ଲାଲଗଡ଼ରେ ଅପରେସନ `କଗାର' ପରେ ମାଓବାଦୀ ଥରହର

ଲାଲଗଡ଼ରେ ଅପରେସନ 'କଗାର' ପରେ ମାଓବାଦୀ ଥରହର । ଲାଲବାହିନୀ ଜାରି କଲା ଶାନ୍ତି ବାର୍ତ୍ତା ପାଇଁ ପତ୍ର । ସମିତି ମାଧ୍ୟମରେ ଆଲୋଚନା ଲାଗି ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି ମାଓବାଦୀ । ତେବେ ଛତିଶଗଡ଼ ଗୃହମନ୍ତ୍ରୀ ଏହି ସମିତି ଗଠନ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ବିଜାପୁରରେ ସର୍ଚ୍ଚ ଅପରେସନରୁ ମିଳିଲା ଆତଙ୍କିତ ମାଓବାଦୀଙ୍କ ଏହି ଚିଠି ।
ମାଓ ସଂଗଠନର ଉତ୍ତର ପଶ୍ଚିମ ସବ୍ ଜୋନାଲ ବ୍ୟୁରୋର ନେତା ରୂପେଶ ଜାରି କରିଥିବା ପତ୍ର ହିଁ ପ୍ରମାଣିତ କରୁଛି କେତେ ଆତଙ୍କିତ ଲାଲ ବାହିନୀ । ସରକାରଙ୍କୁ ଶାନ୍ତି ଆଲୋଚନା ପାଇଁ ଅପିଲ କରିଛି ମାଓ ନେତା ରୂପେଶ । ପୂର୍ବରୁ ମାଓନେତା ଅଭୟର ସର୍ତ୍ତମୂଳକ ଆଲୋଚନାକୁ ସରକାର ପ୍ରତ୍ୟାଖ୍ୟାନ କରିବା ପରେ ଏବେ ସଂପୂର୍ଣ୍ଣ ନିଃସର୍ତ୍ତ ଆଲୋଚନା ପାଇଁ ଅପିଲ କରିଛି ରୂପେଶ ।
ଆଉ ସରକାରଙ୍କୁ ସମିତି ମାଧ୍ୟମରେ ପାଇଁ ଆଲୋଚନା ଆରମ୍ଭ କରିବାକୁ ଅନୁରୋଧ କରିଛି । ତେବେ ଏହାକୁ ପୁଣି ପ୍ରତ୍ୟାଖ୍ୟାନ କରିଛନ୍ତି ଛତିଶଗଡ଼ ସରକାର । ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମା କହିଛନ୍ତି, ବନ୍ଧୁକର ଜବାବ ଚର୍ଚ୍ଚା ନୁହେଁ । ସରକାରଙ୍କ ପକ୍ଷରୁ କୌଣସି ସମିତି ଗଠନ କରାଯିବ ନାହିଁ । ଯଦି ମାଓ ସଂଗଠନ କୌଣସି ସମିତି ପଠାଇବ ତାହାଲେ ସରକାର ଗ୍ରହଣ କରିପାରନ୍ତି ।
ପୂର୍ବରୁ ମାଓ ନେତା ଅଭୟ ଶାନ୍ତି ପାଇଁ ୩ଟି ସର୍ତ୍ତ ସହ ଜାରି କରିଥିଲା ପ୍ରେସ ବିଜ୍ଞପ୍ତି । 'ଅପରେସନ କଗାର' ବନ୍ଦ ସହ ସୁରକ୍ଷା ବାହିନୀଙ୍କୁ ପ୍ରତ୍ୟାହାର ପାଇଁ ରଖିଥିଲା ସର୍ତ୍ତ । ଯାହାକୁ ପ୍ରତ୍ୟାଖ୍ୟାନ କରି ଦେଇଥିଲେ ଛତିଶଗଡ଼ ସରକାର । ଏହା ପରେ ଏବେ ନିଃସର୍ତ୍ତ ଆଲୋଚନା ପାଇଁ ପୁଣି ଚିଠି ଜାରି କରିଛି ମାଓ ନେତା ରୂପେଶ । ଏହା ଦର୍ଶାଉଛି 'ଅପରେସନ୍ କଗାର' ପରେ କେତେ ଆତଙ୍କିତ ସେମାନେ ।
📱 Get Argus News App
✨
'ଅପରେସନ କଗାର' ଅଧିନରେ ସୁରକ୍ଷା ବାହିନୀଙ୍କ ଘନ ଘନ ଆକ୍ରମଣ ପରେ ଏବେ ମାଓବଦୀଙ୍କ ସ୍ଥିତି ଅତ୍ୟନ୍ତ ଦୟନୀୟ । ସେମାନଙ୍କର ବହୁ ନେତା ଅପରେସନରେ ମଲେଣି । ବହୁ ନେତା ସୁରକ୍ଷାକର୍ମୀଙ୍କ ହାତରେ ଧରା ପଡ଼ି ଏବେ ଜେଲରେ । ଏହା ଛଡ଼ା ପ୍ରତିଦିନ ବହୁ ହାର୍ଡକୋର ମାଓବାଦୀ ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କରୁଛନ୍ତି ।
ଏହା ମାଓବାଦୀଙ୍କ ମନୋବଳ ଭାଙ୍ଗି ଦେଇଛି । ସେମାନେ ଜୀବନ ରକ୍ଷା ପାଇଁ ଏ ଜଙ୍ଗଲରୁ ସେ ଜଙ୍ଗଲ ଘୁରି ବୁଲୁଛନ୍ତି । କେଉଁଠାରେ ବି ସେମାନଙ୍କୁ ମିଳୁନି ସୁରକ୍ଷିତ ଠିକଣା । ଛତିଶଗଡ଼ ବିଜାପୁରରେ ସର୍ଚ୍ଚ ଅପରେସନ ବେଳେ ସୁରକ୍ଷାକର୍ମୀଙ୍କୁ ହାତରେ ଲାଗିଥିବା ମାଓବାଦୀଙ୍କ ଚିଠି ସେମାନଙ୍କ ଦୟନୀୟ ସ୍ଥିତି ବୟାନ କରୁଛି ।
୨୦୨୬ ମାର୍ଚ୍ଚ ମାସ ସୁଦ୍ଧା ଦେଶରୁ ମାଓବାଦର ମୂଳପୋଛ ପାଇଁ ସଂକଳ୍ପ ନେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଏଥିପାଇଁ ଉଚ୍ଚସ୍ତରୀୟ ବୈଠକରେ ମାଓ ବିରୋଧୀ ଅପରେସନର ସମୀକ୍ଷା କରିବା ସହ ବାରମ୍ବାର ଛତିଶଗଡ଼ର ମାଓ ପ୍ରଭାବିତ ଅଞ୍ଚଳ ଗସ୍ତ କରି ସୁରକ୍ଷାକର୍ମୀଙ୍କ ମନୋବଳ ବଢାଉଛନ୍ତି ନିଜେ ଗୃହମନ୍ତ୍ରୀ । ଗତ ସପ୍ତାହରେ ମାଓ ପ୍ରଭାବିତ ଦାନ୍ତେୱାଡ଼ା ଗସ୍ତରେ ଯିବା ଅବସରରେ ଆତ୍ମସମର୍ପଣ କରି ମୁଖ୍ୟସ୍ରୋତରେ ସାମିଲ ହେବାକୁ ମାଓବାଦୀଙ୍କୁ ପୁଣି ଆହ୍ଵାନ ଦେଇଥିଲେ ଶାହ ।
ତେବେ ଯେଉଁଭଳି ମାଓ ବିରୋଧୀ ଅପରେସନ ଚାଲିଛି ଓ ଭୟଭୀତ ମାଓବାଦୀ ଆତ୍ମସମର୍ପଣ କରୁଛନ୍ତି ଡେଡଲାଇନ୍ ପୂର୍ବରୁ ମାଓବାଦୀ ମୂଳପୋଛ ହୋଇଯିବେ ବୋଲି ଅନୁମାନ କରାଯାଉଛି । ୨୦୦୪ରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୨୯୦ ଜଣ ମାଓବାଦୀ ନିପାତ ହୋଇଥିଲେ । ୧୦୯୦ ଜଣଙ୍କୁ ଗିରଫ କରାଯାଇଥିଲା ଏବଂ ୮୮୧ ଜଣ ହିଂସା ଛାଡି ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇଥିଲେ ।
୨୦୨୫ରେ ବର୍ତ୍ତମାନ ସୁଦ୍ଧା ୧୪୦ରୁ ଅଧିକ ମାଓବାଦୀଙ୍କୁ ମାରି ଗଡ଼ାଇବାରେ ସଫଳ ହେଲେଣି ସୁରକ୍ଷା ବାହିନୀ । ଶତାଧିକ ମାଓବାଦୀ ଆତ୍ମସମର୍ପଣ ମଧ୍ୟ କରି ସାରିଲେଣି । ତେଣୁ ଲକ୍ଷ୍ୟସ୍ଥଳ ଆଉ ବେଶୀ ଦୂର ନୁହେଁ ବୋଲି ଆଶା କରାଯାଉଛି ।