ମନୀଷ ସିସୋଦିଆ , ସତ୍ୟେନ୍ଦ୍ର ଜୈନଙ୍କ ନାଁରେ ଦିଲ୍ଲୀ ଦୁର୍ନୀତି ମାମଲା

ପୁଣି ଆପ ନେତାଙ୍କୁ ଘାରିଲା ଗିରଫଦାରୀ ଭୟ । ଆପ୍ ନେତା ମନୀଷ ସିସୋଦିଆ ଓ ସତ୍ୟେନ୍ଦ୍ର ଜୈନଙ୍କ ନାଁରେ ହୋଇଛି ବଡ଼ ଦୁର୍ନୀତି ମାମଲା । ସରକାରୀ ସ୍କୁଲରେ ଶ୍ରେଣୀଗୃହ ନିର୍ମାଣ ସହିତ ଜଡିତ ମାମଲାରେ ଉଭୟଙ୍କ ନାଁରେ ଅଭିଯୋଗ ହୋଇଛି । ମଦ ଦୁର୍ନୀତି ମାମଲାରେ ସଜା ଭୋଗୁଥିବା ଉଭୟ ନେତା ଏବେ ସ୍କୁଲ ଗୃହ ନିର୍ମାଣରେ ପ୍ରାୟ ୨ ହଜାର କୋଟିର ଦୁର୍ନୀତିରେ ଛନ୍ଦି ହୋଇଛନ୍ତି । ଆପ୍ ସରକାରଙ୍କ କାର୍ଯ୍ୟକାଳରେ ୧୨ ହଜାର ୭୪୮ ଶ୍ରେଣୀଗୃହ ନିର୍ମାଣ ପାଇଁ ଆସିଥିବା ଟଙ୍କା ଲୁଟ ହୋଇଥିବା ନେଇ ମାମଲା ରୁଜୁ କରିଛି ଦିଲ୍ଲୀ ଦୁର୍ନୀତି ନିବାରଣ ଶାଖା ।
ଦୁର୍ନୀତି ନିବାରଣ ଆଇନର ଧାରା ୧୭-କ ଅନୁଯାୟୀ ଅଧିକାରୀଙ୍କଠାରୁ ଆବଶ୍ୟକୀୟ ଅନୁମୋଦନ ପାଇବା ପରେ ଏସିବି ମାମଲା ପଞ୍ଜିକୃତ କରିଛି । ମନୀଷ ସିସୋଦିଆ ଓ ସତ୍ୟେନ୍ଦ୍ର ଜୈନଙ୍କ ବିରୋଧରେ ଶ୍ରେଣୀଗୃହ ନିର୍ମାଣ ଖର୍ଚ୍ଚ ଅପେକ୍ଷା ୫ ଗୁଣ ଅଧିକ ଟଙ୍କା ଖର୍ଚ୍ଚ କରିଥିବା ଅଭିଯୋଗ ରହିଛି । ଉଭୟ ନେତା ୩୪ ଜଣ ଆପ କର୍ମୀ ତଥା ଠିକାଦାରଙ୍କୁ କାମ ଦେଇ ମୋଟା ଅଙ୍କର ପିସି ନେଇଥିବା ଅଭିଯୋଗ ହୋଇଥିଲା । ସରକାରୀ ପ୍ରକଳ୍ପ ଜୁନ୍ ୨୦୧୬ ସୁଦ୍ଧା ଶେଷ ହେବାର ଯୋଜନା ଥିଲେ ବି କାମ ଶେଷ ହୋଇନଥିଲା ।