Operation Sindoor: ପ୍ରଥମେ ଭାରତର କଥାକୁ ବିଶ୍ୱାସ କରୁନଥିଲେ, ଏବେ ସ୍ୱୀକାର କଲେ ପ୍ରମାଣ ବି ଦେଲେ !

Key Points
'ଦି ନ୍ୟୁୟର୍କ ଟାଇମ୍ସ' ଏବଂ 'ୱାଶିଂଟନ୍ ପୋଷ୍ଟ' ଭାରତର ଆକ୍ରମଣକୁ ନେଇ ସ୍ପଷ୍ଟ ରିପୋର୍ଟ ଦେଇନଥିଲେ ।
ଓ୍ୱାଶିଂଟନ୍ ପୋଷ୍ଟର ବଡ଼ ଖୁଲାସା । ଭାରତର ଏୟାରଷ୍ଟ୍ରାଇକ୍ରେ ପାକିସ୍ତାନର ୬ ଏୟାରଫିଲ୍ଡ ଧ୍ୱଂସ ହୋଇଛି । ଓ୍ୱାଶିଂଟନ୍ ପୋଷ୍ଟ ଏବଂ ନିଉୟର୍କ ଟାଇମ୍ସରେ ଏହି ଖୁଲାସା ହୋଇଛି । ଅପରେସନ୍ ସିନ୍ଦୂର ଭାଙ୍ଗିଛି ପାକିସ୍ତାନ ସେନାର ମେରୁଦଣ୍ଡ । ଆମେରିକା ଖବରକାଗଜରେ ଭାରତ ସେନା ଅପରେସନର ବିଶ୍ଳେଷଣ ହୋଇଛି । ପୂର୍ବରୁ ନିଉୟର୍କ ଟାଇମ୍ସ ଉଭୟ ଦେଶର ଆକ୍ରମଣର କୌଣସି ପ୍ରମାଣ ନଥିବା କହିଥିବା ବେଳେ ବର୍ତମାନ ଏକ ସାଟେଲାଇଟ୍ ଇମେଜ୍ ଜାରି କରି ପାକିସ୍ତାନର ଆତଙ୍କୀ ଅଡ୍ଡା ଏବଂ ଏଆରବେସ୍ରେ ଭାରତ ପକ୍ଷରୁ ହୋଇଥିବା ଆକ୍ରମଣ କଥାକୁ ସତ ମାନିଛି ।
୨୨ ଏପ୍ରିଲ ପହଲଗାମ୍ ଆକ୍ରମଣ ପରେ, 'ଦି ନ୍ୟୁୟର୍କ ଟାଇମ୍ସ' ଏବଂ 'ୱାଶିଂଟନ୍ ପୋଷ୍ଟ' ଭଳି ପ୍ରମୁଖ ଗଣମାଧ୍ୟମ ପହଲଗାମ୍ ଆଟାକ୍ ଏବଂ ଭାରତର ଆକ୍ରମଣକୁ ନେଇ ସ୍ପଷ୍ଟ ରିପୋର୍ଟ ଦେଇନଥିଲେ । କିନ୍ତୁ ବର୍ତ୍ତମାନ ଏହି ଗ୍ଲୋବାଲ ମିଡିଆ ଭାରତ ପାକ୍ ଯୁଦ୍ଧରେ ଭାରତର ବଡ଼ ସଫଳତାକୁ ମାନିଛନ୍ତି ।
ଅନ୍ୟପଟେ ଭାରତର ଆକ୍ରମଣରେ ଏକ ଭୟଭୀତ କୁକୁର ଭଳି ତା’ର ଲାଙ୍ଗୁଡ଼ ଜାକି ପଳାଇ ଯାଇଛି ପାକିସ୍ତାନ ବୋଲି କହିଛନ୍ତି ପୂର୍ବତନ ପେଣ୍ଟାଗନ୍ ଅଧିକାରୀ ମାଇକେଲ୍ ରୁବିନ୍ । ଭାରତ ଓ ପାକିସ୍ତାନ ମଧ୍ୟରେ ସୃଷ୍ଟି ହୋଇଥିବା ଉତ୍ତେଜନା ଏବଂ ସାମରିକ ସଂଘର୍ଷରେ, ଭାରତ ପୁଣି ଥରେ ପ୍ରମାଣ କରିଛି ଯେ ସେ କେବଳ କଡ଼ା ଶବ୍ଦରେ ନୁହେଁ ବରଂ ଠୋସ୍ କାର୍ଯ୍ୟାନୁଷ୍ଠାନରେ ଆତଙ୍କବାଦର ଜବାବ ଦିଏ । ଅପରେସନ ସିନ୍ଦୂର ଅଧୀନରେ ଭାରତ ଯେଭଳି ଭାବରେ ପାକିସ୍ତାନକୁ ଧୋଇଛି, ତାହାକୁ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ପ୍ରଶଂସା କରାଯାଉଛି ବୋଲି କହିଛନ୍ତି ମାଇକେଲ ରୁବିନ୍ ।
ମାଇକେଲ୍ ରୁବିନ୍ ପାକିସ୍ତାନକୁ କଡା ଭାଷାରେ ନିନ୍ଦା କରିଛନ୍ତି । ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ସେ କହିଛନ୍ତି, ଭାରତ କେବଳ ସାମରିକ ଦୃଷ୍ଟିରୁ ନୁହେଁ ବରଂ କୂଟନୈତିକ ଦୃଷ୍ଟିରୁ ମଧ୍ୟ ଏକ ସ୍ପଷ୍ଟ ଏବଂ ନିଶ୍ଚିତ ବିଜୟ ହାସଲ କରିଛି । ଭାରତୀୟ ସେନା ସେମାନଙ୍କର ଆତଙ୍କୀ ଭିତ୍ତିଭୂମିକୁ ନଷ୍ଟ କରିଦେଇଥିବାରୁ ପାକିସ୍ତାନ ଆଉ ମିଛ ଏବଂ ଭ୍ରମ ଦୁନିଆରେ ରହିପାରିବ ନାହିଁ । ପାକିସ୍ତାନ ଯାହାବି କହୁ, କିନ୍ତୁ ତା ସେନା ଏହି ଯୁଦ୍ଧରେ ଅତି ଖରାପ ଭାବରେ ହାରିଛି ବୋଲି, ଏ ସତ୍ୟରୁ ସେ ବଞ୍ଚିପାରିବ ନାହିଁ ।