Modi-Putin: ମୋଦିଙ୍କୁ କଲ କରି ମିଟିଂ ବାବଦରେ ସବୁ ସୂଚନା ଦେଲେ ପୁଟିନ !

Key Points
ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫୋନ୍ କରି କଥା ହୋଇଛନ୍ତି ।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଆଲାସ୍କାରେ ହୋଇଥିଲା ଆଲୋଚନା ।
ସେଇ ବାବଦରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟେଲିଫୋନ ଯୋଗେ ବିସ୍ତୃତ ଭାବେ କଥା ହୋଇଛନ୍ତି ପୁଟିନ୍ ।
ଋଷ ଓ ୟୁକ୍ରେନ୍ ମଧ୍ୟରେ ଦୀର୍ଘ ୩ ବର୍ଷ ଧରି ଲାଗି ରହିଥିବା ଯୁଦ୍ଧ ସାରା ବିଶ୍ବରେ ବିଭିନ୍ନ ଦେଶକୁ ପ୍ରଭାବିତ କରିଛି । ଦୁଇ ଦେଶ ମଧ୍ୟରେ ଚାଲିଥିବା ଯୁଦ୍ଧ ବନ୍ଦ କରିବା ପାଇଁ ବିଭିନ୍ନ ସ୍ତରରେ ଉଦ୍ୟମ ଜାରି ରହିଥିଲେ ମଧ୍ୟ ଏହା ସଫଳ ହୋଇନାହିଁ। ତେବେ ପୂର୍ବରୁ ଯୁଦ୍ଧ ଲଢ଼ିବା ପାଇଁ ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଦେଇଥିବା ଆମେରିକା ଏବେ ଏହି ଯୁଦ୍ଧ ବନ୍ଦ କରିବାକୁ ଚେଷ୍ଟା କରୁଥିବା ଦେଖେଇହେଉଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜ ଆଡୁ ଏହି ମାମଲାରେ ହସ୍ତକ୍ଷେପ କରିଛନ୍ତି। ୟୁକ୍ରେନ୍ ସହ ଯୁଦ୍ଧ ବନ୍ଦ କରିବା ପାଇଁ ଚଳିତ ସପ୍ତାହରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ସହ ଟ୍ରମ୍ପ ଆଲୋଚନା କରିଛନ୍ତି ।
ଡୋନାଲ୍ଡ ଟ୍ରମ୍ପଙ୍କ ପଦକ୍ଷେପରୁ ଅନୁମାନ କରାଯାଉଥିଲା ଯେ ଆମେରିକା ୟୁକ୍ରେନକୁ ସାହାଯ୍ୟ କରିବାକୁ ଚାହୁଁଛି । କିନ୍ତୁ ପ୍ରକୃତରେ ଏଠାରେ ଉଦ୍ଦେଶ୍ୟ ଅନ୍ୟ କିଛି ରହିଛି। ଚିରାଚରିତ ଭାବରେ ଆମେରିକା ଏଠାରେ ମଧ୍ୟ ଦ୍ୱୈତ ରଣନୀତି ଗ୍ରହଣ କରୁଛି। ଋଷ-ୟୁକ୍ରେନ୍ ମଧ୍ୟରେ ଚାଲିଥିବା ସଙ୍ଘର୍ଷର ସମାଧାନ ପାଇଁ ଆଲାସ୍କାରେ ଟ୍ରମ୍ପ ଓ ପୁଟିନଙ୍କ ମଧ୍ୟରେ ବୈଠକ ଅନୁଷ୍ଠିତ ହୋଇଥିଲା। କିନ୍ତୁ ଏହି ବୈଠକରେ ଟ୍ରମ୍ପ ଭାରତ ସହ ଋଷର ସମ୍ପର୍କ ଓ ଆମେରିକା ଭାରତ ଉପରେ ଲଗାଇଥିବା ଶୁଳ୍କ ପ୍ରସଙ୍ଗକୁ ମଧ୍ୟ ଉଠାଇଛନ୍ତି। କାରଣ ଋଷରୁ ତେଲ କିଣୁଥିବା ଭାରତ ଉପରେ ଆମେରିକା ୫୦% ଶୁଳ୍କ ଲଗାଇବା ପରେ ଆଲାସ୍କା ବୈଠକ ହୋଇଛି।
ତେବେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫୋନ୍ କରି କଥା ହୋଇଛନ୍ତି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଆଲାସ୍କାରେ ହୋଇଥିବା ଆଲୋଚନା ବାବଦରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟେଲିଫୋନ ଯୋଗେ ବିସ୍ତୃତ ଭାବେ କଥା ହୋଇଛନ୍ତି ପୁଟିନ୍ ।
ଏନେଇ ନିଜ ଏକ୍ସ ଆକାଉଣ୍ଟରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ମୋର ବନ୍ଧୁ, ରାଷ୍ଟ୍ରପତି ପୁଟିନଙ୍କ ଫୋନ୍ କଲ ଆସିଥିଲା। ଆଲାସ୍କାରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ ହୋଇଥିବା ବୈଠକର ତଥ୍ୟ ପାଇଁ ଧନ୍ୟବାଦ ଜଣାଉଛି। ୟୁକ୍ରେନ ସଂଘର୍ଷର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଭାରତ ସବୁବେଳେ ଆହ୍ବାନ କରିଛି । ଏବଂ ଏହି ଦିଗରେ ସମସ୍ତ ପ୍ରୟାସକୁ ସମର୍ଥନ କରୁଛି। ଆଗାମୀ ଦିନରେ ଆମର ଆଲୋଚନା ଜାରି ରହିବ ବୋଲି ମୁଁ ଆଶା କରୁଛି।
ତେବେ ଏହା ଭିତରେ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ଭାରତ ଏବଂ ରୁଷର ବନ୍ଧୁତା ଏବଂ ବାଣିଜ୍ୟିକ ସହଯୋଗ ଯୋଗୁଁ, ଆମେରିକା ଏବେ ଭାରତ ଉପରେ ଅତ୍ୟଧିକ ଶୁଳ୍କ ଲାଗୁ କରିଛି । ଯଦି ଏହି ଯୁଦ୍ଧ ବନ୍ଦ ହୁଏ, ତେବେ ଭାରତ ବିରୁଦ୍ଧରେ ଲଗାଯାଇଥିବା ଏହି ଶୁଳ୍କ ମଧ୍ୟ ଶେଷ ହୋଇପାରେ। ଭାରତ ରୁଷର ଏକ ବଡ଼ ବାଣିଜ୍ୟିକ ଅଂଶୀଦାର, ତେଣୁ ବୈଠକ ପରେ ୟୁରୋପୀୟ ନେତାମାନେ ନେଇଥିବା ନିଷ୍ପତ୍ତି ରୁଷ ସହିତ ଭାରତକୁ ମଧ୍ୟ ପ୍ରଭାବିତ କରିପାରେ ।
ଆମେରିକାରେ ହୋଇଥିବା ଏହି ଆଲୋଚନା ୟୁକ୍ରେନ ସଂଘର୍ଷ ଏବଂ ଭାରତ-ରୁଷ ସମ୍ପର୍କ ଉପରେ କେନ୍ଦ୍ରିତ ଥିଲା, ଯେଉଁଥିରେ ଦୁହେଁ, ଦ୍ୱିପାକ୍ଷିକ ସହଯୋଗ ଓ ଷ୍ଟ୍ରାଟେଜିକ ଭାଗୀଦାରୀକୁ ଆହୁରି ଗଭୀର କରିବାକୁ ପ୍ରତିବଦ୍ଧତା ପ୍ରକାଶ କରିଥିଲେ।
ଆଲାସ୍କାରେ ଶୁକ୍ରବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ହୋଇଥିବା ଆଲୋଚନା ବାବଦରେ ପୁଟିନ ସୂଚନା ଦେଇଛନ୍ତି । ରୁଷ ରାଷ୍ଟ୍ରପତି ପୁଟିନ୍, ଭାରତର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଫୋନ କରିବା ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ, କାରଣ ସୋମବାର ରାତିରେ ୟୁରୋପୀୟ ନେତା ଜେଲେନସ୍କିଙ୍କ ସହ ୱାଶିଂଟନରେ ଟ୍ରମ୍ପଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଥିଲା ।