ପ୍ରେମିକା ସହ ୬ ଜଣଙ୍କୁ ହତ୍ୟା କରି ପୋଲିସ୍ ସମ୍ମୁଖରେ ଅଭିଯୁକ୍ତର ଆତ୍ମସମର୍ପଣ!

କେରଳର ତିରୁବନନ୍ତପୁରମରେ ଗଣହତ୍ୟାର ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଛି। ଜଣେ ୨୩ ବର୍ଷୀୟ ଯୁବକ ଏକ ପୋଲିସ୍ ଷ୍ଟେସନ୍କୁ ଯାଇ ତାଙ୍କ ମାଆ, କିଶୋର ଭାଇ ଏବଂ ପ୍ରେମିକା ସମେତ ଛଅ ଜଣଙ୍କୁ ହତ୍ୟା କରିଥିବା ନିଜେ ସ୍ବୀକାର କରିଛନ୍ତି। ପୋଲିସ ଏପର୍ଯ୍ୟନ୍ତ ପାଞ୍ଚ ଜଣଙ୍କ ମୃତ୍ୟୁ ନିଶ୍ଚିତ କରିଛି। ସୋମବାର ସନ୍ଧ୍ୟାରେ କିଛି ଘଣ୍ଟା ମଧ୍ୟରେ ତିନୋଟି ଭିନ୍ନ ସ୍ଥାନରେ ଏହି ହତ୍ୟାକାଣ୍ଡ ଘଟିଥିଲା। ଅଭିଯୁକ୍ତ ଆଫାନ ପୋଲିସ ଷ୍ଟେସନରେ ଆତ୍ମସମର୍ପଣ କରି ଘଟଣାର କ୍ରମ ବର୍ଣ୍ଣନା କରିବା ପରେ ଏହା ସାମ୍ନାକୁ ଆସିଥିଲା।
ପୋଲିସ ଅଭିଯୁକ୍ତର ୧୩ ବର୍ଷୀୟ ଭାଇ ଆହାସନ, ଜେଜେମା ସଲମା ବିଭି, କାକା ଲତିଫ, ମାଉସୀ ଶାହିହା ଏବଂ ତାଙ୍କ ପ୍ରେମିକା ଫରଶାନାଙ୍କ ମୃତ୍ୟୁ ନିଶ୍ଚିତ କରିଛି। ଆଫାନଙ୍କ ମାଆ ଗୁରୁତର ଅବସ୍ଥାରେ ଅଛନ୍ତି ଏବଂ ଥିରୁବନନ୍ତପୁରମର ମେଡିକାଲ କଲେଜ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି। ଅଭିଯୁକ୍ତ ପୋଲିସକୁ ଏ ସୂଚନା ମଧ୍ୟ ଦେଇଛନ୍ତି ଯେ ସେ ନିଜେ ବିଷ ପିଇ ଦେଇଛନ୍ତି। ଏହା ପରେ, ତାଙ୍କୁ ଚିକିତ୍ସା ପାଇଁ ମେଡିକାଲ କଲେଜ ହସ୍ପିଟାଲକୁ ନିଆଯାଇଥିଲା। ବ୍ୟବସାୟ କ୍ଷତି ସହି ନ ପାରି ଏଭଳି କାଣ୍ଡ ଘଟାଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ କରିଛି।