିବା ଆସ୍ଥାର ନିଦର୍ଶନ। ସେଇଥିପାଇଁ ତ କାଳର ଗର୍ଭରେ ଲୀନ ହୋଇଯାଇଛନ୍ତି ପୃଥୀବର ବଡ଼ ବଡ଼ ସଭ୍ୟତା। ଆଜି ସେ ସଭ୍ୟତା ପାଲଟିଛି ଇତିହାସ। କିନ୍ତୁ ଧର୍ମ, ସଂସ୍କୃତି ପ୍ରତି ଏହି ଅତୁଟ ଆସ୍ଥା ଓ ବିଶ୍ବାସ ଯୋଗୁଁ ଆଜିବି ବଞ୍ଚି ରହିଛି ମହାନ ଭାରତୀୟ ସଭ୍ୟତା। କେତେ ଆକ୍ରମଣର ଶିକାର ହୋଇଛି, କେତେ ଷଡ଼ଯନ୍ତ୍ରର ସାମ୍ନା କରିଛି। କେତେ ମାମୁଦ, ମହମ୍ମଦ ଘୋରୀ, ପର୍ତ୍ତୁଗିଜ୍‍, ଫରାସୀ ଫିରିଙ୍ଗି ଆସି ଏହି ସଭ୍ୟତାର ବିଲୋପ ପାଇଁ କରିଛନ୍ତି ଘନ ଘନ ପ୍ରୟାସ। କିନ୍ତୁ ନିଜ ସଂସ୍କୃତି ପ୍ରତି ଏହି ଆସ୍ଥା ଓ ବିଶ୍ବାସର ବଳରେ ସବୁ ପ୍ରତିକୂଳ ପରିସ୍ଥିତିର ସାମ୍ନା କରି ଗର୍ବର ସହ ମୁଣ୍ଡଟେକି ଛିଡ଼ା ହୋଇଛି ଭାରତୀୟ ସଭ୍ୟତା। ଏହି ମହାକୁମ୍ଭ ତାର ସବୁଠୁ ବଡ଼ ପ୍ରମାଣ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
A symbol of the unwavering faith of crores of Sanatanis towards religion and culture. | Argus News